Unknown

 

 

 

 

 

 

 

 

 

 

 

 

କିଛି ହସ କିଛିଟା ବିଦ୍ରୂପ

ଚନ୍ଦ୍ରଭାନୁ ଶତପଥୀ

 

ଉତ୍ସର୍ଗ

 

ଶ୍ରୀ ଫତୁରାନନ୍ଦ !

ଶ୍ରଦ୍ଧା ଏବଂ ସମ୍ମାନର ସହିତ ‘କିଛି ହସ, କିଛିଟା ବିଦ୍ରୂପ’

ଆପଣଙ୍କୁ ସମର୍ପଣ କରୁଛି ।

ଗ୍ରହଣ କଲେ ମୁଁ ଗୌରବାନ୍ୱିତ ହେବି ।

 

ଚନ୍ଦ୍ରଭାନୁ

Image

 

ବହି ବିଷୟରେ

 

ଏହା ମୋର ଦ୍ୱିତୀୟ ଗଳ୍ପସଂକଳନ । ମୋର ପ୍ରଥମ ସଂକଳନ ‘ହାସ୍ୟାଙ୍କୁର’ ପାଠକମାନଙ୍କ ପାଖରେ ଆଦୃତ ହୋଇଥିବା ଯୋଗୁଁ ହାସ୍ୟ ଏବଂ ବ୍ୟଙ୍ଗ ସମ୍ବଳିତ ଏହି ଦ୍ୱିତୀୟ ଗଳ୍ପ ସଂକଳନର ଆବିର୍ଭାବ । ନିଜ ସାହିତ୍ୟର ମୂଲ୍ୟାଙ୍କନ ନିଜେ କରିବା ଏକ ଅସଙ୍ଗତ କଥା । ତେଣୁ ‘କିଛି ହସ କିଛିଟା ବିଦ୍ରୂପ’ର ତର୍ଜମା ପାଠକମାନେ ହିଁ କରିବେ । ଏ ବହି ସଂପର୍କରେ କିଛି କହିବାକୁ ଯାଇ ସଂକ୍ଷେପରେ ମୁଁ କେବଳ ଏତିକି କହିପାରେ ଯେ, ସଂକଳନରେ ଥିବା ଚରିତ୍ରଗୁଡ଼ିକ ସମସାମୟିକ ସାମାଜିକ ଜୀବନର ପ୍ରତିନିଧିତ୍ୱ କରିବାକୁ ଚେଷ୍ଟା କରିଛନ୍ତି । ଚରିତ୍ରଗୁଡ଼ିକର ଅସାମଞ୍ଜସ୍ୟ ପ୍ରତି କଟାକ୍ଷ କରା ଯାଇଥିଲେ ମଧ୍ୟ ସେମାନଙ୍କୁ ଗୋଟାଏ ବ୍ୟାପକ ମାନବୀୟ ସନ୍ଦର୍ଭରେ ହିଁ ସୃଷ୍ଟି କରାଯାଇଛି । ପୁସ୍ତକଟି ସହୃଦୟ ପାଠକମାନଙ୍କ ପାଖରେ ଆଦର ପାଇଲେ ମୁଁ ଉତ୍ସାହିତ ହେବି ।

 

ଅନ୍ୟ ଭାଷା ମାନଙ୍କରେ ବ୍ୟଙ୍ଗ ସାହିତ୍ୟକୁ ଯେଉଁ ସ୍ଥାନ ଦିଆଯାଇଛି ଓଡ଼ିଆ ଭାଷାରେ ବ୍ୟଙ୍ଗ ସାହିତ୍ୟକୁ ସେ ସ୍ଥାନ ମିଳିପାରିନାହିଁ । ଆନନ୍ଦର କଥା ଯେ, ଗତ ଦଶବର୍ଷ ଭିତରେ ପ୍ରକାଶିତ ଅନେକ ପୁସ୍ତକ ଓଡ଼ିଶାର ବ୍ୟଙ୍ଗ ସାହିତ୍ୟକୁ ପୁଷ୍ଟ କରିଛି ଏବଂ ତାହାର ମାନ ବଢ଼ାଇଛି । ତଥାପି ସାହିତ୍ୟିକ ବର୍ଣ୍ଣ ବିଭାଜନରେ ବ୍ୟଙ୍ଗ ସାହିତ୍ୟର ସ୍ଥାନ ବୈଶ୍ୟରୁ ଉଠି କ୍ଷତ୍ରିୟ ପାଖରେ ପହଞ୍ଚିଛି–କିଛି ଦିନ ପରେ ଏ ସାହିତ୍ୟ ଅବଶ୍ୟ ବ୍ରହ୍ମତ୍ୱ ଲାଭ କରିବ । ଯେଉଁମାନେ ଏ ଦିଗରେ ପ୍ରୟାସ ଚଳାଇଛନ୍ତି ସେମାନଙ୍କର ମଧ୍ୟରୁ ପ୍ରଧାନ ହେଲେ ଶ୍ରୀ ଫତୁରାନନ୍ଦ ମହାପାତ୍ର, ନୀଳମଣି ସାହୁ, ଚୌଧୁରୀ ହେମକାନ୍ତ ମିଶ୍ର, ଶ୍ରୀ କୁଳମଣି ମହାପାତ୍ର ଏବଂ ଶ୍ରୀ ପୁଲିନ ବିହାରୀ ରାୟ ।

 

ଶ୍ରୀ ଦୁର୍ଗାମାଧବ ମିଶ୍ର, ଶ୍ରୀ ଶ୍ୟାମସୁନ୍ଦର ପାଢ଼ୀ, ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ, ଡକ୍ଟର କୁଞ୍ଜବିହାରୀ ଦାଶ, ଶ୍ରୀ ମୁରାରି ମୋହନ ଜେନା, ଅଧ୍ୟାପକ ଶ୍ୟାମସୁନ୍ଦର ମିଶ୍ର, ନାଟ୍ୟକାର ବିଜୟ ମିଶ୍ର ଆଦି ମୋତେ ପ୍ରେରଣା ଦେଇଥିବାରୁ ମୁଁ ସେମାନଙ୍କ ପାଖରେ ଋଣୀ । ସରସ–ସାହିତ୍ୟ–ସମିତିର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନଙ୍କ ପାଖରୁ ମୁଁ ସବୁବେଳେ ସାହାଯ୍ୟ ଏବଂ ସହାନୁଭୂତି ପାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ମୋର ଧର୍ମପତ୍ନୀ ଶ୍ରୀମତୀ ମୀରାଦେବୀ ପାଣ୍ଡୁଲିପିଟି ଲେଖିଥିବା ଯୋଗୁ ତାଙ୍କୁ ଧନ୍ୟବାଦ ଜଣାଉଛି ।

 

ଚନ୍ଦ୍ରଭାନୁ ଶତପଥୀ

Image

 

ହାଣ୍ଡିଶାଳ ବିପ୍ଲବ

 

ସାତଦିନର ଟୁର୍ ସମାପ୍ତ କରି ଅନାଦିବାବୁ ଘରକୁ ଫେରି ଦେଖିଲେ ଯେ ଘରଟା ଗୋଟାଏ ବାତ୍ୟା ବିକ୍ଷୋଭିତ ଅଞ୍ଚଳ ଭଳି ଦିଶୁଛି । ଘରଯାକ ବହି ଆଉ ମ୍ୟାଗାଜିନ୍ ସବୁ ବିଛେଇ ହୋଇ ପଡ଼ିଛି । ଅନେକ କାର୍ଡବୋର୍ଡ଼ ଆଦି ମଧ୍ୟ ପଡ଼ିଥାଏ । ପୁଅ ଟୁନା ଆଉ ଝିଅ ମିଲି ଧକେଇ ଧକେଇ କାନ୍ଦୁଥାଆନ୍ତି । ସବୁଠୁ ଛୋଟ ଝିଅ ନେଲି ଖଟ ତଳେ ବସି କାନ୍ଦୁଥାଏ ଆଉ ତାକୁ ସାନ୍ତ୍ୱନା ଦେବାପାଇଁ କୁକୁର ଜିମ୍ ତା’ ମୁହଁକୁ ଚାଟୁଥାଏ । ପତ୍ନୀଙ୍କର ଦେଖା ନ ଥାଏ ।

 

ସମସ୍ତଙ୍କୁ ଶାନ୍ତ କରାଇଦେଇ ଅନାଦିବାବୁ ପଚାରିଲେ, ‘‘ହଇରେ, କାନ୍ଦୁଚ କାହିଁକି ? କଅଣ ହେଲା ? ମାଆ କାହାନ୍ତି ?’’

 

ଆଠ ବର୍ଷର ପୁଅ ଟୁନା କାନ୍ଦୁ କାନ୍ଦୁ କହିଲା, ‘‘ବାପା, ମାଆ ପାଗଳୀ ହୋଇଯାଇଛନ୍ତି । ପାଖକୁ ଗଲେ ଇଆଡ଼ୁ ସିଆଡ଼ୁ କଅଣ ଗାଳି ଦେଉଛନ୍ତି ।’’

 

‘‘ଏଁ.......... ମାଆ ପାଗଳୀ ହୋଇଛନ୍ତି ?’’ ଅନାଦିବାବୁ ଚମକି ପଡ଼ିଲେ । କଥାଟା ଭୀଷଣ ଅସଂଗତ ଲାଗିଲା । ତିନିଟି ସନ୍ତାନର ଜନନୀ ତାଙ୍କ ପତ୍ନୀ–ବିବାହର ଦଶ ବର୍ଷପରେ ପାଗଳୀ କେମିତି ହୋଇଗଲେ ? ଟୁର୍‌ରେ ଗଲା ପୂର୍ବରୁ ତ ଠିକ୍ ଥିଲେ ! ହସି ହସି ବିଦାୟ ଦେଇଥିଲେ ! ଅନ୍ୟମନସ୍କ ଭାବରେ ତାଙ୍କ ମୁହଁରୁ ବାହାରି ଆସିଲା, ‘‘ତମେମାନେ ତ ଏଇଠି ଥିଲ–ମାଆ କେମିତି ପାଗଳୀ ହୋଇଗଲେ ?’’

 

ମିଲି କହିଲା–‘‘ଜିମ୍ କାଲି ସକାଳେ ମାଆଙ୍କ ପାଦକୁ କାମୁଡ଼ି ଦେଇଥିଲା । ସେଇଥିପାଇଁ ବୋଧେ ପାଗଳୀ ହୋଇଯାଇଛନ୍ତି ।’’

 

ଅନାଦିବାବୁ ଆଶ୍ଚର୍ଯ୍ୟ ହେଲେ । ଏ ଘରେ କଅଣ ସମସ୍ତେ ପାଗଳ ହୋଇଗଲେଣି ନା କଅଣ ? ବଡ଼ପୁଅକୁ ପଚାରିଲେ, ‘‘ଏ ବହି, ମ୍ୟାଗାଜିନ୍‌ଗୁଡ଼ାକ ଏମିତି ପଡ଼ିଛି କାହିଁକି ?’’

 

ଟୁନା ଉତ୍ତର ଦେଲା, ‘‘ବାପା, ତମେ ଟୁର୍‌ରେ ଗଲାପରଠାରୁ ପ୍ରତିଦିନ ମାଆଙ୍କର ବହୁତ ସାଙ୍ଗ ଆସୁଥିଲେ । ସେମାନେ ଏ ବହିଗୁଡ଼ାକ ଆଣିଥିଲେ । ମାଆ ଆଉ ସେମାନେ ପ୍ରତିଦିନ ସନ୍ଧ୍ୟାବେଳେ ଏଠି ବସୁଥିଲେ–ଏଇଠି କଥାବାର୍ତ୍ତା ହେଉଥିଲେ । ଆଜି ସକାଳୁ ମାଆ ପାଗଳୀ ହୋଇଯାଇଛନ୍ତି ।’’

 

ଅନାଦିବାବୁ ଆଶ୍ଚର୍ଯ୍ୟ ହୋଇ ବହି ଏବଂ ମ୍ୟାଗାଜିନ୍ ଗୁଡ଼ିକ ଦେଖିବାକୁ ଲାଗିଲେ । ‘ଫେମିନା’, ‘ଇଭସ୍ ଉଇକ୍‌ଲି’, ‘ମନୋରମା’, ‘ଉଇମେନ ଲିବରେସନ୍’ ଏବଂ ‘ଦି ଫେମିନିଷ୍ଟ’ ଆଦି ବହୁତ ପ୍ରକାର ମ୍ୟାଗାଜିନ୍ ପଡ଼ିଥିଲା । ନାରୀ ସ୍ୱାଧୀନତା ଉପରେ ମଧ୍ୟ ଅନେକ ପ୍ରକାର ବହି ପଡ଼ିଥାଏ । ଦୁଇ ଚାରିଟା ବଡ଼ ବଡ଼ କାର୍ଡ଼ବୋର୍ଡ଼ରେ ନାଲିଆ ସ୍ୟାହିରେ ଲେଖା ହୋଇଥାଏ– ‘‘ପୁରୁଷ... ଘୁଷୁରି ମୁର୍ଦ୍ଦାବାଦ’’

 

‘‘ହାଣ୍ଡିଶାଳରେ ରହିବା ନାହିଁ... ରହିବା ନାହିଁ’’

 

‘‘ପୁରୁଷମାନେ ଗର୍ଭବତୀ ହୁଅ’’

 

ଶେଷ କାର୍ଡ଼ବୋର୍ଡ଼ଟା ଦେଖି ଅନାଦିବାବୁ ଚମକି ପଡ଼ିଲେ । ଏଁ... ଏ କି ଅସମ୍ଭବ କଥା-! ଆମେମାନେ କେମିତି ଗର୍ଭବତୀ ହେବୁଁ ! ଅଜାଣତରେ ତାଙ୍କ ହାତ ନିଜ ପେଟ ଉପରେ ବୁଲିଆସିଲା । ନାଃ... ଏପରି ପ୍ରକ୍ରିୟା ହେବାର ତ ସମ୍ଭାବନା ଦିଶୁ ନାହିଁ ! ଘର ଭିତରକୁ ପଶିଯାଇ ଦେଖିଲେ ଯେ, ପତ୍ନୀ ଆଇନା ସାମନାରେ ବସି ଲିପଷ୍ଟିକ୍ ଲଗାଉଛନ୍ତି । ପଚାରିଲେ–‘‘କଅଣ ଦେହ ଭଲ ନାହିଁକି ?’’ କଥାଟା ସରିଛି କି ନାହିଁ ନିର୍ମଳା ଦେବୀ ବିଦ୍ୟୁତ୍ ବେଗରେ ଝଟକି ଉଠି ଅନାଦିବାବୁଙ୍କ ଆଡ଼େ ଚାହିଁ କହିଲେ–‘‘ଇଉ ମେଲ୍‌ ଚଉଭିନିଷ୍ଟ ! ପନ୍ଦର ବର୍ଷ ହେଲା ତମଭଳି ଜଣେ ପୁଞ୍ଜିବାଦୀ ମନୋବୃତ୍ତିର ଲୋକଦ୍ୱାରା ଶୋଷିତ ହେଲା ପରେ ପଚାରୁଛ ମୋ ଦେହଟା ଭଲ ଅଛି କି ନାହିଁ ? ଆଉ କୌଣସି ସମାଜରେ ଦଶ ବର୍ଷ ଏପରି ଅତ୍ୟାଚାର ହୋଇଥିଲେ ବିପ୍ଳବ ଆସିଯାଇ ଥାଆନ୍ତା । ଏହା ମୋର ମୁର୍ଖତା ଯେ ଏତେ ବର୍ଷ ହେଲା ତୁମର ତଥା ତୁମ ପରିବାର ଏବଂ ପିଲାମାନଙ୍କର ଅତ୍ୟାଚାରରେ ରହି ମୁଁ ଯେ ଜଣେ ଭିନ୍ନ ବ୍ୟକ୍ତିତ୍ୱ ଏକଥା ଭୁଲିଯାଇଥିଲି । ଆଜି ମୁଁ ଜାଣିପାରିଛି ଯେ, ନାରୀଜାତିକୁ ହାଣ୍ଡିଶାଳରେ ବାନ୍ଧିଦେଇ ତୁମେମାନେ ନିଜର ପୁରୁଷତ୍ୱକୁ ଜାହିର କରି ଆସିଛ । ବିବାହ ଦାସତ୍ୱ ପ୍ରଥାର ଅନ୍ୟ ରୂପ–ବୁଝିଲ ? ମୁଁ ଆଉ ସହିପାରିବିନି । ସେମାନେ ସମସ୍ତେ ଆସିଥିଲେ–ମିସ୍ ନାନ୍‌ସି ମିଶ୍ର, ମିସ୍ ବିଲି ବୁଗୋନ୍–ଭିଲିଆ, ଆଉ ମିସ୍ ହିପ୍‌ପୀନୀ ବିକିନୀ । ଆମେମାନେ ବହୁତ ପ୍ରକାରର ମିଟିଂ, ସିମ୍ପୋସିୟମ ଆଉ ଡିସ୍‌କସନ୍ କରୁଥିଲୁ । ମୋତେ ବୁଝାଇ ଦେଇଛନ୍ତି ଭୁଲିଯିବା ପାଇଁ ଯେ, ମୁଁ ତୁମର ସ୍ତ୍ରୀ ଆଉ ଆଉ ମୁଁ ତୁମ ଅଧୀନରେ । ମୁଁ ଜଣେ ସମ୍ପୂର୍ଣ୍ଣ ଅଲଗା ବ୍ୟକ୍ତି । ଶୁଣ, ମୁଁ ମୋର ନିଜର–ହେଲା ? ଖବରଦାର୍, ଯଦି କେବେ ଫିସ୍‌ଫିସ୍ ହୋଇ କାନ ପାଖରେ କହିଛ ଯେ–ତମେ ପରା ମୋଅର ! ମୁଁ ତୁମର ନୁହେଁ, ମୁଁ କାହାରି ନୁହେଁ; ମୁଁ ମୋର ନିଜର । ଆମେମାନେ ମିଶି ଆରମ୍ଭ କରିଛୁ ‘ହାଣ୍ଡିଶାଳ ବିପ୍ଳବ’-। କାରଣ, ଗାଈକୁ ଖୁଣ୍ଟରେ ବାନ୍ଧିଲା ପରି, ତମେମାନେ ଯୁଗେ ଯୁଗେ ନାରୀକୁ ହାଣ୍ଡିଶାଳରେ ବାନ୍ଧିଦେଇଛ । ଏଣିକି ଭୁଲିଯାଅ ଯେ ଆମେମାନେ ଖାଲି ହାଣ୍ଡିଶାଳ ପାଇଁ ଜନ୍ମ ନେଇଛୁ । ଆମର କର୍ମପରିସର ଯଥେଷ୍ଟ ବୃହତ୍, ଯଥେଷ୍ଟ ଉଚ୍ଚ ।’’

 

ଏତିକି କହିସାରି ଶ୍ରୀମତୀ ନିର୍ମଳା ପଣ୍ଡା ଅନାଦିବାବୁଙ୍କ ଉଦ୍ଦେଶ୍ୟରେ ଏକ ତାଚ୍ଛଲ୍ୟପୂର୍ଣ୍ଣ ହସ ଫିଙ୍ଗିଲେ । ଘରକୁ ଫେରି ହଠାତ୍ ନାରୀ ସ୍ୱାଧୀନତା ଉପରେ ଏକ ସାରଗର୍ଭକ ଭାଷଣ ଶୁଣିବେ ବୋଲି ଅନାଦିବାବୁ ବିଶ୍ୱାସ କରିନଥିଲେ । ଡରିଯାଇ କହିଲେ–‘‘ନିର୍ମଳା ! ମୋ କଥା ଟିକେ.....’’ ତାଙ୍କ ମୁହଁରୁ ଏତିକି ସରିଛି କି ନାହିଁ, ନିର୍ମଳା ପଣ୍ଡା ଚିତ୍କାର କରି ଉଠିଲେ–‘‘ଚୁପ୍‌କର, ମୋତେ ଆଜିଠୁ ସେ ନ୍ୟାଷ୍ଟି ନିର୍ମଳା ପଣ୍ଡା ନାମରେ ଡାକିବ ନାହିଁ । ଆଜିଠାରୁ ମୁଁ ‘ନିଓମି ଫାଣ୍ଡା’ ଠିକ୍ ଯେମିତି ଫିଲ୍ମ ଏକ୍‌ଟ୍ରେସ୍ ‘ଜେନ୍ ଫାଣ୍ଡା’ । ତା’ଛଡ଼ା ମୁଁ ତୁମକୁ ଅନ୍ତିମ ଚେତାବନୀ ଦେଉଛି ଯେ, ମୋର ନାମ ଆଗରେ ଶ୍ରୀମତୀ କେବେ ଲେଖିବନି । ନାଆଁରେ ମଧ୍ୟ ନିଜତ୍ୱ ରଖିବାର ଆମର ଅଧିକାର ତମେମାନେ ନେଇ ଯାଇଛ । ତେଣୁ ମୁଁ ଆଜିଠାରୁ ମିସ୍ ନିଓମି ଫାଣ୍ଡା.... ବୁଝିଲ... ମିସ୍ ନିଓମି ଫାଣ୍ଡା ।’’ ଏତିକି କହି ଗୋଟାଏ ସିଗାରେଟ୍ ଲଗାଇଦେଇ ଦୁଇଦମ୍ ଯୋର୍‌ରେ ଟାଣିଧରି ମିସ୍‌ ନିଓମି ଫାଣ୍ଡା ଭକ୍ ଭକ୍ ଧୂଆଁ ଛାଡ଼ିବାକୁ ଲାଗିଲେ ।

 

କିଛି ବୁଝି ନପାରି ଅନାଦିବାବୁ କହିଲେ–‘‘ତା’ ଠିକ୍ ଯେ, କିନ୍ତୁ ଦଶ ବର୍ଷ ହେଲା ତ ତମେ...’’

 

ତାଙ୍କ ମୁହଁରୁ କଥା ସରିଛି କି ନାହିଁ ମିସ୍ ଫାଣ୍ଡା ପୁଣି ଆକ୍ରମଣ କଲେ–‘‘ସେଇଟା ହିଁ ମୋର ମିସ୍‌ଫର୍‌ଚ୍ୟୁନ୍ । ମୁଁ ଦଶ ବର୍ଷ ହେଲା ତମ ବିବାହ ଶୃଙ୍ଖଳରେ ବାନ୍ଧିହୋଇ ନିଜକୁ ଆବିଷ୍କାର କରିପାରୁନଥିଲି । ଏବେ ବିଶ୍ଲେଷଣ କଲି, ପ୍ରକୃତରେ ମୁଁ କୁମାରୀ ଜୀବନରେ କ’ଣ ଚାହୁଁଥିଲି ଆଉ କ’ଣ ପାଇଛି । ତମେ କ’ଣ ଜାଣ ସେ ବିଷୟରେ ? ମୁଁ ତଥା ମୋ ବ୍ୟକ୍ତିତ୍ୱ ଚାହିଁଥିଲା ଫିଲ୍ମ ଏକ୍ଟର ଧର୍ମେନ୍ଦ୍ର ଭଳି ଗୋଟାଏ ‘ହି’ ମ୍ୟାନ୍’ ଓ ‘କିଲର ବୟ’ କୁ ବାହାହେବାପାଇଁ, ତୁମକୁ ନୁହେ–ଯାହାର ଭାଇଟାଲ୍ ଷ୍ଟାଟିସ୍‌ଟିକସ୍‌ ହୋଇଥିବ, ଚାଲିଶ୍–ତେତିଶ୍–ଅଠତିରିଶ୍ । ଓଃ, କି ସ୍ମାର୍ଟ ଲାଗେ ଧର୍ମେନ୍ଦ୍ର ! କେଡ଼େ ଚଉଡ଼ା ଛାତି ! କି ହାଇଟ୍ ! କେତେ ଲୋକଙ୍କୁ ସିଏ ବାଡ଼େଇ ବାଡ଼େଇ ସାବାଡ଼ କରି ଦେଇଛି ! ତାକୁ ବାହା ହୋଇଥିଲେ ମୋ ପାଇଁ ସିଏ କ’ଣ ବା କରି ନଥାନ୍ତା ? ହାୟ ଧର୍ମେନ୍ଦ୍ର... ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଦଶ ବର୍ଷ ହେଲା ତମ ଭଳି ବାଙ୍ଗରା ଲୋକଟା ସାଙ୍ଗରେ ଚଳିପାରିଛି ।

 

ଅନାଦିବାବୁ ସାମାନ୍ୟ ଅପ୍ରତିଭ ହୋଇ ପ୍ରଶ୍ନ କଲେ–‘‘କିନ୍ତୁ ମୁଁ ଯେ ଗତ ଦଶ ବର୍ଷ ହେଲା ତମ ପାଇଁ ଅନେକ ଗୁଡ଼ିଏ କଥା କରିଛି !’’ ମିସ୍ ଫାଣ୍ଡା ଉତ୍ତର ଦେଲେ, ‘‘ଅବଶ୍ୟ ତମେ ଗୁଡ଼ିଏ ମେକାନିକାଲ୍ କାର୍ଯ୍ୟ, ମାନେ ବାହାହେବା, ଘର ସଜାଡ଼ିବା, ପିଲା ଜନ୍ମ ପାଇଁ ସାହାଯ୍ୟ କରିବା, ଗାଡ଼ି ଠିକ୍ କରିବା ଇତ୍ୟାଦି ଇତ୍ୟାଦି କରିଛି । ଏହାର ବଦଳରେ ମୁଁ ତୁମର ମଧ୍ୟ ଅନେକ କାମ କରିଛି । ସେଗୁଡ଼ା ଏପରି କାମ, ଯାହାକୁ କି କାଞ୍ଜି ଆହୁଦାର ମାଲିକ ଧରାପଡ଼ିଥିବା ଜନ୍ତୁମାନଙ୍କ ପାଇଁ କରିବ । କିନ୍ତୁ ତୁମେ ମୋ ଭିତରର ମଣିଷ ପାଇଁ କ’ଣ କରିଛ ? ମୋ ଭିତରର ନାରୀର ଭାବନା ବୁଝିଛକି ? ଧର୍ମେନ୍ଦ୍ର ସବୁ କରିଥାଆନ୍ତା, ଆଉ ତୁମେ ଦଶ ବର୍ଷ ହେଲା ଯାହାସବୁ କରିଯାଇଛ, ସେସବୁ କାମ ତୁମଠାରୁ ଭଲ ଭାବରେ କରିପାରନ୍ତା ।’’

 

ଏତିକିବେଳେ ଝିଅ ମିଲି ଘର ଭିତରକୁ ପଶିଆସି କହିଲା–‘‘ମାଆ, ମୋର ସ୍କୁଲ ପୋଷାକ ସବୁ ମଇଳା ହୋଇଯାଇଛି, ସଫା କରିଦେ ।’’

 

ମିସ୍ ନିଓମି ଫାଣ୍ଡା ତା’ ଗାଲରେ ଠୋକିନା ଚଟକଣାଟିଏ ବସାଇ ଦେଲେ । କହିଲେ–‘‘ତୁ ମଧ୍ୟ ମୋ ଜୀବନକୁ ନଷ୍ଟ କରିଛୁ । ମୋ ପେଟରୁ କାହିଁକି ଜନ୍ମ ହେଲୁ ? ଦିନ ଅପେକ୍ଷା କଲୁ ନାହିଁ, ଟେଷ୍ଟଟ୍ୟୁବ୍ ଭିତରେ ଜନ୍ମ ହୋଇଥାଆନ୍ତୁ ! ତୋ ଜନ୍ମପାଇଁ ମୁଁ ଯେତିକି ପରିମାଣରେ ଦାୟୀ, ତୋ ବାପା ମଧ୍ୟ ସେତିକି ପରିମାଣରେ ଦାୟୀ । ଏଣିକି ସେ ତମର ଲୁଗା ସଫା କରିବେ, ଖାଇବା ବନାଇବେ ଆଉ ଘର ଚଳାଇବେ । ଆଉ ମୁଁ... ମୁଁ ସକାଳେ ଉଠି ଜ୍ୟୁଡ଼ୋ ଆଉ କରାଟେ ଅଭ୍ୟାସ କରିବି । ନିଜର ଆତ୍ମରକ୍ଷା କରିବା ପାଇଁ ଏଗୁଡ଼ିକ ବହୁତ ଆବଶ୍ୟକ । ତା’ପରେ ହୋଟେଲ ‘ମୋନାଲିସା’ରେ ବ୍ରେକ୍‌ଫାଷ୍ଟ, ଦିନରେ ଗୋଟାଏ ଦୁଇଟା ମିଟିଂ ଓ ସିମ୍ପୋଜିୟମ୍, ତା’ପରେ ଲଞ୍ଚ୍, ସନ୍ଧ୍ୟାବେଳେ ମିସ୍ ବୁଗୋନ୍‌ ଭିଲିଆ ଆଉ ବୟଫ୍ରେଣ୍ଡ ଓନୀଲ୍ ଡି ସୁଜା ସାଙ୍ଗରେ ଫିଲମ୍ ଶୋ ନହେଲେ ଡ୍ୟାନ୍‌ସ ଓ ପାର୍ଟି । ପ୍ରତି ରବିବାରରେ ଗୋଟାଏ ପିକ୍‌ନିକ୍-। ମୋ ପାଇଁ କେହି ଅପେକ୍ଷା କରିବ ନାହିଁ । ମୁଁ ମଧ୍ୟ କାହା ପାଇଁ ଅପେକ୍ଷା କରିବି ନାହିଁ । କାଲି ସକାଳୁ ଇଚ୍ଛା ହେଲେ ମୁଁ ଆସିପାରେ । ହ୍ୱାଟ ଏ ଲାଇଫ୍... ! ବାଏ...’’

 

ଏତିକି କହି, ଗୋଟାଏ ଭେନିଟି ବ୍ୟାଗ୍ ଧରି, ଚାରି ଇଞ୍ଚ ବହଳର ଗୋଟିଏ ଜୋତା ପିନ୍ଧି, ଝଡ଼ ଭଳି ବାହାରକୁ ଚାଲିଗଲେ ମିସ୍ ନିଓମି ଫାଣ୍ଡା । ଘର ଭିତରେ ଭୂତ କିଛି କ୍ଷଣ ପାଇଁ ଦେଖାଦେଇ ଚାଲିଗଲେ ଦର୍ଶକବୃନ୍ଦଙ୍କର ଯାହା ଅବସ୍ଥା ହୁଏ, ସମସ୍ତଙ୍କର ଅବସ୍ଥା ଠିକ୍ ସେଇଆ ହୋଇଥିଲା । ସମସ୍ତେ ମିସ୍ ଫାଣ୍ଡା ଯାଇଥିବା ରାସ୍ତାକୁ କିଛି କ୍ଷଣ ଚାହିଁ ରହିଲେ । ଚେତା ପଶିଲା ପରେ ଅନାଦିବାବୁ ମିଲିକୁ ପଚାରିଲେ–‘‘କିରେ, ରାତି ଖାଇବା ବନାହୋଇଛି ? ମୋତେ ଖୁବ୍ ଭୋକ ଲାଗିଲାଣି ।’’

 

ମିଲି ମନାକଲା । ଗୋଟାଏ ତରକାରି ଆଉ ଭାତ ବନାଇ ଦେବା ପାଇଁ କହିବାରୁ ମିଲି ମନାକଲା, କାରଣ ଘରର ସମସ୍ତ କାର୍ଯ୍ୟ ମାଆ କରୁଥିଲେ । ଅନାଦିବାବୁ ଅଗତ୍ୟା ଲୁଗାପଟା ପାଲଟି, ହାତ ମୁହଁ ଧୋଇ, ଗୋଟାଏ ଗଞ୍ଜି ଆଉ ଧୋତି ପିନ୍ଧି ରାନ୍ଧିବା ପାଇଁ ରୋଷାଇ ଘରେ ପଶିଲେ । ଦଶ ବର୍ଷ ଚାକିରି କଲା ପରେ ଅନାଦିବାବୁଙ୍କ ରାନ୍ଧିବା ବିଷୟରେ ଅଭିଜ୍ଞତାଟା କେବଳ ଚାହା ବନାଇବା ସ୍ତରରେ ହିଁ ରହିଯାଇଥିଲା । କିନ୍ତୁ ତରକାରି ବନାଇବା... ଛୁଙ୍କ ଦେବା... ଅନାଦିବାବୁ ଭାବିପାରୁନଥିଲେ । ତଥାପି ସାହସ କରି ଚାରି ଛଅଟା ଆଳୁ ଆଣି ଧୋଇଲେ । ଚାରିଆଡ଼େ ଚାହିଁଲେ କନା ପାଇଁ, ଆଳୁ ପୋଛାଯିବ । କନାଟି କେଉଁ ଏକ ନିଭୃତ କୋଣରେ ହୁଏତ ଲୁଚି ରହିଥିଲା–ଖୋଜିବାକୁ ଚେଷ୍ଟା କଲେ, ପାଇଲେ ନାହିଁ । ଶୋଇବା ଘରକୁ ଯାଇ ପକେଟ ଭିତରୁ ରୁମାଲଟା କାଢ଼ିଆଣିଲେ । ରୁମାଲରେ ଆଳୁ ପୋଛା ହେଲା । ଏବେ ପନିକି ଖୋଜା ଚାଲିଲା । ପନିକି ମଧ୍ୟ ମିଳିଲା ନାହିଁ । ଖିଅର ହେବା ଡବାରୁ ଗୋଟାଏ ନୂଆ ବ୍ଲେଡ଼୍ ଆଣିଲେ ।

ପୋଖତ ଇଞ୍ଜିନିୟର ଅନାଦିବାବୁ ଗୋଟାଏ ଡ୍ୟାମ୍ ସିନା ମାସକରେ ବନାଇ ଦେଇ ପାରନ୍ତେ, ମାତ୍ର ଆଳୁ କାଟିବାକୁ ଯାଇ ସେ ବଡ଼ ଅସୁବିଧାରେ ପଡ଼ିଲେ । ଶିଖିଥିବା ପଦ୍ଧତି ଅନୁସାରେ ସେ ଗୋଟାଏ ବଡ଼ ଆଳୁ ଦୁଇଟି ଆଙ୍ଗୁଳି ଭିତରେ ଅତି ସନ୍ତର୍ପଣରେ ଧରିଲେ, ଯେମିତିକି ସ୍ଲାଇଡ଼୍ କେଲିପର୍ସ ଦ୍ୱାରା କୌଣସି ଏକ ଜିନିଷ ସୂକ୍ଷ୍ମ ଭାବରେ ମାପ କରିବାକୁ ଯାଉଛନ୍ତି । ବ୍ଲେଡ୍‌ଟିରେ ଆଳୁର ଠିକ୍ ମଝିରୁ ଦୁଇଗଡ଼ କରିବା ପାଇଁ ଚେଷ୍ଟା କଲେ । ଆଳୁଟା ସିନା ଦିଗଡ଼ ହୋଇଗଲା, ମାତ୍ର ସଠିକ ଜ୍ୟାମିତିକ ନୀତି ଅନୁସାରେ ଡ୍ୟାମ୍ ବନାଉଥିବା ଇଞ୍ଜିନିୟରଙ୍କ ମନକୁ କଥାଟା ପାଇଲା ନାହିଁ । ଆଳୁଟା ସିନା ଠିକ୍ ଦୁଇଗଡ଼ ହୋଇଥାଆନ୍ତା, ମାତ୍ର ଆଳୁର ଗୋଟାଏ ପଟ ବଡ଼ ହୋଇଗଲା ଏବଂ ଅନ୍ୟ ପଟଟି ଛୋଟ । ଅନାଦିବାବୁଙ୍କର ଜ୍ୟାମିତିକ ଦୃଷ୍ଟିକୋଣଟି ଆଘାତପ୍ରାପ୍ତ ହେଲା । ଦୁଇଟିଯାକ ସମାନ କରିବା ପାଇଁ ବଡ଼ ଆଳୁ ଖଣ୍ଡରୁ ଗୋଟାଏ ଅଂଶ କାଟିଲେ । କାଟୁ କାଟୁ ତାଙ୍କ ଆଙ୍ଗୁଠିର ଗୋଟିଏ ଅଂଶ କଟିଗଲା । ତା’ପରେ ଗୋଟାଏ ପରେ ଗୋଟାଏ କାର୍ଯ୍ୟକ୍ରମ ଚାଲିଲା । ଭାତ ବସାଗଲା । ପେଜ ଉତୁରି ଚୂଲି ଲିଭାଇଦେଲା । ଛୁଙ୍କ ଦେଉ ଦେଉ ଡେକିଚି ଓଲଟିପଡ଼ିଲା–ଅନାଦିବାବୁଙ୍କ ହାତରେ ଫୋଟକା ହେଲା । ଲୁଣ ଡବାରେ ଧନିଆ ପଶିଲା । ଜିରା ଭିତରେ ମେଥି । ହଳଦୀ ଏବଂ ଲଙ୍କାଗୁଣ୍ଡ ଗୋଟିଏ ଡବାରେ ରଖାଗଲା । ଯେ କୌଣସି ପ୍ରକାରେ ରାତି ବାରଟା ସୁଦ୍ଧା ସମସ୍ତେ ଖାଇସାରି ଶୋଇଲେ ।

ସକାଳ ପ୍ରାୟ ସାତଟାବେଳେ କବାଟରେ ଧଡ଼୍ ଧଡ଼୍‌ ଆବାଜ ଶୁଣି ଅନାଦିବାବୁ ଉଠିଲେ-। କବାଟ ଖୋଲି ସେ ଜଣେ ବିଚିତ୍ରବେଶା ସ୍ତ୍ରୀଙ୍କୁ ଦେଖି କହିଲେ–

‘‘ଆଜ୍ଞା, ମୋ ସ୍ତ୍ରୀ ଘରେ ନାହାନ୍ତି–ଆପଣ ପରେ ଆସନ୍ତୁ ।’’

ମହିଳା ଜଣକୁ ଦେଖିସାରି ଅନାଦିବାବୁ ସୁନିଶ୍ଚିତ ହୋଇଯାଇଥିଲେ ଯେ, ଏ ନିଶ୍ଚୟ ମିସ୍‌ ନାନ୍‌ସୀ ମିଶ୍ର ବା ମିସ୍ ବିଲି ବୁଗୋନଭିଲିଆ । ସେ କବାଟଟି ବନ୍ଦ କରିଦେବାକୁ ଯାଉଛନ୍ତି ହଠାତ୍ ପତ୍ନୀଙ୍କର ଆବାଜ ଆସିଲା–

‘‘ଏ ଘରେ ତମର ଯେତିକି ଅଧିକାର ମୋର ମଧ୍ୟ ଠିକ୍ ସେତିକି ଅଧିକାର । ତମେ କବାଟ ବନ୍ଦ କରିବା ପାଇଁ କିଏ ?’’

ଚମକିପଡ଼ି ଦରଜାଟି ଅନାଦିବାବୁ ଖୋଲିଦେଲେ । ଝଡ଼ ଭଳି ଘର ଭିତରକୁ ମିସ୍ ନିଓମୀ ଫାଣ୍ଡା ପଶିଆସିଲେ । ମୁଣ୍ଡର ବାଳ କଟାହୋଇ ଛୋଟ କରାଯାଇଛି । ଆଖିରେ ଗଗଲସ୍-। ଅନାଦିବାବୁ ଏବଂ ଛୁଆମାନେ ଏକତ୍ର ବସି ରହିଲେ ଭାବୀ ଝଡ଼ର ଆଶଙ୍କାରେ । ମିସ୍ ଫାଣ୍ଡା ଶୋଇବା ଘର ଭିତରକୁ ପଶିଯାଇଥିଲେ । କିଛିକ୍ଷଣ ଆଶଙ୍କାରେ ବିତିଗଲା ।

କିନ୍ତୁ ଏ କଅଣ ? ଘର ଭିତରୁ କାନ୍ଦିବାର ଆବାଜ ଆସିଲା । ଅନାଦିବାବୁ ଘର ଭିତରକୁ ଯାଇ ଦେଖନ୍ତି ତ ପତ୍ନୀଙ୍କ ଦାମିକାଶାଢ଼ୀ ଆଉ ଲୁଗାଗୁଡ଼ିକ ରୁମ୍‌ର ତଳେ ବିଛାହୋଇ ପଡ଼ିଛି । ବାକ୍‌ସ ଆଉ ଆଲମାରୀଗୁଡ଼ିକ ଖୋଲା ହୋଇପଡ଼ିଛି । ଡ୍ରେସିଂଟେବୁଲ୍ ତଳେ ପଡ଼ି ଦର୍ପଣ ଭାଙ୍ଗିଯାଇଛି । ନେଲ୍‌ପଲିସ୍, ପାଉଡ଼ର, କ୍ରିମ୍ ଆଦି ଶୃଙ୍ଗାରର ସମସ୍ତ ସାମଗ୍ରୀ ମଧ୍ୟ ଘରସାରା ବିଛାଇ ହୋଇ ପଡ଼ିଛି । ତା ଉପରେ ସହାସ୍ୟ ବଦନରେ ବସିଛି ଦୁଇ ବର୍ଷର ଛୁଆ ନେଲି । ସେ କେତେବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ଆସି ଏ କାମଗୁଡ଼ିକ କରିଦେଇଛି ।

ନିର୍ମଳା ଦେବୀ ଖଟ ଉପରେ ବସି କାନ୍ଦୁଥିଲେ–ସେଇ ପୁରୁଣା ନାରୀସୁଲଭ କାନ୍ଦ, ଯାହା ସାଙ୍ଗରେ ଦଶ ବର୍ଷ ହେଲା ଅନାଦିବାବୁ ପରିଚିତ । ମିସ୍ ନିଓମି ଫାଣ୍ଡାଙ୍କର ସେଇ ଉଗ୍ର ବ୍ୟକ୍ତିତ୍ୱ ଏଇ ଛୋଟ ଛୋଟ ପ୍ରସାଧନ ଜିନିଷ ଓ ଶାଢ଼ୀ ଗୁଡ଼ିକ ପାଖରେ ହାରିଯାଇଥିଲା । ତାଙ୍କ କାନ୍ଧରେ ହାତ ରଖି ଅନାଦିବାବୁ କହିଲେ–

‘‘ତମେ କାନ୍ଦନା ନିର୍ମଳା ! ସେଗୁଡ଼ାକ ଯାଉ, ଆଉ କିଣିଦେବି ।’’

ଏମିତି ଗୁଡ଼ାଏ କଥା କହି ଅନାଦିବାବୁ ବୁଝାଇବାକୁ ଲାଗିଲେ । ମିଲି ଠିଆ ହୋଇ ସବୁ ଦେଖୁଥିଲା । ହଠାତ୍ ପଚାରିଲା, ‘‘ମାଆ ସତ କହ, ତତେ କଣ ଜିମ୍ କାମୁଡ଼ିଥିଲା ?’’

Image

 

ଜଣେ ସ୍ୱାବଲମ୍ବୀ ସମ୍ପାଦକ

 

ବନ୍ଧୁ ରାଧାରମଣ, ଉର୍ଫ ରାଧେବାବୁଙ୍କ ସାଙ୍ଗରେ ମୋର ଆକସ୍ମିକ ଦେଖା । ବି. ଏ. ପରୀକ୍ଷା ପରେ ତାଙ୍କ ସାଙ୍ଗରେ ମୋର ଆଦୌ ଦେଖା ନଥିଲା । ସିନେମା ହଲ୍ ବାହାରେ ପରସ୍ପରକୁ ଭେଟିବା ପରେ ବାର୍ତ୍ତାଳାପ ହେଲା ।

 

ମୁଁ ପଚାରିଲି, ‘‘କେହି କହୁଥିଲା ଯେ ଆପଣ ସର୍ବଭାରତୀୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ?’’ ସେ କହିଲେ, ‘‘ନା, ତା’ ପାଇଁ ବୟସ ଦରକାର । ମୋର ବର୍ତ୍ତମାନ ବୟସ ନାହିଁ ।’’

 

ପଚାରିଲି, ‘‘ବି.ଏ. ସାରିଲା ପରେ ଆପଣ ଓକିଲାତି ପଢ଼ୁଥିଲେ ବୋଲି ଶୁଣୁଥିଲି !’’

 

ସେ କହିଲେ, ‘‘ନା...ତା’ ପାଇଁ ବହୁତ ବୁଦ୍ଧି ଦରକାର ।’’

 

ପଚାରିଲି, ‘‘ତାହାହେଲେ ଆପଣ କ’ଣ ବ୍ୟବସାୟ କରୁଛନ୍ତି କି ?’’

 

ସେ କହିଲେ, ‘‘ନା...ତା’ ପାଇଁ ବହୁତ ପଇସା ଦରକାର ।’’

 

ମୁଁ ଉତ୍ସୁକ ହୋଇ ପଚାରିଲି, ‘‘ଆପଣ ତା’ହେଲେ କ’ଣ କରୁଛନ୍ତି ?’’

 

ସାମାନ୍ୟ ହସି ସେ ଗର୍ବର ସହିତ କହିଲେ, ‘‘ମୁଁ ଜଣେ ସମ୍ପାଦକ ।’’

 

ଏ କଥା ଶୁଣି ମୁଁ ପ୍ରଥମେ ବିଶ୍ୱାସ କରିପାରିନଥିଲି, କାରଣ ଇତିହାସ ପଢ଼ି ମୋର ଧାରଣା ଥିଲା ଯେ, ଫରାସୀ ବିପ୍ଳବ ଏବଂ ପ୍ରଥମ ମହାସମର ଆଦି ଅନେକ ବିଶିଷ୍ଟ ଘଟଣା ପଛରେ ସମ୍ବାଦପତ୍ରମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନ ଥିଲା । ତା’ ଛଡ଼ା, ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ସାମ୍ବାଦିକଙ୍କ ସଂସ୍ପର୍ଶରେ ଆସି ମୁଁ ଗୋଟାଏ ପ୍ରକାର ଧାରଣା ବନାଇ ନେଇଥିଲି । ଯେତେହେଲେ ଏମାନେ ‘ଚତୁର୍ଥ ଇଷ୍ଟେଟ୍’–ମୁଣ୍ଡରେ କେତେ ବେଶି ବୁଦ୍ଧି ନ ଥିଲେ ଦୁନିଆଁ ଯାକର ଘଟଣାକୁ ଅଘଟଣ ରୂପରେ ଏବଂ ଅଘଟଣକୁ ସତ୍ୟ ରୂପରେ ଜଣେ ଚିତ୍ରିତ କରିପାରେ ! କିନ୍ତୁ ରାଧାରମଣ ଯେ ବି.ଏ.ଟି ତୃତୀୟ ଥରରେ ପାଶ୍ କରି ମଧ୍ୟ ଜଣେ ସାମ୍ବାଦିକ ! କେବଳ ସାମ୍ବାଦିକ ତ ନୁହଁନ୍ତି, ସିଧା ସମ୍ପାଦକ ମଧ୍ୟ !

 

ମୁଁ କହିଲି, ‘‘ଏ’ ତ ଆଶ୍ଚର୍ଯ୍ୟଜନକ କଥା, କାରଣ ମୁଁ ପ୍ରାୟ ପ୍ରତ୍ୟେକ ଓଡ଼ିଆ ଦୈନିକ ସମ୍ବାଦପତ୍ର ପଢ଼େ । ସେଥିରେ ତ ଆପଣଙ୍କ ନାମ ସମ୍ପାଦକ ବୋଲି ଲେଖା ହୋଇ ନାହିଁ ! ଯେଉଁମାନଙ୍କ ନାମ ସମ୍ପାଦକ ବୋଲି ଲେଖାହୋଇଛି, ସେମାନେ ତ ଆପଣ ଜନ୍ମ ହେବା ପୂର୍ବରୁ ସମ୍ପାଦକ ଥିଲେ; ଆଉ ନିଶ୍ଚିତ ଯେ, ଆପଣ ଏ ଧରାପୃଷ୍ଠରୁ ବିଦାୟ ନେଇ ଯିବା ପର୍ଯ୍ୟନ୍ତ ସେମାନେ ସମ୍ପାଦକ ହୋଇ ରହିବେ । ଆପଣ ତା’ହେଲେ କେଉଁ ସମ୍ବାଦପତ୍ରର ସମ୍ପାଦକ ?’’

 

ସେ ଗୋଟାଏ ତାତ୍ସଲ୍ୟଭରା ହସ ହସି କହିଲେ, ‘‘ନା... ମୁଁ ସେ ସମ୍ବାଦପତ୍ର ଗୁଡ଼ିକର ସମ୍ପାଦକ ହେବା ପସନ୍ଦ କରେ ନାହିଁ । ସେଗୁଡ଼ିକ ପରାବଲମ୍ବୀ ସମ୍ବାଦପତ୍ର ଯାହାର ସମ୍ପାଦକମାନଙ୍କର ବିଶେଷ ଇଜ୍ଜତ ନାହିଁ । ମୁଁ କିନ୍ତୁ ମୋ ନିଜ ସମ୍ବାଦପତ୍ରର ସମ୍ପାଦକ ।’’

 

ଏପରି ଏକ ଅଦ୍ଭୁତ ତଥ୍ୟ ବିଷୟରେ ମୁଁ ଆଗରୁ ଅବଗତ ନଥିଲି । ପଚାରିଲି, ତା’ କିପରି ? ସେ ମୋତେ ତାଙ୍କ ସାଙ୍ଗରେ ତାଙ୍କ ଅଫିସ୍‌କୁ ଯିବା ପାଇଁ ଆମନ୍ତ୍ରିତ କରିଥିଲେ । ଆମେ କିଛି ଦୂର ଚାଲି ଚାଲି ଯାଇ ଏକ ଛୋଟିଆ ଗଳିକୁ ମୋଡ଼ି ତାଙ୍କ ଅଫିସ୍‌ରେ ପହଞ୍ଚିଲୁ । ଖବରକାଗଜଟିର ନାମ ‘‘ଆମେରେ ଓଡ଼ିଆ’’ । ଚାରିପୃଷ୍ଠାର ସାପ୍ତାହିକ ସମ୍ବାଦପତ୍ର । ପ୍ରତ୍ୟେକଟିର ମୂଲ୍ୟ ମାତ୍ର ୨୫ ପଇସା । ମୁଖ୍ୟସମ୍ପାଦକ ଶ୍ରୀ ରାଧାରମଣ । କଟକ ଅଫିସର ସମ୍ପାଦକ ଶ୍ରୀମତୀ ବିମଳା ଦେବୀ, ଭୁବନେଶ୍ୱର ଅଫିସ୍‌ର ସମ୍ପାଦକ ଶ୍ରୀ ଝସକେତନ, ଦିଲ୍ଲୀ ଅଫିସର ଶ୍ରୀ ମୀନକେତନ ! ଆଶ୍ଚର୍ଯ୍ୟ ହୋଇ ପଚାରିଲି–‘‘କ’ଣ ଆପଣଙ୍କର ଚାରିଟା ଅଫିସ୍ ?’’

 

ସେ କହିଲେ, ‘‘ହଁ, ମୋ ପତ୍ନୀ ବିମଳା କଟକରେ କାଗଜଟି ଚଳାନ୍ତି । ଝସକେତନ ମୋ ଛୋଟ ଭାଇ ଭୁବନେଶ୍ୱରରେ ଗୋଟିଏ ପ୍ରାଇଭେଟ ବସ୍‌ରେ କଣ୍ଡକ୍‌ଟର କାମ କରେ । ବସ୍ କାମ ସାରିବା ପରେ ଖାଲି ସମୟରେ ସାମ୍ବାଦିକତା କରେ । ଭୁବନେଶ୍ୱର ବସ୍‍ଷ୍ଟାଣ୍ଡରୁ ସେ ପ୍ରତିଦିନ ସନ୍ଧ୍ୟାବେଳେ ସେକ୍ରେଟେରୀଏଟ ପ୍ରଭୃତି ଅଫିସ୍‌ମାନଙ୍କର ପୂରା ବୁଲେଟିନ୍ ପାଇଯାଏ । ତା’ଛଡ଼ା ଏହି ସମ୍ବାଦପତ୍ରର ଜଣେ ସମ୍ପାଦକ ହୋଇଥିବାରୁ ସେ କିଛି ପରିମାଣରେ ରାଜନୀତି କରି ପ୍ରାଇଭେଟ୍ ବସ୍ ୟୁନିୟନର ସଭାପତି ମଧ୍ୟ ହୋଇ ପାରିଛି । ଅନ୍ୟ ଭାଇ ମୀନକେତନ ଦିଲ୍ଲୀରେ ଜଣେ ଏମ୍‌.ପି.ଙ୍କର ଘରେ ଚାକର ଅଛି । ତେଣୁ ଦିଲ୍ଲୀରେ ଘଟୁଥିବା ରାଜନୈତିକ ଦୁରଭିସନ୍ଧି ଏବଂ ରାଜନୈତିକ ହଲ୍‌ଚଲ ବିଷୟରେ ଆଗରୁ ଟେର୍ ପାଇ ଯାଇଥାଏ ଏବଂ ମୋତେ ସେ ବିଷୟରେ ଚିଠି ଲେଖିଦିଏ । ଝସକେତନର ଘର ଆଗରେ ଗୋଟିଏ ସାଇନ୍‌ବୋର୍ଡ଼ ମଧ୍ୟ ଲଗାହୋଇଛି । ମୁଁ ପ୍ରତି ମାସରେ ଭୁବନେଶ୍ୱର ଗଲେ ସେଠାରେ ରହେ ।’’

 

‘‘ଚମତ୍କାର’’–ମୁଁ ଉତ୍ତର ଦେଲି । ‘‘କିନ୍ତୁ ଏ ସମ୍ବାଦପତ୍ରର ପ୍ରୋପାଇଟର୍‌ କିଏ ?’’ ସେ ତୁରନ୍ତ ଉତ୍ତର ଦେଇଥିଲେ, ‘‘ପ୍ରୋପାଇଟର ମଧ୍ୟ ମୁଁ ନିଜେ । ଆପଣ ନିଶ୍ଚୟ ଜାଣିଥିବେ ଯେ–ଦିଲ୍ଲୀ, ବମ୍ବେ, କଲିକତା ପ୍ରଭୃତି ବଡ଼ ବଡ଼ ସହରର ସମ୍ବାଦପତ୍ରମାନଙ୍କର ପ୍ରୋପାଇଟର ଓ ସମ୍ପାଦକମାନଙ୍କ ମଧ୍ୟରେ ସବୁବେଳେ ସଂଘର୍ଷ ଲାଗିରହିଛି । ଏହା ଫଳରେ ସାମ୍ବାଦିକତାର ସ୍ୱାଧୀନତା ଅନେକ ପରିମାଣରେ ନଷ୍ଟ ହେବାର ସମ୍ଭାବନା ଅଛି । ଏହି ପ୍ରକାର ସଂଘର୍ଷକୁ ଏଡ଼ାଇବା ପାଇଁ ଏବଂ ସ୍ୱାଧୀନତା କାଏମ୍ ରଖିବା ପାଇଁ ମୁଁ ଉଭୟ କାର୍ଯ୍ୟ ନିଜେ ହିଁ କରୁଛି ।’’

 

ସମ୍ପାଦକଙ୍କ ଅଫିସ୍‌ଟିର ଚାରିଆଡ଼େ ଦୃଷ୍ଟି ପକାଇଲି । ରାସ୍ତାର ଠିକ୍ ଉପରେ ଗୋଟାଏ ଛୋଟ ରୁମରେ ଅଫିସ୍, ଉପରେ ସାଇନ ବୋର୍ଡ଼ଟାଏ ମଧ୍ୟ ଅଛି । ସେ ରୁମ୍‌ଟିରେ ଗୋଟିଏ ଟେବୁଲ୍‌ ପଡ଼ିଥିଲା । ଗୋଟିଏ ପଟରେ ସମ୍ପାଦକ ବସିବା ପାଇଁ ଚଉକି ଏବଂ ଅନ୍ୟ ପଟରେ ଆଗନ୍ତୁକମାନେ ବସିବା ପାଇଁ ଗୋଟିଏ ଗତିଶୀଳ ବେଞ୍ଚ । ଟେବୁଲ ଉପରେ ମଇଳା ଟେବୁଲ୍ କ୍ଲଥ-। ତା’ଉପରେ କଭର୍‌ବିହୀନ ଏକ ଟାଇପ୍ ମେସିନ୍; ଏକ ପୁରୁଣା ଟ୍ରାଜିଂଷ୍ଟର । ଗୋଟେ ପୁରୁଣା ଆଲମାରୀରେ କିଛି ବହି ଓ ମ୍ୟାଗାଜିନ୍ ବନ୍ଧାହୋଇ ରହିଛି ।

 

ଆମେ ଦୁହେଁ ବସିଲୁ । ପ୍ରଶ୍ନ କଲି, ‘‘ଆପଣ ସମ୍ବାଦ ଗୁଡ଼ିକ କିପରି ସଂଗ୍ରହ କରନ୍ତି ?’’ ସେ କହିଲେ ଯେ, ଦେଶର ମୁଖ୍ୟ ମୁଖ୍ୟ ଖବର ପାଇଁ ତାଙ୍କୁ ବିଶେଷ ପରିଶ୍ରମ କରିବା ପାଇଁ ପଡ଼େ ନାହିଁ, କାରଣ ଏଇ ଟ୍ରାନଜିଷ୍ଟର ୟୁ. ଏନ୍. ଆଇ. ଆଉ ପି.ଟି.ଆଇ.ର କାର୍ଯ୍ୟ କରେ । ସ୍ଥାନୀୟ ସମ୍ବାଦ ପାଇଁ ଲାଲବାଗ୍ ଥାନାର ସିପାହୀ ଗୋବର୍ଦ୍ଧନ ପ୍ରଧାନ ତାଙ୍କର ବିଶେଷ ସମ୍ବାଦଦାତା । ପ୍ରତିଦିନ ସହରରେ ଘଟୁଥିବା ଦଙ୍ଗା, ଫସାଦି, ଚୋରି ଆଦି ଅପରାଧ ସମାଚାର ତଥା ଅନ୍ୟ ସମସ୍ତ ପ୍ରଶାସନିକ ସମ୍ବାଦ ସିଏ ସନ୍ଧ୍ୟାବେଳେ ଆଣିଦିଏ । ଯଦି ପୁଲିସ ବିଭାଗ ଦ୍ୱାରା ରାତିରେ କିଛି ଗୁପ୍ତ ଛାପା ମାରିବାର ସୂଚନା ଥାଏ, ତାହା ସିଏ ଦିନରେ ନିଜେ ଆସି ଖବର କରିଯାଏ । ସରକାରୀ କର୍ମଚାରୀ ସିପାହୀ ଗୋବର୍ଦ୍ଧନ ପ୍ରଧାନର ନାମ ଲୁକ୍‌କାୟିତ ରଖାଯାଇଥାଏ ଏବଂ ସମ୍ବାଦପତ୍ର ପକ୍ଷରୁ ତାଙ୍କୁ କିଛି ଟଙ୍କା ଦିଆଯାଏନାହିଁ । ମାତ୍ର ପାରିଶ୍ରମିକ ସ୍ୱରୂପ ପ୍ରତି ମାସରେ ଥରେ ସହରର ଶାନ୍ତି ବ୍ୟବସ୍ଥା କାଏମ ରଖିବା ପାଇଁ ଏବଂ କୁଖ୍ୟାତ ଦାଗୀମାନଙ୍କୁ ଗିରଫଦାର କରିବା ପାଇଁ ସିପାହୀ ଗୋବର୍ଦ୍ଧନ ନେଇଥିବା ଅଦ୍ଭୂତପୂର୍ବ ସାହସିକ ପଦକ୍ଷେପ ବିଷୟରେ ଗୋଟାଏ ଖବର ବାହାରେ । ଗୋବର୍ଦ୍ଧନ ଏ ପର୍ଯ୍ୟନ୍ତ ନିଜ ଫଟୋର ବ୍ଲକ ଯୋଗାଡ଼ କରିପାରି ନାହିଁ’’ ତା’ ଯୋଗାଡ଼ ହୋଇଗଲେ ଫଟୋଟାଏ ମଧ୍ୟ ବାହାରିଯିବ ।’’

 

ତା’ଛଡ଼ା ସିଏ ମୋତେ କହିଚାଲିଥିଲେ ଯେ, ସେ ଗୋଟିଏ କୋହିନୁର ପଞ୍ଜିକା ରଖିଛନ୍ତି । ଏହା ସାହାଯ୍ୟରେ ସେ ପ୍ରତି ସଂଖ୍ୟାରେ ସାପ୍ତାହିକ ରାଶିଫଳ ଛପାନ୍ତି, ଯାହାକି ତାଙ୍କ ସମ୍ବାଦପତ୍ରର ଏକ ବିଶେଷ ଆକର୍ଷଣ ।

 

ମୁଁ ପୁଣି ପ୍ରଶ୍ନ କଲି–‘‘କାଗଜଟି ଚଳାଇବା ପାଇଁ ତ ଆପଣ ବିଜ୍ଞାପନ ନେଉଥିବେ ! ସରକାରୀ ବିଜ୍ଞାପନ ମିଳେତ, କାରଣ ସେଥିରେ ବେଶି ପଇସା ଥାଏ ।’’

 

ସେ ଗୋଟିଏ ପୁରୁଣା ଖବରକାଗଜ କାଢ଼ିଆଣି ମୋତେ ଗୁଡ଼ାଏ ବିଜ୍ଞାପନ ଦେଖାଇଲେ ।

 

ସେଥିରେ ତିନୋଟି ବିଜ୍ଞାପନ ଥିଲା–

 

‘‘ଶ୍ୟାମ ଭାଇ ଜଗତ୍‌ବିଖ୍ୟାତ ମିଠାଇ ଦୋକାନ’’

 

‘‘କାହ୍ନୁ ଭାଇ କ୍ଲିନର୍ସ’’ ଏବଂ ‘‘ଜୟ ମା ଦକ୍ଷିଣକାଳୀ ବାରିକ ଦୋକାନ’’ ।

 

ମୁଁ ପଚାରିଲି–ବିଜ୍ଞାପନର ମୂଲ୍ୟ କେତେ ? ସେ କହିଲେ–ଏଇ ବିଜ୍ଞାପନ ଗୁଡ଼ିକ ପାଇଁ ପଇସା ନେବାର ଆବଶ୍ୟକତା ହିଁ ନାହିଁ । କାରଣ ଶ୍ୟାମଭାଇ ମୋତେ ପ୍ରତିଦିନ ସନ୍ଧ୍ୟାବେଳେ ଓ ସକାଳେ ଗୋଟାଏ ପ୍ଲେଟ ପକୁଡ଼ି ଆଉ କପ୍‌ଟିଏ ଚାହା ଦେଇଯାଏ । କାହ୍ନୁ ଲୁଗାଗୁଡ଼ିକ ସଫା କରିଦିଏ ଆଉ ‘‘ଜୟ ମା ଦକ୍ଷିଣ କାଳୀର’’ ପ୍ରୋପାଇଟର୍‌ କଣ୍ଡୁରୀ ଦୁଇଦିନରେ ଥରେ ଦାଢ଼ି ସଫା କରିଦିଏ, ମାସରେ ଥରେ ବାଳ ମଧ୍ୟ କାଟିଦିଏ ।’’

 

ମୁଁ ରାଧେବାବୁଙ୍କ ବ୍ୟାବସାୟିକ ଦୃଷ୍ଟିକୋଣ ଦ୍ୱାରା ପ୍ରବଳ ପ୍ରଭାବିତ ହୋଇଯାଇଥିଲି । କି ସୁବିଧାଜନକ ଅର୍ଥନୀତି, ମିଳିମିଶି କାମ କରିବାର କି ଅପୂର୍ବ ମନୋବୃତ୍ତି ! ବିଲ୍ ବନାଇବାର ଜଟିଳତା, ଡ୍ରାଫ୍‌ଟ ଭଙ୍ଗାଇବାର ପରିଶ୍ରମ ଏବଂ ଏକାଉଣ୍ଟ ରଖିବାର କ୍ଲିଷ୍ଟତା ଆଦୌ କିଛି ନାହିଁ । ଭାବୁଥିଲି, ଯଦି ଏହିପରି ସରକାରୀ ବିଭାଗଗୁଡ଼ିକ ମିଳିମିଶି ଚଳିପାରନ୍ତେ, ତା’ ହେଲେ କେତେ ଭଲ ହୁଅନ୍ତା ! ସପ୍ଲାଇବାଲା, ବିଜୁଲିବାଲାଙ୍କୁ ମାଗଣାରେ ଚିନି ଦିଅନ୍ତେ । ବିଜୁଳିବାଲା ବିନା ମିଟରରେ ବିଜୁଳି ଖମ୍ବରୁ ସିଧା ସିଧା ଲାଇନ୍ ଘରେ ଦେଇଦିଅନ୍ତେ । ମାଛବିଭାଗ ସକାଳୁ ପି.ଡବ୍ଲ୍ୟୁ.ଡି. ଇଞ୍ଜିନିୟରଙ୍କ ଘରେ ଦଶକିଲୋ ତଟକା ମାଛ ପହଞ୍ଚାଇଦେଇ ଗୋଟାଏ ବସ୍ତା ସିମେଣ୍ଟ ନେଇଯାଇ ପାରନ୍ତେ । ପୁଲିସ୍‌ବାଲା ସମସ୍ତଙ୍କଠାରୁ ସବୁ କିଛି ଆବଶ୍ୟକୀୟ ମାତ୍ରାରେ ନେଇ କେସ୍ ଗୁଡ଼ିକ ଠିକ୍ ରୂପରେ ଦେଖିପାରନ୍ତେ । ସର୍ବୋପରି ମାଜିଷ୍ଟ୍ରେଟ୍ ଆଉ ଜଜ୍‌ମାନେ ସବୁ କେସ୍‌ରେ ଜମାନତ୍ ମାନବୀୟ ଦୃଷ୍ଟିକୋଣରୁ କରି ଦିଅନ୍ତେ । କାଗଜପତ୍ର ସବୁ ଠିକ୍ ଥାଆନ୍ତା । ସମସ୍ତେ ଆନନ୍ଦରେ ଥାଆନ୍ତେ । ରାମରାଜ୍ୟର ପରିକଳ୍ପନା ସାକାର ହୁଅନ୍ତା ।

 

ପଚାରିଲି–‘‘ଆପଣ ସମ୍ବାଦପତ୍ର ବିତରଣ କରିବା ପାଇଁ କେଉଁ ଏଜେନ୍‌ସି ଠିକ୍ କରିଛନ୍ତି କି ?’’

 

ସେ ମୋତେ ବୁଝାଇଦେଲେ ଯେ, ସେ ଏଜେନ୍‌ସି ଦ୍ୱାରା ସମ୍ବାଦପତ୍ର ବିତରଣ କରିବା ପ୍ରଥାର ଘୋର ବିରୋଧୀ, କାରଣ ଏହାଦ୍ୱାରା ସମ୍ପାଦକ ଆଉ ପାଠକମାନଙ୍କ ମଧ୍ୟରେ ସମ୍ପର୍କ ଠିକ୍ ରୂପରେ ରହିପାରେନାହିଁ । ତେଣୁ ସେ ନିଜେ ହକ୍‌କରର କାମ ମଧ୍ୟ କରନ୍ତି । ନିଜେ ସାଇକେଲ୍‌ରେ ବୁଲି ବୁଲି ଖବରକାଗଜ ଗୁଡ଼ିକ ବାଣ୍ଟି ଦିଅନ୍ତି ଓ ହାତେ ହାତେ ପଇସା ସହିତ ପାଠକମାନଙ୍କର ମତାମତ ଗୁଡ଼ିକ ମଧ୍ୟ ସଂଗ୍ରହ କରନ୍ତି । ସଂକ୍ଷେପରେ କହିବାକୁ ଗଲେ, ସିଏ ସମ୍ବାଦପତ୍ରର ସମ୍ପାଦକ, ପ୍ରୋପାଇଟର ତଥା ହକ୍‌କର ।

 

X X X

 

ଶ୍ୟାମ ଗୁଡ଼ିଆ ଆସି ଦୁଇ ପ୍ଲେଟ ପକୁଡ଼ି ଓ ଚାହା ଦେଇଗଲା । ଖାଇସାରିଲା ପରେ ମୁଁ ଲକ୍ଷ୍ୟ କଲି ଯେ, ସେ କେମିତି ଗୋଟାଏ ତର ତର ହେବାକୁ ଲାଗିଲେ ।

 

ପଚାରିଲି, ‘‘କ’ଣ କୌଣସି ବିଶେଷ କାମ ଅଛି କି ?’’

 

ସେ କହିଲେ–ହଁ ଭାଇ, ପଅରଦିନ ସୁଦ୍ଧା କାଗଜଟା ବାହାରିବା କଥା । ଏ ପର୍ଯ୍ୟନ୍ତ ମୁଁ ସମ୍ପାଦକୀୟ ଆଉ ସମ୍ପାଦକଙ୍କ ନାମରେ ଦୁଇଟା ପତ୍ର ଲେଖିପାରିନାହିଁ । ଅବଶ୍ୟ ସମ୍ପାଦକୀୟଟା ପ୍ରାୟ ଲେଖିଦେଇଛି, କିନ୍ତୁ ସମ୍ପାଦକୀୟ ଶେଷରେ ଲେଖିବା ପାଇଁ ଓଡ଼ିଆ ଢଗଟାଏ ଖୋଜିପାରିନାହିଁ । ଅନ୍ୟ ସମ୍ବାଦପତ୍ରଗୁଡ଼ିକ ପଢ଼ିଲାପରେ ମୋର ଧାରଣା, କମ୍ ସେ କମ୍ ଗୋଟାଏ ଖଣ୍ଡେ ଢଗ ବା ପ୍ରବଚନ ନଦେଲେ ସମ୍ପାଦକୀୟ ପୂର୍ଣ୍ଣ ହୁଏ ନାହିଁ । ଏ ସପ୍ତାହରେ ସମ୍ପାଦକୀୟ ଶୀର୍ଷକ ହେଲା, ‘ନେତା ଓ ରାଜନୀତି ।’ କ’ଣ ତମେ ଏ ବିଷୟବସ୍ତୁ ଉପରେ ଗୋଟାଏ ସମୟଉପଯୋଗୀ ଢଗ ଦେଇପାରିବ ?’’

 

ମୁଁ ଢଗ କହିଥିଲି–

 

‘‘ମୋତେ ଯେତେ ମାଠିବୁ ମାଠ

ମୁଁ ସେଇ ଦରପୋଡ଼ା କାଠ ।’’

 

ଏହା ପରେ ସେ ସ୍ୱୟଂ ଉଠି ଠିଆହେଲେ । ବୁଝିଗଲି ଯେ ମୁଁ ସମାୟତୀତ ହେବାକୁ ଯାଉଛି ।

 

ସେ ମୋତେ ପ୍ରଶ୍ନ କଲେ–‘‘ଆଚ୍ଛା, ତମେ କ’ଣ କରୁଛ ମୋତେ କହିଲ ନାହିଁ ଯେ....’’

 

ମୁଁ କହିଲି–‘‘ଏ ପର୍ଯ୍ୟନ୍ତ ଚାକିରି ପାଇଁ ଦଉଡ଼ାଦଉଡ଼ି ଚଳାଇଛି । ବୋଧେ ମାସକ ଭିତରେ ମିଳିଯିବ ।’’

 

ସେ ମୋ କାନ୍ଧରେ ହାତ ରଖି ଆଶ୍ୱାସନା ଦେଇଥିଲେ–‘‘ଦେଖ, ସାମ୍ବାଦିକ ଜୀବନଠାରୁ ଭଲ ଜୀବନ ଆଉ ନାହିଁ । ମୋ ମତରେ ତୁମେ ମଧ୍ୟ ତାହା ଆରମ୍ଭ କର । ଯଦି ଚାହଁ ମୋ ଖବରକାଗଜର ବିଶେଷ ରିପୋର୍ଟର ରୂପେ ଆରମ୍ଭ କରିପାର ।’’

Image

 

ବଡ଼ ସାଇବ ଆସିବେ

 

ଜଗନ୍ନାଥଙ୍କ ଦେଶରେ ପ୍ରତିବର୍ଷ ପ୍ରତ୍ୟେକଟି କଥା ହୁଏ । ପ୍ରତିବର୍ଷ ବଢ଼ି ଆସେ, ପ୍ରତିବର୍ଷ ହଇଜା ହୁଏ, ପ୍ରତିବର୍ଷ ଟେକ୍‌ସ ବଢ଼େ ଏବଂ ପ୍ରତିବର୍ଷ ରଥଯାତ୍ରା ଦିନ ଚକାଡ଼ୋଳାଙ୍କ ରଥ ଭକ୍ତମାନେ ବଡ଼ଦାଣ୍ଡରେ ଟାଣନ୍ତି । ଏଇ ପ୍ରତିବର୍ଷର ମାମୁଲି ପ୍ରଭାବ ଲୋକମାନଙ୍କ ଉପରେ ପଡ଼େ, କିନ୍ତୁ ସରକାରୀ ଅମଲାମାନଙ୍କ ଉପରେ ପଡ଼େ ନାହିଁ । କାରଣ ସେମାନେ ଇଚ୍ଛାକଲେ ବଢ଼ି, ହଇଜା, ଟେକ୍‌ସ, ଏପରିକି ପ୍ରଶାସନିକ ଦୃଷ୍ଟିକୋଣରୁ ଜଗନ୍ନାଥଙ୍କର ରଥ ଚାଲିବା ମଧ୍ୟ ବନ୍ଦ କରିଦେଇ ପାରନ୍ତି । କିନ୍ତୁ ସବୁ ମହାତ୍ମାମାନଙ୍କ ଭଳି ସେମାନେ ଏପରି ଚମତ୍କାରିତା ସବୁବେଳେ ଦେଖାଇବାକୁ ଚାହାନ୍ତି ନାହିଁ । ସମୟସମୟରେ ଲୋକମାନଙ୍କ ଉପରେ ଘୋର ବିପତ୍ତି ପଡ଼ିଲେ ଚମତ୍କାରିତା ପ୍ରଦର୍ଶନ ହୁଏ । ହଇଜା ଟିକା ଦିଆଯାଏ, ଚାଉଳ ଓ ଚିନି ପ୍ରଚୁର ପରିମାଣରେ ବିତରଣ କରାଯାଏ ଏବଂ ଗୋଟାଏ ବହୁମୁଖୀ ବଢ଼ି ଯୋଜନା ବନାଯାଏ ।

 

ମାତ୍ର ପ୍ରତ୍ୟେକ ବର୍ଷ ରାଜଧାନୀରୁ ବଡ଼ସାଇବ ଅଫିସ୍ ଇନ୍‌ସପେକ୍‌ସନ୍ କରିବା ପାଇଁ ଆସନ୍ତି । କେବଳ ଏଇଟାର ପ୍ରଭାବ ଅମଲାମାନଙ୍କ ଉପରେ ଯଥେଷ୍ଟ ପଡ଼େ । ବଡ଼ସାଇବଙ୍କ ବାର୍ଷିକ ନିରୀକ୍ଷଣ ଠିକ୍ ହୋଇଗଲେ ଦେଶ ଠିକ୍ ଭାବରେ ଚଳାଉଥିବାର ସାର୍ଟିଫିକେଟ ମିଳିଯାଏ-। ବଢ଼ି ହୋଇପାରେ, ମାତ୍ର ଅମଲାଙ୍କର କର୍ମକୁଶଳତା ହେତୁ ପୂର୍ଣ୍ଣ ନିୟଂତ୍ରଣରେ ଅଛି ବୋଲି ପ୍ରମାଣିତ ହୋଇପାରେ । ହଇଜା ଲାଗିଥାଇପାରେ, କିନ୍ତୁ ସେଥିରେ କେବଳ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରଶଂସାପତ୍ର ମିଳେ ।

 

‘ବଡ଼ସାଇବ’ ରାଜଧାନୀରୁ ବାର୍ଷିକ ଇନ୍‌ସପେକସ୍‌ନ ପାଇଁ ଆସିବେ ବୋଲି ଶୁଣିବା ପରଠୁ ସ୍ଥାନୀୟ ସାଇବ ମିଶ୍ରବାବୁ ଅସ୍ୱସ୍ତିକର ବୋଧ କରିବାକୁ ଲାଗିଲେ । ଗଲାବର୍ଷ ଇନ୍‌ସପେକ୍‌ସନ୍‌ଟା କେଉଁ ଯାଗାରେ ଟିକିଏ ବିଗିଡ଼ି ଯାଇଥିଲା । ବଡ଼ସାଇବ ଆସିବେ ବୋଲି ମିଶ୍ର ବାବୁ ସେଥର ଜାଣିଥିଲେ । ତେଣୁ ସେଇ ଅନୁସାରେ ବନ୍ଦୋବସ୍ତ କରିଥିଲେ । ମାତ୍ର ସାଥିରେ ବଡ଼ସାଇବାଣୀ ଆସିବେ ବୋଲି ତାଙ୍କର ଧାରଣା ନଥିଲା । ବଡ଼ ସାଇବାଣୀ ବି ସାଥିରେ ଆସିଗଲେ । ସମସ୍ତପ୍ରକାରର ଉପଚାର ଏତେ ସୀମିତ ସମୟରେ କରି ପାରିଲେ ନାହିଁ । ସେଥିପାଇଁ ଇନ୍‌ସପେକ୍‌ସନ୍ ଏତେ ଭଲ ହୋଇ ପାରିଲା ନାହିଁ । ଏ ବର୍ଷ ଜଣେ ନୂଆ ସାଇବ ‘ଦାସ ସାଇବ’ ଆସୁଛନ୍ତି । ଖବର ଦେଇଛନ୍ତି ଯେ, ସାଥିରେ ମିସେସ ଦାସ୍, ଅର୍ଥାତ ବଡ଼ସାଇବାଣୀ ମଧ୍ୟ ଆସିବେ । ମିଶ୍ର ସାହେବ ଦୃଢ଼ ସଙ୍କଳ୍ପ ନେଇଛନ୍ତି ଯେ, ଏଥର ଭୁଲ କୌଣସି ପ୍ରକାରରେ ହେବ ନାହିଁ । ତା’ଛଡ଼ା ଆରବର୍ଷ ପ୍ରମୋଶନ ହେବାର ଅଛି । ସେ ପେଞ୍ଚୁଆ ମହାନ୍ତି ଓ ପଣ୍ଡା ପଛରେ ପଡ଼ିଛନ୍ତି । ଭାରି ଯୋଗାଡ଼ିଆ ଲୋକ ଗୁଡ଼ାକ... ।

 

ମିଶ୍ର ସାଇବ ଗୋଟିଏ ପରେ ଗୋଟିଏ ଆଦେଶ ଦେଇଚାଲିଥାନ୍ତି–

 

‘‘କ’ଣ ଦାମବାବୁ, ରସଗୋଲା ଆଣିବା ପାଇଁ ଆଦେଶ ଦେଇଛ ନା ନାହିଁ ? ଦେଖ ଯେମିତି ବାସି ଜିନିଷ ନଆସୁ ।’’

 

‘‘ହଇହୋ ରମେଶ ବାବୁ, ଡିନରପାର୍ଟିଟାର ପୂରା ଆୟୋଜନ ତ ହୋଇଯାଇଥିବ । ଦେଖ, ଗୋଟାଏ ବଡ଼ ଗଜରାମାଳ ଆଉ ଗୋଟାଏ ଫୁଲତୋଡ଼ା ଯେମିତି ନ ଭୁଲ ।’’

 

‘‘ତମେ ଢିଲା ପଡ଼ନାହିଁ ନିର୍ମଳ ବାବୁ ! ମିସେସ୍ ଦାସଙ୍କ ପାଇଁ ଗିଫ୍‌ଟଟା ନିଜେ ଯାଇ ଆଣ । ପ୍ୟାକିଂ ଇତ୍ୟାଦି ଯତ୍ନରେ କରାଇବ ।’’

 

ସାହେବଙ୍କର ଏ ବ୍ୟକ୍ତିଗତ ନିର୍ଦ୍ଦେଶଗୁଡ଼ାକ ଛୋଟ ଛୋଟ କର୍ମଚାରୀମାନଙ୍କ ମନରେ ଅନେକ ଅନାଗତ ଆଶଙ୍କା ଭରିଦେଉଥାଏ । ବଡ଼ସାହାବଙ୍କ ବିଷୟରେ ସେମାନେ ଯେତେ ସନ୍ଦିହାନ ନଥିଲେ, ବଡ଼ସାଇବାଣୀଙ୍କ ବିଷୟରେ ବେଶି ସନ୍ଦିହାନ ଥିଲେ । ଗଲାଥର ଏଇଯୋଗୁ ସବୁ ଗଣ୍ଡଗୋଳ ହୋଇଯାଇଥିଲା । ତା’ଛଡ଼ା ଖବର ମିଳିଛି ଯେ, ସାଇବାଣୀଙ୍କର ମିଜାଜ୍‌ଟା ଟିକିଏ ଖର । ବାପା ଅଂରେଜୀ ରାଜୁତିରେ ଦେଓ୍ୱାନ ବାହାଦୁର ଥିଲେ । ତାଙ୍କ ଆଦେଶରେ କେତେ ଲୋକଙ୍କର ମୁଣ୍ଡ କଟିଯାଉଥିଲା ଆଉ ଯୋଡ଼ିଯାଉଥିଲା । ତେଣୁ ତାଙ୍କ ଆଗମନରେ ଗୁଡ଼ାଏ ଛେଳି ଆଉ କୁକୁଡ଼ାଙ୍କର ମୁଣ୍ଡ କଟି ନଗଲେ କ’ଣ ମେମ୍‌ସାହାବ ସନ୍ତୁଷ୍ଟ ହେବେ ?

 

ଏ ଦୁର୍ଦ୍ଦିନରେ ମଧ୍ୟ ଅନ୍ୟସବୁ ଅଫିସର ଓ କର୍ମଚାରୀଙ୍କ ମନରେ ଅଫିସର ହେଡ଼୍‌କ୍ଲର୍କ ଉର୍ଫ ବଡ଼ବାବୁ ଆଶାର ଦୀପଟାଏ ପ୍ରଜ୍ଜ୍ୱଳିତ କରି ଦେଇଥାଆନ୍ତି । ଆହୁରି ଦୁଇଘଣ୍ଟା ବାକି ଅଛି । ହୁଏତ ସାଇବ ଆସି ନପାରନ୍ତି । ତାଙ୍କ ମାଆଙ୍କର ଦେହ ଖରାପ ଥିଲା । ହୁଏତ ତାଙ୍କର ‘ଶ୍ରୀଗଙ୍ଗା’ ହୋଇଯାଇପାରେ ।

 

ମନ୍ତ୍ରୀମଣ୍ଡଳରେ ଝଗଡ଼ା ଚାଲିଥିଲା । ହୁଏତ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇପାରେ । ତା’ ହେଲେ ବଡ଼ ସାଇବ ନିଶ୍ଚୟ ରାଜଧାନୀ ଯିବେ । କିଛି ନହେଲେ ଆଜିକାଲି ଯେଉଁ ଇନ୍‌ଫ୍ଳୁଏନ୍‌ଜା ଚାରିଆଡ଼େ ବ୍ୟାପିଛି, ହୁଏତ ସାଇବଙ୍କ ପିଲାମାନଙ୍କୁ ଧରି ନେଇପାରେ । ସମସ୍ତେ ଏଇ ଭାବନାଗୁଡ଼ିକ ମନରେ ରଖି ନିଜନିଜର ଇଷ୍ଟଦେବତାମାନଙ୍କୁ ସ୍ମରଣ କରୁଥାଆନ୍ତି ।

 

ଦେବଦେବୀମାନେ କିନ୍ତୁ ଭକ୍ତମାନଙ୍କର ଡାକ ବୋଧେ ହାତରେ କମ୍ ସମୟ ଥିବାରୁ ଶୁଣିପାରିଲେ ନାହିଁ । ଠିକ୍ ସମୟରେ ‘ଦାସ ସାଇବ’ଙ୍କ ଗାଡ଼ି ପହଞ୍ଚିଲା । ଗାଡ଼ି ‘ଦାସସାଇବ’ ନିଜେ ଚଳାଉଥା’ନ୍ତି ଆଉ ପାଖରେ ମିସେସ୍ ଦାସ୍ ବସି ଥାଆନ୍ତି । ପଛରେ ଗୋଟାଏ ପଟେ ଅର୍ଦ୍ଦଳୀ ଗୋଟାଏ ବଡ଼ କୁକୁର ଧରି ବସିଥାଏ । ଅନ୍ୟ ପଟରେ ଆୟା ସାଇବଙ୍କ ଛୋଟ ଛୁଆକୁ ଧରି ବସିଥାଏ । କୁକୁର ଏବଂ ଛୁଆ ବିପରୀତ ଦିଗକୁ ଚାହିଁଥାଆନ୍ତି । ଆଗ ସିଟ୍‌ରେ ସାଇବ ଆଉ ମେମ୍‌ସାଇବ ଖୁସିରେ ବସିଥାଆନ୍ତି । ପଛ ସିଟ୍‌ରେ ଅର୍ଦ୍ଦଳୀ ଓ ଆୟା ଆନନ୍ଦ ନେଉଥାଆ’ନ୍ତି ।

 

ବଡ଼ ସାଇବଙ୍କୁ ମିଶ୍ରସାଇବ ମାଳା ପିନ୍ଧାଇ ସ୍ୱାଗତ କଲେ ଆଉ ମିସେସ୍‌ଦାସଙ୍କୁ ଏକ ଫୁଲତୋଡ଼ା ଦେଇ କହିଲେ, ‘‘ଏତେଗୁଡ଼ାଏ ବାଟରୁ ଆସୁଛନ୍ତି, ନିଶ୍ଚୟ ଖୁବ୍ କଷ୍ଟ ହୋଇଥିବ’’... ଏତିକି କହି ସେ ଗୋଟାଏ ଆତ୍ମିକ ସହାନୁଭୂତି ପ୍ରଦର୍ଶନ କଲେ । ପଚାଶ କିଲୋମିଟର ଦୂରରୁ ଆସିଥିବା ବଡ଼ସାଇବ ଓ ସାଇବାଣୀଙ୍କ ଶ୍ରମ ଲାଘବ କରିବା ପାଇଁ ନାନାପ୍ରକାର ଉପଚାର ଆରମ୍ଭ କରାଗଲା ।

 

ଦିନରେ ବଡ଼ସାଇବ ଅଫିସ୍ ଇନ୍‌ସପେକ୍‌ସନ୍ କଲେ । ଷ୍ଟେଟ୍‌ମେଣ୍ଟ୍ ଆଉ ଫାଇଲ୍ ଗୁଡ଼ିକ ଦେଖିଲେ । ବଡ଼ସାଇବଙ୍କର ବୁଦ୍ଧି ବଡ଼ ପ୍ରଖର । ଚଟ୍‌କିନା ଗୁଡ଼ାଏ ଭୁଲ ଧରିନେଲେ ମିଶ୍ରସାଇବଙ୍କର । ଏ ବିଷୟରେ ବିଶେଷ ଚିନ୍ତା ନ ଥାଏ । ଡିନରପାର୍ଟି ଆଉ ତା’ସାଙ୍ଗରେ ବନ୍ଦୋବସ୍ତ ଛୋଟିଆ ସାଂସ୍କୃତିକ କାର୍ଯ୍ୟକ୍ରମଟା ଠିକ୍ ହୋଇଗଲେ ଇନ୍‌ସପେକ୍‌ସନଟା ଠିକ୍ ହୋଇଯିବ । ସାତଦିନ ହେଲା ସବୁ ଅଫିସରମାନଙ୍କର ସ୍ତ୍ରୀ ଓ ଝିଅମାନେ ମିଶି ସାଂସ୍କୃତିକ କାର୍ଯ୍ୟକ୍ରମ ତିଆରିକରିଛନ୍ତି ।

 

ସନ୍ଧ୍ୟାବେଳେ ଅଫିସ ପ୍ରାଙ୍ଗଣରେ ଗୋଟିଏ ଛୋଟ ମଞ୍ଚ ବନା ହୋଇଥାଏ । ସେଥିରେ ଦରି, ଚାନ୍ଦୁଆ, ଲାଇଟ୍ ଆଦି ଲଗାହୋଇଥାଏ । ବସିବା ପାଇଁ ଟେବୁଲ, ଚଉକୀ ଓ ସୋଫା ଆଦି ରଖାହୋଇଥାଏ । ଅନ୍ୟ ଜାଗାମାନଙ୍କରେ ଡିନରଟା ପ୍ରଥମେ ହୁଏ ଏବଂ ତା’ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ । ମାତ୍ର ଓଡ଼ିଶାର ପରମ୍ପରା ଅନୁସାରେ ଏଠାରେ ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲା । ଠିକ୍ ସମୟରେ ମିସେସ୍ ଓ ମିଷ୍ଟର ଦାସ ପହଞ୍ଚିଲେ, ତାଙ୍କୁ ସବୁ ଅଫିସର ଓ ତାଙ୍କ ପତ୍ନୀମାନେ ସ୍ୱାଗତକଲେ ।

 

ମିଶ୍ରସାଇବ ନିଜ ସ୍ତ୍ରୀଙ୍କର ପରିଚୟ ଦେଲେ, ‘‘ସି ଇଜ୍ ମାଇଁ ଓ୍ୱାଇଫ୍ ସାର୍ !’’

 

ଦାସ ବାବୁ ସାମାନ୍ୟ ସ୍ମିତହାସ୍ୟ କରି ଏକ ବିଶେଷ ଦୃଷ୍ଟିରେ ଶ୍ରୀମତୀ ମିଶ୍ରଙ୍କୁ ଚାହିଁ କହିଲେ, ‘‘ମିସେସ୍ ମିଶ୍ର ଇଜ୍ ଏ ସୁଇଟ୍ ଲେଡ଼ି ।’’ ମିସେସ୍ ଦାସ ମଧ୍ୟ ମିଶ୍ର ସାଇବଙ୍କ ଆଡ଼େ ଚାହିଁ କହିଲେ, ‘‘ହ୍ୱାଇ ନଟ୍, ମିଷ୍ଟର ମିଶ୍ର ଇଜ୍ ଏ ହେଣ୍ଡସମ୍‌ମ୍ୟାନ୍ ।’’

 

ଅଦଳ ବଦଳର ଅନୁପାତ ସମାନ ରହିଲା । ସୋଫାରେ ସମସ୍ତେ ବସିଲେ । କାର୍ଯ୍ୟକ୍ରମ ଆରମ୍ଭ ହେଲା । ପ୍ରଥମେ ତିନି ଚାରିଜଣ ଝିଅ ନେଳିଆ ଧଡ଼ି ଥିବା ଧଳାଶାଢ଼ୀ ପିନ୍ଧି, ବାଳ ମୁକୁଳା କରି ସରସ୍ୱତୀ ବନ୍ଦନା ଛଳରେ ଗୋଟାଏ ସମ୍ମିଳିତ ଗୀତ ଗାଇଲେ–

 

‘‘ସ୍ୱାଗତ କରୁଛୁ ଆଜି ତମକୁ ହେ ଦାସବାବୁ,

ଏଡ଼େ ବଡ଼ ବିଭାଗକୁ କରିଅଛ ତମେ କାବୁ ।’’

 

ତା’ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଲା । କେତେକ ଅଫିସରଙ୍କ ସ୍ତ୍ରୀଙ୍କର ପରସ୍ପର ମଧ୍ୟରେ ଖୁବ୍ ଫୁସୁରୁଫାସୁରୁ ଆରମ୍ଭ ହୋଇଗଲା । ଜଣେ ଅନ୍ୟ ଜଣକୁ କହୁଥିଲା–

 

‘‘ତୁ ଗାଆ, ଏତେ ତ ଗାଉ !’’

 

ଅନ୍ୟ ଜଣକ କହିଲା, ‘‘ତୁ ବି ତ ଗାଉ ବୋଲି ଏତେ ଫୁଲେଇ ହେଉଥିଲୁ, ଏବେ ଗାଉନୁ କାହିଁକି ?’’ ଏମିତି କିଛିବେଳ ଚାଲିବା ପରେ ଶେଷରେ ଅଫିସରମାନଙ୍କ ସ୍ତ୍ରୀମାନଙ୍କର ପ୍ରତିନିଧି ସ୍ୱରୂପ ଜଣେ ପ୍ରୌଢ଼ା ମହିଳା ଉଠିପଡ଼ି ଗାଇଲେ–

 

‘‘‘ଫେରିଅନା ନାଗୁଣୀ... ଫେରିଅନା....

 

ବାଜିଲାଣି ନାଗେଶ୍ୱରୀ ବାଜଣା....’’

 

ମହିଳା ଜଣଙ୍କର ସାହସ ଦେଖି ସମସ୍ତେ ଉଚ୍ଚ ପ୍ରଶଂସା କଲେ ଓ ଘନ ଘନ ତାଳି ମାରିଲେ । ସମୟର ସୁଯୋଗ ନେଇ ମିଷ୍ଟର ଦାସ୍ ଶ୍ରୀମତୀ ମିଶ୍ରଙ୍କୁ ଗୋଟାଏ ଗୀତ ଗାଇବା ପାଇଁ ଅନୁରୋଧ କଲେ । ପ୍ରଥମେ ଶ୍ରୀମତୀ ମିଶ୍ର ‘ଉଁ...ଆଁ, ନାଇଁ....ନାଇଁ, ଏମାଁ ଛି’ ଶବ୍ଦଗୁଡ଼ିଏ କରି ନିଜ ଆପତ୍ତି ଜଣାଇଲେ । କିନ୍ତୁ ମିଷ୍ଟର ଦାସ୍ ଜିଦ୍ ଧରିଲେ ଯେ, ମିସେସ୍ ମିଶ୍ରଙ୍କ ଗୀତ ଶୁଣିସାରି ହିଁ ଉଠିବେ । ମିସେସ୍ ମିଶ୍ର କେମିତି ଅଭିମାନ କଲାପରି ସ୍ୱରରେ କହିଲେ, ‘‘ମୁଁ କେବେ କାହା ଆଗରେ ଗୀତ ଗାଏନାହିଁ । ଆପଣଙ୍କ ପାଇଁ ଗାଇ ଦେଉଛି ।’ ଏତିକି କହି ସେ ଗାଇଲେ–

 

‘‘ପରଦେଶୀ ବନ୍ଧୁ ମୋର ଆସେଲୋ...’’ । ଗୀତ ଶେଷରେ ପରଦେଶୀ ବନ୍ଧୁ ଆତ୍ମବିହ୍ୱଳ ହୋଇଉଠିଲେ । ମିଷ୍ଟର ମିଶ୍ରଙ୍କ ଆଡ଼େ ଚାହିଁ କହିଲେ–

 

‘‘ମିଷ୍ଟର ମିଶ୍ର, ସି ଇଜ୍ ଏ ରିଏଲ୍‌କୁକୁ । ଆପଣ ଜଣେ ଭାଗ୍ୟବାନ୍ ଲୋକ...।’’

 

ମିଶ୍ର ସାହାବଙ୍କ ମୁହଁଟା ଉଲ୍ଲସିତ ହୋଇଉଠିଲା ଯେମିତି କି ତାଙ୍କର ପ୍ରମୋଶନ ହୋଇଯାଇଛି ।

 

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସରିଲା ପରେ ଜଣେ ଅଫିସର ମିଷ୍ଟର ଓ ମିସେସ୍ ଦାସ୍‌ଙ୍କୁ ଧନ୍ୟବାଦ ଦେବାପାଇଁ ଉଠି ଠିଆହେଲେ । ସେ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଅନେକ ପ୍ରଶସ୍ତି ମଧ୍ୟ ଗାଇଲେ । ମଝିରେ ମିସେସ୍ ଦାସ୍‌ଙ୍କର ବାପାଙ୍କର ମଧ୍ୟ ପ୍ରଶସ୍ତି ଗାନ କରାଗଲା ।

 

ମିସେସ୍ ଦାସ ଟିକିଏ ଆପତ୍ତିସୂଚକ ଭଙ୍ଗୀରେ ମିସେସ୍ ମିଶ୍ରଙ୍କୁ ପଚାରିଲେ–‘‘ଏ ଲୋକଟା ଏତେଗୁଡ଼ାଏ ଆମମାନଙ୍କ ବିଷୟରେ କାହିଁକି କହୁଛି ଯେ ? ଆଗରୁ ବି ତ ଅନେକ ଭଲ ଅଫିସର ଏଠାରେ ଥିଲେ । ମହାନ୍ତିବାବୁ, ପଣ୍ଡାବାବୁ ଆଦି...’’

 

ମିସେସ୍ ମିଶ୍ର ଇଙ୍ଗିତ ବୁଝିଗଲେ ଯେ ସେ, ତୁଳନାତ୍ମକ ପ୍ରଶସ୍ତି ଚାହୁଁଛନ୍ତି । କହିଲେ, ‘‘ହଁ...ଅନେକ ଅଫିସର୍ ଆଗରୁ ଥିଲେ, ମାତ୍ର ଆପଣଙ୍କ ସ୍ୱଭାବର କେହି ନଥିଲେ । ଆପଣଙ୍କ ଆଗରୁ ମିସେସ୍ ପଣ୍ଡା ଥିଲେ, ସେ ସାମାନ୍ୟ ଗର୍ବୀ । ମିସେସ୍ ମହାନ୍ତି–ପାଠ ପଢ଼ି ନଥିଲେ–ଇଂରାଜୀରେ ଦୁଇପଦ କହିପାରୁନଥିଲେ । ଶ୍ରୀମତୀ ରାଉତଙ୍କର ଚେହେରାଟା ବିଶେଷ ଭଲନଥିଲା । ଆପଣଙ୍କ ଭଳି ରୂପ, ଗୁଣ ଆଉ ବୁଦ୍ଧି ତିନିଟାଯାକର ସମ୍ମିଶ୍ରଣ କେତେଜଣଙ୍କ ପାଖରେ ଥାଏ ? କେଉଁ ଘରର ଝିଅ ଆପଣଙ୍କ ?’’ ମିସେସ୍ ଦାସ ପ୍ରସନ୍ନ ହୋଇ ଯାଇଥିଲେ । ଧନ୍ୟବାଦ ଭାଷଣ ସମାପ୍ତ ହୋଇଯାଇଥିଲା ।

 

ଏହାପରେ ଡିନର ପାଇଁ ସମସ୍ତେ ଗଲେ । ନାନାପ୍ରକାର ବ୍ୟଞ୍ଜନ ଟେବୁଲ ଉପରେ ରଖାଗଲା । ମିସେସ୍ ମିଶ୍ର ନାନାପ୍ରକାର ବ୍ୟଞ୍ଜନ ଦାସ୍ ସାହାବଙ୍କୁ ପରଷି ଦେଉଥାଆନ୍ତି । ‘ଥାଙ୍କ୍ୟୁ’ ‘ଥାଙ୍କ୍ୟୁ’ କହି କହି ଦାସ୍‌ସାହାବ ମାତ୍ରାଧିକ ପରିମାଣରେ ଖାଇଯାଉଥାଆନ୍ତି । ଶେଷରେ ‘ସୁଇଟ୍‌ଡ଼ିସ୍’ଟା ବାଢ଼ି ଦେଉ ଦେଉ ମିସେସ ମିଶ୍ର କହିଲେ–

 

‘‘ଏଇଟା ମୁଁ ନିଜେ ବନାଇଛି, ଆପଣ ବୋଧେ ଲାଇକ୍ କରିବେ ।’’

 

‘‘ରିଏଲି, ରିଏଲି...’’ କହି କହି ମିଷ୍ଟର ଦାସ ସୁଇଟ୍‌ଡ଼ିସଟା ଖାଇବାକୁ ଲାଗିଲେ । ଯେତେହେଲେ ସୁଇଟ୍‌ଡ଼ିସ୍‌ଟା ମିସେସ୍ ମିଶ୍ରଙ୍କର ସାନ୍ନିଧ୍ୟ ପାଇଥିଲା, ତେଣୁ ଖୁବ୍‌ମିଠା ହୋଇଥିବ । ମିସେସ୍ ଦାସ୍‌ଙ୍କ ଆଡ଼େ ଚାହିଁ କହିଲେ–

 

‘‘କେଡ଼େ ସୁନ୍ଦର ଏ ସୁଇଟ୍‌ଡ଼ିସ୍‌ଟା, ମିସେସ୍ ମିଶ୍ର ନିଜେ ବନାଇଛନ୍ତି; ତୁମକୁ କେମିତି ଲାଗୁଛି ?’’

 

ମିସେସ୍ ଦାସ୍ ବୋଧେ କଥାଟାକୁ ବିଶେଷ ଉପଭୋଗ କରିପାରିଲେ ନାହିଁ । କହିଲେ, ‘‘ହଁ ଗୋଟାଏ ପ୍ରକାରର ହୋଇଛି । ଘରେ ମୁଁ ତ କେତେଥର କରିଦେଇଛି । ଖାଇଛ । ନଥିଂ ନିଉ-।’’

 

ଆଖପାଖରେ ବସିଥିବା ଲୋକମାନେ ଶୁଣି ମଧ୍ୟ ନ ଶୁଣିଲା ଭଳି ରହିଲେ । ଆଖି କୋଣରେ କଡ଼େଇ କଡ଼େଇ ଚାହିଁ ଶ୍ରୀମତୀ ମିଶ୍ରଙ୍କର ପ୍ରତିକ୍ରିୟା ଲକ୍ଷ୍ୟ କରୁଥିଲେ । ଅନ୍ୟ କୌଣସି ଦିନ ହୋଇଥିଲେ ମିସେସ୍ ମିଶ୍ର ନିଶ୍ଚୟ କିଛି ଗୋଟାଏ ଉତ୍ତର ଦେଇଥାଆନ୍ତେ । ମାତ୍ର ଏ ପରିସ୍ଥିତିଟା ଅଲଗା ପ୍ରକାରର । ମୁଣ୍ଡ ଉପରେ ସ୍ୱାମୀଙ୍କର ପ୍ରମୋଶନ୍‌ଟା ମଧ୍ୟ ଅଛି । ତେଣୁ ସେ ମଧ୍ୟ ନ ଶୁଣିଲା ଭଳି ରହିଲେ ।

 

ଖାଇବା ସରିଲା ପରେ ସମସ୍ତେ ଉଠିବାକୁ ବସିଛନ୍ତି, ଏତିକିବେଳେ ଜଣେ ଆସି ଖବର ଦେଲା ଯେ, ବଡ଼ସାଇବଙ୍କ ପାଇଁ ରାଜଧାନୀରୁ ଟେଲିଫୋନ୍ ଆସିଛି । ଦାସ୍ ସାଇବ ତରବରରେ ଟେଲିଫୋନ୍ ଶୁଣିବାକୁ ଗଲେ । ପଛରେ ମିଶ୍ର ସାଇବ ମଧ୍ୟ ଗଲେ । ଟେଲିଫୋନ୍ ଶୁଣିସାରିବା ପରେ ଦାସ ସାଇବ କହିଲେ ଯେ, ତାଙ୍କୁ ଏକ ଜରୁରୀ କାମରେ ତୁରନ୍ତ ରାଜଧାନୀ ଫେରିବା ପାଇଁ ପଡ଼ିବ । ଅଳ୍ପ ସମୟ ମଧ୍ୟରେ ଗାଡ଼ି ଆସି ପୋର୍ଟିକୋରେ ଲାଗିଲା । ବିଦାୟ ଦେବାକୁ ଯାଇ ମିସେସ୍ ମିଶ୍ର ଗୋଟାଏ ଉପହାର ପ୍ୟାକେଟ୍ ମିସେସ୍ ଦାସଙ୍କୁ ଦେଇ କହିଲେ–‘‘ଏଇ ଛୋଟିଆ ଜିନିଷଟିକୁ ଉପହାର ଭାବି ଗ୍ରହଣ କରିବେ । କେତେ ଭଲ ଲାଗିଲା ଆପଣମାନେ ଆସିଲେ । ଆଉ ଥରେ ନିଶ୍ଚୟ ଆସିବେ । ରହିଲି, ନମସ୍କାର !’’ ଅର୍ଦ୍ଦଳୀ, ଆୟା, କୁକୁର ଓ ପିଲା ନିଜ ନିଜ ଜାଗାରେ ବସିସାରିଥିଲେ । ମିଷ୍ଟର ଦାସ୍ ଗଲା ଆଗରୁ ଶେଷ ମନ୍ତବ୍ୟ ଦେଇଥିଲେ–

 

‘‘ଥାଙ୍କ୍ୟୁ ମିଷ୍ଟ ମିଶ୍ର । ଖୁବ୍ ଭଲ ଲାଗିଲା ଏଠାକୁ ଆସି ।’’

 

ତା’ପରେ ମିଶ୍ର ସାଇବ ଓ ସାଇବାଣୀ ମଧ୍ୟ ନିଜ ଘର ଉଦ୍ଦେଶ୍ୟରେ ବିଦାୟ ନେଲେ । ମିସେସ୍ ମିଶ୍ର ଗାଡ଼ିରେ ନିଜ ସ୍ୱାମୀଙ୍କୁ କହିଲେ–

 

‘‘ତମ ବଡ଼ ସାଇବ ଜଣକ ଭାରି ବଜାରୀ । ଦେଖୁନ କେମିତି ଇସାରା କରୁଥିଲା ! ତା’ ସ୍ତ୍ରୀଟା ବି ଭାରି ଅଭଦ୍ର । ଏତେ ଭଲ ଖାଇବାକୁ ଦେଲି ଆଉ ଏଡ଼େ ସୁନ୍ଦର ଟେବୁଲ୍ ଲ୍ୟାମ୍ପଟା ନେଇଗଲା, ଅଥଚ ଧନ୍ୟବାଦଟାଏ ଦେଲା ନାହିଁ । ମାଇକିନାଟାର ଟିକିଏ ବି ଲାଜ ନାହିଁ–ଅଣ୍ଡିରାଚଣ୍ଡୀଟାଏ ।’’

 

ମିଶ୍ରବାବୁ କହିଲେ–‘‘ସେମାନଙ୍କର ବୋଧେ ବଦଳି ହୋଇଯାଇଛି, ସେଥିପାଇଁ ଧରାଧରି କରିବା ଲାଗି ରାତାରାତି ଭୁବନେଶ୍ୱର ଦଉଡ଼ିଛନ୍ତି । ବଦଳି ହୋଇଗଲେ ଭଲ ହୁଅନ୍ତା । ବ୍ଲଡ଼ି ଫୁଲସ୍ !’’

Image

 

ଗୁଲିଖଟି ରାମରାଜ୍ୟ

 

ନିର୍ବାଚନର ଠିକ୍ ଚାରିଦିନ ପୂର୍ବରୁ ସେମାନେ ସବୁ ପହଞ୍ଚିଗଲେ । ଅପରାହ୍‌ଣ ପ୍ରାୟ ତିନିଟାବେଳେ ମୁଁ ଖଟରେ ଶୋଇଶୋଇ ଖବରକାଗଜ ଉପରେ ଆଖି ବୁଲାଉଥାଏ । କବାଟରେ ଖଟ୍‌ଖଟ୍‌ ଶବ୍ଦ ହେଲା । ଅଗତ୍ୟା ଖୋଲିଦେଲି । ସେମାନେ ବିନା ଆମନ୍ତ୍ରଣରେ ଭିତରକୁ ପଶିଆସିଲେ । ଧଳା ପାଇଜାମା ଓ ଧଳା କୁର୍ତ୍ତା, ମୁଣ୍ଡରେ ଗାନ୍ଧୀ ସ୍ମାରକୀ ଟୋପି । ପାଦରେ ଚପଲ । କେବଳ ଜଣେ ବ୍ୟକ୍ତି ପାଇଜାମା ବଦଳରେ ଧୋତି ପିନ୍ଧିଥିଲେ । ତାଙ୍କ ମୁଣ୍ଡରେ ଟୋପି ନଥିଲା । କାନ୍ଧରେ ଗୋଟାଏ ଗାମୁଛା ପଡ଼ିଥିଲା । ମୁଣ୍ଡରେ ଏକ ବଡ଼ ସିନ୍ଦୂରଟୋପା ।

 

ଜଣେ ମୋ’ ଆଡ଼େ ଚାହିଁ କହିଲେ, ‘‘ଗୋଟାଏ ବଡ଼ ଜରୁରୀ କାମରେ ଆପଣଙ୍କ ପାଖକୁ ଆସିଛୁ । କଅଣ ବସିପାରିବା ?’’

 

ମୁଁ କହିଲି, ‘‘ଯେତେବେଳେ ଏତେ ବଡ଼ ଜରୁରୀ କାର୍ଯ୍ୟପାଇଁ ଆପଣ ବିନା ଆମନ୍ତ୍ରିତ ଭାବରେ ଭିତରକୁ ପଶିଆସିଲେ, ସେତେବେଳେ ସୋଫା ଉପରେ ବସି ମଧ୍ୟ ପାରନ୍ତି । ଯଦି ଚାହାନ୍ତି ତେବେ ଘଣ୍ଟେ ଦୁଇଘଣ୍ଟା ଶୋଇ ମଧ୍ୟ ପାରନ୍ତି । ଏ ପର୍ଯ୍ୟନ୍ତ ଖରା ବହୁତ ଟାଣଅଛି । ତା’ଛଡ଼ା ମୋତେ ମଧ୍ୟ ବହୁତ ନିଦ ଲାଗୁଛି । ଆପଣମାନେ ଏ ରୁମ୍‌ଟିରେ ଶୋଇଲେ ମୁଁ ଭିତର ରୁମ୍‌ଟିରେ ଶୋଇଯାଆନ୍ତି । ପରେ ଉଠି କଥାବାର୍ତ୍ତା ହୁଅନ୍ତେ ।’’

 

ମୋ ପାଖରୁ ସେମାନେ ବୋଧେ ଏ ପ୍ରକାର ଉତ୍ତର ଆଶା କରିନଥିଲେ । ନିଜ ଉପକ୍ରମଣିକାଟି ଖରାପ ହୋଇଯିବା ଦେଖି ସେମାନେ ସାମାନ୍ୟ ବ୍ୟସ୍ତହେଲାପରି ଜଣାଗଲେ । ସେମିତି ଠିଆହୋଇ ଧୀର ସ୍ୱରରେ ପରସ୍ପର ଭିତରେ କଅଣ ସବୁ କଥାବାର୍ତ୍ତା ହେଲେ । ପୁଣି ସେଇ ଭଦ୍ରବ୍ୟକ୍ତି ଜଣକ କହିଲେ, ‘‘ସମୟ ଆଉ ମାତ୍ର ଚାରିଦିନ ରହିଲା ଦେଶରେ ଆମୂଳଚୂଳ ପରିବର୍ତ୍ତନ ଆଣିବାପାଇଁ । କିଛି ଗୋଟାଏ କରିବାକୁ ହେବ । ଆପଣଙ୍କର ସାହାଯ୍ୟ ଏବଂ ସହାନୁଭୂତି ଲୋଡ଼ୁଛୁଁ ।’’

 

ମୁଁ କହିଲି, ‘‘ହଁ, ଦେଶପାଇଁ କିଛି ଗୋଟାଏ ନିଶ୍ଚୟ କରିବା ପାଇଁ ହେବ । କିନ୍ତୁ ଆପଣମାନଙ୍କର ଅନୁଭୂତି ମୋର ନାହିଁ । ତେବେ କି ସାହାଯ୍ୟ କରିପାରେ କୁହନ୍ତୁ !’’

 

ସେମାନେ ସୋଫାଟି ଅଳଂକୃତ କରି ସାରିଥିଲେ । ଯେଉଁ ଭଦ୍ରବ୍ୟକ୍ତି ଜଣଙ୍କର ମୁଣ୍ଡରେ ସିନ୍ଦୂରଟୋପା ଥିଲା, ତାଙ୍କ ଆଖିଦୁଇଟି ମଧ୍ୟ ସେ ସିନ୍ଦୂରଟୋପା ଭଳି ଜଳୁଥିଲା । ସେ ସୋଫା ଉପରେ ଦୁଇଗୋଡ଼ ଉଠାଇ ବସିଥିଲେ ଆଉ ମୋତେ ବସିବା ପରଠାରୁ ସ୍ଥିରଦୃଷ୍ଟିରେ ଚାହିଁଥିଲେ ।

 

ମୁଁ ତାଙ୍କୁ ପଚାରିଲି, ‘‘କଅଣ ଦେହ ଭଲନାହିଁ କି ? କୁହନ୍ତୁ, ମୁଁ ଆପଣଙ୍କର କଅଣ ବା ସେବା କରିପାରେ ?’’

 

ପ୍ରଶ୍ନଟି ଦୋହରାଇଲି, କିନ୍ତୁ ଏଥର ମଧ୍ୟ କିଛି ଉତ୍ତର ଆସିଲା ନାହିଁ । ଜଣେ ସାଥୀ ଜଣାଇଦେଲେ ଯେ, ଏହି ବ୍ୟକ୍ତି ହେଉଛନ୍ତି ଆସନ୍ତା ନିର୍ବାଚନର ଜଣେ ପ୍ରାର୍ଥୀ, ଯାହାଙ୍କ ପାଇଁ ଅନ୍ୟମାନେ ପ୍ରଚାର କରିବା ପାଇଁ ଆସିଛନ୍ତି । ସେ ଜଣେ ନୀରବସାଧକ । ଏଥର ନିର୍ବାଚନରେ ସେ ଲଢ଼ିବା ପାଇଁ ଆଦୌ ଚାହୁଁନଥିଲେ, କିନ୍ତୁ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ତାଙ୍କୁ ଦେଶର ଦ୍ୱାହୀ ଦେଇ ଲଢ଼ିବା ପାଇଁ ଅନୁରୋଧ କରିବା ହେତୁ ସେ ନିର୍ବାଚନ ପାଇଁ ଠିଆହୋଇଛନ୍ତି । ଖରାରେ ନିର୍ବାଚନ ପ୍ରଚାର ପାଇଁ ବୁଲିବାକୁ ପଡ଼ୁଥିବାରୁ ସେ ଟିକିଏ ପାଚକପାଣି ଅର୍ଥାତ୍ ଭାଙ୍ଗପଣା ପିଇଦେଇଛନ୍ତି । ତାହା ଉପରେ ସେ ନିଶ୍ଚୟ ଗୋଟାଏ ଗଞ୍ଜାଇ ସିଗାରେଟ ଟାଣୁଥିଲେ, ଯାହାର ଗନ୍ଧ ମୁଁ ଠିକ୍‌ଭାବରେ ଧରିପାରୁଥିଲି । ସେ ମୋତେ ସିଧା ଚାହିଁଥାଆନ୍ତି ।

 

ମୋର ପ୍ରଶ୍ନଟି ଦ୍ୱିତୀୟଥର ମଧ୍ୟ ନିରୁତ୍ତର ଯିବା ଦେଖି ଜଣେ ସାଥୀ ତାଙ୍କୁ ହଲାଇଦେଇ କହିଲେ, ‘‘କିହୋ, ସିଏ କଅଣ ପଚାରୁଛନ୍ତି କହୁନା କାହିଁକି ?’’

 

ତାଙ୍କର ବୋଧେ ଧ୍ୟାନଭଙ୍ଗ ହେଲା । ମୋତେ ପଚାରିଲେ, ‘‘କଅଣ ଦି ଦମ୍ ଟାଣିବ ?’’

 

ମୁଁ କହିଲି, ‘‘ଅବଶ୍ୟ ମୁଁ ଠିକ୍ ଜାଣେ ଯେ ଦୁଇ ଦମ୍ ଟାଣିଦେଲେ ଦେଶ ସେବା ପାଇଁ ଭାବନାଟା ପରିଷ୍କାର ଆସେ । ମୁଁ ମଧ୍ୟ ମୋ’ କଲେଜ ଜୀବନରେ ପୂରା ଚାରିଦମ୍ ଟାଣିବା ପରେ ହିଁ ନିର୍ବାଚନ ଭାଷଣ ଦେବାକୁ ଯାଉଥିଲି । ଆପଣଙ୍କ ପାର୍ଟିର ନାମ କଅଣ ?’’

 

–‘‘ରାମରାଜ୍ୟ ପାର୍ଟି । ଚାରିମାସ ତଳେ ମୋତେ ରାଘବପତି ସ୍ୱପ୍ନରେ କହିଲେ ଯେ, ଦେଶରେ ରାବଣରାଜ୍ୟ ବ୍ୟାପିଲାଣି–ତେଣୁ ତୁମେ ପୁଣି ରାମରାଜ୍ୟ ସ୍ଥାପନ କର । ମୋ’ ପାର୍ଟି ଜିତିଗଲେ ରାମ ଦେଶ ପାଇଁ ଯାହା ଯାହା ସବୁ କରିଯାଇଥିଲେ ପୁଣି ତାହା ସବୁ କରିବି । ପ୍ରତି ଗାଆଁରେ ମୁଁ ରାମଙ୍କ ନାମରେ ମନ୍ଦିର ତୋଳାଇବି । ସ୍କୁଲ ଆଉ କଲେଜରେ ରାମାୟଣ ପାଠ କମ୍ପଲ୍‌ସରୀ କରିଦେବି । ଚିନି ଆଉ କନ୍ଦମୂଳର ଭାଉ କମିଯିବ । ଡିଜେଲ ଚାଷୀମାନଙ୍କୁ ବେଶି ମିଳିବ । ପ୍ରତି ଘରେ ନଳକୂପ ଲଗାଇଦେବି, ଆଉ ପ୍ରତ୍ୟେକଙ୍କ ଘରେ ସେପ୍‌ଟିକ୍ ଲ୍ୟାଟ୍ରିନ୍ ଦେବି । ପ୍ରତିବର୍ଷ ରାମନବମୀ ଦିନ ଜିଲ୍ଲା, ପ୍ରଦେଶ ଏବଂ ଦେଶସ୍ତରରେ ଧନୁର୍ବାଣ ପ୍ରତିଯୋଗିତା କରାଇବି-। ପ୍ରତିଯୋଗିତାରେ ଦେଶରେ ଯିଏ ଫାଷ୍ଟ ହେବ, ତାକୁ ଜନରାଲ୍ ବନାଇବି ।’’ ଏତିକି କହି ସେ କିଛିକ୍ଷଣ ପାଇଁ ପୁଣି ଆଖି ବନ୍ଦକରିଦେଲେ ।

 

–‘‘ଆଉ ଆପଣ ଯଦି ରାମଚନ୍ଦ୍ରଙ୍କ ପରି ବନବାସ ଯିବେ ତେବେ ଆମର କଅଣ ହେବ-? ଆମ ଘରେ ସେପ୍‌ଟିକ୍ ଲ୍ୟାଟ୍ରିନ୍ କିଏ ଲଗାଇବ ?’’–ମୁଁ ପଚାରିଲି ।

 

ସେ ଖୁବ୍ ଜୋର୍‌ରେ ହସିଉଠି କହିଲେ, ‘‘ତମେ ଭାଙ୍ଗ ଖାଇଛ । ମୁଁ ଥରେ କ୍ଷମତାରେ ଆସିଲେ କଅଣ ଚଉକି ଛାଡ଼ିଦେଇ ବନବାସ ଯିବି ବୋଲି ଭାବୁଛ ? ରାମଚନ୍ଦ୍ର ବହୁତ ଭାଙ୍ଗ ଖାଉଥିଲେ ବୋଲି ସେମିତି ଭୁଲଟାଏ କରିଦେଲେ, କିନ୍ତୁ ମୁଁ ତ ଭାଙ୍ଗ ଖାଉନି ! ଚଉକି କେବେହେଲେ ଛାଡ଼ିବି ନାହିଁ । ଯଦି କେହି ଚଉକିଟା ଜବରଦସ୍ତି ଟାଣିନିଏ, ତାହାହେଲେ ଗୋଟାଏ ଟୁଲ୍‌ ବା ବେଞ୍ଚ୍‌ରେ ବସି କାମ ଚଳାଇ ଦେବି । କିଛି ନହେଲେ ଗୋଟାଏ ପିଢ଼ା ଉପରେ ବସି କାମ ଚଳାଇଦେବି । ତେଣୁ ତୁମେ ନିଶ୍ଚିତ ରୂହ ଯେ, ମୋ ପାର୍ଟି ହିଁ ଦେଶରେ ଗୋଟାଏ ସ୍ଥିର ସରକାର ଦେବ । ସ୍ଥିର ସରକାର ବନାଇବା ପାଇଁ କିଛି ଚାନ୍ଦା ଦରକାର । ଚାନ୍ଦା ଦେବ ?’’

 

ମୋ ପାଖରେ ସେଦିନ ଟଙ୍କା ନଥିଲା । କହିଲି, ‘‘ନା.....ମୋ ପାଖରେ ଗୋଟିଏ ବି ଟଙ୍କା ଚାନ୍ଦା ପାଇଁ ନାହିଁ ।’’

 

ଏଥର ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ରାମଙ୍କ ନାମରେ ବି ଚାନ୍ଦା ଦେବନି ? ଗଲା ନିର୍ବାଚନରେ ତ ମୁଁ ହନୁମାନ ପାର୍ଟି ନାମରେ ବହୁତ ଚାନ୍ଦା ନେଇଥିଲି ।’’

 

ମୁଁ କହିଲି, ‘‘କ୍ଷମାକରିବେ, ଚାନ୍ଦା ଦେବାପାଇଁ ଆଉ ପଇସା ନାହିଁ, କାରଣ ଏ ଦେଶରେ ପ୍ରତିବର୍ଷ ବନ୍ୟା ଆସେ, ପ୍ରତିବର୍ଷ ଅକାଳ ପଡ଼େ । ପ୍ରତିବର୍ଷ ନିର୍ବାଚନ ମଧ୍ୟ ହେଉଛି ।’’

 

ସେ ମୋତେ ବିଶ୍ୱାସ କରି ପାରିଲେ ନାହିଁ । କହିଲେ, ‘‘ତମେ ଭାଙ୍ଗ ଖାଇଛ–ତମେ ବହୁତ ଭାଙ୍ଗ ଖାଇଛ–କମ୍ ସେ କମ୍ ଦୁଇ ଟଙ୍କାର ଖାଇଥିବ । କିନ୍ତୁ (ସାମାନ୍ୟ ତେଜିଯାଇ ସେ କହିଲେ) ତମେ ମୋ ଠାରୁ ବେଶି ଭାଙ୍ଗ କେବେ ଖାଇନଥିବ । ମୁଁ ପୂରା ଚାରିଟଙ୍କାର ଖାଇଛି ।’’

 

ସେ ହୃଦୟ ଖୋଲି ଏତକ କହିଲେ । ମୁଁ ବୁଝିଲି ରାମରାଜ୍ୟ ଆଉ ବେଶି ଦୂର ନୁହେଁ । କହିଲି, ‘‘ମୁଁ ତ ଆଉ ନିର୍ବାଚନ ଲଢ଼ୁନାହିଁ–ଚାରିଟଙ୍କାର ଭାଙ୍ଗ ଖାଇବି କୁଆଡ଼ୁ ? ତା’ ଛଡ଼ା ଏ ବିଷୟରେ ଆପଣ ମୋ ଗୁରୁଦେବ । କଅଣ ଆପଣ ଖାଲି ଭାଙ୍ଗ ଖାଆନ୍ତି ନା ଅନ୍ୟ ମାଦକ ଦ୍ରବ୍ୟମାନଙ୍କରେ ମଧ୍ୟ ଆପଣଙ୍କର ଗୃହପ୍ରବେଶ ହୋଇସାରିଛି ?’’

 

ସେ ଭାଙ୍ଗନିଶାରେ ପୂରା ଖୋଲିଯାଇଥିଲେ । କହିଲେ–‘‘ତମେ ଠିକ୍ ଧରିଛ । ମୁଁ ଚାରି ଗୁଲି ପାସ୍ । ଭାଙ୍ଗ ପଣା ପିଇସାରି ଟେଳେ ଅଫିମ ପକାଇଦିଏ । ତା’ର କିଛି ବେଳ ପରେ ଗୋଟାଏ ଖଣ୍ଡେ ବୋତଲ ତାଡ଼ି ପିଇଦେଇ ମୁହଁରେ ଗଞ୍ଜାଇ ସିଗାରେଟ୍ ଲଗାଇଦିଏ । ତା’ପରେ ତମେ ମୋ ଭାଷଣ ଶୁଣିଥିଲେ ମୋତେ କହନ୍ତା–ବ୍ରହ୍ମା କଅଣ ଖାଲିଟାରେ ଏକାଠି ଚାରିମୁହଁରେ ବେଦ ବୋଲିପାରୁଥିଲେ ? ଏଇ ଚାରିଟା ଜିନିଷ ଚାରି ମୁହଁରେ ଏକାଠି ପୂରେଇଦେଇ ସେ ବେଦ କରୁଥିଲେ । ଆଚ୍ଛା...ଏବେ ତମେ ଚାନ୍ଦା ଦେବ ?’’

 

ମୁଁ କହିଲି, ‘‘କହିଲି ପରା ଚାନ୍ଦା ଦେବାପାଇଁ ଟଙ୍କା ନାହିଁ ।’’

 

ସେ କହିଲେ, ‘‘ଏଁ... ଏତେ ବେଖାତିର । ମୁଁ ଖାଲି ଟେଲିଫୋନ୍‌ରେ କହିଦେଲେ ହିଁ ବିରଲା ଆଉ ଟାଟା ମୋତେ ଭାର ଭାର ଟଙ୍କା ପଠାଇଦିଅନ୍ତି । ତମେ ରୋକ୍‌ଠୋକ୍ ମୁହଁ ଉପରେ ମନାକରିଦେଉଛ ?’’

 

ମୁଁ ମଧ୍ୟ ଜିଦ୍ ଧରିଲି । ସାଙ୍ଗମାନେ ଦେଖିଲେ ଯେ, ପରିସ୍ଥିତିଟା ଖରାପ ହେବାକୁ ଯାଉଛି । ତାଙ୍କୁ କାନରେ ଫୁସ୍‌ଫୁସ୍ କରି କଅଣ ଗୁଡ଼ାଏ ବୁଝାଇଦେଲେ । ଏଥର ସେ ସାମାନ୍ୟ ନରମ ଗଳାରେ ବୁଝାଇବାକୁ ଲାଗିଲେ, ‘‘ଦେଖ, ଦେଶର ଅର୍ଥନୀତି ଖରାପ ହୋଇଯାଇଛି । ବିଦେଶରୁ ବହୁତ ଟଙ୍କା ଧାର ଆସିଛି, ସୁଝିବାକୁ ହିଁ ପଡ଼ିବ । ବର୍ଷା ନାହିଁ । ନଅଙ୍କ ଦୁର୍ଭିକ୍ଷ ଭଳି ଦୁର୍ଭିକ୍ଷ ପଡ଼ିବାକୁ ଯାଉଛି । ଲୋକମାନଙ୍କୁ ଖାଇବା ଜିନିଷ ଓ ଅନ୍ୟାନ୍ୟ ସାହାଯ୍ୟ ଦେବାକୁ ପଡ଼ିବ-। ନଳକୂପ ବସାଇବା ପାଇଁ ପଡ଼ିବ । ଡିଜେଲ ଓ ପେଟ୍ରୋଲ ଅନ୍ୟ ଦେଶମାନଙ୍କରୁ କିଣିବାକୁ ପଡ଼ିବ । ଏ ସବୁ ପାଇଁ ଟଙ୍କା ଦରକାର । ତମେ କିଛି ଚାନ୍ଦା ଦିଅ । ତମର ତ ବହୁତ ପଇସା ଅଛି ବୋଲି ମୁଁ ଶୁଣୁଥିଲି ।’’

 

ତାଙ୍କୁ ଭାଙ୍ଗର ଝୁଙ୍କ ଲାଗିଯାଇଥିଲା । କହିଲି, ‘‘ଠିକ୍ ଅଛି । ଆପଣ ଦୁଇଦିନ ପରେ ଆସନ୍ତୁ, ଦେଖିବା ।’’

 

ସେ ସାମାନ୍ୟ ରୁକ୍ଷ ହୋଇ କହିଲେ–‘‘ତମେ ମୋତେ ତଡ଼ୁଛ ? ମୁଖ୍ୟମନ୍ତ୍ରୀ ମୋ ସାଙ୍ଗରେ କବାଟ ବନ୍ଦକରି ଚାରିଚାରି ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା କରନ୍ତି । ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ଦେଖାକରିବା ପାଇଁ ମୋତେ କେବେହେଲେ ଅନୁମତି ନେବାକୁ ପଡ଼ିନାହିଁ–ଅଥଚ ତମେ ମୋତେ ତଡ଼ୁଛ ? ଖାଲି ହାତରେ ଫେରାଇଦେଉଛ ?’’

 

–‘‘ମୁଁ ଆପଣଙ୍କୁ ତଡ଼ୁନାହିଁ । କାଳେ ଆପଣଙ୍କର ସମୟ ନଷ୍ଟ ହେବ ବୋଲି ଡରୁଥିଲି । ମୁଁ ଆପଣଙ୍କୁ ଖାଲିହାତରେ ବି ଫେରାଉନାହିଁ । ଏ ଅଞ୍ଚଳରେ ଯେଉଁ ଶହେ ଦେଢ଼ଶହ ଜଣ ଭାଙ୍ଗୁଆ ଅଛନ୍ତି ସେମାନଙ୍କ ଭୋଟ୍ ମୁଁ ଆପଣଙ୍କର ପକ୍ଷରେ କରିବା ପାଇଁ ଚେଷ୍ଟା କରିବି ।’’

 

ସେ ଖୁବ୍ ଆନନ୍ଦିତ ହୋଇଯାଇଥିଲେ । କହିଲେ, ‘‘ତମେ ବହୁତ ଭଲଲୋକ । ମୋ ନିର୍ବାଚନ ଚିହ୍ନ ଜାଣିଛ ? ମୋ ନିର୍ବାଚନ ଚିହ୍ନ ହେଉଚି ଲଙ୍କାପୋଡ଼ା ହନୁମାନ । ମୋ ଭୋଟର୍‌ମାନଙ୍କୁ ଶିଖାଇଦେବ ତା’ ମୁହଁରେ ଗୋଟାଏ ଛକ ଚିହ୍ନ ଦେବାପାଇଁ । ନିର୍ବାଚନ ସରିଲେ ମୁଁ ଆସିବି । ଭାଙ୍ଗ ଖାଇବା । ଏଥର ଭାଙ୍ଗରେ ବାଦାମ, ପେସ୍ତା ଓ ତମ୍ବା ବି ବାଟି ଦେବା । ଖୁବ୍ ଆନନ୍ଦ ଲାଗିବ ।’’

 

ମୁଁ ଉଠି ଠିଆହେଲି । ତାଙ୍କର ସାଙ୍ଗମାନେ ତାଙ୍କର ଦୁଇ ହାତକୁ ଟାଣିଲେ । ନିଜ ଅନିଚ୍ଛାସତ୍ତ୍ୱେ ସେ ମୋ’ ଆଡ଼େ ଚାହିଁଚାହିଁ ବାହାରକୁ ଚାଲିଗଲେ ।

 

ସମସ୍ତଙ୍କୁ ବିଦାୟ ଦେଇସାରି ମୁଁ ଖଟରେ ଶୋଇଶୋଇ ଭାବୁଥିଲି ଯେ, ରାମରାଜ୍ୟଟା ଆଉ ବେଶି ଦୂରରେ ନୁହେଁ, କାରଣ ଗୁଲିଖଟିରେ ମଧ୍ୟ ଏ ଦେଶର କର୍ଣ୍ଣଧାରମାନେ ଏହାର ସୃଜନ କରିପାରନ୍ତି ।

Image

 

କୁକ୍‌କୁଟୀ ସ୍ମରଣେ

 

ଆଜି ମୋ କୁକୁଡ଼ା ଦୁଇଟି ମୋର ବହୁତ ମନେ ପଡ଼ୁଛନ୍ତି । ଗତବର୍ଷ ଠିକ୍ ଏଇଦିନ, ଅର୍ଥାତ୍ ଚୈତ୍ରମାସ ଶୁକ୍ଳପକ୍ଷ ତୃତୀୟାଦିନ, ସନ୍ଧ୍ୟାବେଳେ ମୋ’ କୁକୁଡ଼ା ଦୁଇଟିଙ୍କର ଅକାଳ ମୃତ୍ୟୁ ହୋଇଥିଲା । ସେମାନଙ୍କର ଅକାଳ ମୃତ୍ୟୁପାଇଁ ମୁଁ ହିଁ ଦାୟୀ, ମୋର ଅପରିପକ୍ୱତା ଦାୟୀ । ପରିପକ୍ୱ ବା ହୋଇଥାଆନ୍ତି କେମିତି ? ନୂଆନୂଆ କଲେଜରୁ ଏମ୍‌.ଏ. ପାଶ୍ କରିଥାଏ ଏବଂ ନୂଆନୂଆ ଚାକିରିରେ ପ୍ରବେଶ କରିଥାଏ । ମୋତେ ଚାକିରି ମିଳିବା ଶୁଣି ବନ୍ଧୁମାନେ ସମ୍ବର୍ଦ୍ଧନା ଜଣାଇବାକୁ ଆସିଥିଲେ । ମୋର ଚାକିରିରେ ଉନ୍ନତି ଏବଂ ଦୀର୍ଘଜୀବନ କାମନା କରି ଗୁଡ଼ାଏ ସିଙ୍ଗଡ଼ା ଓ କିଛି କପ୍ ଚାହା ନିଃଶେଷ କରିଦେଲେ । ଉପଦେଶ ଦେଲେ–‘‘ତମେ ସରକାରୀ ଚାକିରି କରିଛ । ଯେତେ ପାରିବ ଟୁର୍ କରିବ । ଟୁର୍ କଲେ ସ୍ୱାସ୍ଥ୍ୟ ଠିକ୍‌ ରହେ । ତମକୁ ବହୁତ ଲୋକ ଡିନର୍‌ ଖାଇବା ପାଇଁ ଡାକିବେ । ସବୁ ଗୁଡ଼ିକରେ ଉପସ୍ଥିତ ହେବ । ଡିନର୍ ଖାଇଲେ ସାମାଜିକତା ବଢ଼େ ଏବଂ ଅନେକ ସମସ୍ୟା ସମାଧାନ ହୋଇଯାଏ ।’’

 

ମୁଁ କହିଲି–‘‘ମୁଁ ଯେ ନିତାଇ ଧର୍ମରେ ଦୀକ୍ଷିତ । ପିଲାଦିନୁ ନିରାମିଷହିଁ ଖାଉଛି । ବାହାରେ ଡିନର୍ କେମିତି ଖାଇବି ?’’

 

ଜଣେ ଚାକିରିଆ ବନ୍ଧୁ ସାମାନ୍ୟ ଆକଟ କଲାଭଳି କହିଲେ, ‘‘ତମେ ଚାକିରି କ୍ଷେତ୍ରରେ ନୂଆ, ତେଣୁ ଧର୍ମକୁ ଚାକିରି ସାଙ୍ଗରେ ଯୋଡ଼ୁଛ । କେବଳ ଟ୍ରାନ୍‌ସଫର୍ ବା ପ୍ରମୋଶନ ପାଇଁ ଦରକାର ହେଲେ ଏ ଦୁଇଟି ଏକତ୍ର ଯୋଡ଼ିପାର । ଖାଇବା ସାଙ୍ଗରେ ଧର୍ମକୁ ଯୋଡ଼ିଲେ କ୍ଷତି ତମର–ଆଉ କାହାର ନୁହେଁ । ଖାସିମାଂସ, କୁକୁଡ଼ା ଏବଂ ମାଛ ଛାଡ଼ି ଯଦି ତୁମେ ଭେଣ୍ଡି ଭଜା, ଚଣା ଡାଲି ଓ ଶାଗ ଉପରେ ଦୃଷ୍ଟି ଦେବ ତାହାହେଲେ ଲୋକମାନେ ତୁମକୁ ଜଣେ ଭଲ ପ୍ରଶାସକୀୟ ଅଧିକାରୀ ବୋଲି ଭାବିବେ ନାହିଁ । ଛେଳି ମାଂସ ଏବଂ ବଣଜୀବ ଅର୍ଥାତ୍ ହରିଣ, ବାର୍‌ହା ଏବଂ ସମ୍ବର ଆଦିଙ୍କର ମାଂସ ପ୍ରଖର ପ୍ରଶାସନିକ ବୁଦ୍ଧି ଦିଏ । ଯେତେ ବେଶି କୁକୁଡ଼ା ଖାଇବ ବିଭାଗକୁ ସେତେ ଭଲଭାବରେ ଚଳାଇପାରିବ । ପ୍ରଥମେ ପ୍ରଥମେ ଛେଳିମାଂସ ଖାଇବାରେ ଅସୁବିଧା ହୋଇପାରେ, ତେଣୁ ତୁମେ କୁକୁଡ଼ା ମାଂସରୁ ଆରମ୍ଭ କର ।’’

 

ମୁଁ ମନାକଲି–ଜୀବହତ୍ୟା ମହାପାପ । କୁକୁଡ଼ା ମାରି ଖାଇବାପାଇଁ ନିତାଇ ଧର୍ମରେ କୌଣସି ସ୍ଥାନ ନାହିଁ । ଏହାଦ୍ୱାରା ରକ୍ତପାତ ହେବ । ବନ୍ଧୁ ବୁଝାଇଦେଲେ ଯେ–ଯଦି କୁକୁଡ଼ା ଖାଇବାଦ୍ୱାରା ଅଧର୍ମ ହେବ, ତାହାହେଲେ ମୁଁ କୁକୁଡ଼ା ନ ଖାଇ ବରଂ କୁକୁଡ଼ା ଅଣ୍ଡା ଖାଏ । ଆମିଷ ଏବଂ ନିରାମିଷ ମଧ୍ୟରେ ବାଛବିଚାର କରିବା କେବଳ ଏକପ୍ରକାର ମାନସିକ ସ୍ଥିତିର ଲକ୍ଷଣ । ଉତ୍ତର ଭାରତରେ କେତେ ଲୋକ ଅଣ୍ଡାକୁ ନିରାମିଷ ଭାବରେ ଗ୍ରହଣ କରନ୍ତି–କିନ୍ତୁ ବାଇଗଣକୁ ଆମିଷ ବୋଲି ଖାଆନ୍ତି ନାହିଁ ।

 

ବହୁତବେଳ ବାଦାନୁବାଦ ଚାଲିବାପରେ ମୁଁ ଅନୁଭବ କଲି ଯେ, ପ୍ରକୃତରେ ଅଣ୍ଡା ଏକ ନିରାମିଷ ଖାଦ୍ୟ । ଆମ୍ବଗଛରେ ଯେମିତି ଆମ୍ବ, ଠିକ୍ ସେମିତି କୁକୁଡ଼ା ଗଛରେ ଅଣ୍ଡା । ଖାଇଲେ ନିତାଇ ଧର୍ମର କିଛି କ୍ଷତି ହେବନାହିଁ, ବରଂ ଚାକିରିରେ ସାହାଯ୍ୟ କରିବ । ସତ କହିଲେ, ଅଣ୍ଡା ଖାଇବାପାଇଁ ମୋ’ ମନରେ ଗୋଟାଏ ଲୁକ୍‌କାୟିତ ଆଶା ଅନେକ ଦିନରୁ ଥିଲା, ମାତ୍ର ଏ ଭାବନାକୁ ପ୍ରକାଶିତ କରିବାପାଇଁ ମୋ’ ପାଖରେ ଯଥେଷ୍ଟ ଯୁକ୍ତି ନଥିଲା, ତେଣୁ ସାହସ ନଥିଲା । ଏବେ ଯୁକ୍ତିଟାଏ ମିଳିଗଲା ।

 

ହାଟକୁ ଗଲି କୁକୁଡ଼ା କିଣିବାପାଇଁ । ଦୋକାନୀ ପାଖରୁ ଚାରୋଟି ଧଳା ଲେଘହର୍ଣ୍ଣ କୁକୁଡ଼ା କିଣିଲି । ଦୋକାନୀ କୁକୁଡ଼ାଗୁଡ଼ିକର ମାହାତ୍ମ୍ୟ ବୁଝାଇଦେଲା । ଖୁବ୍ ଜାତିଆ କୁକୁଡ଼ା । ବିନା ଗଞ୍ଜାରେ ଅଣ୍ଡାଦେବେ । ଟେଷ୍ଟଟ୍ୟୁବ୍ ସନ୍ତାନ ଭଳି ଅଣ୍ଡାଗୁଡ଼ିକ । ମାସେଖଣ୍ଡେ ପରେ ଅଣ୍ଡାଦେବେ । ଏମାନଙ୍କୁ ଦାନା, ଶାଗ ଓ ସବ୍‌ଜି ଦେବାକୁ ପଡ଼ିବ । ଯେତେ ବେଶି ଦାନା ସେମାନେ ଖାଇବେ, କେଶରର ରଙ୍ଗ ସେତେ ବେଶି ଲାଲ ହେବ ଓ ଅଣ୍ଡାର ଆକୃତି ସେତେ ବଡ଼ ହେବ । ମୁଁ ତାହାର କଥା ଶୁଣି ଆଶଙ୍କାରେ ପଡ଼ିଥିଲି ଯେ ଅଣ୍ଡାର ଆକୃତି କେତେ ବଡ଼ ପର୍ଯ୍ୟନ୍ତ ହୋଇପାରେ !

 

ଘରକୁ ଆସି କୁକୁଡ଼ାମାନଙ୍କର ଯଥୋଚିତ ସେବା କରିବାକୁ ଆରମ୍ଭକଲି । ଯେତେହେଲେ ସେମାନଙ୍କ ଦେହରେ ପ୍ରାଣ ଅଛି–କୁକୁଡ଼ା ଜାତି ହେଲେ ବା କଅଣ ହେଲା ? ସେଇ ଘଟରେ ମଧ୍ୟ ନାରାୟଣ ବାସ କରନ୍ତି । କଅଣ ବା ନିଶ୍ଚିତ ଅଛି ଯେ, ପରଜନ୍ମରେ ମୁଁ ମଧ୍ୟ କୁକୁଡ଼ା ହୋଇ ଅଣ୍ଡା ନ ଦେବି ବୋଲି ! ପିଣ୍ଡ ଛୁଟିଲେ ମୁଁ ଆଉ କୁକୁଡ଼ା ସମାନ । ତେଣୁ କୁକୁଡ଼ାମାନଙ୍କ ପାଇଁ ଇଟା, ମାଟି ଓ ଜାଲିଦ୍ୱାରା ଛୋଟ ଘରଟିଏ ବନାଇଲି ଖାଇବାପାଇଁ ଚାଉଳ ଓ ସାକସବ୍‌ଜିର ବ୍ୟବସ୍ଥା କରିଦେଲି ।

 

ଭଲ ଖାଦ୍ୟ ଖାଇ କୁକୁଡ଼ାଗୁଡ଼ିକ ପଲ୍ଲବିତ ହେବାକୁ ଲାଗିଲେ । ଦେହଗୁଡ଼ିକ ମୋଟାଇବାକୁ ଲାଗିଲା । ଜଣାଗଲା ଯେମିତି କି ଯେ କୌଣସି ମୁହୂର୍ତ୍ତରେ ଅଣ୍ଡା ଦେଇଦେବେ । କିନ୍ତୁ ନାରାୟଣଙ୍କ ଇଚ୍ଛା ଅନ୍ୟପ୍ରକାରର ଥିଲା । ସେମାନେ ବେମାର ହେଲେ । ଡାକ୍ତର ଦେଖି କହିଲେ, କୁକୁଡ଼ାମାନଙ୍କର ଏହା ଏକ ଅସାଧ୍ୟ ରୋଗ । ଅନେକ ଚିକିତ୍ସା କରିବା ଫଳରେ ଦୁଇଟି କୁକୁଡ଼ା ବଞ୍ଚିଗଲେ–ଅନ୍ୟ ଦୁଇଟି ସ୍ୱର୍ଗବାସ କଲେ । ମୋ’ ଘର ଭିତର ଅଗଣାରେ ଛିଡ଼ାହୋଇଥିବା ବରକୋଳି ଗଛ ତଳେ ଗୋଟାଏ ଗାତଖୋଳି ସେ ଦୁଇଟିଙ୍କୁ ପୋତିଦେଲି ।

 

ମନରେ ସାମାନ୍ୟ ପାପ ପ୍ରବେଶ କରିଯାଇଥିଲା । ଯଦିବା ମୁଁ କୁକୁଡ଼ା ଦୁଇଟିକୁ ମାରିନଥିଲି ତଥାପି ମୋ’ ମନରେ ଗୋଟାଏ ଧାରଣା ହୋଇଥିଲା ଯେ ଏ ମୃତ୍ୟୁପାଇଁ ମୁଁ ଆଂଶିକ ଭାବରେ ଦାୟି । ପ୍ରାୟଶ୍ଚିତ୍ତ ରୂପରେ ଅନ୍ୟ ଦୁଇଟି କୁକୁଡ଼ାଙ୍କୁ ବହୁତ ସ୍ନେହ କରିବାରେ ଲାଗିଲି । ଚାରି ଜଣଙ୍କର ଦାନାପାଣି ସେ ଦୁଇ ଜଣଙ୍କୁ ଦେଲି । ଅଫିସ୍ ଯିବା ଆଗରୁ ଦାନା ଓ ପାଣି ଦେଇ ଅଗଣାରେ ଛାଡ଼ିଦିଏ ଏବଂ ସନ୍ଧ୍ୟାବେଳେ ଫେରି ପୁଣି ପାଣି ଓ ଦାନା ଦେଇସାରିବା ପରେ ସେମାନଙ୍କୁ ଜାଲିରେ ବନ୍ଦ କରିଦିଏ । ଦିନସାରା ସେମାନେ ମୋ’ ଅଗଣା ଓ ବାରଣ୍ଡାଯାକ ଚରିବୁଲି ଅପରିଷ୍କାର କରନ୍ତି । ଅଫିସରୁ ଫେରି ସେଗୁଡ଼ିକ ମଧ୍ୟ ସଫାକରେ, କାରଣ ପାପର ଆଂଶିକ ପ୍ରାୟଶ୍ଚିତ୍ତ କରିବା ନିହାତି ଜରୁରୀ ଥିଲା ।

 

ମୋ’ ସେବା ପାଇ କୁକୁଡ଼ା ଦୁଇଟିର ଆକାର ଦ୍ୱିଗୁଣିତ ହେବାକୁ ଲାଗିଲା । କ୍ରମେକ୍ରମେ ମାସଟିଏ ବିତିଗଲା । ଦିନେ ସକାଳୁ ଗୋଟାଏ କୁକୁଡ଼ା କୁଉଁ... କୁଉଁ... ଶବ୍ଦ କରୁଥିବାର ମୁଁ ଲକ୍ଷ୍ୟକଲି । ମୁଁ ପୁଣି ଡରିଗଲି । ଏ କୁକୁଡ଼ାଟିର ମଧ୍ୟ ସ୍ୱର୍ଗବାସ ନ ହେଉ ! ଦୁଇଟିଯାକ କୁକୁଡ଼ା ଧରି ଚାଲିଲି ପଶୁ ଡାକ୍ତରଖାନା । ଡାକ୍ତର ଜୀବଦୁଇଟିଙ୍କୁ ଦେଖିସାରିବା ପରେ ମୋ’ ଆଡ଼େ ଚାହିଁଲେ ଦେଖିବାପାଇଁ ଯେ ମୁଁ କି ପ୍ରକାରର ପ୍ରାଣୀ ।

 

କହିଲେ, ‘‘ଜଣାପଡ଼ୁଛି ଆପଣ କୁକୁଡ଼ାମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅନଭିଜ୍ଞ । ନହେଲେ, ପ୍ରଥମ ଗର୍ଭବତୀ ନାରୀର ଅନଭିଜ୍ଞ ପତି ପତ୍ନୀଙ୍କ ଉଦର ଉପରେ ‘ଆୟୋଡ଼େକ୍‌ସ’ ପ୍ରୟୋଗ କଲାଭଳି ଆପଣ ଅଣ୍ଡାଦେବାକୁ ଯାଉଥିବା ଏ କୁକୁଡ଼ା ଦୁଇଟି ମୋ’ ପାଖକୁ ଆଣନ୍ତେ ? ଏମାନଙ୍କୁ ଖୋଲାରେ ଛାଡ଼ିଦିଅନ୍ତ–ଏମାନେ ଅଣ୍ଡାଦେବେ ।’’

 

ଡାକ୍ତରଙ୍କର କଥାବାର୍ତ୍ତା ଶୁଣି ମୁଁ ସନ୍ତପ୍ତ ହେଲି । କୁକୁଡ଼ା ଦୁଇଟିଙ୍କୁ ଘରକୁ ଆଣି ଅଗଣାରେ ଛାଡ଼ିଦେଲି । ଯଥେଷ୍ଟ ପରିମାଣର ଦାନା ଏବଂ ପାଣି ଦେଇସାରି ମୁଁ ଅଫିସ୍ ଚାଲିଗଲି-। ସନ୍ଧ୍ୟାବେଳେ ଘରକୁ ଫେରି ଦେଖେଁ ତ କୁକୁଡ଼ାଘର ଭିତରେ ଦୁଇଟି ଧଳା ଅଣ୍ଡା ଥୁଆହୋଇଛି । ମନରେ ଅସୀମ ଆନନ୍ଦ ଭରିଗଲା । ଏକାବେଳକେ ଦୁଇଟି ଅଣ୍ଡା । ଦୁଇଜଣ ବଂଧୁଙ୍କୁ ଆମନ୍ତ୍ରିତ କଲି । ତିନିଜଣ ମିଶି ସେଇ ଦୁଇଟି ଅଣ୍ଡାର ଆମ୍‌ଲେଟ୍ ଖାଇଲୁ ।

 

ଏହା ପରେ ଅଣ୍ଡାର ଧର୍ମସାଙ୍ଗରେ ଥିବା ସମ୍ପର୍କ ପୂର୍ଣ୍ଣରୂପରେ କଟିଯାଇଥିଲା । ଦୁଇଓଳି ମୁଁ ଗୋଟାଏ ଗୋଟାଏ ଅଣ୍ଡା ଖାଇବାକୁ ଲାଗିଲି । ଅଣ୍ଡା ନ ଖାଇଲେ ମୋ’ ପାଟିକୁ କ୍ରମଶଃ ବେଶିବେଶି ଅରୁଚି ଲାଗିବାକୁ ଆରମ୍ଭକଲା । କିନ୍ତୁ ଦିନେ ମୋ’ର ଏ ଧରାବନ୍ଧା ନିୟମରେ ବ୍ୟାଘାତ ଘଟିଲା । ଦୁଇଟି ଅଣ୍ଡା ପରିବର୍ତ୍ତେ ଗୋଟାଏ ଅଣ୍ଡା ମିଳିଲା । ମୋ’ର ଧାରଣା ଥିଲା ଯେ, କୁକୁଡ଼ାମାନେ ଥରେ ଅଣ୍ଡାଦେବା ଆରମ୍ଭ କଲେ ମୃତ୍ୟୁ ପର୍ଯ୍ୟନ୍ତ ଅଣ୍ଡା ଦେଇପାରନ୍ତିବୋଲି । ମାତ୍ର ଏ ବ୍ୟତିକ୍ରମ ମୋତେ ଅସ୍ତବ୍ୟସ୍ତ କଲା । ମନେମନେ ଡାକିଲି, ‘‘ହେ ଭଗବାନ, ହେ ନିତାଇ, ମୋ’ର ଏ କଠିନ କଷ୍ଟ ହରଣ କର । ମୋ’ କୁକୁଡ଼ା ଦୁଇଟିର ଅଣ୍ଡା ଦେବା ବନ୍ଦ କରନାହିଁ । ନହେଲେ ମୋ’ ମନରେ ସଂସାରପ୍ରତି ବିତୃଷ୍ଣା ଆସିଯିବ । ଏତେ ଶୀଘ୍ର ମୋତେ ମୋହମାୟାରୁ ନିବୃତ୍ତ କରନାହିଁ ପ୍ରଭୋ !’

 

ମାତ୍ର ମୋ’ର ପ୍ରାର୍ଥନା ନିଶ୍ଚିତ ଭାବରେ ବିଫଳ ଗଲା । ତା’ ପରଦିନ ମଧ୍ୟ ଗୋଟିଏ ଅଣ୍ଡା ମିଳିଲା । ଦୁଇଦିନପରେ ଗୋଟାଏ ଅଣ୍ଡା ମଧ୍ୟ ମିଳିଲା ନାହିଁ । ମୋ’ର ହୃଦୟ ଭାଙ୍ଗିପଡ଼ିଲା । ବିନା ଅଣ୍ଡାଝୋଳରେ ଭାତ ଖାଇବା ଅସମ୍ଭବ ପ୍ରତୀତ ହେଲା । ପ୍ରଥମଥର ପାଇଁ ଦୁଇଟି ଅଣ୍ଡା ବଜାରରୁ ଆଣି ଭୋଜନ ସମାପ୍ତ କଲି ।

 

ସକାଳୁ ଉଠି ଦଉଡ଼ିଲି ପଶୁଡ଼ାକ୍ତରଖାନାକୁ । ସାଙ୍ଗରେ କୁକୁଡ଼ା ଦୁଇଟିକୁ ନେଇଗଲି । ଡାକ୍ତର କୁକୁଡ଼ା ଦୁଇଟିକୁ ଭଲଭାବରେ ଓଲଟପାଲଟ କରି ଦେଖିଲେ । କହିଲେ, ‘‘ନା... କୁକୁଡ଼ା ଦୁଇଟିତ କୁଡ଼ୁକୀ ହୋଇନାହାନ୍ତି । ନିଶ୍ଚୟ ଅଣ୍ଡା ଦେଇଥିବେ । ସେମାନଙ୍କର ଚୂଳଗୁଡ଼ିକ ଏ ପର୍ଯ୍ୟନ୍ତ ଠିଆହୋଇଛି ।’’

 

ଭାବନାର ଚକ୍ରବ୍ୟୂହ ଭିତରେ ମୁଁ ପଶିଯାଇଥିଲି । ଯଦି ଚୂଳ ଦୁଇଟି ଠିକ୍ ଅଛି ତାହାହେଲେ କୁକୁଡ଼ା ଦୁଇଟି ଅଣ୍ଡା ମଧ୍ୟ ନିଶ୍ଚୟ ଦେଉଥିବେ । ତେବେ ଅଣ୍ଡାଗୁଡ଼ିକ ଗଲା କେଉଁଆଡ଼େ ? ବହୁତ ଭାବିଲା ପରେ ମୋ’ର ମନେପଡ଼ିଲା ଯେ ସାପମାନେ ପକ୍ଷୀମାନଙ୍କର ଅଣ୍ଡା ଗଛରେ ଚଢ଼ି ଖାଇଦିଅନ୍ତି । ହୁଏତ ମୋ’ ଅଣ୍ଡାଗୁଡ଼ିକ କେଉଁ ଏକ ସର୍ପରାଜ ଖାଇଯାଉଥିବେ-

 

ପରଦିନ ଅଫିସ ଗଲିନାହିଁ । ଘରେ ସେହି କାଳ୍ପନିକ ସାପ ବିରୁଦ୍ଧରେ ଗୋଟାଏ କାର୍ଯ୍ୟକ୍ରମ ଆରମ୍ଭ କଲି । ଘରସାରା ଯେତେ ନଳା ଓ କଣା ଥିଲା ସେ ସବୁକୁ ଇଟା ଓ ପଥର ଦେଇ ବନ୍ଦକରିଦେଲି । ବାଡ଼ିପଟର କବାଟ ଏବଂ ଘରର ଝରକା ଏବଂ କବାଟ ସବୁ ବନ୍ଦ କରିଦେଲି । କୁକୁଡ଼ାମାନଙ୍କୁ ଅଗଣାରେ ଖୋଲିଦେଇ ସେମାନଙ୍କ ଅଲକ୍ଷ୍ୟରେ ଗୋଟାଏ ବାଡ଼ି ଧରି ଜଗିବସିଲି । ମୁଁ ସେହି ଜାଗାରୁ ଦେଖିପାରୁଥିଲି ଯେ, ସେମାନେ ଅଗଣାସାରା ବୁଲିଲେ । ନାଳରୁ ଖୁଣ୍ଟିଖୁଣ୍ଟି କଅଣ ସବୁ ଖାଇଲେ । ବାରଣ୍ଡାକୁ ଅପରିଷ୍କାର କଲେ ।

 

ମୁଁ ଚାରିଆଡ଼େ ଚାହୁଁଥିଲି ଶତ୍ରୁର ପ୍ରତୀକ୍ଷାରେ । ବୋଧେ ମୋ’ର ରକ୍ତଚାପ ବଢ଼ିଯାଇଥିଲା । ମୁହଁରେ ଝାଳ ଜମିଯାଇଥିଲା । ଅନେକ ବେଳ ବସିବା ପରେ ମଧ୍ୟ ସାପ ଆସିଲାନାହିଁ । କାନ୍ଥର ଆରପଟରୁ ଗୋଟାଏ ନାରୀକଣ୍ଠର ଧ୍ୱନି ଆ... ଆ... ଶୁଣାଗଲା । ଏଥର ଦୁଇଜଣଯାକ ମୁଣ୍ଡ ଟେକି ଚାହିଁଲେ, ଅତି ସନ୍ତର୍ପଣରେ ପାଚେରୀ ପାଖକୁ ଗଲେ ଏବଂ ଡେଣା ଫଡ଼ଫଡ଼ କରି କାନ୍ଥ ଉପରକୁ ଯାଇ ବସିଲେ, କାନ୍ଥର ଦୁଇପଟକୁ ଚାହିଁଲେ ଏବଂ ମୁଁ ଚାହୁଁଚାହୁଁ ଅନ୍ୟପଟକୁ ଉଡ଼ିଗଲେ ।

 

ସେମାନେ ଦୁହେଁ ଚାଲିଯିବାପରେ ମୋତେ ଅସହାୟ ଲାଗିଲା । ଜଣାଗଲା ଯେମିତି ସେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି କିଛି ଗୋଟାଏ ଗୁପ୍ତ ମନ୍ତ୍ରଣା କରିବାପାଇଁ କାନ୍ଥ ଆରପଟକୁ ଉଡ଼ି ଯାଇଛନ୍ତି । ମୁଁ ଆସ୍ତେ ଆସ୍ତେ ଯାଇ ବାଡ଼ି କବାଟ ଫାଙ୍କ ଦେଇ ସେମାନଙ୍କର ଗତିବିଧି ଲକ୍ଷ୍ୟ କରିବାପାଇଁ ଲାଗିଲି । ଆଗ ପଛ ହୋଇ କୁକୁଡ଼ା ଦୁଇଟି ଚାଲିଥିଲେ । ପୁଣି ଦୂରରୁ ଆ... ଆ... ଶୁଭିଲା । ଏଥର କୁକୁଡ଼ା ଦୁଇଟି ତୀବ୍ର ଗତିରେ ସେହି ଦିଗରେ ଦଉଡ଼ିଲେ । ମୁଁ ଦେଖିଲି ଯେ ମୋ’ ଘର ପଛଆଡ଼େ ରହୁଥିବା ରିକ୍‌ସାବାଲାର ପତ୍ନୀ କିଛି ଚାଉଳ ବିଞ୍ଚି ବିଞ୍ଚି ଏମାନଙ୍କୁ ଆହ୍ୱାନ କରୁଛି ଆଉ ଏ ଘୁଷ୍‌ଖୋର୍ ଲୋଭୀ କୁକୁଡ଼ା ଦୁଇଟି ଚାଉଳ ଖାଇଖାଇ ସେ ଦିଗରେ ଅଗ୍ରସର ହେଉଛନ୍ତି । ତଥାପି ମୁଁ ନିରାଶ ହୋଇନଥିଲି, କାରଣ ଅଣ୍ଡା ବିଷୟକ ପ୍ରଶ୍ନର ଏ ପର୍ଯ୍ୟନ୍ତ ସମାଧାନ ହୋଇନଥିଲା । ମୋ’ ମନରେ ଯଥେଷ୍ଟ ଆଶା ଥିଲା । ହୁଏତ କୁକୁଡ଼ା ଦୁଇଟି ସୁନାଛୁଆ ହୋଇଥିବେ । ସୁନାଛୁଆ ଅନ୍ୟର ବାଡ଼ିରୁ ଆମ୍ବ, ପିଜୁଳି ଖାଇସାରି ଘରେ ଆସି ଚୁପ୍‌ଚୁପ୍ ପାଠ ପଢ଼ିବାପାଇଁ ବସିବାପରେ ଏମାନେ ହୁଏତ ରିକ୍‌ସାବାଲାର ପତ୍ନୀପାଖରୁ ଚାଉଳ ଖାଇଦେଇ ମୋ’ ଘରେ ଆସି ଅଣ୍ଡା ଦିଅନ୍ତେ, କେତେ ଭଲ ହୁଅନ୍ତା ! ଘୁଷ୍‌ଖୋର ପୁଅର ଲୋଭୀ ପିତା ଅପ୍ରତ୍ୟାଶିତ ଲାଭର ସୁମଧୁର କଳ୍ପନା କଲାପରି ମୁଁ ଭାବିଚାଲିଥିଲି ।

 

କିନ୍ତୁ ଏକଥା ହେଲାନାହିଁ । ରିକ୍‌ସାବାଲାର ପ୍ରେୟସୀ ଚାଉଳ ଦେଇସାରି ଘର ଭିତରକୁ ପଶିଗଲା । କୁକୁଡ଼ା ଦୁଇଟି କିଛି ବେଳ କକ୍... କକ୍ ଶବ୍ଦ କରି ଚାଉଳ ଖୁଣ୍ଟି ଖୁଣ୍ଟି ଖାଇଲେ । ତା’ ପରେ ଧୀରେଧୀରେ ଯାଇ ରିକ୍‌ସାବାଲାର ଘରକାନ୍ଥ ପାଖରେ ଜମା ହୋଇଥିବା ପାଳଗଦା ଉପରେ ବସିଗଲେ । ମୁହଁରୁ କୁଁ... କୁଁ ଶବ୍ଦ ବାହାରୁଥାଏ ।

 

ମୁଁ କବାଟଫାଙ୍କରୁ ଠିକ୍ ସେମିତି ଚାହିଁଥାଏ । ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍ ଠିକ୍ ସେହିପରି ବସିଲାପରେ ସେମାନେ ଡେଣା ଝାଡ଼ି ଉଠିଲେ । ପାଳଗଦା ଉପରେ ଦୁଇଟି ଅଣ୍ଡା ଥୁଆହୋଇଥିଲା । ମୋ’ ମନରେ ଆଉ ସନ୍ଦେହ ନଥିଲା । ଚାଉଳ ଖୁଣ୍ଟିଖୁଣ୍ଟି କୁକୁଡ଼ା ଦୁଇଟି ମୋ’ ଘରଆଡ଼କୁ ଆସିବାକୁ ଲାଗିଲେ । ରିକ୍‌ସାବାଲାର ପତ୍ନୀ ଅତି ସନ୍ତର୍ପଣରେ ଚାରିଆଡ଼କୁ ଚାହିଁ ଚାହିଁ ପାଳଗଦା ପାଖକୁ ଆସିଲା ଆଉ ଅଣ୍ଡା ଦୁଇଟି ଲୁଗା କାନିରେ ଘୋଡ଼ାଇଧରି ଘର ଭିତରକୁ ଚାଲିଗଲା ।

 

ମୋ’ର ଆଖି ଆଗରେ ଦୁଇଟା ଅଣ୍ଡା ରିକ୍‌ସାବାଲାର ପତ୍ନୀ ନେଇଗଲା–ଅଥଚ ମୁଁ କିଛି କରିପାରିଲି ନାହିଁ । ରିକ୍‌ସାବାଲାର ପତ୍ନୀ ବା ରିକ୍‌ସାବାଲାକୁ କହି ଲାଭ ବା କଅଣ ? ଅପ୍ରୀତିକର ଉତ୍ତର ହୁଏତ ମିଳିପାରେ । ସେ ବଜାରରୁ ଅଣ୍ଡା ଦୁଇଟି କିଣିଆଣିଛି ବୋଲି କହିପାରେ । ହୁଏତ କହିପାରେ ଯେ–ତମେ ତମ କୁକୁଡ଼ାଙ୍କୁ ଠିକ୍ ରଖ, ଆମକୁ କାହିଁକି ଅଯଥାରେ ଦୋଷ ଦେଉଛି !

 

ସବୁ ଭୁଲ୍ ଏଇ ଅକୃତଜ୍ଞ, ଘୁଷ୍‌ଖୋର୍ ଓ ଚଞ୍ଚଳମତି କୁକୁଡ଼ା ଦୁଇଟିଙ୍କର । ଏମାନେ ସେଇ ସରକାରୀ କର୍ମଚାରୀମାନଙ୍କ ଭଳି ଯେଉଁମାନେ କି ସରକାରଙ୍କଠାରୁ ଦରମା ନେଇ ବାହାର ଲୋକଙ୍କ ସାଙ୍ଗରେ ମିଶି ସରକାରବିରୋଧୀ କାର୍ଯ୍ୟକଳାପ କରନ୍ତି । ସରକାରୀ ଦୋକାନରେ ଚିନି କଳାବଜାରରେ ବିକି ମୁନାଫା ନେବେ । ଯୋଜନା ଅନୁସାରେ ବନ୍ଧ ତିଆରି ନକରି ସିମେଣ୍ଟ ବିକିଦେବେ । ଅଥବା ଏମାନେ ସେହି ଅକୃତଜ୍ଞ ଭୋଟରମାନଙ୍କ ଭଳି ଯେଉଁମାନେ କି ଗୋଟାଏ ଦଳ ପାଖରୁ ଟଙ୍କା ନେଇ ଅନ୍ୟ ଦଳକୁ ଭୋଟ ଦେବେ । ମୁଁ ପ୍ରତ୍ୟାଖ୍ୟାତ ପ୍ରେମିକପରି ପ୍ରତିଶୋଧପରାୟଣ ହୋଇଉଠୁଥିଲି । ମୋ’ ରକ୍ତରେ ନିଆଁ ଲାଗିଯାଇଥିଲା ।

 

ନୀରବରେ ଅପେକ୍ଷା କରି ରହିଲି ସେମାନେ ଆସିବା ରାସ୍ତାକୁ । କୁକୁଡ଼ା ଦୁଇଟି ଫଡ଼୍‌ଫଡ଼୍‌ କରି ପାଚେରୀ ଉପରକୁ ଆସିଲେ । ଚାରିଆଡ଼କୁ ଗୋଟାଏ ଶେଷ ଦୃଷ୍ଟିଦେଇ ଓହ୍ଲାଇବା ଆଗରୁ ମୁଁ ଦୁଇଟି ହାତରେ ଦୁଇଟିଯାକଙ୍କୁ ଧରିନେଲି । ମୋ’ ହାତରୁ ସେମାନେ ମୁକୁଳିବାପାଇଁ ଚେଷ୍ଟା କରୁଥିଲେ । ଦେହରୁ ପର ଝଡ଼ ପଡ଼ୁଥିଲା । ମୁଁ କିନ୍ତୁ ସେମାନଙ୍କୁ ବେକପାଖର ଧରିଥିଲି ।

 

ସେମାନେ ମୋତେ ଜୁଳୁଜୁଳୁ କରି ଚାହିଁଥାନ୍ତି । ମୋତେ ଜଣାଗଲା ଯେମିତି କି ମୋତେ ସେ ଆଖି ଦୁଇଟି କହୁଥିଲେ, ‘‘ଆମେ ରିକ୍‌ସାବାଲା ଘରେ ଅଣ୍ଡାଦେଇ କଅଣ ଭୁଲ୍ କଲୁ-? ମଣିଷମାନଙ୍କ ପାଖରୁ ଯାହା ଶିଖିଛୁ ତାହାହିଁ ତ କରୁଛୁ ! ଆମେ ସରକାରୀ ଫାର୍ମର କୁକୁଡ଼ା । ଆମକୁ ଫାର୍ମର ମ୍ୟାନେଜର ରୋଗରେ ମୃତ ବୋଲି ଘୋଷଣା କରି ଅତି ଶସ୍ତାଦରରେ ବଜାରରେ ବିକିଦେଇଥିଲେ । ଆମର ଜାତି ମୂଲ୍ୟବାନ୍ ବୋଲି ଯେଉଁ ଗର୍ବ ଥିଲା, ତାହା ନଷ୍ଟ କରିଦେଇଥିଲେ-। ସେଦିନ ଫାର୍ମର କର୍ମଚାରୀମାନେ ଓଭର୍‌ଟାଇମ୍ ଦାବି କରି ହରତାଳ କଲେ । ଓଭର୍‌ଟାଇମ୍ ସେମାନଙ୍କୁ ମିଳିଗଲା । କିନ୍ତୁ ଆମେ ରବିବାର, ଛୁଟି ଦିନରେ ମଧ୍ୟ ଅଣ୍ଡାଦେଉଛୁ । ଆମ ଆଖିଆଗରେ ଡାକ୍ତରମାନଙ୍କୁ ପ୍ରାଇଭେଟ୍ ପ୍ରାକ୍‌ଟିସ୍ ନକରିବାପାଇଁ ଏଲାଉନସ୍ ମିଳିଲା, କିନ୍ତୁ ଆମକୁ କେବେ ନନ୍ ପ୍ରାକ୍‌ଟିସିଂ ଏଲାଉନ୍‌ସ ମିଳିନାହିଁ । ଆମେତ ଆମର ପ୍ରାଇଭେଟ୍ ପ୍ରାକ୍‌ଟିସ୍ କରୁଥିଲୁ–ଏଥିରେ କଅଣ ବା ଭୁଲ୍‌?’’

 

ଭାବାନ୍ତରରେ ରହି ମୁଁ କେତେବେଳ ସେମାନଙ୍କୁ ଧରିରହିଥିଲି ଠିକ୍ ଜାଣିନାହିଁ । ମାତ୍ର ହଠାତ୍ ଧ୍ୟାନଭଙ୍ଗ ହେଲା ପରେ କୁକୁଡ଼ା ଦୁଇଟିଙ୍କୁ ତଳେ ଛାଡ଼ିଦେଇଥିଲି । ସେମାନେ ସେତେବେଳକୁ ନୀରବ ହୋଇଯାଇଥିଲେ ଓ ଆଖି ବନ୍ଦ ହୋଇଯାଇଥିଲା । ମୋ’ ମନରେ ଅବଶୋଷ ଭରିଯାଇଥିଲା । ବୋଧେ ସେମାନେ ଦୋଷ କରିନଥିଲେ । ଆଜି କୁକୁଡ଼ା ଦୁଇଟି ବହୁତ ମନେପଡ଼ୁଛନ୍ତି ।

Image

 

ଅଦୂରବର୍ତ୍ତୀ ପ୍ରମାଣ

 

ଚୋର ବେଶରେ ଭିକାରି ବା ଭିକାରି ବେଶରେ ଚୋର ! ନାଁ ଜାଣିବାର କାହାର ଇଚ୍ଛା ଥିଲା ନା କେହି ଜଣାଇଦେବାକୁ ଚାହୁଁଥିଲା ! କାହାର ସମୟ ଅଛି ଏହା ପ୍ରମାଣିତ କରିବାପାଇଁ ? ଖୋଜିଲେ ହୁଏତ ବହୁତ ପ୍ରମାଣ ମିଳିପାରେ । ହୁଏତ ଡେରି ହୋଇପାରେ । ଦୂରବର୍ତ୍ତୀ ପ୍ରମାଣରେ ଲାଭ କିଛି ନାହିଁ । ଏହି ପ୍ରମାଣ ଏକ ଜଣକିଆ ଜାଞ୍ଚ କମିଶନ୍ ଖୋଜିବେ । ନ୍ୟାୟମୂର୍ତ୍ତି ଅବସରପ୍ରାପ୍ତି ପରେ, ଈଶ୍ୱରଙ୍କ ସୌଜନ୍ୟରୁ ପ୍ରାପ୍ତ ପଦବୀଟିରେ ଏହି ତଥ୍ୟଟି ପ୍ରମାଣିତ କରିବାପାଇଁ ଏକାଗ୍ରଚିତ୍ତରେ ଲାଗିପାରିବେ ।

 

କହନ୍ତି ଯେ, ସେ ପାରରୁ ଡାକ ଆସିଯିବାର ଅନୁମାନ ହେଲେ, ଚିତ୍ତ ଏକାଗ୍ର ହୋଇଯାଏ । ତାକୁ ହିଁ ଡାକୁଡ଼ାକୁ ସିଦ୍ଧାନ୍ତ ନେଇହେବ ‘‘ଚୋର ବେଶରେ ଭିକାରି ନା ଭିକାରି ବେଶରେ ଚୋର !’’ ଗୋଟାଏ ଆଠଶହ–ପଚିଶି–ପୃଷ୍ଠାର ସଙ୍କଳନ ତିନୋଟି ପୁସ୍ତକ ରୂପରେ, ସ୍ୱାଧୀନତା ଦିବସ ବା ଗଣତନ୍ତ୍ର ଦିବସରେ, ଜଣେ କେହି ମହାମହିମଙ୍କୁ ସମ୍ମାନର ସହିତ ଦିଆଯିବ-। ମହାମହିମ ସାମାନ୍ୟ ହସି ତାକୁ ଗ୍ରହଣ କରିବେ–ରାସ୍ତା ଉପରେ ପଡ଼ିଥିବା ମଲାଘୋଡ଼ା ଭଳି–ମ୍ୟୁନିସିପାଲିଟି ମେହେନ୍ତର ମ୍ୟୁନିସିପାଲିଟି ଟ୍ରକ୍ ଉପରକୁ ଉଠାଇଦିଏ ଆଉ ଡ୍ରାଇଭର ହସିଦେଇ ଗାଡ଼ିଟି ନେଇ ଚାଲିଯାଏ । ଚୋର ବେଶରେ ଭିକାରି ହେଲେ କେତେ ବା ଭିକାରି ବେଶରେ ଚୋର ହେଲେ କେତେ ?

 

ମାତ୍ର, ଘଟଣାଟି ଘଟିବା ପରେ ସମସ୍ତେ ନିକଟବର୍ତ୍ତୀ ପ୍ରମାଣ ଚାହାନ୍ତି । ପ୍ରମାଣଟି ଖୋଜୁ ନ ଖୋଜୁ ସ୍ୱତଃ ମନରେ ଉଦ୍ରେକ ହୋଇଯାଏ । କଲେଜରେ ପଢ଼ୁଥିବା ଜନୈକ ଛାତ୍ର ଈଶ୍ୱରବାବୁ ରିକ୍‌ସାରେ ବସି ମହିଳା କଲେଜର ଜଣେ ସାମାନ୍ୟ ସୁନ୍ଦରୀ ବନଶ୍ରୀ ସାଙ୍ଗରେ ଏକ ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ ବୋଲି ଈଶ୍ୱରବାବୁଙ୍କର ସହପାଠୀ ଲକ୍ଷ୍ୟକଲେ । ଅଦୂରବର୍ତ୍ତୀ ପ୍ରମାଣ–ସେମାନେ ନିଶ୍ଚୟ ଦୁଇଜଣ ପ୍ରେମବିହ୍ୱଳ ପ୍ରାଣୀ ରିକ୍‌ସାରେ ସିନେମା ଯାଉଛନ୍ତି । ଦୂରବର୍ତ୍ତୀ ପ୍ରମାଣ–ସେମାନେ ଭାଇଭଉଣୀ । ରାଧାକାନ୍ତବାବୁ ଗୋଟାଏ ମାସରେ ଟଙ୍କା ଦେଇ ଫ୍ରିଜ୍ କିଣିଲେ । ପ୍ରମାଣ–ଘୁସ୍ ନିଶ୍ଚୟ ଖାଉଥିଲେ । କବି କଳ୍ପନାଥ ସାହିତ୍ୟ ସଭାରେ କବି ରବୀନ୍ଦ୍ରନାଥଙ୍କ ସାହିତ୍ୟର ଉଚ୍ଚ ପ୍ରଶଂସା କଲେ । ପ୍ରମାଣ–ସେ କବିଗୁରୁଙ୍କଠାରୁ ନିଶ୍ଚୟ କିଛି କିଛି ଚୋର କରି ନିଜ ସାହିତ୍ୟକୁ ପୁଷ୍ଟ କରୁଥିବେ । ପ୍ରଚଣ୍ଡ ଖରା ହେତୁ ନବୀନବାବୁ ଧଳା କୁର୍ତ୍ତା ଆଉ ପାଇଜାମା ପିନ୍ଧିଲେ । ପ୍ରମାଣ–ଏଥର ନିଶ୍ଚୟ ନିର୍ବାଚନ ଲଢ଼ିବେ ।

 

ଥାନା ଛତରବାଗରେ ଏକ ଅପ୍ରାମାଣିକ ବ୍ୟକ୍ତି ଧରାପଡ଼ିଥିଲା । ରାତିର ତୃତୀୟ ପ୍ରହରରେ ଜନୈକ ସ୍ୱଳ୍ପବିତ୍ତ ପରିବାରର ଗୃହସ୍ୱାମୀ ବିମଳବାବୁଙ୍କ ପତ୍ନୀ କେହିଜଣେ ତାଙ୍କ ବାରଣ୍ଡାରେ ବିଚରଣ କରୁଥିବାର ଅସ୍ପଷ୍ଟ ଶବ୍ଦ ଶୁଣିପାରିଲେ । ରତିକ୍ଳାନ୍ତ ପତିଙ୍କୁ ସନ୍ତର୍ପଣର ସହିତ ଉଠାଇଦେଇ ସେହି ଶବ୍ଦ ଶୁଣାଇଲେ । ବିମଳବାବୁ ପାଖଘରେ ଶୋଇଥିବା ଶ୍ୟାଳକଙ୍କୁ ଜଗାଇଦେଇ ଗୋଟାଏ ଯୁଦ୍ଧବ୍ୟୂହ ରଚନାକଲେ । ସାମାନ୍ୟ ହାତାହାତି ପରେ କେବଳ କେତେଗୁଡ଼ିଏ ହାଡ଼ବିଶିଷ୍ଟ ଏକ ଜୀବନ୍ତ ଶରୀର ଧରାଗଲା । ଆଲୋକରେ ତା’ ଶରୀରର ଏକ ବିହଙ୍ଗାବଲୋକନ କରିସାରିବା ପରେ ହଠାତ୍ ଉତ୍ତେଜିତ ହୋଇଗଲେ ବିମଳବାବୁ । ଗୋଟାଏ ଯୁଦ୍ଧଗାମୀ କ୍ଷେପଣାସ୍ତ୍ରଭଳି ତା’ ଉପରକୁ କୁଦିପଡ଼ି ଚାପଡ଼ା ଏବଂ ଘୁଷିମାରି ପତ୍ନୀକୁ ମହାବିପଦରୁ ରକ୍ଷା କରିବାକୁ ସେ ସବୁପ୍ରକାରେ ସମର୍ଥ ବୋଲି ପ୍ରମାଣିତ କଲେ । ଅର୍ଦ୍ଧରାତ୍ରୀରେ ଅନେକ ପ୍ରକାରର ଅସ୍ୱାଭାବିକ ଶବ୍ଦ ଶୁଣି ପଡ଼ୋଶୀମାନେ ଏକତ୍ର ହୋଇଯାଇଥିଲେ । ସେ ମଧ୍ୟରୁ ଦୁଇଜଣଙ୍କ ଘରୁ କିଛିଦିନ ଆଗରୁ ଚୋରି ହୋଇଥିଲା । ଅଦୂରବର୍ତ୍ତୀ ପ୍ରମାଣ ମିଳିଗଲା–ଇଏ ହିଁ ପ୍ରକୃତରେ ଚୋର । ସେମାନେ ମଧ୍ୟ ଅପ୍ରାମାଣିକ ଚୋରଟିର ପିଠିର କିଛି ଅଂଶର ସଦୁପଯୋଗ କଲେ । ଏହି ଅବସରରେ ଚତୁର ଶ୍ୟାଳକ ନିକଟସ୍ଥ ଥାନାରେ ଖବର ଦେଲେ ।

 

ସେଇ ଅଞ୍ଚଳରେ କିଛିଦିନ ହେଲା ଚୋରମାନଙ୍କର ପ୍ରାଦୁର୍ଭାବ ଖୁବ୍ ବଢ଼ିଯାଇଥିଲା । ତେଣୁ ଦାରୋଗା ଏବଂ ସିପାହୀଙ୍କର ଏକ ମିଶ୍ରିତ ଫଉଜ ଘଟଣାସ୍ଥଳରେ ତଦନ୍ତ କରିବାପାଇଁ ପହଞ୍ଚିଲା । କିଛି ସମୟର ପ୍ରାକ୍‌କଥନ ପରେ ପୁଲିସ ଫଉଜ ତଥାକଥିତ ଆତତାୟୀକୁ ନେଇ ଥାନାଭିମୁଖେ ପ୍ରସ୍ଥାନ କଲେ । ଦୁଇଜଣ ବଳିଷ୍ଠ ସିପାହୀଙ୍କ କାନ୍ଧରେ ନିଜର ସମସ୍ତ ଭାର ସମର୍ପଣ କରି ସିଏ ଥାନାକୁ ଯିବାର ସୌଭାଗ୍ୟ ଅର୍ଜନ କରିପାରିଥିଲା, କାରଣ ଚାଲିବା ତା’ ପକ୍ଷରେ ସମ୍ଭବନଥିଲା । ସେହି ରାତିରେ ତାକୁ ପଚରାଉଚରା କରିବାପାଇଁ ଥାନାରେ ରଖାଗଲା । ଚୋର କହିଲା ଯେ, ସେ ଜଣେ ଭିକାରି । ଭିକମାଗିବା ପରେ ରାତିରେ ଶୋଇବାପାଇଁ ଗୋଟାଏ ବାରଣ୍ଡା ଖୋଜୁଥିଲା । ସିଏ ଜାଣିନଥିଲା ଯେ ଏଇଟା ବିମଳବାବୁଙ୍କ ଭଳି ଜଣେ ସୌଜନ୍ୟହୀନ ବ୍ୟକ୍ତିଙ୍କ ବାରଣ୍ଡା, ତା’ହେଲେ ସେ କଦାପି ଶୋଇନଥାନ୍ତା, ବରଂ ରାସ୍ତା କଡ଼ରେ ମ୍ୟୁନିସିପାଲ୍‌ଟି ନଳା ପାଖରେ ଶୋଇଯାଇଥାନ୍ତା ।

 

ବିମଳବାବୁ ଓ ପଡ଼ୋଶୀମାନେ ନିଶ୍ଚିତ ଥିଲେ ଯେ, ଏ ନିଶ୍ଚୟ ଚୋର । ଯେଉଁ ଭଦ୍ରବ୍ୟକ୍ତିଙ୍କ ଘରୁ କିଛିଦିନ ଆଗରୁ ଚୋରିଯାଇଥିଲା, ସେ ପ୍ରମାଣ ଦେଲେ ଯେ, ଚୋରଟିର ପଶ୍ଚାତ୍‌ଧାବନ କଲାବେଳେ ଶୁକ୍ଳପକ୍ଷ ଦଶମୀ ଚନ୍ଦ୍ର ଆଲୋକରେ ଏହି ଲୋକଟିକୁ ସେ ଦେଖିପାରିଥିଲେ । ତେଣୁ ଦ୍ୱନ୍ଦ୍ୱର ପ୍ରଶ୍ନ ଆଉ ନଥିଲା । ସମସ୍ତେ ଦ୍ୱନ୍ଦ୍ୱହୀନ ହୋଇ ଶୋଇବାକୁ ଗଲେ । ତେଣେ ଧରାପଡ଼ିଥିବା ବ୍ୟକ୍ତି ଚାହା ପିଇ ଆରାମରେ ଥାନାରେ କମ୍ବଳ ଘୋଡ଼ିହୋଇ ଶୋଇଲା । ବାହାରର ସମାଜ ଅପେକ୍ଷା ଥାନା ଭିତରଟା ନିଶ୍ଚିତ ଭାବେ ବେଶି ନିରାପଦ ।

 

ପରଦିନ ସକାଳୁ ଥାନା ଇନ୍‌ଚାର୍ଯଙ୍କୁ ଜଣେ ନିମ୍ନସ୍ଥ କର୍ମଚାରୀ ହଠାତ୍ ଉଠାଇ ଖବର ଦେଲା ଯେ, ଥାନା ଆଗରେ ପ୍ରାୟ କୋଡ଼ିଏ ପଚିଶି ଖଣ୍ଡେ ଭିକାରି ଦାବି କରୁଛନ୍ତି ଯେ, ରାତିରେ ଧରାପଡ଼ିଥିବା ବ୍ୟକ୍ତିଟିକୁ ବିନାସର୍ତ୍ତରେ ଛାଡ଼ିଦିଆଯାଉ । ତା’ ନାମ ‘ଅରକ୍ଷିତା’ ଆଉ ସେ ଜଣେ ଭିକାରି ନେତା ।

 

‘ନେତା’ ଶବ୍ଦଟି ଶୁଣିବାମାତ୍ରେ ଥାନା ଇନ୍‌ଚାର୍ଯଙ୍କ ସକାଳର ଆଳସ୍ୟ ତତ୍‌କ୍ଷଣାତ୍ ଭାଙ୍ଗିଗଲା । ତରତରରେ ଆସି ଦେଖନ୍ତି ତ ଭିକାରି ବେଶରେ ଥିବା କେତେଜଣ ବ୍ୟକ୍ତି ଥାନା ଅଫିସ୍ ଆଗରେ ଧାରଣା ଦେଲାଭଳି ବସିଛନ୍ତି । ଜଣେ ବ୍ୟକ୍ତି ଉତ୍ୟକ୍ତ ସ୍ୱରରେ କ’ଣ ସବୁ ବୁଝାଉଥାଏ । ଥାନାବାବୁ ଦେଖିଲେ ଯେ ବୁଝାଉଥିବା ବ୍ୟକ୍ତି ଜଣକ ଏପରି ବ୍ୟକ୍ତି ଯାହାଙ୍କ ପାଖରେ ବାମପନ୍ଥୀ ସାମ୍ବାଦିକତା ଏବଂ ଚୋରାମଦବିକାଳୀର ଏକ ଅପୂର୍ବ ସମନ୍ୱୟ ଘଟିଛି । କେତେ ଥର ସେ ଏ ଲୋକଟିକୁ ମଦଧରାପଡ଼ିବା ସମ୍ବନ୍ଧରେ ଥାନାକୁ ଡାକିଛନ୍ତି ।

 

ଆଜି କିନ୍ତୁ ପରିସ୍ଥିତି ଅଲଗା ପ୍ରକାରର ଥିଲା । ସେ ଗଣତନ୍ତ୍ରକୁ ସାଥିରେ ନେଇ ଆସିଛି-। ଯେତେ ବଡ଼ ହେଲେ ବା ଛୋଟ ହେଲେ ମଧ୍ୟ ଗଣତନ୍ତ୍ରହିଁ ଗଣତନ୍ତ୍ର । ପାଞ୍ଚ ହେଲେ ବି ସିଏ ପଞ୍ଚାୟତ ହୁଏ । ପଚାରିଲେ–‘‘କିରେ ନଟ, ଆଜି ପୁଣି କୁଆଡ଼େ ? ଏମାନେ ସବୁ କିଏ ?’’ ସାମ୍ବାଦିକ ନଟବରଙ୍କ ସମ୍ମାନରେ ଆଞ୍ଚ ଆସିଗଲା । ଅନ୍ୟ ସମୟରେ ବା ଥାନାବାବୁ ‘ନଟ’ ବୋଲି ଡାକିଲେ ସେ ଚାଲିଆସୁଥିଲା, ମାତ୍ର ହାତରେ ତାଙ୍କର ଆଜି ଗଣତନ୍ତ୍ରର କ୍ଷମତା ଥିଲା । କହିଲେ, ‘‘ମୁଁ ନଟ ନୁହେଁ... ସାମ୍ବାଦିକ ନଟବର ସ୍ୱାଇଁ । ଆପଣ ମୋ ନାମଟି ଠିକ୍ ଭାବରେ ଉଚ୍ଚାରଣ କଲେ ମୁଁ ଆନନ୍ଦିତ ହୁଅନ୍ତି ।’’

 

ତା’ କଥା ଶୁଣି ଥାନା ଇନ୍‌ଚାର୍ଯ୍ୟ ପ୍ରଥମେ କୌତୂହଳୀ ହେଲେ । ଥଟ୍ଟାରେ କହିଲେ–‘‘ଠିକ୍ ଅଛି ! ସାମ୍ବାଦିକ ନଟବରବାବୁ, ସକାଳୁ ସକାଳୁ ଏ ଥାନା ଉଦ୍ଦେଶ୍ୟରେ ସ୍ୱତଃ ଚାଳିତ ହୋଇ ଆସିବାର କଷ୍ଟ କେମିତି କଲେ ? ଏଠିକାର ପୂର୍ବସ୍ମୃତି କ’ଣ ବାହାରେ ଆପଣଙ୍କୁ ବ୍ୟତିବ୍ୟସ୍ତ କଲାକି ?’’

 

ନଟବରବାବୁ ଏଥର ଗଳା ସଫାକରି ଆରମ୍ଭକଲେ, ‘‘ଦେଖନ୍ତୁ, ମୁଁ ଜଣେ ସାମ୍ବାଦିକ । ସକାଳୁ ଖବର ପାଇଲି ଯେ, ଗୋଟାଏ ନିହାତି ନିରୀହ ଏବଂ ଗରିବ ଭିକାରିକୁ ଆପଣମାନେ ଜବରଦସ୍ତି ଆଣି ବନ୍ଦ କରିଦେଇଅଛନ୍ତି । ଆଉ ମଧ୍ୟ ଖବର ମିଳୁଛି ଯେ, ଆପଣମାନେ ତା’ ଉପରେ ଅମାନୁଷିକ ଅତ୍ୟାଚାର କରିଛନ୍ତି । ଏହା କ’ଣ ସତ ?’’

 

ଥାନା ଇନଚାର୍ଯ ନିର୍ଲିପ୍ତ ଭାବରେ କହିଲେ, ‘‘ପୁଲିସ୍ ଏହାକୁ ଧରିନାହିଁ । କାଲି ରାତିରେ ସନ୍ଦେହଜନକ ସ୍ଥିତିରେ ବିମଳବାବୁଙ୍କ ବାରଣ୍ଡାରେ ବୁଲୁଥିବାବେଳେ ୟାକୁ ଲୋକମାନେ ଧରି ପୁଲିସ୍‌କୁ ହସ୍ତାନ୍ତରିତ କରିଥିଲେ । ଥାନାକୁ ଆଣି ୟା’ ପାଖରୁ ଆମେ ଗୁଚ୍ଛେ ଚାବି ଓ ସିନ୍ଧିକରିବା ଉପକରଣ ପାଇଥିଲୁ ।’’

 

ନଟବରବାବୁ ପଚାରିଲେ, ‘‘ତା’ ଦେହରେ ଏତେ ଆଘାତ ଆସିଲା କେମିତି ?’’

 

ଥାନାବାବୁ ଧୈର୍ଯ୍ୟରଖି ବୁଝାଇଲେ, ‘‘ତାକୁ ଧରିଲାବେଳେ ଲୋକମାନଙ୍କର ମାରପିଟ୍‌ରେ ତା’ ଦେହରେ ଆଘାତ ଲାଗିଛି, ଏବେ କିନ୍ତୁ ଭଲଅଛି ।’’

 

ଥାନା–ଇନ୍‌ଚାର୍ଯଙ୍କ ନମ୍ରତା ଦେଖି ନଟବରବାବୁ ନିଜ ଭିତରେ ଗୋଟାଏ ଶକ୍ତିର ପ୍ରବାହ ଅନୁଭବ କରିବାକୁ ଲାଗିଲେ । କହିଲେ, ‘‘ଆପଣ ମିଥ୍ୟା କହୁଛନ୍ତି । ଏ ଗରିବ ଭିକାରିଟି ଉପରେ ଆପଣମାନେ ହିଁ ଅତ୍ୟାଚାର କରିଛନ୍ତି । ଜନତା କେବେହେଲେ ଜନତା ଉପରେ ଆକ୍ରମଣ କରେନାହିଁ–କରନ୍ତି ସରକାରଙ୍କର ଅର୍ଥଲୋଭୀ ଗୃଧ୍ରମାନେ । କିନ୍ତୁ ଏଇ ଶୋଷିତମାନଙ୍କର ରକ୍ତରେ ଯେ ଆଗ୍ନେୟଗିରି ନୀରବ ହୋଇ ରହିଛି, ଦିନେ ତାହା ପୁଣି ସକ୍ରିୟ ହେବ । ଶୋଷକର ଏଇ ଥାନା ହେବ ସର୍ବହରାର ଅଫିସ୍, ଆଉ ଏଠାରୁ ବିପଦର ତରଳ ଲାଭା ଚତୁର୍ଦ୍ଦିଗରେ ଛୁଟି ପୁଞ୍ଜିବାଦୀର ମହଲରେ ଗୋଟାଏ ହା–ହା–କାରର ଅଟ୍ଟହାସ ଖେଳାଇଦେବ । ତ୍ରସ୍ତ ହୋଇଉଠିବେ ଆପଣଙ୍କ ଭଳି ବୁର୍ଜୁଆ ଟିଙ୍କମାନେ ।’’

 

ଏ ସବୁ କଥା ଶୁଣିସାରି ଥାନା–ଇନ୍‌ଚାର୍ଜଙ୍କର ମୁହଁ ରକ୍ତବର୍ଣ୍ଣ ଧାରଣକଲା । ତଥାପି ସେ ନିଜର କ୍ରୋଧ ସମ୍ବରଣ କରି କହିଲେ, ‘‘ଆପଣ ଯାହା କହିବାକୁ ଚାହୁଁଥିଲେ କହିସାରିଲେ । ଏବେ ଯାଆନ୍ତୁ, ଆମେ ନିୟମତଃ ଯାହାସବୁ କରିବାକୁ ହେବ କରିବୁ ।’’

 

ନଟବରଙ୍କୁ କିନ୍ତୁ ନେତୃତ୍ୱର ମୋହ ଲାଗିଆସିଥିଲା । କହିଲେ–‘‘ଆପଣ ମୋତେ ଅଭଦ୍ରଭାବରେ ତଡ଼ିବାପାଇଁ ଚେଷ୍ଟା କରୁଛନ୍ତି । ଜନତାର ପ୍ରତିନିଧି ପ୍ରତି ଏ ଅବମାନନା... ? ସରକାରଙ୍କ ଦଲାଲ ବୋଲି କଅଣ ମଣିଷକୁ ଭୁଲିଗଲ ! ବିପ୍ଳବ ବେଶି ଦୂର ନୁହେଁ । ଏଇ ଥାନାରେ ଦିନେ ନିଆଁ ଲାଗିବ, ଆଉ ସେ ଅଗ୍ନି–ଯଜ୍ଞର ପୁରୋଧା ହେବି ମୁଁ ନିଜେ । ହା... ହା... ହା...’’

 

ଗୋଟାଏ ନାଟକୀୟ ପରିବେଶ ସୃଷ୍ଟିକରି ନଟବର ଅଟ୍ଟହାସ୍ୟ କଲେ । ଥାନା ଇନ୍‌ଚାର୍ଯ ପ୍ରଶ୍ନକଲେ–‘‘ଆପଣ ଆମ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । ଏଠାରୁ ଯିବେ ନା ନାହିଁ ?’’

 

ଉତ୍ତର ଆସିଲା–‘‘ଯେ ପର୍ଯ୍ୟନ୍ତ ସେ ଭିକାରିଟିକୁ ଛଡ଼ା ନ ଯାଇଛି ଆମେ ଅନଶନ କରିବୁ । ମୋ ଲାସ୍ ସର୍ବହରାଙ୍କ କାନ୍ଧରେ ଏହିଠାରୁ ଶ୍ମଶାନ ପର୍ଯ୍ୟନ୍ତ ଯିବ ।’’

 

ଥାନା ଇନ୍‌ଚାର୍ଯ ବୁଝିଗଲେ ଯେ ନଟବର ପରିସ୍ଥିତିଟିର ପୂର୍ଣ୍ଣ ସଦୁପଯୋଗ କରିବା ପାଇଁ ଚାହେଁ । ନିଜ ସବ୍‌ଇନ୍‌ସପେକ୍ଟରଙ୍କ ଆଡ଼କୁ ଚାହିଁ କହିଲେ, ‘‘ଆରେ ଦାସ ବାବୁ, କିଛି ସିପାହୀ ନେଇ ଏପଟେ ଆସିଲ ।’’

 

ଏତିକି ଶୁଣିବା ମାତ୍ରେ ନଟବର ହଠାତ୍ ଯିବାକୁ ଉଦ୍ୟତହେଲେ । ସବ୍‌ଇନ୍‌ସପେକ୍ଟର ସାଙ୍ଗରେ ତାଙ୍କର ଅଭିଜ୍ଞତା ଆଗରୁ ସୁଖକର ନଥିଲା । କହିଲେ, ‘‘ଆଚ୍ଛା, ଆମେ ବି ଦେଖିବା ।’’ ଏତିକି କହି ଦ୍ରୁତପଦରେ ଅନ୍ୟମାନଙ୍କୁ ନେଇ ରାସ୍ତାକୁ ଚାଲିଗଲେ । ରାସ୍ତାରୁ ଆବାଜ ଆସିଲା–

 

‘‘ଭିକାରି ଏକତା ଜିନ୍ଦାବାଦ୍...’’

 

‘‘ଇନ୍‌କିଲାବ୍ ଜିନ୍ଦାବାଦ୍ । ଥାନା ଇନ୍‌ଚାର୍ଯ ମୁର୍ଦ୍ଦାବାଦ୍ ।’’

 

‘‘ଭିକାରି ଜନତା କରେ ପୁକାର୍’’

 

‘‘ପୈସାବାଲା ହୋ ହୁସିଆର୍ ।’’

 

‘‘ଭିକ ନମାଗେ ଯିଏ ରେ... ମଣିଷ ନୁହେଁ ସିଏ ରେ ।’’

 

‘‘ସାବଧାନ... ହୋସିଆର...’’

 

‘‘ଖବରଦାର... ଥାନେଦାର୍...’’

 

ସେମାନେ ସବୁ ଚାଲିଗଲା ପରେ ଥାନା–ଇନ୍‌ଚାର୍ଯ ଶାନ୍ତିରେ ନିଜ କାର୍ଯ୍ୟ କରିବା ପାଇଁ ଲାଗିଲେ । ଉପସ୍ଥିତ କର୍ମଚାରୀମାନଙ୍କୁ ଏବିଷୟରେ ଖବର କରିଦେଇ ଭିକାରିଟିକୁ ଜେଲ୍‌କୁ ପଠାଇଦେଲେ । ଏସବୁ ପରେ ଗସ୍ତ କରିବା ପାଇଁ ବାହାରିଯାଇଥିଲେ ।

 

ତା’ ପରଦିନ ସକାଳୁ ଜଣେ ଅଧୀନସ୍ଥ କର୍ମଚାରୀ ଥାନା–ଇନ୍‌ଚାର୍ଯ୍ୟଙ୍କୁ ଉଠାଇ ଗୋଟାଏ ଦୈନିକ ସମ୍ବାଦପତ୍ର ଧରାଇଦେଲା । ଖବରକାଗଜରେ ବିସ୍ଫୋରଣ ଘଟିଥିଲା । ପ୍ରଥମପୃଷ୍ଠାର ବାଆଁ କଡ଼ରେ ବଡ଼ ବଡ଼ ଅକ୍ଷରରେ ପ୍ରଥମ ଧାଡ଼ିରେ ଲେଖାଯାଇଥିଲା–‘‘ପୁଲିସ୍ ହିରାସତ୍‌ରେ ଭିକାରି ଉପରେ ଅମାନୁଷିକ ଅତ୍ୟାଚାର ।’’ ତା ତଳ ଧାଡ଼ିରେ ଆଉ ଟିକିଏ ଛୋଟ ଅକ୍ଷରରେ ଲେଖାହୋଇଥିଲା–‘‘ସମ୍ବାଦ ନେବାପାଇଁ ଯାଇଥିବା ପ୍ରମୁଖ ସାମ୍ବାଦିକଙ୍କ ସାଙ୍ଗରେ ଅଭଦ୍ରତା । ଥାନା–ଇନ୍‌ଚାର୍ଯଙ୍କୁ ବରଖାସ୍ତ କରିବା ପାଇଁ ଜନତାର ଦାବି ।’’

 

ତା’ ପରେ ନିମ୍ନଲିଖିତ ସମ୍ବାଦ ଲେଖାଯାଇଥିଲା–ଆମରି ବିଶେଷ ସମ୍ବାଦଦାତାଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ କାଲି ଥାନା ଛତରାବାଗରେ ପୁଲିସ୍‌ଦ୍ୱାରା ଘଟିଥିବା ବର୍ବରତାର ଏକ ନମୁନା ଆମ ସମ୍ମୁଖକୁ ଆସିଛି, ଯାହା ଆମେ ପାଠକମାନଙ୍କ ସମକ୍ଷରେ ରଖି ନିବେଦନ କରୁଛୁ ଯେ, ସେମାନେ ଏହା ବିରୁଦ୍ଧରେ ଆବାଜ ଉଠାନ୍ତୁ । କାଲି ଦିନ ଦ୍ୱିପ୍ରହରରେ ଥାନା ଛତରବାଗର ପୁଲିସ୍ ଜଣେ ନିହାତି ଗରିବ କିନ୍ତୁ ଈଶ୍ୱରଭକ୍ତ ଭିକାରି ଅରକ୍ଷିତ ବେହେରାଙ୍କୁ ତାଙ୍କ ଘରୁ ଜବରଦସ୍ତି ଏହି କାରଣରୁ ଉଠାଇ ଆଣିଥିଲା ଯେ, ଶ୍ରୀ ବେହେରା ଭିକ୍ଷାବୃତ୍ତିଦ୍ୱାରା ବହୁଦିନରୁ ସଞ୍ଚିତ ଟଙ୍କାରୁ କିଛି ଥାନା–ଇନ୍‌ଚାର୍ଯଙ୍କୁ ଦେବାକୁ ମନାକଲେ । ଶ୍ରୀ ବେହେରାଙ୍କ କଥନ ଅନୁସାରେ ସେ ସ୍ଥାନୀୟ ଭିକାରିବସ୍ତିର ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସଭାପତି । ତେଣୁ ବସ୍ତିର ସବୁ ସଭ୍ୟଙ୍କର ସୁଖ ଏବଂ ଦୁଃଖ ପାଇଁ ସିଏ ଦାୟୀ । କିଛି ଦିନ ତଳେ ଥାନା–ଇନ୍‌ଚାର୍ଯ ତାଙ୍କୁ ଡାକି କହିଲେ ଯେ, ବସ୍ତିର ପ୍ରତ୍ୟେକ ଭିକାରି ପ୍ରତ୍ୟେକ ମାସ ଅର୍ଜନ କରୁଥିବା ଭିକର ଶତକଡ଼ା କୋଡ଼ିଏ ଅଂଶ ସଂଗ୍ରହ କରି ତାଙ୍କ ପାଖକୁ ଟଙ୍କା ଆକାରରେ ପଠାଇବେ । ଶ୍ରୀ ବେହେରା ରାଜି ହୋଇନଥିବାରୁ ତାଙ୍କୁ ଗୁଣ୍ଡା ଏବଂ ବଦ୍‌ମାସ୍‌ମାନଙ୍କଦ୍ୱାରା ଅନେକବାର ମର୍ଡ଼ର କରାଯିବାର ଧମକ ମଧ୍ୟ ଦିଆଯାଇଥିଲା । ମାତ୍ର ଶ୍ରୀ ବେହେରା ସାହସିକତାର ସହିତ ଏହାର ମୁକାବିଲା କଲେ ।

 

ତେଣୁ ତାଙ୍କୁ ଗିରଫଦାରୀ କରାଯାଇ କାଲି ରାତି ପୁଲିସ ଥାନାରେ ତାଙ୍କୁ ଅକଥନୀୟ ଓ ବର୍ବରଭାବରେ ପିଟାଗଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ତାଙ୍କ ଦେହର ଏକ ଅନିର୍ବଚନୀୟ ଅଂଶରେ ଜଳୁଥିବା ସିଗାରେଟ୍‌ର ଚେଙ୍କ ଦିଆଯାଇଥିଲା ଏବଂ ତାଙ୍କ ପାଟିରେ ଥାନା ଇନ୍‌ଚାର୍ଯ୍ୟ ନିଜର ମୂତ ଏବଂ ପୁରୀଷ ଆଦି ଜବରଦସ୍ତି ପୂରାଇ ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀ ତାଙ୍କର ମର୍ମଭେଦୀ ଆର୍ତ୍ତନାଦ ସଡ଼କରୁ ଶୁଣିପାରି ଥାନା ଭିତରକୁ ଯାଇଥିଲେ । ପାଣି... ପାଣି ବୋଲି ଚିତ୍କାର କରୁଥିବା ଶ୍ରୀ ବେହେରାଙ୍କ ମୁହଁରେ ପାଣି ବଦଳରେ କିଛି ଟିଂଚର ଆୟୋଡ଼ିନ୍ ଢାଳି ଦିଆଯାଇଥିଲା । ପ୍ରତ୍ୟକ୍ଷଦର୍ଶୀ ଏ ଦୃଶ୍ୟ ଆଉ ସହ୍ୟ କରିନପାରି ପଳାଇଆସିଥିଲେ ଏବଂ ଆମ ବିଶେଷ ସମ୍ବାଦଦାତାଙ୍କ ଆଗରେ ଅଶ୍ରୂପୂର୍ଣ୍ଣ ନୟନରେ ବୟାନ ଦେଇଥିଲେ । ଏ ପର୍ଯ୍ୟନ୍ତ ଶ୍ରୀ ବେହେରା ଜୀବିତ ଅଛନ୍ତି କି ନାହିଁ ଆମେ ଜାଣିନାହୁଁ । କିନ୍ତୁ ତାଙ୍କ ଗିରଫଦାରୀ ପରେ ସହରର ଭିକାରିବର୍ଗଙ୍କ ମନରେ କ୍ଷୋଭ ଏବଂ ହତାଶାର ଭାବ ଭରିଯାଇଛି । କାଲି ସହରର କୌଣସି ଭିକାରି ଭିକ ମାଗିବା ପାଇଁ ଯାଇନଥିଲେ । ଏଠାରେ ଏହା ମଧ୍ୟ କୁହାଯାଇପାରେ ଯେ, ଶ୍ରୀ ଅରକ୍ଷିତ ବେହେରାଙ୍କର ଜଣେ ପ୍ରାପ୍ତବୟସର କନ୍ୟା ଅଛନ୍ତି ।

 

ବିଶେଷ ଉଲ୍ଲେଖନୀୟ ଖବର ଏହିକି ଯେ, ‘ଉଦ୍‌ଭ୍ରାନ୍ତ’ ସମ୍ବାଦପତ୍ରର ସ୍ୱନାମଧନ୍ୟ ସାମ୍ବାଦିକ ଶ୍ରୀ ନଟବର ସ୍ୱାଇଁ ଘଟଣାସ୍ଥଳକୁ ସମ୍ବାଦ ସଂଗ୍ରହ ପାଇଁ ଯାଇଥିଲେ । ମାତ୍ର ତାଙ୍କୁ ଗଳାଧକ୍‌କା ମାରି ଥାନାରୁ ବାହାର କରି ଦେଇଥିଲେ । ଏ ବିଂଶ ଶତାବ୍ଦୀର ଗଣତନ୍ତ୍ରରେ ମଧ୍ୟ ଜଣେ ପୁଲିସ୍ ଅଫିସର୍ ଜଣେ ସମ୍ମାନନୀୟ ସାମ୍ବାଦିକଙ୍କ ସାଙ୍ଗରେ ଯେ ଏପରି ବ୍ୟବହାର କରିପାରେ ଏହା ଘୋର ନିନ୍ଦାର ବିଷୟ ।

 

ତେଣୁ ଆମେ ଜନତାର ଆବାଜ ସରକାରଙ୍କ ନିକଟରେ ପହଞ୍ଚାଇ ଦାବୀ କରୁଛୁ ଯେ ଭ୍ରଷ୍ଟ ଥାନା ଇନ୍‌ଚାର୍ଯଙ୍କୁ ତୁରନ୍ତ ଚାକିରୀରୁ ଅବ୍ୟାହତି ଦିଆଯାଉ ତଥା ଏହି ଘଟଣା ସମ୍ବନ୍ଧିତ ଅନ୍ୟ ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଉ । ପ୍ରମୁଖ ଭିକାରି ନେତା ଶ୍ରୀ ଅରକ୍ଷିତ ବେହେରାଙ୍କୁ ବିନାସର୍ତ୍ତରେ ମୁକ୍ତ କରାଯାଇ ତାଙ୍କ ବିରୁଦ୍ଧରେ ଲେଖାଯାଇଥିବା ମକଦ୍ଦମା ଫେରସ୍ତ ନିଆଯାଉ । ସରକାରଙ୍କ ତରଫରୁ ଶ୍ରୀ ବେହେରାଙ୍କ ପାଖରେ କ୍ଷମାପ୍ରାର୍ଥନା କରାଯାଉ ଏବଂ ତାଙ୍କର ଭବିଷ୍ୟତର ସମସ୍ତ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଆଯାଉ । ଶ୍ରୀ ବେହେରାଙ୍କୁ ସରକାରଙ୍କ ତରଫରୁ ଦଶ ହଜାର ଟଙ୍କା ସାହାଯ୍ୟରୂପେ ମଧ୍ୟ ଦିଆଯାଉ ।

 

ଆମେ ସରକାରଙ୍କୁ ପୁଣି ଅନୁରୋଧ କରୁଛୁ ଯେ, ଏ ଗମ୍ଭୀର ମାମଲାର ବିସ୍ତୃତ ଯାଞ୍ଚ ପାଇଁ ଗୋଟାଏ ନ୍ୟାୟକ ଯାଞ୍ଚ କମିଶନ ବସାଯାଉ ।

 

ଥାନା ଇନ୍‌ଚାର୍ଯଙ୍କର ନିଦ ଭାଙ୍ଗି ଯାଇଥିଲା । ତୁରନ୍ତ ଉଠିଯାଇ ଅନ୍ୟ ସମ୍ବାଦପତ୍ରମାନ ମଗାଇଲେ–କେବଳ ଶୀର୍ଷକ ଗୁଡ଼ାକହିଁ ପଢ଼ିଗଲେ–ପୂର୍ଣ୍ଣ ବିବରଣ ପଢ଼ିବାପାଇଁ ଧୈର୍ଯ୍ୟ ନଥିଲା । ଗୋଟାଏ ସମ୍ବାଦପତ୍ରର ଶୀର୍ଷକ ଲେଖାଥିଲା–‘‘ଥାନା ଛତରବାଗ ଇନ୍‌ଚାର୍ଯ ରକ୍ଷକ ନା ଭକ୍ଷକ ? ଅନ୍ୟ ଶୀର୍ଷକ–‘‘ଲଜ୍ଜାହୀନ ସରକାରଙ୍କ ଦୟାହୀନ ବିଭାଗ’’ । ଅନ୍ୟ ଗୋଟିଏ–‘‘ଭିକାରି ନେତା ଶ୍ରୀ ବେହେରାଙ୍କ ଉପରେ ପୁଲିସ ଜୁଲୁମ୍ ।’’

 

ସବୁ ପଢ଼ି ସାରିଲା ବେଳକୁ ଥାନା ଇନ୍‌ଚାର୍ଯଙ୍କ ପାଖକୁ ଗୋଟାଏ ପରେ ଗୋଟାଏ ଟେଲିଫୋନ୍ ଆସିବା ଆରମ୍ଭ ହୋଇଯାଇଥିଲା । କେଉଁ ଟେଲିଫୋନ୍ ଉପରିସ୍ଥ କର୍ମଚାରୀଙ୍କ ପାଖରୁ ତ କେଉଁ ଟେଲିଫୋନ୍ ମନ୍ତ୍ରୀଙ୍କ ପାଖରୁ, କେତେବେଳେ ପି.ଟି. ଆଇ ସମ୍ବାଦଦାତାଙ୍କ ପାଖରୁ ତ କେତେବେଳେ ଆକାଶବାଣୀରୁ ଟେଲିଫୋନ୍ କଲ୍‌ ଚାଲିଛି । ଏହି ସମୟରେ ଦୂରରୁ ଆବାଜ ଶୁଣାଗଲା ‘‘ଇନ୍‌କିଲାବ୍.... ଜିନ୍ଦାବାଦ୍...’’ ଇତ୍ୟାଦି ଇତ୍ୟାଦି, ରମେଶବାବୁ ଜଣେ କନ୍‌ସଟେବଲ୍‌କୁ ପଠାଇଲେ କେଉଁମାନେ ଏପରି ଆବାଜ ଦେଉଛନ୍ତି ବୁଝିଆସିବାପାଇଁ । ପ୍ରାୟ ପାଞ୍ଚମିନିଟ୍ ପରେ କନ୍‌ସଟେବଲ୍‌ଟି ଝାଳନାଳ ହୋଇ ଆସି ଜଣାଇଦେଲା ଯେ ସହରର ପ୍ରାୟ ଦୁଇହଜାର ଭିକାରି ଗୋଟାଏ ପଟୁଆରରେ ଆସୁଛନ୍ତି ଥାନା ଘେରାଉ କରିବା ପାଇଁ । ସେମାନଙ୍କର ନେତୃତ୍ୱ କରୁଛନ୍ତି ଶ୍ରୀ ନଟବର ସ୍ୱାଇଁ–ପାଞ୍ଚ–ମିନିଟ୍‌ରେ ସେମାନେ ପହଞ୍ଚିଯିବେ । ରମେଶବାବୁ ଥାନାର ସମସ୍ତ ଫୋର୍ସ ଏକତ୍ର କରିଛନ୍ତି କି ନାହିଁ, ଥାନାର ଦ୍ୱାର ସମ୍ମୁଖରେ ଭିଡ଼ ଜମାହୋଇଗଲା । ସହରଯାକର ସବୁ ଭିକାରି, କୁଷ୍ଠରୋଗୀ ଏବଂ ଲେଙ୍ଗଡ଼ା ଏକାଠି ହୋଇଯାଇଥିଲେ ।

 

କେତେଜଣ ଥାନାର ଠିକ୍ ଆଗରେ ଠିଆହୋଇ ଭିକାରିମାନଙ୍କୁ ଜ୍ୱାଳାମୟୀ ଭାଷଣ ଦେଲେ । ପ୍ରତି ଭାଷଣ ପଛରେ କିଛି ସ୍ଲୋଗାନ୍ ଆସିଲା । ଭାଷଣ ଶୁଣି ଭିଡ଼ ଆହୁରି ଉତ୍ତେଜିତ ହୋଇଉଠୁଥିଲା । ସ୍ଲୋଗାନ୍ ଆସିଲା, ‘‘ସର୍ବହରା ଭିକାରି.......ଭାଙ୍ଗିଦିଅ ପାଚେରୀ’’ ଇତ୍ୟାଦି । ଥାନା ଇନ୍‌ଚାର୍ଯ ଭିଡ଼ ପାଖକୁ ଯାଇ କିଛି ବୁଝାଇବାକୁ ଚେଷ୍ଟା କରିଛନ୍ତି କି ନାହିଁ ହଠାତ୍ ଗୋଟାଏ ପଟୁ ପଥର ଓ ଇଟା ବର୍ଷା ହେବାକୁ ଲାଗିଲା । ଗୋଟାଏ ବଡ଼ ଇଟା ତାଙ୍କ ମୁଣ୍ଡରେ ବାଜିଥିଲା । ତା ପରବର୍ତ୍ତୀ କାର୍ଯ୍ୟକଳାପ କଅଣ ହେଲା ସେ ଜାଣିପାରିନଥିଲେ ।

 

ତା’ ପରଦିନ ସକାଳୁ ହୋସ୍ ଆସିବା ପରେ ରମେଶବାବୁ ଜାଣିପାରିଲେ ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ପଟି ବନ୍ଧାହୋଇଛି ଆଉ ସିଏ ହସ୍‌ପିଟାଲ ଖଟରେ ଶୋଇଛନ୍ତି । ଚାରିଆଡ଼େ ଚାହିଁଲେ । ପାଖରେ ସବ୍‌ଇନ୍‌ସପେକ୍‌ଟର ଦାସଙ୍କୁ ଦେଖି ପଚାରିଲେ, ‘‘ଦାସବାବୁ, କଅଣ ହେଲା-?’’ ଦାସବାବୁ କିଛି ନ କହି ନୀରବରେ, ଦୈନିକ ଖବରକାଗଜଟିଏ ତାଙ୍କ ଆଡ଼କୁ ବଢ଼ାଇ ଦେଇଥିଲେ । ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିଲା–‘‘ଥାନା ଛତରବାଗରେ ଅଦ୍ଭୂତପୂର୍ବ ଘଟଣା । ଉତ୍ୟକ୍ତ ଭିକାରିମାନଙ୍କଦ୍ୱାରା ଥାନା ଉପରେ ଚଢ଼ଉ ଓ ପଥରବୃଷ୍ଟି । ପୁଲିସ ସାଙ୍ଗରେ ତୁମୁଳ ସଂଘର୍ଷ । ଥାନା ଇନ୍‌ଚାର୍ଯ ସମେତ ଦଶଜଣ ପୁଲିସ୍ କର୍ମଚାରୀ ଆହତ । ପୁଲିସ୍ ପକ୍ଷରୁ ଲାଠିଚାଳନା ଓ ଲୁହବୁହା ଗ୍ୟାସ ଓ ଗୁଳିର ପ୍ରୟୋଗ । ଦୋକାନ ଓ ବସ୍‌ରେ ଅଗ୍ନିକାଣ୍ଡ–ତିନିଜଣ ମୃତ–ଆହତଙ୍କର ସଂଖ୍ୟା ଠିକ୍ ଭାବରେ ଜଣାଯାଇନାହିଁ । ଉଚ୍ଚ ଅଧିକାରୀଗଣ ଘଟଣାସ୍ଥଳକୁ ଆସି ପରିସ୍ଥିତିକୁ ଅକ୍ତିଆରରେ ଆଣିଲେ । ସହରରେ ୧୪୪ ଧାରା ଓ ପୁଲିସ୍ ଗସ୍ତ ଜାରୀ ।

 

ଥାନା ଇନ୍‌ଚାର୍ଯ ନିଲମ୍ବିତ । ସରକାରଙ୍କଦ୍ୱାରା ଏକ ଜଣିକିଆ ନ୍ୟାୟିକ ଯାଞ୍ଚ ଆୟୋଗ ଗଠନପାଇଁ ଆଦେଶ । ସହରରେ ଉତ୍ତେଜନା...... ଯାଞ୍ଚ କମିଶନ ଭିକାରି ସଂଘର ନିମ୍ନଲିଖିତ ଦାବୀଗୁଡ଼ିକ ବିଷୟରେ ମଧ୍ୟ ନିଜ ରିପୋର୍ଟ ଦେବେ ।

 

ଭିକାରି ସଂଘର ଦାବୀଗୁଡ଼ିକ ନିମ୍ନପ୍ରକାରର ଥିଲା ।

 

୧.

ଭିକମାଗିବାର ଗଣତାନ୍ତ୍ରିକ ଅଧିକାର ସମସ୍ତଙ୍କର ଅଛି । ସମସ୍ତ ଧର୍ମ, ଜାତି ଏବଂ ସ୍ଥାନରେ ଭିକାରିମାନଙ୍କର ଏହି ନ୍ୟାୟୋଚିତ ଦାବୀ ସରକାର ଗ୍ରହଣ କରନ୍ତୁ । ସମସ୍ତେ ଜାଣନ୍ତୁ ଯେ, ଭିକ୍ଷା ଦେବା ଦୟା କରିବା ନୁହେଁ–ଧର୍ମ କରିବା ।

୨.

ଭିକାରିମାନଙ୍କ ସୁରକ୍ଷା ନିମନ୍ତେ ଗୋଟାଏ ଭିକାରି ସୁରକ୍ଷା ଆଇନ୍ କରାଯାଉ ଏବଂ ସେମାନଙ୍କର ସଂରକ୍ଷଣ ପାଇଁ ରାଜ୍ୟସ୍ତରରେ ଗୋଟାଏ ଭିକ୍ଷୁକ ଉନ୍ନୟନ ବୋର୍ଡ଼ ଗଠନ କରାଯାଉ, ଯାହାର ଅଧା ସଭ୍ୟ ଭିକାରି ହୋଇଥିବା ଦରକାର ।

୩.

ଭିକ୍ଷା ନ ଦେବା ଏକ ହସ୍ତକ୍ଷେପୀୟ (Cognizable) ଅପରାଧ ରୂପେ ଘୋଷିତ ହେଉ । ଏହାର ଦଣ୍ଡ ପାଞ୍ଚଶହ ଟଙ୍କା ଜୁର୍ମାନା ଏବଂ ବା ତିନିମାସ ସଶ୍ରମ କାରାଦଣ୍ଡ ପର୍ଯ୍ୟନ୍ତ ରଖାଯାଉ । ଏହାକୁ କ୍ରିୟାନ୍ୱିତ କରିବାପାଇଁ ଭାରତ ପିଙ୍ଗଳ କୋର୍ଡ଼ରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉ ।

୪.

ଜୀବନ ନିର୍ବାହର ମାନଦଣ୍ଡ ବଢ଼ିଯାଇଥିବା ହେତୁ ଭିକ୍ଷାର ନ୍ୟୂନତମ୍ ଦାମ୍ ଦଶପଇସା ରଖାଯାଉ । କୌଣସି ଭିକାରି ଦଶପଇସା ତଳେ ଭିକ ନେବେ ନାହିଁ ।

୫.

ଭିକାରିମାନଙ୍କର ପିଲାମାନଙ୍କ ନିମନ୍ତେ ମାଗଣା ଶିକ୍ଷା, ଚିକିତ୍ସା ଏବଂ ମନୋରଞ୍ଜନର ବ୍ୟବସ୍ଥା କରାଯାଉ । ସରକାରୀ ଚାକିରୀରେ ମଧ୍ୟ ସେମାନଙ୍କ ପାଇଁ ରିଜର୍ଭେସନ୍ ରଖାଯାଉ ।

୬.

ନିର୍ବାଚନ ପାଇଁ ରିଜର୍ଭ କୋଟାରେ ଭିକାରିମାନଙ୍କୁ ଅନ୍ତର୍ଗତ କରାଯାଉ । ରାଜ୍ୟସଭାକୁ ଭିକାରିମାନଙ୍କର ପ୍ରତିନିଧି ମଧ୍ୟ ପଠାଯାଉ । ଏହାକୁ କ୍ରିୟାନ୍ୱିତ କରିବା ପାଇଁ ଭାରତ ସମ୍ବିଧାନର ଧାରା ମଧ୍ୟ ପରିବର୍ତ୍ତନ କରାଯାଉ ।

୭.

ଭିକ ମାଗିବା ପାଇଁ ଭିକାରିମାନେ ଟ୍ରେନରେ ବା ବସ୍‌ରେ ଯାତାୟାତ କରିବା ପାଇଁ ମାସିକ ପାଶ୍ ଦିଆଯିବା ଉଚିତ ।

୮.

ଓଡ଼ିଆରେ ସବୁପ୍ରକାର ସାହିତ୍ୟ ସୃଷ୍ଟି ହୋଇଛି । ମାତ୍ର ‘ଭିକାରି ସାହିତ୍ୟ’ ସୃଷ୍ଟି ହୋଇନାହିଁ । ତେଣୁ ଭିକାରିମାନଙ୍କ ଦୁର୍ଦ୍ଦଶା ଏବଂ ତାହାର ପ୍ରତିକାର ପାଇଁ ଲେଖାଯାଇଥିବା ସାହିତ୍ୟକୁ ଓଡ଼ିଆ ସାହିତ୍ୟ ଏକାଦମୀଦ୍ୱାରା ପୁରସ୍କୃତ କରାଯାଉ ।

୯.

ପ୍ରତି ସହରରେ ସରକାର ଗୋଟାଏ ଭିକାରି କଲୋନୀ ବସାନ୍ତୁ । ସେଠାରେ ନିଃଶୁଳ୍‌କ ବିଜୁଳି ଓ ପାଣିର ବ୍ୟବସ୍ଥା କରାଯାଉ ।

୧୦.

ରାଜ୍ୟରେ ଗୋଟାଏ ଆଦର୍ଶ ଭିକାରି ଗ୍ରାମ ବସାଯାଉ, ଯାହାର ଅଧିବାସୀମାନେ ଭିକ ମାଗିବାର ଆଦର୍ଶ ହେବେ ।

 

ଖବରକାଗଜଟି ପଢ଼ିସାରି ରମେଶବାବୁ ସବ୍‌ଇନ୍‌ସପେକ୍ଟର ଦାସବାବୁଙ୍କ ଆଡ଼େ ଚାହିଁଲେ । କହିଲେ, ‘‘କ’ଣ ଦାସବାବୁ, ତମେ ବି ଯେ ସାଦା ପୋଷାକରେ ଅଛ ? କ’ଣ ତମେ ମୋ ଭଳି ଚାକିରୀରୁ ନିଲମ୍ବିତ ନା କ’ଣ ?’’

 

ଦାସବାବୁ ମୁଣ୍ଡ ପୋତି କହିଲେ–‘‘କିନ୍ତୁ ସାର୍, ଆମମାନଙ୍କ ଦୋଷ କ’ଣ ଜାଣି ତ ହେଲାନାହିଁ ? ଆମ ବିରୁଦ୍ଧରେ କୌଣସି ଦୋଷ ତ ପ୍ରମାଣିତ ହୋଇନାହିଁ ।’’

 

ରମେଶବାବୁ ସାମାନ୍ୟ ହସି କହିଲେ–‘‘ଏଇଟା ବୋଧେ ତୁମର ପ୍ରଥମ ସସ୍‌ପେନ୍‌ସନ୍–ସେଥିପାଇଁ ବିଚଳିତ ହେଉଛି ପ୍ରମାଣ ନାହିଁ ବୋଲି । ଆମମାନଙ୍କ ବିଷୟରେ ଦୂରବର୍ତ୍ତୀ ପ୍ରମାଣ ହୁଏତ ମିଳିନାହିଁ–। ମାତ୍ର ନିକଟବର୍ତ୍ତୀ ପ୍ରମାଣ ତ ନିଶ୍ଚୟ ଅଛି । ପୁଲିସ୍ ଥାନାରେ ଯେତେବେଳେ ଜଣେ ବ୍ୟକ୍ତି ଥିଲା କେବଳ ସେଇଆ ହିଁ ଯଥେଷ୍ଟ ପ୍ରମାଣ ଯେ ତା’ ଉପରେ ଅତ୍ୟାଚାର ହୋଇଥିବ । ସମସ୍ତେ ବିଶ୍ୱାସ କରିବେ ।

 

ଦାସବାବୁ ଚିନ୍ତିତ ହୋଇ ପଚାରିଲେ–‘‘ତା’ ହେଲେ ସାର୍ ଏବେ କ’ଣ କରିବା ?’’

 

ରମେଶବାବୁ କହିଲେ–‘‘ଆଉ କ’ଣ କରିବା ? ଚାଲ, ଦୁହେଁ ମିଶି ଭିକ ମାଗିବା । ଖାଲି ଟିକିଏ ଅପେକ୍ଷା କର–ଭିକାରି ସୁରକ୍ଷା ଅଧିନିୟମଟା ଆସେମ୍ବ୍ଲିରେ ପାସ୍ ହୋଇଯାଉ ।’’

Image

 

ବ୍ୟଞ୍ଜନ ସାହିତ୍ୟ

 

କଥାଟା ସତ । ସବୁ ଜିନିଷରେ ଗୋଟାଏ ଆବାଜ ଥାଏ । ନ ହେଲେ ବୋଧହୁଏ ମାନବ ସଭ୍ୟତା ଆଗେଇ ପାରନ୍ତା ନାହିଁ । ମନର ଆବାଜ ବେଶି ହେଲେ ଜଣେ ଲେଖକ ବନିଯାଏ । ହୃଦୟର ଆବାଜ ବେଶି ହେଲେ ଜଣେ ପ୍ରେମିକ ବନିଯାଏ । ଜନତା ବେଶି ଆବାଜ ଉଠାଇଲେ ପରିସ୍ଥିତିର ପରିବର୍ତ୍ତନ ହୁଏ । କେବେ କେବେ ବିପ୍ଳବ ମଧ୍ୟ ଆସିଯାଇପାରେ ।

 

ସେଦିନ ମୋର ମଧ୍ୟ ଗୋଟାଏ ଆବାଜ ଆସିଲା । ଆବାଜଟି ସକାଳୁ ଆରମ୍ଭ ହେଲା ଆଉ କ୍ରମଶଃ ବଢ଼ି ବଢ଼ି ଦିନ ବାରଟା ସୁଦ୍ଧା ଏତେ ପ୍ରବଳ ହେବାକୁ ଲାଗିଲା ଯେ ମୁଁ ଆଉ ବସି ନ ପାରି ଜଣେ ବନ୍ଧୁଙ୍କ ପାଖକୁ ଗଲି । କହିଲି–‘‘ବନ୍ଧୁ, ମୋ ଭିତରୁ ଆଜି ଗୋଟିଏ ତୀବ୍ର ଆବାଜ ଆସୁଛି ।’’

 

ସେ ପଚାରିଲେ, ‘‘ଆବାଜ ତ ବହୁତ ପ୍ରକାରର ଆସେ–ତୁମର କେଉଁ ପ୍ରକାରର ଆବାଜ ଆସୁଛି ? ମୋତେ ଟିକିଏ ବିଶ୍ଳେଷଣ କରି କହ ।’’

 

ମୁଁ କହିଲି–‘‘ମୋର ଅନ୍ତରାତ୍ମାର ଆବାଜ ଆସୁଛି ।’’

 

ସେ କହିଲେ–‘‘ତମେ ଦଳବଦଳୁ କିହୋ ? ନିର୍ବାଚନର ଟିକଟ ନ ମିଳିବାରୁ ଅନ୍ତରାତ୍ମା ପାର୍ଟି ବଦଳାଇବା ପାଇଁ କହୁଛି ! ଯଦି ସେଇଆ ହୋଇଥାଏ, ତାହାହେଲେ ତୁମେ ଜଣେ ପୁରୁଣା ନେତାଙ୍କ ପାଖକୁ ଯାଅ, ସେ ଠିକ୍ ରାସ୍ତା ଦେଖାଇଦେବେ ।’’

 

ମୁଁ କହିଲି–‘‘ଆପଣ ମୋତେ ଅପମାନିତ କରୁଛନ୍ତି । ମୁଁ ଦଳବଦଳୁ ବା ନେତା ନୁହେଁ । ମୋର ଅନ୍ତରାତ୍ମାର ଆବାଜ ମୋତେ ଜଣେ ସାହିତ୍ୟକାର ହେବାପାଇଁ କହୁଛି । ଆପଣ ଜଣେ ପ୍ରତିଷ୍ଠିତ ଲେଖକ । ତେଣୁ ମୁଁ ଆପଣଙ୍କ ପାଖକୁ ବିଚାର ବିମର୍ଶ କରିବା ପାଇଁ ଆସିଛି । କୁହନ୍ତୁ, କେଉଁ ପ୍ରକାରର ସାହିତ୍ୟ ସୃଷ୍ଟି କଲେ ଭଲହେବ ।’’

 

ମୋ କଥା ଶୁଣି ସେ ସାମାନ୍ୟ ଚିନ୍ତିତ ହେଲେ । କହିଲେ–‘‘କବିତା, ଉପନ୍ୟାସ, ଗଳ୍ପ ଓ ନାଟକ ଆଦି ସାହିତ୍ୟ ଓଡ଼ିଶାରେ ବହୁତ ଲେଖା ହେଉଛି । ତା’ ଛଡ଼ା ତମେ ନୂଆ ନୂଆ ଲେଖିବା ଆରମ୍ଭ କଲେ ହୁଏତ ତମ ଲେଖାଗୁଡ଼ିକ ପ୍ରକାଶିତ ହୋଇ ନ ପାରେ । ତେଣୁ ମୋ ମତରେ ତମେ ଏମିତି ବିଷୟବସ୍ତୁ ଉପରେ ସାହିତ୍ୟ ଲେଖ ଯାହାକି ଓଡ଼ିଆରେ କମ୍ ଲେଖାହୋଇଛି ।’’

 

ମୁଁ କହିଲି–‘‘ଆପଣ କୁହନ୍ତୁ, ମୁଁ କି ପ୍ରକାରର ସାହିତ୍ୟ ଲେଖିପାରେ ?’’

 

ସେ କହିଲେ–‘‘ତମେ ମୋତେ ଥରେ କହିଥିଲ ଯେ ପିଲାଦିନେ ତମେ କୁସ୍ତି କସରତ ବହୁତ କରୁଥିଲ । ତେଣୁ ମଲ୍ଲଯୁଦ୍ଧ କୁସ୍ତି, ବକ୍‌ସିଙ୍ଗ ବା ଲାଠିଖେଳ ଉପରେ ବହିଗୁଡ଼ାଏ ଲେଖି ଯାଉନାହଁ କାହିଁକି ? ବହିଟି କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଖୁବ୍ ଆଦୃତ ହେବ । ଛାତ୍ର ଏବଂ ଶିକ୍ଷକ ଉଭୟେ ଏହାକୁ ପଢ଼ିବେ ।’’

 

ତାଙ୍କର ଏ ପ୍ରକାର ବିଚାର ଶୁଣି ମୁଁ ହତୋତ୍ସାହିତ ହୋଇଗଲି । ପଚାରିଲି, ‘‘କଅଣ ଓଡ଼ିଶାରେ କୁସ୍ତି କସରତ କରୁଥିବା କୌଣସି ବ୍ୟକ୍ତି ବା ପହେଲମାନ କେବେ କବିତା ଲେଖିନାହିଁ-?’’

 

ସେ କହିଲେ–‘‘ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ପହେଲମାନ କବି ହୋଇ ପାରିନାହିଁ, ମାତ୍ର କେତେଜଣ କବି ପହେଲମାନ ହୋଇଯାଇଛନ୍ତି । କବି ଶ୍ରୀ ସିଂହଙ୍କର କବିତା କେବେ ତମେ ପଢ଼ିଛ ? ତାଙ୍କର ଗୋଟାଏ କବିତା ତମକୁ କୋଡ଼ିଏ ସେକେଣ୍ଡରେ ଚିତ୍ କରିଦେବ । ତେଣୁ ତୁମେ କୁସ୍ତି ଉପରେ ହିଁ ଲେଖ । ଯଦି ଆହୁରି ଉନ୍ନତ ହେବାକୁ ଚାହୁଁଚ ତେବେ ଜ୍ୟୁଡ଼ୋ, କରାଟେ ବା କୁଙ୍ଗ୍‌–ଫୁ ଉପରେ ଲେଖ । ଲୋକମାନେ ତୁମକୁ ଓଡ଼ିଶାର ‘ବ୍ରୁସ୍‌ଲି’ ବୋଲି କାଳକାଳକୁ ମନେରଖିବେ ।’’

 

ତାଙ୍କ କଥା ଶୁଣି ମୋର ମନ ଖରାପ ହୋଇ ଯାଇଥିଲା । ମୁଁ କହିଲି, ‘‘ଏପରି ସାହିତ୍ୟ ମୋ’ ପକ୍ଷରେ ସୃଷ୍ଟି କରିବା ସମ୍ଭବପର ହେବନାହିଁ । କାରଣ, ଏହାପାଇଁ ଆଖଡ଼ା ଘରେ ଯାଇ ଘଣ୍ଟା ଘଣ୍ଟା ବସିବା ପାଇଁ ପଡ଼ିବ । ନିଜେ ବିଦ୍ୟାଟି ପୂର୍ଣ୍ଣ ଭାବରେ ନ ଶିଖିଲେ ବହି କେମିତି ଲେଖିବି ? ମୋତେ ଏମିତି କିଛି ଗୋଟାଏ ବିଷୟ ଲେଖିବାପାଇଁ କହନ୍ତୁ, ଯାହାକି ମୁଁ ଘରେ ବସି ଲେଖିପାରିବି ।’’

 

ମୋ କଥା ଶୁଣି ସେ କିଛିବେଳ ଚିନ୍ତାରେ ପଡ଼ିଗଲେ । ବହୁତ ଭାବିଚିନ୍ତି କହିଲେ, ‘‘ତମପାଇଁ ଆଉ ଗୋଟାଏ ରାସ୍ତା ଅଛି । ଆଜିକାଲି ଏକପ୍ରକାର ସାହିତ୍ୟ ବାହାରିଛି ଯାହା ବିଶେଷତଃ ନାରୀ ପତ୍ରିକାମାନଙ୍କରେ ବାହାରିଥାଏ । ଏହାର ନାମ ଆମେ ‘ବ୍ୟଞ୍ଜନ ସାହିତ୍ୟ’ ଦେଇପାରିବା । ଘରେ କେମିତି ଖାଦ୍ୟଦ୍ରବ୍ୟ ସବୁ ତିଆରି ହୋଇପାରିବ ତାହାରି ପ୍ରଣାଳୀ ବିଷୟରେ ହିଁ ଲେଖାଯାଇଥାଏ । ରୁଟି ବନାଇବାଠାରୁ ନେଇ କୁକୁଡ଼ା ତନ୍ଦୁରି ପର୍ଯ୍ୟନ୍ତ ସବୁ ବିଷୟବସ୍ତୁ ଉପରେ ଲେଖାଯାଇପାରିବ । ତମେ ‘ସୁଚରିତା’ ବା ଇଂରାଜୀରେ ‘ଫେମିନା’ ଓ ‘ଇଭ୍‌ସ୍ ଉଇକ୍‌ଲି’ ଆଦି ପଢ଼ିଯାଅ । ଦେଖିବ, ଏ ସାହିତ୍ୟରେ କେତେଜଣ ଲେଖିକା ବାହାରିଗଲେଣି ।’’

 

ତାଙ୍କ କଥାଟା ମୋ ମନକୁ ପାଇଥିଲା । ବଡ଼ ସୁବିଧାଜନକ ସାହିତ୍ୟ । ନିଜ ଜ୍ଞାନରୁ ଲେଖିହୋଇପାରିବ । ସାଧାରଣ ଲୋକଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ଦ୍ୱାରା ଲେଖାଯାଇ ପାରିବ । ‘ଜୟ ମା ଭଗବତୀ’ ହୋଟେଲର ନନା ମଧ୍ୟ ଏ ସାହିତ୍ୟ ସୃଜନ କରି ପାରିବ ।

 

କିନ୍ତୁ ମୋ ମନରେ ସନ୍ଦେହ ଥିଲା ଯେ ମୋ’ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନ ଆଦୃତ ହେବକି ନାହିଁ । ମୁଁ ଏ ବିଷୟରେ ବନ୍ଧୁଙ୍କୁ ପ୍ରଶ୍ନ କଲି, କାରଣ ମୋ’ର ଧାରଣା ଥିଲା ଯେ ଯଦି ସାହିତ୍ୟ ପାଠକମାନଙ୍କ ପାଖରେ ଆଦୃତ ନ ହୁଏ ତାହାହେଲେ ସେମିତି ସାହିତ୍ୟ ନ ଲେଖିବା ଉଚିତ ।

 

ବନ୍ଧୁ ଜଣକ କିନ୍ତୁ ମୋତେ ବୁଝାଇଦେଲେ, ‘‘ଲେଖକ ହେବା ଏବଂ ଲେଖକ ଭାବରେ ଆଦୃତ ହେବା ଦୁଇଟା ଅଲଗାକଥା । ମୋ’ ମତରେ ଲେଖକ ହେବାହିଁ ଯଥେଷ୍ଟ । କେଉଁଠାରେ କଥା ପଡ଼ିଲେ ଯଦି ଲୋକମାନେ କହିବେ ଯେ, ‘‘ଆରେ ନିମାଇଁବାବୁ..... ହଁ ଆମେ ଜାଣିଛୁ । ସେ ଜଣେ ଲେଖକ । –ତେବେ ତାହାହିଁ ଯଥେଷ୍ଟ । କଅଣ ସିଏ ଲେଖନ୍ତି, ସେ ବିଷୟରେ ନାଁ ଲୋକମାନଙ୍କର ବିଶେଷ ଆଗ୍ରହ ଥାଏ ନା ଲେଖକମାନଙ୍କର ।’’

 

ବନ୍ଧୁଙ୍କ କଥାରେ ସନ୍ତୁଷ୍ଟ ହୋଇ ମୁଁ ଫେରିଲି । ତାଙ୍କର କଥାଗୁଡ଼ିକ ଯୁକ୍ତିଯୁକ୍ତ ଥିଲା । ଥରେ ଜଣେ କବିଙ୍କର ଗୋଟାଏ କବିତା ଓଡ଼ିଆ ସାହିତ୍ୟ ଜଗତରେ ଚହଳ ପକାଇ ଦେଇଥିଲା । ସେ କବିତାଟିର ବିଶେଷତ୍ୱ ଏଇଆ ଥିଲା ଯେ, ଓଡ଼ିଶାର କୌଣସି ବ୍ୟକ୍ତି ଏହାକୁ ବୁଝିପାରିନଥିଲେ-। କବିଙ୍କର ଧୀ ଏବଂ କଳ୍ପନା ଶକ୍ତି କେତେ ପ୍ରଖର ନଥିଲେ, ସେ ଏମିତି ଗୋଟାଏ କବିତା ଲେଖିପାରିବେ, ଯାହାକୁ କି ଓଡ଼ିଶାର କେହି ଲୋକ ବୁଝିପାରିବ ନାହିଁ ! ତାହା ପୁଣି ଉପେନ୍ଦ୍ରଭଞ୍ଜଙ୍କ ଦେଶରେ.... ! କବିତାଟିର ନାମ ‘ବଟାନୀ ବର୍ଷା’ କବିତାଟିର ଚାରୋଟି ଲାଇନ୍ ତଳେ ଉଦ୍ଧାର କରାଗଲା ।

‘‘କେଉଟ ଗଛରେ ଗାଈ, ପିଲାଙ୍କ ହଡ଼ପ,

ଅଶ୍ଲୀଳର ଅନ୍ତର୍ଯ୍ୟାମୀ, ସୀମାହୀନ ବେବୀ ଦନ୍ତପଂକ୍ତି,

ମୂଷାମାଟି ଚିପାଚିପି, ଅନ୍ଧାରରେ ବାଲୁଙ୍କ ଗଡ଼ପ,

ଚୌହଦୀ ଆସରେ ରାତି, ଭିକୋ ବଜ୍ରଦନ୍ତୀ ।’’

ଖୁବ୍ ମଡ଼ର୍ଣ୍ଣ କବିତାଟାଏ । ଅନେକ ଥର ପଢ଼ିବା ପରେ ଲୋକମାନଙ୍କର ଗୋଟାଏ ଧାରଣା ହେବ ଯେ କବି ଟୁଥ୍‌ପେଷ୍ଟ ବା ‘ସୁଗମ ଦନ୍ତ ଜୀବନ’ ଉପରେ କିଛି ଗୋଟାଏ ସନ୍ଦେଶ ଦୁନିଆଁକୁ ଦେବାକୁ ଚାହୁଛନ୍ତି । ବାସ୍ ସେତିକି; କିନ୍ତୁ କବିଙ୍କର ନାମ ଓଡ଼ିଶାସାରା ସମସ୍ତେ ଜାଣନ୍ତି ।

ଏଇ ଭାବନାଟା ମନକୁ ଆସିବା ପରେ ମୋ’ର ‘ବ୍ୟଞ୍ଜନ ସାହିତ୍ୟ’ ଲେଖିବା ପାଇଁ ସାହସଟା ଆସିଗଲା । ମୋ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନ ଲୋକଙ୍କୁ ଭଲ ଲାଗିଲେ କେତେ ନ ଲାଗିଲେ କେତେ–ମୁଁ ତ ଲେଖକ ହେବି ?

ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ସାହିତ୍ୟର ଗୁଡ଼ାଏ ନାରୀ ମ୍ୟାଗାଜିନ୍ କିଣି ପଢ଼ିଲି । ଅନେକ ପ୍ରକାର ବ୍ୟଞ୍ଜନ ବିଷୟରେ ଲେଖାଯାଇଥାଏ । ଓଡ଼ିଆ ମ୍ୟାଗାଜିନ୍ ‘ସୁଚରିତା’ ପଢ଼ିଲି । ଶ୍ରୀମତୀ ମନସ୍ୱୀ ମହାପାତ୍ରଙ୍କର ଲେଖା ଶୀର୍ଷକ ‘ଚିଙ୍ଗୁଡ଼ି କାଲିଆ’ ଓ ଶ୍ରୀମତୀ ରେବତୀ ପତିଙ୍କର ‘ଆଳୁ କୋବି ଦମ୍ ମସାଲା’ ଓ ‘ଚଣା ଡାଲି ପଲାଉ’ ମୋତେ ଅତ୍ୟନ୍ତ ପ୍ରଭାବିତ କଲା । ପଢ଼ୁ ପଢ଼ୁ ପାଟିରେ ଲାଳ ଭରିଗଲା । ଲେଖିକାମାନଙ୍କର ବିଷୟବସ୍ତୁଗୁଡ଼ିକ ଖୁବ୍ ଉଚ୍ଚକୋଟୀର ଓ ପୁଷ୍ଟିକର । ପିଠାମାନଙ୍କ ମଧ୍ୟରେ–ରାବିଡ଼ି, ଜିଲିପି, ଛେନାଝର ଏବଂ ରସ ଗୁଲୁଗୁଲୁ ଖୁବ୍ ଆକର୍ଷଣୀୟ ଥିଲା । ଯଦି ଟ୍ରାଜେଡ଼ି ଆଖିରେ ଲୁହ ନ ଆଣେ ସେ କି ଟ୍ରାଜେଡ଼ି ? ଯଦି କମେଡ଼ି ଲୋକଙ୍କୁ ହସାଇ ହସାଇ ବେଦମ୍ ନକରେ ତେବେ ସେ କି କମେଡ଼ି । ବ୍ୟଞ୍ଜନ ସାହିତ୍ୟ ଯଦି ପାଠକମାନଙ୍କର ପାଟିରେ ଜଳପ୍ରବାହ ନକଲା, ତେବେ ସିଏ କି ସାହିତ୍ୟ ?

ଏଇ ଲେଖିକାମାନଙ୍କୁ ସିନା ମନେ ମନେ ପ୍ରଶଂସା କଲି, ମାତ୍ର ନିଜେ ଚିନ୍ତାରେ ପଡ଼ିଲି-। ମୁଁ ଏବେ କେଉଁ ବ୍ୟଞ୍ଜନ ଉପରେ ଲେଖିବି ? ନିଜ ଜ୍ଞାନଭଣ୍ଡାରରୁ ବିଷୟବସ୍ତୁ ଖୋଜିଲି । ବାରମ୍ବାର ସେଇ ଗୋଟାଏ ବ୍ୟଞ୍ଜନ ଯାହା ମୁଁ ବନାଇବା ଜାଣେ ମନେପଡ଼ିଲା ‘ଆଳୁଭର୍ତ୍ତା’ ।

ପ୍ରଥମେ ଗଣ୍ଡେ ଆଳୁକୁ ଗୋଟାଏ ଲୁହା କଡ଼ାଇରେ ଗରମ ପାଣିରେ ସିଝାହେବ । ପୂରା ଭାବରେ ସିଝିଗଲା ପରେ ବାହାରକୁ କାଢ଼ିଆଣି ଚୋପା ଛଡ଼ାଯିବ । ତା’ ପରେ ସେଗୁଡ଼ିକୁ ଚିପି ଚିପି ପେଷ୍ଟ ଆକାରରେ କରାଯିବ । ସେଥିରେ କିଛି ସୋରିଷତେଲ ବା ଘିଅ, କଟା ପିଆଜ ଏବଂ ଆବଶ୍ୟକ ଅନୁଯାୟୀ ଲୁଣ ମିଶାଯିବ । କଞ୍ଚା ଲଙ୍କା ମଧ୍ୟ ଚୁନି ଚୁନି କରି କାଟି ସେଥିରେ ପକାଯାଇପାରେ । ଆଳୁଭର୍ତ୍ତା ବନିଗଲା ।

ମାତ୍ର ମୋ ମନରେ ସନ୍ଦେହ ହେଲା । ଆଳୁଭର୍ତ୍ତା, ଚଣାଡ଼ାଲି, ବାଇଗଣପୋଡ଼ା, ବଡ଼ି ଭଜା ବା ଭେଣ୍ଡିଖଟା ଉପରେ ଲେଖିଲେ କଅଣ କେହି ସମ୍ପାଦକ ଛପାଇବେ ? ସେମାନେ ତ ନିଜେ ମୋ’ ଠାରୁ ଭଲଭାବରେ ଏ ସବୁ ବିଷୟରେ ଲେଖିପାରିବେ ! ପାଠକମାନେ ମଧ୍ୟ ପସନ୍ଦ କରିବେ ନାହିଁ, କାରଣ ସେମାନଙ୍କ ଘରେ ପିଲାମାନେ ପ୍ରତ୍ୟେକ ଦିନ ଏହିଗୁଡ଼ିକ ଖାଇ ସ୍କୁଲ ଏବଂ କଲେଜ ଯାଉଥିବେ ! ତରକାରୀ ବନାଇବା ପ୍ରଶ୍ନ ଏଇଠାରେ ସମାପ୍ତ ହେଲା ।

ଭାବିଲି ପିଠା ବନାଇବି । ମଣ୍ଡାପିଠା, ଆରିଷାପିଠା, ଛୁଞ୍ଚିପତ୍ରପିଠା, ଏଣ୍ଡୁରୀ, ଚକୁଳି ଓ ପୋଡ଼ପିଠା ମାନଙ୍କର ସ୍ମୃତି ମୋତେ ବ୍ୟଥିତ କରିବାକୁ ଲାଗିଲା । ନିଶ୍ଚିତ କଲି ଯେ ଯେତେବେଳେ ମୋତେ ଅନ୍ତରାତ୍ମାର ଆବାଜ ହେତୁ ନିଶ୍ଚୟ ଲେଖିବାକୁ ପଡ଼ିବ, ସେତେବେଳେ ଗୋଟାଏ ପିଠା ବିଷୟରେ ହିଁ ଲେଖେଁ । ବହୁତ ଭାବିଚିନ୍ତି ନିମ୍ନଲିଖିତ ପିଠା ବିଷୟରେ ଲେଖିଲେ–ମୂଳା ଘି–କୁଆଁରୀ ପିଠା ।

ସାମଗ୍ରୀ–

 

୫୦୦ ଗ୍ରାମ ମୂଳା

୪୦୦ ଗ୍ରାମ ଘି କୁଆଁରୀ ପତ୍ର

୧/୨ ଲିଟର ଦୁଧ

୨ କପ୍ ମଇଦା

୧୦୦ ଗ୍ରାମ୍ ଚିନି

୨ ଟେବୁଲ ଚାମୁଚର ବନସ୍ପତି ଘିଅ

୧ ଚାମୁଚ ସୋଡ଼ା

ଅତିରିକ୍ତ–କିଛି ପ୍ରସାରୁଣି ପତ୍ର ।

 

ପ୍ରଣାଳୀ ବିଧି–ପ୍ରାୟ ଅଧକିଲୋ ମୂଳା ନେଇ ପରିଷ୍କାର କରି ଧୋଇବେ । ତା’ ପରେ ସେ ଗୁଡ଼ିକୁ ଚୁନି ଚୂନି କରି କାଟିବେ । କଟାମୂଳାଗୁଡ଼ିକୁ ଚିପୁଡ଼ି ସେଥିରୁ ପାଣି କାଢ଼ିଦେବେ । ଏହାପରେ ଘି କୁଆଁରୀ ପତ୍ର ଗୁଡ଼ିକକୁ ଗୋଟିଏ ଗହିରିଆ ପେଟରେ ରଖି ତହିଁରୁ ଲାଳଗୁଡ଼ିକ କାଢ଼ିଦେବେ । ଇତିମଧ୍ୟରେ ମଇଦା ଓ ଦୁଧ ଗୋଟାଏ ଜାଗାରେ ଏକତ୍ର ରଖି ଫେଣ୍ଟନ୍ତୁ । ଏଥିରେ ମୂଳା ଓ ଘି କୁଆଁରୀ ରସ ମିଶାଇଦେଇ ଏହାକୁ ଖୁବ୍ ଘାଣ୍ଟନ୍ତୁ । ମିଶ୍ରଣ ଖୁବ୍ ପତଳା ନ ହେବା ଆବଶ୍ୟକ । ତତ୍ପରେ ବଳଥିବା ସାମଗ୍ରୀରୁ ଯଥା–ଖାଇବା ସୋଡ଼ା ଏବଂ ସ୍ୱାଦ ଅନୁଯାୟୀ ଚିନି ମିଶାଇ ମିଶ୍ରଣଟିକୁ ଖୁବ୍ ଫେଣ୍ଟନ୍ତୁ । ଗୋଟାଏ ବଡ଼ ଲୁହା କଡ଼ାଇରେ ଖୁବ୍ ଭଲଭାବରେ ଘିଅ ଲଗାଇ ଚୁଲି, ଷ୍ଟୋଭ ବା ଗ୍ୟାସ ଚୁଲୀ ଉପରେ ବସାନ୍ତୁ । ଉପରୋକ୍ତ ମିଶ୍ରଣଟିକୁ ସାବଧାନତା ସହକାରେ କଡ଼ାଇରେ ଢାଳି ଦିଅନ୍ତୁ । ଉପଯୁକ୍ତ ବାସ୍ନାପାଇଁ କିଛି ପ୍ରସାରୁଣି ପତ୍ର ଛୋଟ ଛୋଟ କରି କାଟି ଏହା ଉପରେ ପକାଇ ଦିଅନ୍ତୁ । ତତ୍ପରେ ଏକ ଚଟ୍‌କା ରସଥାଳି ନେଇ ତା ଉପରେ ଘୋଡ଼ାଇ ଦିଅନ୍ତୁ ଏବଂ ଗୋଟାଏ ଶିଳ ପଥର ଆଣି ତା’ ଉପରେ ରଖିଦିଅନ୍ତୁ । (ଧ୍ୟାନ ରହେ ଯେପରି ବାମ୍ଫ ବାହାରି ନଯାଏ ।) ଘଡ଼ିରେ ସମୟ ଦେଖନ୍ତୁ । ବସାଇବାର ଠିକ୍ ପନ୍ଦର ମିନିଟ ପରେ ପିଠାଟି ଓହ୍ଲାଇ ଆଣନ୍ତୁ । ମନଇଚ୍ଛା ଅତିଥି ଅଭ୍ୟାଗତମାନଙ୍କର ସତ୍କାର କରନ୍ତୁ ।

 

ପିଠା ବିଷୟରେ ଲେଖିସାରିବା ପରେ ମୁଁ ଶ୍ରୀମତୀ ମନସ୍ୱୀ ମହାପାତ୍ରଙ୍କ ଘରକୁ ଗଲି । ଯେତେହେଲେ ଓଡ଼ିଶାର ବ୍ୟଞ୍ଜନ ସାହିତ୍ୟର ସେ ପ୍ରଥମ ଲେଖିକା–ତେଣୁ ତାଙ୍କର ଆଶୀର୍ବାଦ ନେବା ଅତ୍ୟନ୍ତ ଆବଶ୍ୟକ ଥିଲା । କବାଟରେ ଆବାଜ କଲି । ଚାକରଟୋକା କବାଟ ଖୋଲିଲା । ପଚାରିଲି ଶ୍ରୀମତୀ ମହାପାତ୍ର କାହାନ୍ତି ବୋଲି । ସେ କହିଲା ଯେ, ସେ ଗୋଟାଏ ସାହିତ୍ୟ ସଭାକୁ ଯାଇଛନ୍ତି । ଶ୍ରୀ ମହାପାତ୍ରଙ୍କ ବିଷୟରେ ପଚାରିବାରୁ ସେ କହିଲା ଯେ, ଭଦ୍ରବ୍ୟକ୍ତି ଜଣକ ରାତ୍ରି ଭୋଜନ କରିବା ପାଇଁ ଗୋଟାଏ ହୋଟେଲକୁ ଯାଇଛନ୍ତି । ଆଶ୍ଚର୍ଯ୍ୟ ଲାଗିଲା–ଶ୍ରୀମତୀ ମହାପାତ୍ରଙ୍କର ସ୍ୱାମୀ ହୋଟେଲରେ ଖାଉଥିବେ !

 

ହୋଟେଲର ଠିକଣା ନେଇ ସେଠାରେ ପହଞ୍ଚିଲି । ହୋଟେଲରେ ଅନେକ ଲୋକ ଖାଉଥିଲେ । ଚିହ୍ନିବାରେ ଅସୁବିଧା ହେବାରୁ ହୋଟେଲ ମାଲିକକୁ ତାଙ୍କ ବିଷୟରେ ପଚାରିଲି । ହୋଟେଲ ମାଲିକ ଜଣକ ମୋତେ ଭଦ୍ରବ୍ୟକ୍ତିଜଣକୁ ଦେଖାଇଦେଇ କହିଲେ ଯେ ସେ ପ୍ରତିରାତି ଏଠାରେ ହିଁ ଭୋଜନ କରନ୍ତି ।

 

ତାଙ୍କ ପାଖକୁ ଯାଇ ନିଜ ପରିଚୟ ଦେଲି ଏବଂ କହିଲି–ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆପଣ ଶ୍ରୀମତୀ ମହାପାତ୍ରଙ୍କର ପତି ହୋଇ ହୋଟେଲରେ ପ୍ରତିଦିନ ଖାଉଛନ୍ତି ।

 

ସେ ମୋ’ କଥା ଶୁଣି ହସିଥିଲେ । କହିଲେ–‘‘ଆପଣ ମୋ’ ଜାଗାରେ ଥିଲେ ଠିକ୍ ଏଇ କଥା ହିଁ କରିଥାଆନ୍ତେ । ଯେଉଁଦିନଠାରୁ ମୋ ସ୍ତ୍ରୀ ଖାଇବା ପଦାର୍ଥ ଉପରେ ଲେଖିବା ଆରମ୍ଭ କଲେ ସେଇଦିନଠାରୁ ମୋ ଘର ଗୋଟାଏ ଖାଦ୍ୟପଦାର୍ଥ ବନାଇବାର ଗବେଷଣାଗାର ବନିଯାଇଛି । ପ୍ରତିଦିନ ସେ ମୋତେ ଗବେଷଣାମୂଳକ ଖାଦ୍ୟ କିଛି ଦେଇ ତା ଉପରେ ଗୋଟାଏ ଭାଷଣ ଦିଅନ୍ତି । ମୁଁ ବେଶିଦିନ ସେ ଗବେଷଣାମୂଳକ ଖାଦ୍ୟ ଖାଇ ପାରିଲି ନାହିଁ । ପେଟ ଖରାପ ହୋଇଗଲା । ତେଣୁ ଅଗତ୍ୟା ଏ ହୋଟେଲରେ ଖାଉଛି । ଆପଣ କେବେ ଚିଙ୍ଗୁଡ଼ି–କଦଳୀ ଖଟା ବା ବୋଇତାଳୁ ମିଶା ମାଂସ ଚପ୍ ଖାଇଛନ୍ତି ! ସେ ସବୁ ମୁଁ ଖାଇଛି । ତେଣୁ ଆପଣଙ୍କର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।’’

 

ମୁଁ ତାଙ୍କୁ କିଛି ନ କହିଥିଲେ ମଧ୍ୟ ନୀରବରେ ସମର୍ଥନ ଜଣାଇ ଘରକୁ ଫେରିଥିଲି ।

Image

 

ଶକ୍ତି ବିବାଦ

 

ବିଜୁଳିବିଭାଗର ଓଭରସିଅର ଏବଂ ବିଭାଗୀୟ ନେତା ରମେଶବାବୁଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଗୋଟାଏ ଯୁକ୍ତି ଥିଲା । ତାହା ପୁଣି ଶାସ୍ତ୍ରସଙ୍ଗତ ଥିଲା । ଯେମିତି–

 

‘‘ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ ।’’ ଠିକ୍ ସେମିତି–

 

‘‘ଅନ୍ଧାର ଶକ୍ତି ଯା’ର ଥାଇ, ସେ ପୁଣି ବିଜୁଳି ଦିଅଇ ।’’

 

ମ୍ୟୁନିସିପାଲଟିବାଲା ରାସ୍ତାରେ ଧରିନେଇ ବିନା ଲାଇସେନ୍‌ସରେ ସାଇକେଲ ଚଳାଉଥିବା ହେତୁ ଜୁର୍ମାନା କଲେ । ସମାଧାନ–ମ୍ୟୁନିସିପାଲଟି ଅଫିସ୍‌ର ବିଜୁଳି କାଟିଦିଅ । ଅମୁକ ସ୍କୁଲରେ ବିଜୁଳି ବିଭାଗର ଇଞ୍ଜିନିୟରଙ୍କ ପିଲାଙ୍କୁ ଆଡ଼ମିଶନ୍ ମିଳିଲା ନାହିଁ । ସମାଧାନ–ପରୀକ୍ଷା ସମୟରେ ସେହି ସ୍କୁଲ ହଷ୍ଟେଲର ବିଜୁଳି କନେକ୍‌ସନ କାଟିଦିଅ ବା ହେଡ଼ମାଷ୍ଟରଙ୍କର ଝିଅ ବାହାଘର ଦିନ ଫ୍ୟୁଜ ଉଡ଼ାଇଦିଅ । ଅମୁକ ମାରୁଆଡ଼ି ଜିନିଷ କିଣିଲାବେଳେ ବେଶି ଝକ ଝକ ହେଲା । ବିଜୁଳି ବିଭାଗର ଲୋକ ବୋଲି ସ୍ୱ–ପରିଚୟ ଦେଲା ପରେ ମଧ୍ୟ ଟୁଥପେଷ୍ଟଟାଏ ଶସ୍ତାରେ ଦେଲାନାହିଁ । ସମାଧାନ–ତା’ ମିଟର ବିଗାଡ଼ିଦିଅ । ମାସକୁ ତିନିଶହ ଟଙ୍କା ବିଲ ହୋଇଯିବ । ପୁଅ ପାନେ ପାଇଯିବ ।

 

କେହି ସହକର୍ମୀ ଏପରି କାର୍ଯ୍ୟକଳାପ ବିଷୟରେ ଭ୍ରୂକୁଟୀ କୁଞ୍ଚନ କଲେ ତାକୁ ରମେଶବାବୁ ବୁଝାଇ ଦିଅନ୍ତି–‘‘ଦେଖ, ଭଗବାନ ଯାହାକୁ ଯେଉଁ କ୍ଷମତା ଦେଇଛନ୍ତି ସେ’ ହିଁ ତାହାର ସଦବ୍ୟୟ ବା ଅପବ୍ୟୟ କରିପାରେ–ଅନ୍ୟ କେହି ନୁହେଁ । ବାଘ ଚାହିଁଲେ ମଣିଷ ମାରିପାରେ ବା ନ ମାରିପାରେ, ସେମିତି କୁକୁଡ଼ା ଚାହିଁଲେ ଅଣ୍ଡା ଦେଇପାରେ ବା ଦେଇ ନ ପାରେ-। ତେଣୁ ବିଜୁଳି ବିଭାଗ ଚାହିଁଲେ ବିଦ୍ୟୁତ୍ ଦେଇପାରେ ବା ନ ପାରେ, ଯେମିତି ମ୍ୟୁନିସିପାଲିଟି ଚାହିଁଲେ ନଳା ସଫା କରିପାରେ ବା ନ ପାରେ, ଅଥବା ଯେମିତି ଟ୍ରେଜେରୀ ଅଫିସର ଚାହିଁଲେ ବିଲ୍‌ପାସ୍ କରିପାରେ ବା ଆପତ୍ତି ଜଣାଇ ଫେରାଇ ଦେଇପାରେ । କଅଣ ଭୁଲ ଅଛି ସେଥିରେ-?’’ ସହକର୍ମୀମାନେ ନୀରବ ହୋଇଯାଆନ୍ତି । ବିଭାଗର ଆତ୍ମସମ୍ମାନ ରକ୍ଷା କରିବାକୁ ବିଜୁଳି ଶକ୍ତିଦ୍ୱାରା ଏତେ ଶକ୍ତିଶାଳୀ ଉମେଶବାବୁ ଓଭରସିଅରରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ହୋଇଗଲା ପରେ ଆହୁରି ବେଶି ଶକ୍ତିମାନ୍ ହୋଇଗଲେ । ଘରେ ଗୋଟାଏ ଟେଲିଫୋନ ଲାଗିଲା-। ବିଜୁଳିଶକ୍ତି ସାଙ୍ଗରେ ଟେଲିଫୋନ ଶକ୍ତି–ଦୁଇଟିଯାକ ମିଶିଯାଇ ଯେମିତି ଆଣବିକ ଶକ୍ତି ବନିଗଲା-

 

ଘରେ ଯେଉଁ ଟେଲିଫୋନଟା ଲାଗିଥିଲା ସେଇଟା ଗୋଟାଏ ଏମିତି ସେମିତି ଟେଲିଫୋନ ନୁହେଁ । ଲାଲରଙ୍ଗର ଟେଲିଫୋନଟାଏ । ସେଥିରେ ଗୋଟାଏ ଲମ୍ବା ତାର ଲାଗିଥିଲା-। ଘରର ଯେ କୌଣସି ସ୍ଥାନରେ ପହଞ୍ଚି ପାରିବ । ସେଥିରେ ଗୋଟାଏ ଆଦେଶାତ୍ମକ ଶକ୍ତି ମଧ୍ୟ ଥିଲା । ପାଞ୍ଚଜଣ ଲୋକଙ୍କ ଆଗରେ ଆଦେଶ ଦେଇହେବ–‘‘ଆରେ ନଟ, ଟେଲିଫୋନଟା ଏଆଡ଼େ ଆଣିଲୁ ।’’

 

ରମେଶବାବୁଙ୍କ ଜୀବନର ମାନଦଣ୍ଡ ବଢ଼ିଯାଇଥିଲା । ସରକାରଙ୍କର କେତେ ଆବଶ୍ୟକତା ନଥିବା ହେତୁ ତାଙ୍କ ଘରେ ଟେଲିଫୋନ ଲଗାଇଲେ ! ସେଥିରେ ପୁଣି କଳାରଙ୍ଗର ନୁହେଁ ନାଲିରଙ୍ଗର– । ରୁଷିଆ ଏବଂ ଆମେରିକା ଭିତରେ ଥିବା ‘ହଟ୍‌ଲାଇନ୍’ ଭଳି । ପ୍ରାଥମିକତାର ଆଧାର ଉପରେ ହିଁ ଟେଲିଫୋନଟି ଯେମିତି ଲଗାହୋଇଛି । ଦେଶର ଯେକୌଣସି ମହତ୍ତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ସରକାର ଯେମିତି ଏଇ ଟେଲିଫୋନରେ ଗୋଟାଏ ରିଂ ନିଶ୍ଚୟ ଦେବେ ।

 

ଏଇ ମହତ୍ତ୍ୱପୂର୍ଣ୍ଣ ଟେଲିଫୋନ ରଖିବା ପାଇଁ ଗୋଟାଏ ନିରାପଦ ସ୍ଥାନ ଦରକାର । ଯେ କୌଣସି ଈର୍ଷାନ୍ୱିତ ଚୋର ଏହାକୁ ଚୋରି କରିନେଇ ପାରେ । ରମେଶବାବୁ ଚିନ୍ତିତ ହୋଇ ଉଠୁଥିଲେ । ସ୍ତ୍ରୀ ଏବଂ ପିଲାମାନଙ୍କୁ ଡାକି ପରାମର୍ଶ କଲେ । ସମ୍ମିଳିତ ନିଷ୍ପତ୍ତି ଅନୁସାରେ ଟେଲିଫୋନଟିକୁ ରମେଶବାବୁଙ୍କ ବିଛଣା କଡ଼ରେ ଗୋଟାଏ ଛୋଟ ଝୁଲ୍‌ଉପରେ ରଖାଗଲା ।

 

ରମେଶବାବୁର ଦ୍ୱିତୀୟ ପୁଅଟା ବୁଦ୍ଧିମାନ; କିନ୍ତୁ ଟିକିଏ ଖଚଡ଼ା । ପଚାରିଲା–‘‘ବାପା, ଏଇଟା କଅଣ ମ୍ୟୁନିସିପାଲଟି ଟେଲିଫୋନ୍ ? ଏହାର ରଙ୍ଗ ଲାଲ କାହିଁକି ହୋଇଛି ?’’

 

ରମେଶବାବୁ କ୍ଷୁର୍ଣ୍ଣ ହୋଇ ତାକୁ ଚୁପ୍ ରହିବାପାଇଁ କହିଲେ । ଟେଲିଫୋନର ବହୁମୁଖୀ ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଗୋଟାଏ ବକ୍ତୃତା ଏବଂ ‘କରିବା’ ‘ନ କରିବା’ ବିଧିଗୁଡ଼ିକ ବିଷୟରେ ମଧ୍ୟ ଜଣାଇଦେଇଗଲେ ।

 

ପ୍ରଥମ କଲ୍‌ । ସମସ୍ତେ ଚିନ୍ତାରେ ପଡ଼ିଲେ । ଅନୁକୂଳରେ ବାଧା ପଡ଼ିଲେ ଭବିଷ୍ୟତ ଅନ୍ଧକାର । ଅନେକ ସମୟ ଧରି ଆଲୋଚନା ଚାଲିବା ପରେ ଠିକ୍ ହେଲା ଯେ ପଡ଼ୋଶୀ ନିର୍ମଳବାବୁଙ୍କ ଘରକୁ ଫୋନ କରାଯିବ । ନିର୍ମଳବାବୁଙ୍କ ଘରକୁ ଟେଲିଫୋନ କରିବା ସପକ୍ଷରେ ଅନେକ ଯୁକ୍ତି ଥିଲା । ନିର୍ମଳବାବୁଙ୍କ ଘରେ ବହୁତ ଦିନ ଆଗରୁ ଟେଲିଫୋନ ଲାଗିଥିଲା । ତେଣୁ ଆବଶ୍ୟକ ପଡ଼ିଲେ ରମେଶବାବୁ ଏବଂ ତାଙ୍କ ପରିବାରର ଲୋକମାନେ ହିଁ ସେଠାରେ ଟେଲିଫୋନ କରୁଥିଲେ । ଏହା ଫଳରେ ଘରର ସମସ୍ତେ ଅନୁଭବ କରିବା ପାଇଁ ଲାଗିଥିଲେ ଯେ ନିର୍ମଳବାବୁଙ୍କ ପରିବାରର ଲୋକମାନଙ୍କର ଗର୍ବ ହୋଇଯାଇଛି । ପରୋକ୍ଷରେ ରମେଶବାବୁଙ୍କର ପ୍ରତିଷ୍ଠା କମି ଆସିଥିଲା । ତେଣୁ ନିର୍ମଳବାବୁଙ୍କ ପରିବାରର ଗର୍ବ ଚୂର୍ଣ୍ଣ କରିବା ପାଇଁ ତାଙ୍କର ଘରକୁ ପ୍ରଥମ କଲ ଡାଏଲ୍‌କରାଗଲା ।

 

ଟେଲିଫୋନର ରିଂ କିଛି ବେଳ ଗଲା ପରେ ମଧ୍ୟ ସେପଟରୁ କେହି ରିସିଭର ଉଠାଇଲେ ନାହିଁ । ଦ୍ୱିତୀୟ ଥର ବଡ଼ ସନ୍ତର୍ପଣତାର ସହିତ ରମେଶବାବୁ ଡାଏଲ କଲେ । ହଠାତ୍ ମଝିରୁ ଶୁଣାଗଲା–‘‘କଅଣ ଥ୍ରୀ ଏଇଟ୍‌ଟୁରୁ କହୁଛନ୍ତି ? କଅଣ ଏଇଟା ମିଶ୍ରବାବୁଙ୍କ ଘର ?’’ ରମେଶବାବୁଙ୍କୁ କଥାଟା ଆଦୌ ଭଲ ଲାଗିଲା ନାହିଁ । ତାଙ୍କ ଆତ୍ମସମ୍ମାନରେ ବାଧା ଲାଗିଲା । କି ଆଶ୍ଚର୍ଯ୍ୟ କଥା... ପୂରା ଛଅଘଣ୍ଟା ହେଲା ଟେଲିଫୋନ ଲାଗିଲାଣି ଅଥଚ ଏ ଲୋକଟା ଏପର୍ଯ୍ୟନ୍ତ ଟେଲିଫୋନଟା କାହା ନାଆଁରେ ଅଛି ଜାଣି ପାରିଲା ନାହିଁ ?

 

ସାମାନ୍ୟ କ୍ଷୁବ୍‌ଧ ହୋଇ କହିଲେ–‘‘ଟେଲିଫୋନ ନମ୍ବର ଡାଏଲ୍ କଲା ପୂର୍ବରୁ କଅଣ ଆପଣ ଟେଲିଫୋନଟା କାହାର ଜାଣିବା ପାଇଁ ଚେଷ୍ଟା କରି ନ ଥିଲେ ?’’ ସେପଟୁ ପୁଣି ପ୍ରଶ୍ନ ଆସିଲା–‘‘କଅଣ ଟେଲିଫୋନଟା ଠିକ୍ କାମ କରୁଛି ? ଉଠାଇଲା ମାତ୍ରେ ଡାଏଲ୍ ଟୋନ୍ ମିଳୁଛି ତ-?’’

 

ଏଥର ରମେଶବାବୁ ସଜାଗ ହୋଇଉଠିଲେ । ନିଶ୍ଚୟ ଜଣେ କେହି ଖଳପ୍ରକୃତିର ଈର୍ଷାନ୍ୱିତ ବ୍ୟକ୍ତି ଗୋଟାଏ ଭଲ ଟେଲିଫୋନ ଲାଗିଅଛି ବୋଲି ଜାଣିପାରି ଅପଦସ୍ଥ କରିବା ପାଇଁ ଏ ପ୍ରକାର ଖେଳ ଖେଳୁଛି । ନିଶ୍ଚୟ ଏଇ ନିର୍ମଳବାବୁଙ୍କ ଘରର ଲୋକମାନେ ହୋଇଥିବେ । ନ ହେଲେ ତାଙ୍କରି ନମ୍ବର ତ ଡାଏଲ ହୋଇଥିଲା–ମଝିରୁ କିଏ ଆଉ ଉଠାଇବ ? ରମେଶବାବୁ ଉତ୍ତେଜିତ ହୋଇ ଉଠୁଥିଲେ । କହିଲେ–‘‘ଟେଲିଫୋନ ବିଲକୁଲ୍ ଠିକ୍ ଅଛି । ଆପଣଙ୍କର କାନଟା ବୋଧହୁଏ ଖରାପ ଥିବ । ଆଉ ଯଦି ବେଶି ବଦ୍‌ମାସି କରିବେ ତେବେ ମୁଁ ଏକ୍‌ସଚେଞ୍ଜକୁ କମ୍ପଲେଣ୍ଟ୍ ଲେଖିବି– । ବୁଝିଲେ ?’’

 

ସେପଟରୁ ଉତ୍ତର ଆସିଲା–‘‘ମୁଁ ଟେଲିଫୋନ ବିଭାଗର ଲୋକ କହୁଛି । ଆପଣଙ୍କର ନୂଆ ଟେଲିଫୋନ ଲାଗିଥିବାରୁ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଟେଷ୍ଟ କରୁଥିଲି–ଗାଳି ଖାଇବା ପାଇଁ ନୁହେଁ । ଯଦି ଆପଣ ଟେଲିଫୋନ ବିଭାଗର ଲୋକମାନଙ୍କ ସାଙ୍ଗରେ ଠିକ୍ ବ୍ୟବହାର ନ କରିବେ ତାହାହେଲେ ଆପଣଙ୍କର ଟେଲିଫୋନ୍ ରଖିବା ନ ରଖିବା ବରାବର ହୋଇଯିବ ।’’

 

ରମେଶବାବୁ ଏତିକି ଶୁଣିସାରିବା ପରେ ଉତ୍ତ୍ୟକ୍ତ ହୋଇଉଠିଥିଲେ । ଲୋକଟାର କି ଆସ୍ପର୍ଦ୍ଧା ! ବିଜୁଳି ଇଞ୍ଜିନିୟରଙ୍କୁ ଧମକି ଗୋଟାଏ ମାମୁଲି ଟେଲିଫୋନ୍ କର୍ମଚାରୀ ଦ୍ୱାରା ! ତାଙ୍କ ଦେହରେ ଯେମିତି ବିଜୁଳି ଲାଗିଗଲା । କହିଲେ–

 

‘‘କଅଣ କହିଲ ? ଟେଲିଫୋନ୍ ବିଭାଗରେ କାମ କରି ବିଜୁଳି ବିଭାଗକୁ ଧମକ ? କଅଣ ଗିଲୋଟିନରେ ବେକଟା କାଟି ପକାଇବ !! ସେ ଧମକି ଅନ୍ୟ ବିଭାଗକୁ ଦେବ । ଆମେ ଚାହିଁଲେ ତମ ଏକସ୍‌ଚେଞ୍ଜର ବିଜୁଳି ଲାଇନ୍ କାଟିଦେବୁ । ବିଜୁଳିଦ୍ୱାରା ତମ ଏକ୍‌ସ୍‌ଚେଞ୍ଜ ଚାଲୁଛି ବୋଲି ତମେ ଆଜି ମୋ ସାଙ୍ଗରେ କଥାବାର୍ତ୍ତା କରିବାର ଦୁଃସାହସ କରୁଛି । ଏଥର ମୁଁ ତମକୁ ବିଜୁଳି ବିଭାଗ ସାଙ୍ଗରେ ନ ଖେଳିବାକୁ ଅନ୍ତିମ ଚେତାବନୀ ଦେଉଛି । ପରିଣାମ ଭଲହେବ ନାହିଁ-।’’ ସେପଟୁ ମଧ୍ୟ ଚଢ଼ାଗଳାରେ ଗୋଟାଏ ଉତ୍ତର ଆସିଲା–‘‘ତମେ ବିଜୁଳି ବିଭାଗ କି ପାଣି ବିଭାଗ କି ମେଘ ବିଭାଗ ହେଲେ ଆମ ଉପରେ ତାହାର କିଛି ପ୍ରଭାବ ନାହିଁ । ଆମେ ବି ଟେଲିଫୋନ୍ ବିଭାଗ ଆପଣଙ୍କୁ ଅନ୍ତିମ ଚେତାବନୀ ଦେଉଛୁ–ସାବଧାନ !’’ ସେ ପଟରୁ ଟେଲିଫୋନ୍ କଟିଗଲା । ସ୍ତ୍ରୀ ପଚାରିଲେ କାହାର ଟେଲିଫୋନ୍ ଥିଲା ବୋଲି । ପିଲାମାନେ ରମେଶବାବୁଙ୍କ ଉଚ୍ଚସ୍ୱର ଶୁଣି ଶଙ୍କିତ ହୋଇଯାଇଥିଲେ । ସମସ୍ତଙ୍କ ଆଗରେ ଗୋଟାଏ ଭୀଷଣ ଅପମାନ ହୋଇଯାଇଥିବା ବୋଧ କରିଥିଲେ ରମେଶବାବୁ । ଟେଲିଫୋନ୍ ବିଜୁଳି ସବ୍–ଷ୍ଟେସନ୍‌କୁ ମିଳାଇଲେ । ରିଂ ଯିବା ପରିବର୍ତ୍ତେ ଗୋଟାଏ ଅନବରତ ଶବ୍ଦ ଆସିବାକୁ ଲାଗିଲା । ଯେତେଥର ମିଳାଇଲେ ସେତେଥର ଏନଗେଜଡ଼୍‌ ଟୋନ୍ ମିଳିଲା । ସବ୍‌ଷ୍ଟେସନ ଦୂରରେ ଥିଲା ଏବଂ ଛୁଟିଦିନ ଥିଲା । ରମେଶବାବୁ ଠିକ୍ କଲେ ଯେ ଗାଧୋଇସାରି ପୁଣି ଟେଲିଫୋନ୍ କରିବେ । ଯେମିତି ହେଲେ ଏ ଟେଲିଫୋନ୍ ଏକ୍‌ସ୍‌ଚେଞ୍ଜର ବିଜୁଳି ଲାଇନ୍ କାଟିବାକୁ ପଡ଼ିବି । ଏତିକି ଭାବି ସେ ବାଥ୍‌ରୁମ୍‌କୁ ଚାଲିଗଲେ ।

 

ବାଥ୍‌ରୁମ୍‌ରେ ସେ ପଶିଛନ୍ତି କି ନାହିଁ ଟେଲିଫୋନ୍ କ୍ରି... କ୍ରିଂ ଆବାଜ କଲା । ପତ୍ନୀଙ୍କୁ ପାଟିକରି କହିଲେ ଟେଲିଫୋନ୍ ଉଠାଇବା ପାଇଁ ।

 

ଶ୍ରୀମତୀ ଟେଲିଫୋନ୍ ଉଠାଇଲେ । ଆରପଟୁ ଆବାଜ ଆସିଲା–

 

‘‘କଅଣ ରମେଶବାବୁଙ୍କ ଘର ?’’

 

ପତ୍ନୀ କହିଲେ–‘‘ହଁ । କିନ୍ତୁ ରମେଶବାବୁ ବାଥ୍‌ରୁମ୍‌ରେ ଅଛନ୍ତି, ଆପଣ ଅଧଘଣ୍ଟା ପରେ ଫୋନ୍ କରନ୍ତୁ ।’’

 

ପୁଣି ଶୁଣାଗଲା–‘‘ରମେଶବାବୁ ଯଦି ବାଥ୍‌ରୁମ୍‌ରେ ଅଛନ୍ତି ତେବେ ଆପଣ ହେଲେ ମଧ୍ୟ ଚଳିବ ।’’

 

ଶ୍ରୀମତୀ କହିଲେ–‘‘କଅଣ କୁହନ୍ତୁ ମୁଁ ତାଙ୍କୁ କହିଦେବି ।’’

 

ଉତ୍ତର ଆସିଲା–‘‘ରମେଶବାବୁଙ୍କୁ କହିଦେବେ ଯେ ସେ ଜଣେ ପାଗଳ । ପାଠ ପଢ଼ି ମଧ୍ୟ ସେ ଜଣେ ଗୁଣ୍ଡା ମନୋବୃତ୍ତିର ଲୋକ । ଯଦି ସେ ତାଙ୍କର ବ୍ୟବହାର ନ ବଦଳାନ୍ତି ତା’ହେଲେ ସେ କୌଣସି ଦିନ ତାଙ୍କୁ ହସ୍‌ପିଟାଲ ପଠାଯାଇପାରେ । ଅଭଦ୍ର.......’’

 

ଡରିଯାଇ ପତ୍ନୀ ପଚାରିଲେ–‘‘ଆପଣ କିଏ କହୁଛନ୍ତି ?’’

 

ଉତ୍ତର ଆସିଲା–‘‘ଆପଣଙ୍କର ଜନୈକ ପତି । କେମିତି ଚିହ୍ନିପାରୁ ନାହାନ୍ତି ?’’ ଟେଲିଫୋନ୍ ଲାଇନଟା କଟିଗଲା । ବାଥରୁମ୍‌ରୁ ବାହାରି ଆସି ରମେଶବାବୁ ଦେଖନ୍ତି ତ ପତ୍ନୀ ଖଟ ଉପରେ ବସି କାନ୍ଦୁଛନ୍ତି । ତାଙ୍କୁ ବୁଝାଇ ସୁଝାଇ କାନ୍ଦିବାର କାରଣ ପଚାରିଲେ । ସବୁ କଥା ଶୁଣି ସାରିଲା ବେଳକୁ ତାଙ୍କ ଦେହ ମୁଣ୍ଡ ଜଳିଗଲା । କିଛି ନ କହି ପୁଣି ବିଜୁଳି ସବ୍‌ଷ୍ଟେସନ୍‌କୁ ଟେଲିଫୋନ ଡାଏଲ୍ କଲେ । ସେପଟରୁ ଆବାଜ ଆସିଲା ।

 

‘‘ହେଲୋ ।’’

 

‘‘ହେଲୋ । –କଅଣ ଟେଲିଫୋନ୍ କମ୍ପଲେଣ୍ଟରୁ କହୁଛନ୍ତି ?’’

 

‘‘ମୁଁ ଧଡ଼ି ସାହୁ ଆଳୁ ଗୋଦାମରୁ କହୁଛି ଆଜ୍ଞା । ମାଲିକ ବାହାରକୁ ଯାଇଛନ୍ତି ।’’ ଧେତ୍ କହି ଟେଲିଫୋନଟା ରଖିଦେଲେ ରମେଶବାବୁ । ବୋଧେ ଭୁଲ ନମ୍ବରଟାଏ ମିଳିଗଲା କି କଅଣ । ପୁଣି ଅତି ସାବଧାନତା ସହକାରେ ନମ୍ବରଗୁଡ଼ିକ ଦେଖି ମିଳାଇଲେ । ସେପଟୁ ଆବାଜ ଆସିଲା–‘‘ବାଟା ଦୋକାନ । କୁହନ୍ତୁ କଅଣ ଦରକାର ?’’

 

ରମେଶ ବାବୁ ପଚାରିଲେ–‘‘କଅଣ ଟେଲିଫୋନ କମ୍ପଲେଣ୍ଟରୁ କହୁନାହାନ୍ତି ?’’ ସେପଟୁ ଉତ୍ତର ଆସିଲା–‘‘ଜୋତା ବିଷୟରେ କମ୍ପଲେଣ୍ଟ ଅବଶ୍ୟ ଲେଖାଇ ପାରନ୍ତି ଅନ୍ୟ ବିଷୟରେ ନୁହେଁ ।’’

 

କିଛି ନକହି ରମେଶବାବୁ ଲାଇନ କାଟିଦେଲେ ଏବଂ ପୁଣି ଥରେ ନମ୍ବର ମିଳାଇଲେ । ଏଥର ସେପଟୁ, ନାରୀକଣ୍ଠର ଆବାଜ ଆସିଲା ‘‘ହେଲୋ, ମୁଁ ମହିଳା କଲେଜର ହଷ୍ଟେଲରୁ କହୁଛି-।’’

 

ରମେଶ ବାବୁ କହିଲେ–‘‘କ୍ଷମା କରିବେ ଆଜ୍ଞା । ଭୁଲ ନମ୍ବରଟାଏ ବୋଧେ ପୁଣି ମିଳିଗଲା ।’’

 

ସେପଟୁ ଶବ୍ଦ ଆସିଲା, ‘‘ସବୁ ବଜାରୀ ସେମିତି କହନ୍ତି ।’’

 

ଏତେ ଚେଷ୍ଟାକରି ମଧ୍ୟ ଗୋଟାଏ ନମ୍ବର ନ ମିଳୁଥିବା ହେତୁ ରମେଶବାବୁ ଅପ୍ରତିଭ ହୋଇଉଠୁଥିଲେ । ପତ୍ନୀ ଏବଂ ପିଲାମାନେ ତାଙ୍କୁ ଚାହିଁରହିଥିଲେ । ରମେଶବାବୁ ବୁଝାଇ ଦେଲେ ଟେଲିଫୋନ୍‌ଟା ଆଦୌ ଖରାପ ହୋଇନାହିଁ–କେବଳ ଏକ୍‌ସ୍‌ଚେଞ୍ଜର ଲୋକମାନେ ହିଁ ଗଣ୍ଡଗୋଳ କରୁଛନ୍ତି ।

 

ତାଙ୍କ ମୁହଁରୁ ଏତିକି କଥା ସରିଛି କି ନାହିଁ ଏଥର ଗୋଟାଏ ରିଂ ଆସିଲା । ଏ ଓଲଟା ରିଂ ଆସିବା ଦେଖି ରମେଶବାବୁଙ୍କ ମୁଖ ସାମାନ୍ୟ ଉଜ୍ଜ୍ୱଳ ହୋଇଆସିଲା । ହୁଏତ ଅଫିସ୍‌ର କେହି ଲୋକ ଫୋନ୍ କରିଥିବ । କହିଲେ–‘‘ହେଲୋ !’’

 

‘‘ହେଲୋ ହିନ୍ଦୁ କୃଷକ ବାହିନୀ ! ଅକ୍ଷୟବାବୁଙ୍କୁ ଡାକିଦେବେ ।’’

 

ରମେଶବାବୁ ଟେଲିଫୋନ୍ ଛାଡ଼ିଦେଲେ । ଦ୍ୱିତୀୟ ରିଂ ଆସିଲା ।

 

‘‘ହେଲୋ ।’’

 

‘‘ହେଲୋ, ମଙ୍ଗଳାବାଗ ଥାନା । ଆଜ୍ଞା, ଆମ ଘରେ ଚୋର ପଶିଥିଲା । କବାଟ ବନ୍ଦ କରିଦେଇଛୁ । ଆପଣ ଶୀଘ୍ର ଆସନ୍ତୁ ।’’

 

ତୃତୀୟ ରିଂ ଆସିଲା ।

 

‘‘ହେଲୋ, ମୁଁ ରମେଶ ଚନ୍ଦ୍ର ମିଶ୍ର କହୁଛି ।’’

 

‘‘ଶୁଣିଲୁ ଆପଣଙ୍କର ବାପା ସକାଳେ ଆଜି ମରିଗଲେ । ଘରକୁ ଯିବେ ନାହିଁ ?’’

 

‘ଇସ୍’ କହି ରମେଶବାବୁ ଟେଲିଫୋନ୍ ଛାଡ଼ିଦେଲେ । ରିଂ ଆସିବା କିନ୍ତୁ ବନ୍ଦ ହେଲାନାହିଁ । ଗୋଟାଏ ପରେ ଗୋଟାଏ ରିଂ ଆସିବାକୁ ଲାଗିଲା । କେତେବେଳେ ପଶୁ ହସ୍‌ପିଟାଲରୁ ତ କେତେବେଳେ ଜେଲରୁ । କେତେବେଳେ କେନାଲ ଇଞ୍ଜିନିୟରଙ୍କର ଘରୁ ତ କେତେବେଳେ ଆକାଶବାଣୀରୁ । ଅନବରତ ରିଂ...ରିଂ ଶବ୍ଦ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଇଲା ।

 

ପତ୍ନୀ କହିଲେ, ‘‘ଦେଖିଲ, ସମସ୍ତଙ୍କ ସାଙ୍ଗରେ ଝଗଡ଼ା କଲେ କଅଣ ହୁଏ ? ତମେ ବି ତ ପୁଣି ଲୋକମାନଙ୍କର ବିଜୁଳି ଲାଇନଗୁଡ଼ାକ ବିନା କାରଣରେ କାଟିଦିଅ–ଏବେ ସମ୍ଭାଳ । ଟେଲିଫୋନ୍‌ବାଲା ବି କିଛି ନା କିଛି ଗୋଟାଏ ନାଟ ଲଗାଇବେ । ତମେମାନେ ଯଦି ବେଶି କିଛି କରିବ, ସେମାନଙ୍କର ୟୁନିୟନ ହରତାଳ କରିପାରେ । ତେଣୁ କିଛି ଦିନ ଚୁପ୍ ରହିବା ଭଲ ।’’

 

ରମେଶବାବୁ ପତ୍ନୀଙ୍କ କଥାଟା କେତେଦୂର ହୃଦୟଙ୍ଗମ କରିଥିଲେ ସେଇଟା ଠିକ୍ ଭାବରେ ଜଣାନାହିଁ–ମାତ୍ର ସେ ଟେଲିଫୋନ୍ ତାରଟା ଜୋର୍‌ରେ ଟାଣି ଛିଡ଼ାଇ ଦେଇଥିଲେ ଆଉ ଟେଲିଫୋନ୍‌ଟା ଖଟତଳେ ରଖିଦେଇଥିଲେ ।

Image

 

Unknown

ପାଗଳଖାନାର ସେ ତିନିଜଣ

 

ପାଗଳଖାନାର ଉଦ୍ୟାନରେ ସନ୍ଧ୍ୟାବେଳେ ଜଣେ ବ୍ୟକ୍ତି ବସିଥିଲେ । ସାମାନ୍ୟ ଆଲୋକ ସେ ବସିଥିବା ବେଞ୍ଚଟିକୁ ଆଲୋକିତ କରିଥିଲା । କିଛି ବେଳ ପରେ ଆଉ ଜଣେ ବ୍ୟକ୍ତି ମଧ୍ୟ ଆସି ସେ ବେଞ୍ଚ ଉପରେ ତାଙ୍କ ପାଖରେ ବସିଲେ ।

 

ପ୍ରଥମ ବ୍ୟକ୍ତି–ଆପଣ କଅଣ ଏଠାରେ ରହନ୍ତି ? ବାହାରେ ଲାଗିଥିବା ବୋର୍ଡ଼ର ଲେଖା ଅନୁସାରେ ତ ଏଠାରେ ଅନ୍ୟ ବ୍ୟକ୍ତିମାନେ ପ୍ରବେଶ କରି ପାରିବେ ନାହିଁ !

 

ଦ୍ୱିତୀୟ ବ୍ୟକ୍ତି–ହଁ, ମୁଁ ପାଗଳ ଅବସ୍ଥାରେହିଁ ଏଠାକୁ ଅଣାଯାଇଥିଲି । ଏବେ ପ୍ରାୟ ଭଲ ହୋଇ ଯାଇଛି । ତେଣୁ ଡାକ୍ତରମାନେ ମୋତେ ସନ୍ଧ୍ୟାରେ ବୁଲିବା ପାଇଁ ଛାଡ଼ି ଦେଇଛନ୍ତି । ଆଉ ଆପଣ ?’’

 

ପ୍ରଥମ ବ୍ୟକ୍ତି–ମୁଁ ପାଗଳ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି । ତେଣୁ ମୁଁ ନିଜେହିଁ ଏଇ ଜାଗାଟି ଖୋଜି ଖୋଜି ଆସି ଏଠାରେ ପହଞ୍ଚିଛି । ସନ୍ଧ୍ୟା ହୋଇଯାଇ ଥିବାରୁ ପାଗଳଖାନାରେ ମୋତେ ସକାଳୁ ଆସିବା ପାଇଁ କୁହାଯାଇଛି । ବୁଲୁ ବୁଲୁ ମୁଁ ଏପଟେ ଆସିଯାଇଥିଲି । ଆଚ୍ଛା, କୁହନ୍ତୁତ, ଆପଣ କାହିଁକି ପାଗଳ ହେଲେ ?

 

ଦ୍ୱିତୀୟ ବ୍ୟକ୍ତି–କଥାଟା ଏବେ କହି କିଛି ଲାଭ ନାହିଁ । ତଥାପି ଆପଣ ପଚାରିବା ହେତୁ ମୁଁ କହିଦେଉଛି । ମୁଁ ଜଣେ ଖୁବ୍ ଭଲ ଛାତ୍ର ଥିଲି । ମୋ ପରିବାରର ସମସ୍ତେ ମୋ’ର ଭବିଷ୍ୟତ ବିଷୟରେ ଗୋଟାଏ ଉଜ୍ଜ୍ୱଳ ଆଶା ରଖିଥିଲେ । ମୋ’ ବାପା ଜଣେ ଶୁଦ୍ଧ ଗାନ୍ଧିବାଦୀ ଯେ କି ଏପର୍ଯ୍ୟନ୍ତ ଚରଖାରେ ସୂତା କାଟି ଲୁଗାକରି ପିନ୍ଧୁଛନ୍ତି । ସେ ଚାହୁଁଥିଲେ ଯେ ମୁଁ ତାଙ୍କଭଳି ଜଣେ ଆଦର୍ଶବାଦୀ ହୋଇ ଜୀବନସାରା ଶିକ୍ଷକ ହୁଅନ୍ତି । ଗାଆଁ ସ୍କୁଲରେ ପଢ଼ାଇବାହିଁ ଦେଶସେବାର ସର୍ବୋତ୍କୃଷ୍ଟ ପନ୍ଥା ବୋଲି ତାଙ୍କର ଧାରଣା ଥିଲା । ମାଆ ଚାହୁଁଥିଲେ ଯେ ମୁଁ ଜଣେ ଇଞ୍ଜିନିୟର ହୋଇ ଯଥେଷ୍ଟ ପଇସା କମାଏ, ଆଉ ଗାଁରେ ଆମ ଘରଟିକୁ ପକ୍‌କା କରିଦିଏ । ମୋ ଭାଇ ଜଣେ ବିଖ୍ୟାତ ତବଲା ବାଦକ । ସେ ଚାହୁଁଥିଲେ ଯେ ମୁଁ ମଧ୍ୟ ଜଣେ ତବଲାବାଦକ ହୋଇଯାଏ, କାରଣ ଆତ୍ମା ଆଉ ପରମାତ୍ମା ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ତବଲାହିଁ ଏକମାତ୍ର ମାଧ୍ୟମ । ମୋ ଭାଉଜ ମୋତେ ପୁଲିସ ସବ୍‌ଇନିସ୍‌ପେକ୍‌ଟର ହେବାପାଇଁ କହୁଥିଲେ, କାରଣ ତାଙ୍କ ମତରେ ଭଲ ମାଛ ଖାଇବା ପାଇଁ ଏହାହିଁ ଏକମାତ୍ର ରାସ୍ତା । ମୋ ଅଜା ଚାହୁଁଥିଲେ ଯେ ସେ ଅପୁତ୍ରିକ ଥିବାହେତୁ ତାଙ୍କର କଣ୍ଟ୍ରାକ୍‌ଟରୀ କାମଟି ମୁଁ ସମ୍ଭାଳେ । ଦିନେ ରୋଗରେ ପଡ଼ିଥିବା ଅବସ୍ଥାରେ ମୋଠାରୁ ସେ ଏ ପ୍ରତିଜ୍ଞାଟି ମଧ୍ୟ କରାଇନେଇ ଅଛନ୍ତି ।

 

ଖାଲି ସେତିକି ନୁହେଁ । କଲେଜରେ ମଧ୍ୟ ସେଇ ଅବସ୍ଥା । ଅର୍ଥନୀତି ଅଧ୍ୟାପକ ଗୋଟାଏ ଦିଗରେ ଟାଣିଲେତ ଇତିହାସ ଅଧ୍ୟାପକ ଅନ୍ୟ ଦିଗରେ ଟାଣିଲେ । ଏସବୁ ଟଣାଟଣି ଭିତରେ ମୋ’ର ନିଜତ୍ୱଟା ହଜି ଯାଇଥିଲା । ମୁଁ ଯେ ପ୍ରକୃତରେ କଅଣ ହେବି ଜୀବନରେ ସେ କଥା ଭାବି ଭାବି ପାଗଳ ହୋଇଗଲି । ତଥାପି ଲୋକମାନେ ବିଶ୍ୱାସ କଲେ ନାହିଁ ଯେ ମୁଁ ପାଗଳ ହୋଇ ଯାଇଛି । ମୋତେ ବାଧ୍ୟ ହୋଇ ଦୁଇ ଚାରି ଜଣଙ୍କୁ କାମୁଡ଼ିବାକୁ ପଡ଼ିଲା । ତାପରେ ମୋତେ ସେମାନେ ଧରିଆଣି ଏଠାରେ ଭର୍ତ୍ତି କରାଇଦେଲେ । ମୁଁ ମଧ୍ୟ ଆନନ୍ଦରେ ଭର୍ତ୍ତି ହୋଇଗଲି । ଏଠାରେ ଅନ୍ତତଃ ମୁଁ ମୋ ନିଜର ବୋଲିତ କହିପାରିବି ?’’

 

ଏତିକି କହି ସେ ଦୀର୍ଘଶ୍ୱାସ ପକାଇଲେ ଓ କିଛି କ୍ଷଣ ପରେ ପ୍ରଥମ ବ୍ୟକ୍ତିକୁ ପଚାରିଲେ–‘‘କିନ୍ତୁ ଆପଣ କାହିଁକି ପାଗଳ ହୋଇଯିବେ ବୋଲି ଭାବୁଛନ୍ତି ? କଅଣ ଆପଣ ମଧ୍ୟ ମୋ’ ଭଳି ବୌଦ୍ଧିକ ସଙ୍ଘର୍ଷ ଭିତରେ ଗତି କରୁଛନ୍ତି ?’’

 

ପ୍ରଥମ ବ୍ୟକ୍ତି କହିଲେ–‘‘ନାଁ... ମୋ’ର ଆପଣଙ୍କଭଳି କୌଣସି ବୌଦ୍ଧିକ ସଙ୍ଘର୍ଷ ଘଟିନାହିଁ । ମୁଁ ଛାତ୍ରଜୀବନରେ ଜଣେ ଆଦର୍ଶବାଦୀ ଥିଲି । ପଢ଼ା ସରିବା ପରେ ମୋ’ର ବିବାହ ହେଲା । ଆଦର୍ଶବାଦୀ ହୋଇଥିବା ହେତୁ ମୁଁ ମୋ ବିବାହରେ ଯୌତୁକ ପ୍ରଥାର ଘୋର ବିରୋଧ କରିଥିଲି । ଏପରିକି ମୁଁ ମୋ’ର ବିବାହ ମନ୍ଦିରରେ ପାଂଚଜଣ ଲୋକଙ୍କ ସମ୍ମୁଖରେ ଚୁପ୍‌ଚାପ୍ କରାଇ ଦେବାପାଇଁ ସମସ୍ତଙ୍କୁ ବାଧ୍ୟ କରାଇଥିଲି । ମାତ୍ର ବାହାଘର ହେଲା ପରେ କଥାଟା ଓଲଟା ପଡ଼ିଲା । ମୋ ସ୍ତ୍ରୀ ଧନୀ ବାପାଙ୍କର ଝିଅ । ମୋ ଘରେ ଗାଡ଼ି ନଥିବାରୁ ତାଙ୍କର ବହୁତ ଅସୁବିଧା ହେଲା । ସେ ବହୁତ ଲଗାଇବାରୁ ମୁଁ ଗୋଟାଏ ଗାଡ଼ି ଧାର ଟଙ୍କାରେ କିଣିଲି । ଗାଡ଼ି ସାଙ୍ଗରେ ରୋଡ଼ ଟ୍ୟାକ୍‌ସ ଆଉ ଇନସ୍ୟୁରାନ୍‌ସ । ବିବାହର ଠିକ୍ ବର୍ଷକ ପରେ ଆମ ବିବାହର ଦିନ ଆସିଲା-। ତେଣୁ ଗୋଟାଏ ଭଲ ବନାରସୀ ଶାଢ଼ୀ ମୋତେ ତାଙ୍କୁ ଖୁସି ମନରେ ଦେବାକୁ ହେଲା । ତାଙ୍କ ଜନ୍ମଦିନରେ ଗୋଟାଏ ପାର୍ଟି ମୁଁ ଦିଏ, ଆଉ କାମନା କରେ ଏହିପରି ପାର୍ଟି ଖାଇ ଖାଇ ତାଙ୍କର ଆୟୁଷ ବଢ଼ୁ । ତାଙ୍କ ଜନ୍ମର ପଚିଶ ବର୍ଷ ଗଲା ମାସରେ ପୂରିବା ହେତୁ ସେ ନିଜ ଜନ୍ମର ଗୋଟାଏ ‘ସିଲଭର୍ ଜୁବୁଲି’ ପାଳିଲେ, ଆଉ ମୋ ପୂରା ମାସର ଦରମାଟା ଗୋଟାଏ ଦିନରେ ଉଡ଼ାଇଦେଲେ-। ତାଙ୍କର ଭାଇ ଭଉଣୀ ଏମିତିକି କୁକୁର ‘ଟମି’ର ଜନ୍ମ ଦିନରେ ମଧ୍ୟ ମୁଁ ଗୋଟାଏ ଉପହାର ପଠାବାକୁ ବାଧ୍ୟ । ଦୁଇମାସ ତଳେ ‘ଟମି’ ର ତିନିବର୍ଷ ପୂରିବା ହେତୁ ସେ ତାକୁ ଉପହାର ସ୍ୱରୂପ ଗୋଟାଏ ‘ମେଟ୍’ ଦେଲେ । ମୁଁ ନିଶ୍ଚିତ ଯେ ଏବେ ‘ମେଟ୍’ ପାଇଁ ମଧ୍ୟ ଉପହାର ଦେବାକୁ ପଡ଼ିବ ଏବଂ ଏଇ ଦୁଇ ଜଣଙ୍କର ସନ୍ତାନମାନେ ମଧ୍ୟ ବଡ଼ ଶୀଘ୍ର ମୋ ପଇସାରେ ଉପହାର ପାଇବା ପାଇଁ ଉପଯୁକ୍ତ ହୋଇଯିବେ ।’’

 

ଦ୍ୱିତୀୟ ବ୍ୟକ୍ତି–ଆପଣ କଅଣ ଏସବୁ ପାଳିବା ପାଇଁ ଚାହାନ୍ତି ନାହିଁ ?’’

 

ପ୍ରଥମେ ବ୍ୟକ୍ତି–ନାଁ... ମୁଁ ଏସବୁ ଚାହିଁ ନଥିଲି । ମାତ୍ର ବର୍ତ୍ତମାନ ଅଭ୍ୟାସରେ ପଡ଼ିଗଲାଣି । ଏସବୁ ଦିବସତ ମୁଁ ପତ୍ନୀଙ୍କ କହିବା ହେତୁ ହିଁ ପାଳୁଥିଲି । ଏବେ ମୋ’ ନିଜ ଇଚ୍ଛାରେ ମୁଁ ଆଉ କେତେଟା ଦିବସ ମଧ୍ୟ ପାଳିବାକୁ ଯାଉଛି ।’’

 

ଦ୍ୱିତୀୟ ବ୍ୟକ୍ତି–‘‘ସେଇଟା କଅଣ ? କଅଣ ନିଜର ଜନ୍ମଦିନ ?’’

 

ପ୍ରଥମ ବ୍ୟକ୍ତି–ନା, ସେଇଟା ମୋ ନିଜର ଜନ୍ମଦିନ ନୁହେଁ । ମୁଁ ମୋ ଶ୍ୱଶୁରଙ୍କ ବିବାହ ଦିବସ ପାଳିବାକୁ ଯାଉଛି, କାରଣ ତାଙ୍କର ବିବାହ ଯୋଗୁହିଁ ମୋତେ ଏପରି ଏକ ସର୍ବଗୁଣାଳଙ୍କୃତା ପତ୍ନୀ ମିଳିପାରିଛି ।’’

 

ସେ କହିଚାଲିଥିଲେ, ‘‘ସେ ଯାହାହେଉ, ପତ୍ନୀଙ୍କର ଅନେକ ପ୍ରକାରର ଦାବୀର ଜ୍ୱାଳା ସହ୍ୟ କରିନପାରି ମୁଁ କାଲି ରାତିରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲି । ଗୋଟାଏ ରୁମ୍‌ର କବାଟ ବନ୍ଦକରି ବେକରେ ଦଉଡ଼ି ଲଗାଇ ଝୁଲିବାକୁ ଯାଉଛି ଠିକ୍ ସେତିକିବେଳେ ସ୍ତ୍ରୀ ଝରକା ପାଖରେ ଆସି କହିଲେ, ‘‘ତମେ ଆତ୍ମହତ୍ୟା କର ସେଥିରେ ବିଶେଷ କିଛି ଚିନ୍ତା ନାହିଁ, କିନ୍ତୁ ଆମମାନଙ୍କୁ ହଇରାଣ କର ନାହିଁ । ତମେ ମଲା ପରେ ଆମକୁ Death Tax ଦେବାକୁ ପଡ଼ିବ । ତେଣୁ ପ୍ରଥମେ ତାହାର ବନ୍ଦୋବସ୍ତ କରିଯାଅ । ଖବରଦାର, ଯଦି ଘର ଭିତରେ ମରିବ ବା ଖାଲିଟାରେ ମରିବ ସବୁ ବୃଥା । ଅଫିସରେ ଡ୍ୟୁଟି ସମୟରେ ମଲେ ସରକାର ବେଶି ସାହାଯ୍ୟ ଦେବେ ।’’ ମୁଁ ଅଗତ୍ୟା ଗଳାରୁ ଫାଶି କାଢ଼ି ଦେଲି । ମରିବା ପାଇଁ ଚାହିଁ ମଧ୍ୟ ମୁଁ ମରିପାରୁନାହିଁ । ତେଣୁ ମୋ’ର ଏଠାକୁ ଆସି ଭର୍ତ୍ତି ହେବା ଛଡ଼ା ଅନ୍ୟ ଉପାୟ ନାହିଁ । ଆପଣଂକର ଏ ବିଷୟରେ ମତାମତ କଣ ?’’

 

ଦ୍ୱିତୀୟ ବ୍ୟକ୍ତି–ଏ ବିଷୟରେ ମତାମତ ଦେବାପାଇଁ ମୁଁ ସକ୍ଷମ ନୁହେଁ, କାରଣ ଏପର୍ଯ୍ୟନ୍ତ ମୁଁ ପୂରାମାତ୍ରାରେ ଭଲ ହୋଇ ନାହିଁ । ପାଖ ବେଂଚରେ ମଧ୍ୟ ଜଣ ଲୋକ ବସିଛନ୍ତି । ଚାଲନ୍ତୁ ତାଙ୍କୁ ଏ ବିଷୟରେ ପଚାରିବା ।’’

 

ଦୁହେଁ ପାଖ ବେଂଚରେ ବସିଥିବା ତୃତୀୟ ବ୍ୟକ୍ତିଙ୍କ ପାଖକୁ ଗଲେ ।

 

ପ୍ରଥମ ବ୍ୟକ୍ତି–‘‘ଆପଣତ ପାଖ ବେଂଚରେ ବସିଥିଲେ, ଆମମାନଙ୍କ କଥା ଶୁଣିଥିବେ । କୁହନ୍ତୁତ ଆମେ ଯାହା କରିଛୁ ଠିକ୍ କରିଛୁ ନା ନାହିଁ ?

 

ତୃତୀୟ ବ୍ୟକ୍ତି ଏହି ଦୀର୍ଘଶ୍ୱାସ ଛାଡ଼ି କହିଲେ–‘‘ଆପଣମାନେ ଯାହା କରି ଅଛନ୍ତି ତାହା ବିଲ୍‌କୁଲ୍‌ଠିକ୍‌। କାରଣ ଏ ପାଗଳଖାନାରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କର ଗୋଟାଏ ନା ଗୋଟାଏ ଏମିତି କାହାଣୀ ଅଛି ।’’

 

ପ୍ରଥମ ବ୍ୟକ୍ତି–‘‘ଆପଣ ପାଗଳଖାନାର ସବୁ ଲୋକଙ୍କ ବିଷୟରେ କେମିତି ଜାଣିଲେ ? ଆପଣ କଅଣ ଏଇ ପାଗଳଖାନାରେ କାମ କରନ୍ତି ?’’

 

ତୃତୀୟ ବ୍ୟକ୍ତି–ଆପଣ ଗୋଟାଏ ପ୍ରକାରେ ଠିକ୍‌ କହିଛନ୍ତି । ମୁଁ ଏହି ପାଗଳଖାନାରେ ଦୁଇମାସ ତଳେ ଡାକ୍ତରଭାବରେ ନିଯୁକ୍ତ ହୋଇଛି । ସମସ୍ତେ ମୋତେ ଡାକ୍ତର ବୋଲି ଜାଣନ୍ତି–ମାତ୍ର ପ୍ରକୃତରେ ମୁଁ ମଧ୍ୟ ଜଣେ ପାଗଳ ।’’

 

ଏ କଥାଟି ଶୁଣି ପ୍ରଥମ ଓ ଦ୍ୱିତୀୟ ବ୍ୟକ୍ତି ପଚାରିଲେ, ‘‘କି ଆଶ୍ଚର୍ଯ୍ୟ କଥା ! ଆପଣ ମଧ୍ୟ ପାଗଳ ? ଆପଣ ପାଗଳ ହେଲେ କାହିଁକି ?

 

ତୃତୀୟ ବ୍ୟକ୍ତି–‘‘ମୁଁ ଗୋଟାଏ ଗାଆଁର ସରକାରୀ ହସ୍‌ପିଟାଲରେ ଜଣେ କମ୍ପାଉଣ୍ଡର ଥିଲି । ଛୋଟ ଗାଆଁ ହୋଇଥିବା ହେତୁ ଏବଂ ଆଖପାଖରେ ଅନ୍ୟ କୌଣସି ହସ୍‌ପିଟାଲ ନଥିବା ହେତୁ ମୁଁ କମ୍ପାଉଣ୍ଡର ଭାବରେ ଭଲ ନାମ କମାଇଥିଲି । ବଡ଼ ଆନନ୍ଦରେ ଥିଲି । ମାତ୍ର ପ୍ରାୟ ଦୁଇବର୍ଷ ତଳେ ଗୋଟାଏ ପ୍ରୋଗ୍ରାମ୍‌ ଆସିଲା–ଯାହାଦ୍ୱାରା କି ଦେଢ଼ବର୍ଷ ଟ୍ରେନିଂ ଦେଇ କମ୍ପାଉଣ୍ଡର ମାନଙ୍କୁ ଡାକ୍ତର କରାଯିବ । ଆପଣ ଭାବିଲେ ଦେଖି, ସେ ଡାକ୍ତରୀ ପାଠର ବହିଗୁଡ଼ିକ ଦେଢ଼ବର୍ଷରେ ପଢ଼ି ମନେରଖିବା କି କଷ୍ଟକର କାମ ! ଭଲ ଭଲ ଛାତ୍ରମାନେ ଯେଉଁ ବହିଗୁଡ଼ାକ ପାଂଚ ବର୍ଷରେ ବି ପଢ଼ି ପାରନ୍ତି ନାହିଁ ସେଗୁଡ଼ାକ ମୋ ମୁଣ୍ଡରେ ଦେଢ଼ବର୍ଷରେହିଁ ଭର୍ତ୍ତି କରି ଦିଆଗଲା । ମୁଁ ଏତେ ବହି ପଢ଼ିଛି ଯେ ଯଦି ପଢ଼ୁ ପଢ଼ୁ ମୁଁ ମରିଯାଇଥାଆନ୍ତି ତାହାହେଲେ ସେହି ବହିଗୁଡ଼ିକରେହିଁ ମୋ’ର ଶବ ଦାହ ହୋଇ ପାରନ୍ତା, ଜାଳିବା ପାଇଁ କାଠର ଆବଶ୍ୟକତା ପଡ଼ନ୍ତା ନାହିଁ । ପଢ଼ୁ ପଢ଼ୁ ମୋ ମୁଣ୍ଡଟା ଖରାପ ହୋଇଯାଇଥିଲା । କୌଣସି ପ୍ରକାରେ ମୁଁ ପରୀକ୍ଷାରେ ପାସ୍‌କଲା ପରେ ସମସ୍ତଙ୍କୁ କହିଲି ଯେ ମୁଁ ପାଗଳ ହୋଇ ଯାଇଛି । କିନ୍ତୁ ଏକଥା କେହି ବିଶ୍ୱାସ କଲେ ନାହିଁ । ଭାବିଲେ ଯେ ମୁଁ ବାହାନା କରୁଛି । ତେଣୁ ମୋତେ ପାଗଳଖାନାର ଡାକ୍ତର କରିଦେଲେ । ଏଠାରେ କିନ୍ତୁ ମୁଁ ବହୁତ ଆନନ୍ଦରେ ସମୟ ବିତାଉଛି । ବଡ଼ ଖୁସିର କଥା ଯେ ଆପଣମାନଙ୍କ ସାଙ୍ଗରେ ଦେଖାହେଲା ।’’

 

ସେ ତାଙ୍କ କଥା ସମାପ୍ତ କରିଛନ୍ତି କି ନାହିଁ ପାଗଳାଖାନାର ଘଣ୍ଟି ବାଜିଲା । ସେ କହିଲେ–‘‘ଦେଖନ୍ତୁ, ଘଣ୍ଟି ବାଜିଲାଣି । ଚାଲନ୍ତୁ ସମସ୍ତେ ମିଶି ପାଗଳାଖାନାକୁ ଯିବା ।’’

 

ତିନିଜଣଯାକ ପାଗଳଖାନା ଆଡ଼େ ଚାଲିଲୁ ।

Image

 

ଭୂତମାନେ

 

ନିର୍ବାଚନ ଘୋଷଣାର ପରବର୍ତ୍ତୀ ଦୃଶ୍ୟ । ସ୍ଥାନ: ମହାନଦୀକୂଳସ୍ଥ ଏକ ପୁରୁଣା ଘରର ପଛପଟ ପଡ଼ିଆ । ସମୟ : ସନ୍ଧ୍ୟା ଆଠଟା । ଆକାଶରେ ଚନ୍ଦ୍ର ଉଠିନାହିଁ । ଘର ଭିତରୁ କିଛି ଆଲୋକ ଝରକା ବାଟେ ଆସି ପଡ଼ିଆରେ ପଡ଼ିଛି । ପଡ଼ିଆ ମଝିରେ ଗୁଡ଼ାଏ ଚଉକି ଓ ବେଞ୍ଚ ପଡ଼ିଛି । ବସିଛନ୍ତି ଓଡ଼ିଶାର ତିନିଜଣ ଭୂତପୂର୍ବ ଓ ତାଙ୍କୁ ଘେରି ରହିଛନ୍ତି କେତେଜଣ ଛାୟା । ଭୂତପୂର୍ବମାନେ କଥାବାର୍ତ୍ତା କରୁଛନ୍ତି ଓ ଛାୟାମାନେ ମଝିରେ ମଝିରେ ସମର୍ଥନ ଧ୍ୱନି କରୁଛନ୍ତି ।

 

ପ୍ରଥମ–ଭୂତପୂର୍ବ–‘‘ଆପଣମାନେ ଛାୟାମାନଙ୍କର ଗୁଞ୍ଜନ ଶୁଣି ପାରୁଛନ୍ତି ? ସେ ଗୁଞ୍ଜନ ଶୁଣିବା ପରେ ଆପଣମାନେ କଅଣ କିଛି କହିବେ ? ମୋ ମତରେ ଆଜିର ଏ ଆୟୋଜନ ନିରର୍ଥକ ।’’

 

ଦ୍ୱିତୀୟ ଭୂତପୂର୍ବ–‘‘ଅର୍ଥାତ୍‌?’’

 

ପ୍ରଥମ ଭୂତପୂର୍ବ–‘‘ଅର୍ଥ ସରଳ । ଆମମାନଙ୍କର ଆଗାମୀ ନିର୍ବାଚନ ପାଇଁ ଦଳଗଠନ ହୋଇ ପାରିବ ନାହିଁ ।’’

 

ତୃତୀୟ ଭୂତପୂର୍ବ–‘‘ଆଶ୍ଚର୍ଯ୍ୟ ! ଦଳଗଠନ ବିଷୟରେ ଆମେମାନେ ଏ ପର୍ଯ୍ୟନ୍ତ ତ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିନାହୁଁ !’’

 

ଦ୍ୱିତୀୟ ଭୂତପୂର୍ବ–‘‘ଆମେମାନେ ତ କେବଳ ନମସ୍କାର କରିଥିଲୁ । ପରସ୍ପର ସାଙ୍ଗରେ ହାତ ମିଳାଇ ଥିଲୁ । ଆମେମାନେ ପୁରୁଣା ସ୍ମୃତିର ଏକ ମଧୁର ଅଧ୍ୟାୟ ଖୋଲିଥିଲୁ । କି ସୁନ୍ଦର ଭାବରେ ଜେଲ ଭିତରେ ଆମେ ଦିନଗୁଡ଼ିକ କାଟିଥିଲୁ । କିନ୍ତୁ…ଆପଣ…

 

ପ୍ରଥମ ଭୂତପୂର୍ବ–‘‘ନମସ୍କାର କରିବା ପୂର୍ବରୁ, ହାତ ମିଳାଇବା ପୂର୍ବରୁ, ଏଇ ଛାୟାମାନେ ଗୁଞ୍ଜନ ଆରମ୍ଭ କରିଦେଇଥିଲେ ଆମେ ତିନିଜଣ ‘ଭୂତପୂର୍ବ’ ‘ବର୍ତ୍ତମାନ’ ହେଲେ କାହାର କେତେ ଦାବୀ ହେବ ଏଇ ବିଷୟ ନେଇ । ସେମାନଙ୍କର ଗୁଞ୍ଜନ ଆପଣ, ମୁଁ ଓ ସେ ସମସ୍ତେ ବୁଝିଥିଲେ । ତେଣୁ ଖୁବ୍‌ହସି ହସି ପରସ୍ପର ସାଙ୍ଗରେ ଛାତି ମିଳାଇଥିଲେ ।’’

 

ଦ୍ୱିତୀୟ ଭୂତପୂର୍ବ–‘‘ତା’ ହେଲେ ?’’

 

ପ୍ରଥମ ଭୂତପୂର୍ବ–‘‘ବଡ଼ ଆଲୋକ ପାଇବା ପାଇଁ ଛୋଟ ଆଲୋକଗୁଡ଼ିକୁ ଲିଭାଇ ଦେବାକୁ ପଡ଼ିବ । ମୁଁ ତିଆର ଅଛି । ଆପଣମାନେ ପାରିବେ ?’’

 

ଦ୍ୱିତୀୟ ଏବଂ ତୃତୀୟ ଭୂତପୂର୍ବ–‘‘ଠିକ୍‌କହିଛ । ଆମମାନଙ୍କର ବହୁତ ବଡ଼ ଆଲୋକ ଦରକାର । ଛୋଟ ଆଲୋକଗୁଡ଼ିକ ଲିଭାଇଦେଲେ କିଛି ଆପତ୍ତି ନାହିଁ । ଛାୟା ମାନଙ୍କର ଅସ୍ତିତ୍ୱ ରହିବ ନାହିଁ ।’’

 

(ଛାୟାମାନେ କ୍ରମେ କ୍ରମେ ଦୂରକୁ ଅପସରିଗଲେ । ସେମାନଙ୍କର ଗୁଞ୍ଜନ ମଧ୍ୟ କ୍ଷୀଣ ହୋଇଗଲା ।)

 

ପ୍ରଥମ ଭୂତପୂର୍ବ–‘‘ତୁମେ ଦୁହେଁ ପ୍ରଥମେ ଆରମ୍ଭ କର ।’’

 

ଦ୍ୱିତୀୟ ଭୂତପୂର୍ବ–‘‘ମାନେ ! ନା… ତୁମେ ଦୁହେଁ ଆରମ୍ଭ କର ।’’

 

ତୃତୀୟ ଭୂତପୂର୍ବ–‘‘ମୁଁ କାହିଁକି ? ତୁମେ ନୁହଁ ?’’

 

ଦ୍ୱିତୀୟ ଭୂତପୂର୍ବ–‘‘ତାସ ଖେଳର ପତ୍ତା କେହି ପ୍ରଥମରୁ ଦେଖାଇବା ପାଇଁ ତିଆର ନୁହେଁ । ସମାଧାନ ?’’

 

ପ୍ରଥମ ଭୂତପୂର୍ବ–‘‘ଆମର ସ୍ଥିତି । ‘ବର୍ତ୍ତମାନ’ ହେବାର ଚରମ ଆବଶ୍ୟକତା । ସମସ୍ତେ ସେଇ ମହାଜନ ପାଖରୁ ଟଙ୍କା ଧାର ଆଣିଛେ । ସମୟ କମ୍‌ । ଟଙ୍କା ଫେରାଇବାକୁ ପଡ଼ିବ । ନଗ୍ନ ସ୍ଥିତି ଆଗରେ ଆମେ ପରାଜିତ । ତେଣୁ ସମାଧାନ ଦରକାର ।’’

 

ଦ୍ୱିତୀୟ ଭୂତପୂର୍ବ–‘‘ମୁଁ ରାଜି ।’’

 

ତୃତୀୟ ଭୂତପୂର୍ବ–‘‘ମୋର ଆପତ୍ତି ନାହିଁ ।’’

 

ପ୍ରଥମ ଭୂତପୂର୍ବ–‘‘ତେବେ ମୁଁ ଆରମ୍ଭ କରେଁ । ମୁଁ ଜଣେ ପୁଞ୍ଜିବାଦୀ ନାବିକ । ବାହାରୁ ଟଙ୍କା ଆଣିପାରେ ।’’

 

ଦ୍ୱିତୀୟ ଭୂତପୂର୍ବ–ମୁଁ ଅଳ୍ପ ସଂଖ୍ୟକ ବର୍ଗଙ୍କ ସେନାପତି । ମୋତେ ଅଳ୍ପ ସଂଖ୍ୟକବାଦୀ କହିପାରନ୍ତି । ମୁଁ ଜନମତ ସୃଷ୍ଟି କରିପାରେ ।’’

 

ତୃତୀୟ ଭୂତପୂର୍ବ–‘‘ମୁଁ ଜଣେ ଛଦ୍ମବେଶୀ ସାମ୍ୟବାଦୀ । ଆପଣ ଦୁହେଁ ଯେଉଁଠାରେ ଥକିପଡ଼ିବେ, ସେଠାରେ ମୁଁ କିଛିଦିନ ପାଇଁ ପହରା ଦେଇପାରେ ।’’

 

ପ୍ରଥମ ଭୂତପୂର୍ବ–‘‘ଆମ ତିନିଜଣଯାକଙ୍କ ଦଳ ଗଠନ ହେଲେ ଆମେ କେଉଁ ‘ବାଦ’ର ଆଧାରରେ ନିଜକୁ ଗଣିବା ?’’

 

ଦ୍ୱିତୀୟ ଭୂତପୂର୍ବ–‘‘ମୁଁ ଅଳ୍ପସଂଖ୍ୟକବାଦୀ ହୋଇ ରହିବି ନାହିଁ, ତୁମେ ପୁଞ୍ଜିବାଦୀ ହୋଇ ରହିବ ନାହିଁ, ଆଉ ସେ ସାମ୍ୟବାଦୀ ହୋଇ ରହିବେ ନାହିଁ । ଆମେମାନେ ଏକତ୍ର ମିଶି ନିଜକୁ ‘ସୁବିଧାବାଦୀ’ ବୋଲି କହିବା । ଏବେ ନିଜ ନିଜ ତାସ୍‌ଦେଖାଅ । ହାତରେ ସମୟ କମ୍‌ଅଛି-।’’

 

ତୃତୀୟ ଭୂତପୂର୍ବ–ମୁଁ ଟୋପି, ଖଦଡ଼ ଆଉ ସାହିତ୍ୟ ଦେଇପାରେ । ଯେ କୌଣସି ସ୍ଥିତିରେ ଏହା ଉପଯୋଗ କରାଯାଇପାରେ । ମୋ ଟୋପି ପ୍ରତ୍ୟେକଙ୍କ ମସ୍ତକରେ ଲାଗିପାରେ । ମୋର ଅବଦାନ ଯଥେଷ୍ଟ । ଖେଳରେ ଆମେ ଜିତିଲେ ସ୍ୱର୍ଣ୍ଣପଦକ ମୋର ।

 

ଦ୍ୱିତୀୟ ଭୂତପୂର୍ବ–‘‘ମୁଁ ଆଦର୍ଶ ଦେଇପାରେ । ସମ୍ୱିଧାନ ମୋର ବନ୍ଧୁ । ଛୋଟ ଛୋଟ ଘାସକଣ୍ଟା ଏକତ୍ର କରି ସମସ୍ତଙ୍କର ପାଦରେ ଯଥେଷ୍ଟ ଯନ୍ରଣା ଦେଇପାରେ । ମୁଁ ଛୋଟ ନୁହେଁ । ମୁଁ ହିଁ ସ୍ୱର୍ଣ୍ଣପଦକ ପାଇବା ଯୋଗ୍ୟ ।’’

 

ପ୍ରଥମ ଭୂତପୂର୍ବ–‘‘ମୁଁ ସଂସ୍ଥା ଦେଇପାରେ । ଗତିଶୀଳତା ଦେଇପାରେ । ସମସ୍ତଙ୍କୁ ବଶ କରିବା ପାଇଁ ଜଡ଼ିବୁଟୀ ଦେଇପାରେ । ମୋ ତୀର ଅର୍ଜ୍ଜୁନଙ୍କର ଲକ୍ଷଭେଦୀ ବାଣ ଭଳି ଅବ୍ୟର୍ଥ । ସ୍ୱର୍ଣ୍ଣପଦକ ମୋ’ର, ଦ୍ରୌପଦୀ ମଧ୍ୟ ମୋ’ର ।’’

 

(ପଛଆଡ଼ୁ ଛାୟାମାନଙ୍କ ଗୁଞ୍ଜନ ବଢ଼ିବାକୁ ଲାଗିଲା । ତିନିଜଣ ପରସ୍ପରକୁ ନ ଚାହିଁ ଭିନ୍ନ ଭିନ୍ନ ଦିଗକୁ ଚାହୁଁଥିଲେ । ସେମାନଙ୍କର ଆଖିରେ ହିଂସ୍ରତା ଫୁଟିଉଠିଥିଲା । କିଛି ବେଳ ଚୁପ୍‌ଚାପ୍‌ବସିବା ପରେ ସେମାନେ ପୁଣି କଥାବାର୍ତ୍ତା ଆରମ୍ଭ କଲେ ।)

 

ତୃତୀୟ ଭୂତପୂର୍ବ–‘‘ଆମକୁ ଯେମିତି ହେଲେ ‘ବର୍ତ୍ତମାନ’ ହେବାକୁ ପଡ଼ିବ । ତେଣୁ ସ୍ୱର୍ଣ୍ଣପଦକ ବିଷୟରେ ଗୋଟାଏ ସମାଧାନକର । ଆମ ଖେଳରେ ରୌପ୍ୟ ବା ତାମ୍ରପଦକ ନାହିଁ । ସମସ୍ତଙ୍କର ସ୍ୱର୍ଣ୍ଣପଦକ । କୁହ ତୁମେମାନେ ରାଜି ?’’

 

ପ୍ରଥମ ଭୂତପୂର୍ବ–‘‘ମୁଁ ରାଜି ।’’

 

ଦ୍ୱିତୀୟ ଭୂତପୂର୍ବ–‘‘ଅନ୍ୟ ରାସ୍ତା ନାହିଁ । ମହାଜନ ଅଳ୍ପ ଦିନ ପରେ ପଇସା ମାଗିବ ।’’

 

ପ୍ରଥମ ଭୂତପୂର୍ବ–‘‘କିନ୍ତୁ ମହାଜନକୁ ତ ଟଙ୍କା ସୁଝିବାକୁ ପଡ଼ିବ ! ଉପାୟ ?

 

ଦ୍ୱିତୀୟ ଭୂତପୂର୍ବ–‘‘ଚିନ୍ତା…ଚିନ୍ତା କାହିଁକି ? ଥରେ ସ୍ୱର୍ଣ୍ଣପଦକ ପାଇଗଲେ ଟଙ୍କାର ଅଭାବ ରହିବ ନାହିଁ । ସ୍ୱର୍ଣ୍ଣପଦକକୁ ବିକିଦେଲେ ଅନେକ ଟଙ୍କା ମିଳିବ । ସେ ଟଙ୍କା ଧରି ଆମେ କିଛି ବର୍ଷ ମହାଜନଠାରୁ ଫେରାର ହୋଇଯିବା । ମହାଜନ ସାଙ୍ଗରେ ଦେଖା କରିବାର ଆବଶ୍ୟକତା ହିଁ ନଥିବ ।’’

 

ତୃତୀୟ ଭୂତପୂର୍ବ–‘‘ମହାଜନ ଚାହିଁଲେ ଆମ ବିରୁଦ୍ଧରେ ନାଲିସ୍‌ କରିପାରେ । ସମ୍ୱାଦପତ୍ର ଜରିଆରେ ନୋଟିସ୍‌ ଦେଇପାରେ । କିଛିଟା ଟଙ୍କା ତାକୁ ତ ଦେବାକୁ ହିଁ ପଡ଼ିବ ! ସୁଧ ନ ଫେରାଇ ପାରିଲେ ମଧ୍ୟ କିଛିଟା ମୂଳଧନ !’’

 

ଦ୍ୱିତୀୟ ଭୂତପୂର୍ବ–‘‘ସେ କଥା ପରେ ଭାବିବା, ଏବେ ସମୟ ନାହିଁ । ଆମେ ‘ଭୂତପୂର୍ବ’-। ଆମକୁ ଯେମିତି ହେଲେ ‘ବର୍ତ୍ତମାନ’ ହେବାକୁ ପଡ଼ିବ । ମୁଁ ଅନେକଥର ‘ଭୂତପୂର୍ବ’ ହୋଇ ‘ବର୍ତ୍ତମାନ’ ହୋଇସାରିଛି । ମୋତେ ସବୁପ୍ରକାର କୌଶଳ ଜଣାଅଛି । ଏଥର ତମମାନଙ୍କୁ ସେ ମନ୍ତ୍ର ଦେବି । କାନ ପାଖକୁ ଆଣ–କାଳେ ଛାୟାମାନେ ଶୁଣି ପାରିବେ ।’’

 

(ସମସ୍ତେ ନିଜନିଜର ମୁଣ୍ଡ ପାଖକୁ ଆଣି ଧୀର ସ୍ୱରରେ କଥାବାର୍ତ୍ତା କରିବା ପାଇଁ ଲାଗିଲେ । ହଠାତ୍‌ପଡ଼ିଆର ଗୋଟିଏ ପଟରୁ, ଯେଉଁ ପଟେ କି ଗୋଟିଏ ଭଗ୍ନ ଅଟ୍ଟାଳିକା ଥିଲା, ଗୋଟିଏ ଛାଇ ଚାଲି ଚାଲି ଆସିଲା । ସେ ଆସି ତିନିଜଣ ଭୂତପୂର୍ବ ବସିଥିବା ଜାଗା ପାଖରେ ପହଞ୍ଚିଲା । ତିନି ଜଣ ଯାକ ତା ଆଡ଼େ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ସେମାନଙ୍କ ମୁହଁରେ ଘୃଣା ଏବଂ ବିରକ୍ତିର ଭାବ ସ୍ପଷ୍ଟ ହୋଇଉଠିଥିଲା ।)

 

ଦ୍ୱିତୀୟ ଭୂତପୂର୍ବ–‘‘ଅଭଦ୍ର ଭାବରେ ପ୍ରବେଶ କରିବାର ଅର୍ଥ ?’’

 

ପ୍ରଥମ ଭୂତପୂର୍ବ–‘‘କି ଆଶ୍ଚର୍ଯ୍ୟ ?’’

 

ଛାୟା–‘‘ଆପଣମାନଙ୍କର ଆଶୀର୍ବାଦ ନେବାପାଇଁ ଆସିଛି । ଆପଣମାନେ ମୋ’ର ପଥପ୍ରଦର୍ଶକ ।’’

 

ତିନିଜଣଯାକ–(ଆଶ୍ଚର୍ଯ୍ୟ ଓ ସଂଦିଗ୍‌ଧ ହୋଇ) ‘‘ଆପଣ କିଏ ?’’

 

(ଏତିକି ଶୁଣି ଛାୟା ଜଣକ ଅନ୍ତର୍ଦ୍ଧାନ ହୋଇଗଲା । ହଠାତ୍‌ଶୂନ୍ୟରୁ ଗୋଟାଏ ଶବ୍ଦ ଆସିଲା–)

 

‘‘ମୁଁ ଜଣେ ଭୂତ, ଯେମିତିକି ଆପଣମାନେ ଭୂତପୂର୍ବ । ମୋର ମୁତ୍ୟୁ ପ୍ରାୟ ଶହେ ବର୍ଷ ତଳେ ହୋଇଥିଲା । କିନ୍ତୁ ମୋର ମୋର ମୋକ୍ଷ ହୋଇ ପାରୁନଥିଲା, କାରଣ ମୋ’ର ଗୋଟାଏ କାମନା ପୂର୍ଣ୍ଣ ହୋଇ ପାରି ନଥିଲା । ମୁଁ ପୁଣିଥରେ କିଛି ସମୟ ପାଇଁ ମଣିଷ ରୂପ ଧାରଣ କରିବା ପାଇଁ ଚାହୁଁଥିଲି, ମାତ୍ର ମୋତେ ଉପାୟ ଜଣା ନଥିଲା । ଆପଣମାନଙ୍କର ଆଜିର ଗୁପ୍ତ ମନ୍ତ୍ରଣା ଶୁଣି ମୁଁ ଉପାୟଟା ଶିଖିଗଲି । ତେଣୁ ଏବେ ପୁଣି ଆପଣମାନଙ୍କ ଆଗରେ ମଣିଷ ରୂପରେ ଠିଆହୋଇଛି ।

 

‘‘ଆପଣମାନେ ‘ଭୂତପୂର୍ବ’ ଥିଲେ, ‘ବର୍ତ୍ତମାନ’ ହେବାକୁ ଚେଷ୍ଟା କରୁଛନ୍ତି । ଭଗବାନ ନିଶ୍ଚୟ ଆପଣଙ୍କର ମନୋକାମନା କିଛି କ୍ଷଣ ପାଇଁ ପୂର୍ଣ୍ଣ କରିବେ । ମୁଁ ବର୍ତ୍ତମାନ ମୋକ୍ଷକାମୀ । କିଛି କ୍ଷଣ ପରେ ଉଭେଇଯିବି । ମାତ୍ର ଗଲା ପୂର୍ବରୁ ମୁଁ ମଧ୍ୟ ଆପଣମାନଙ୍କୁ ଆଶୀର୍ବାଦ ଦେଇ ଯାଉଛି ଯେ ଭବିଷ୍ୟତରେ ଓଡ଼ିଶାର ଇତିହାସରେ ଆପଣମାନଙ୍କର ନାମ ସହିତ ‘ଭୂତପୂର୍ବ’ ଲେଖା ନ ହୋଇ ‘ଅଭୂତପୂର୍ବ’ ବୋଲି ଲେଖାଯିବ । ଧନ୍ୟବାଦ ଓ ନମସ୍କାର !’’

 

(ଛାୟା ଜଣକ ଶୂନ୍ୟରେ ମିଳାଇ ଯାଇଥିଲେ । ଭୂତପୂର୍ବମାନେ ସେ ଦିଗକୁ ଚାହିଁରହିଥିଲେ ।)

Image

 

ପଡ଼ୋଶୀଙ୍କ କ୍ରିକେଟ ଶୋକ

 

ଦିନେ ଭାରତ ହକିରେ ଜାଦୁକର ଥିଲା । ବାହାରେ ଗୋଟାଏ ଖେଳ ଜିତି ଫେରିଲା ପରେ ଖେଳାଳୀମାନଙ୍କୁ ଜନସାଧାରଣଙ୍କ ତରଫରୁ ସମ୍ୱର୍ଦ୍ଧନା ଦିଆଯାଉଥିଲା । ସେ ତ ପୁରୁଣା କଥା ! ଏବେ କୁଆଡ଼େ ଭାରତର ହକି କ୍ୟାପ୍‌ଟେନ୍‌ ବମ୍ୱେରେ ଓହ୍ଲାଇ ଘରକୁ ଯିବାପାଇଁ ଗୋଟାଏ ଟାକ୍‌ସିବାଲାକୁ ସକାଳୁ ଅନୁରୋଧ କଲାରୁ ସେ ରୋକ୍‌ଠୋକ୍‌ ମନା କରିଦେଲା । କହିଲା, ‘‘ଯିଏ ସାତଗୋଲ୍‌ଖାଇ ଫେରିଛି ତା ପାଖରୁ ବଇନା ନେଲେ ସାତପଇସା ବି ଆୟ ହେବନାହିଁ ।’’ ବର୍ଷା ଅନୁସାରେ ଛତା । ପୁରୁଣା ରୀତି । ତର୍କସଙ୍ଗତ ଦେଶାତ୍ମବୋଧ ।

 

ଏବେ କ୍ରିକେଟ୍‌ ଜଗତରେ ତାରକାମାନେ ଉଦିତ ହେଲେଣି । ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନ ପରେ ଆଉ କୌଣସି ଆନ୍ଦୋଳନରେ ଏତେ ଲୋକ ଜ୍ଞାନବଶତଃ ବା ଅଜ୍ଞାନବଶତଃ ସକ୍ରିୟ ଏବଂ ପରୋକ୍ଷରୂପେ ଭାଗ ନେଇନଥିଲେ, ଯେମିତିକି କ୍ରିକେଟରେ ନେଉଛନ୍ତି । ସହରମାନଙ୍କରେ ଅନେକ କ୍ଲବ ଖୋଲିଗଲାଣି । ଗାଆଁ ମାନଙ୍କରେ ମଧ୍ୟ । ଗୁଚିତାଣ୍ଡୁ ଖେଳାଳୀମାନେ କ୍ରିକେଟ ଖେଳାଳୀ ହୋଇଗଲେଣି ।

 

କିନ୍ତୁ ଏଇ କ୍ରିକେଟ ସମର୍ଥକ ତିନି ପ୍ରକାରର । ପ୍ରଥମ ପ୍ରକାରର ବ୍ୟକ୍ତିମାନେ ପ୍ରକୃତରେ ଖେଳାଳୀ, ଯେଉଁ ମାନଙ୍କର କ୍ରିକେଟ ବିଷୟରେ ଜ୍ଞାନ ଖୁବ୍‌ଭଲ । ଦ୍ୱିତୀୟ ପ୍ରକାରର ବ୍ୟକ୍ତି ଯେଉଁମାନେ ଖେଳଟା କମ୍‌ ଜାଣିଥାନ୍ତି, କିନ୍ତୁ ସେ ବିଷୟରେ ଖବର ବହୁତ ରଖିଥାନ୍ତି । ତୃତୀୟ ପ୍ରକାରର ବ୍ୟକ୍ତି–ଯେଉଁମାନେ କୌଣସି ଖେଳ ବିଷୟରେ କିଛି ଜାଣନ୍ତି ନାହିଁ, କିନ୍ତୁ ଜଣାଇବାକୁ ଚାହାନ୍ତି ନାହିଁ ଯେ ସେମାନେ କିଛି ଜାଣନ୍ତି ନାହିଁ । ଭାରତର ଜୟ ଓ ପରାଜୟ ବିଷୟ ନେଇ ସେମାନେ ଖୁବ୍‌ ଭାବପ୍ରବଣ । ସେମାନଙ୍କ ସାଙ୍ଗରେ କ୍ରିକେଟ ବିଷୟରେ କଥାବାର୍ତ୍ତା ଆରମ୍ଭ କରିବା ଅର୍ଥ ବିପଦକୁ ହାତ ଠାରି ଡାକିଆଣିବା ।

 

ଏହି ତୃତୀୟ ଶ୍ରେଣୀର ଜଣେ କ୍ରିକେଟ ଖେଳାଳୀ ରାତି ପ୍ରାୟ ଦଶଟାବେଳେ ଆନନ୍ଦବାବୁଙ୍କ କବାଟରେ ଠକ୍‌ଠକ୍‌ କଲେ । କବାଟ ଖୋଲି ପଡ଼ୋଶୀ ଦାସବାବୁଙ୍କୁ ଦେଖି ସେ କଥାଟି ଅନୁମାନ କରିନେଲେ । ଭିତରକୁ ପଶୁ ପଶୁ ପଚାରିଲେ–‘‘କଅଣ ଆକାଶବାଣୀରୁ ଖବର ଶୁଣି ଆସୁଛନ୍ତି ?’’

 

ସେ କହିଲେ–‘‘ହଁ, ଜାଣନ୍ତି, ଆଜି ଦେଶ ଉପରେ କେତେ ବଡ଼ ଗୋଟାଏ ଉଲ୍‌କାପାତ ହୋଇଛି ? ଭାରତ କ୍ରିକେଟ୍‌ ଟେଷ୍ଟରେ ପାକିସ୍ଥାନଠାରୁ ହାରିଗଲା । ମୁଁ ଏଥର ଆଉ ସହିପାରିବିନି-। ଆଜି ନଦୀରୁ ଡେଇଁ ଆତ୍ମହତ୍ୟା କରିବାପାଇଁ ଇଚ୍ଛା ହେଉଚି ।’’

 

ତାଙ୍କ ମୁହଁର ରେଖାଗୁଡ଼ିକ ସ୍ପଷ୍ଟ ହୋଇ ଆସିଥିଲା ଏବଂ ଶିରା ଗୁଡ଼ିକ କୁଞ୍ଚିତ ହୋଇଯାଇଥିଲା । ପ୍ରଥମଥର ଏ ଦୃଶ୍ୟ ଦେଖିଥିଲେ ଯେ କୌଣସି ବ୍ୟକ୍ତି ଡରିଯାଇଥାନ୍ତା । ମାତ୍ର ଏ ଅଭିଜ୍ଞତା ଆନନ୍ଦ ବାବୁଙ୍କର ପ୍ରଥମଥରର ନୁହେଁ । ଏ ଟେଷ୍ଟ ପୂର୍ବରୁ ହକି ମ୍ୟାଚରେ ଯେତେବେଳେ ଭାରତ ପାକିସ୍ଥାନ ସାଙ୍ଗରେ ହାରିଯାଇଥିଲା ସେ ଏପରି ପରିସ୍ଥିତିଟାଏ ସୃଷ୍ଟି କରିଥିଲେ । ସନ୍ଧ୍ୟା ଆଠଟାରୁ ଆସି ରାତି ବାରଟା ଯାକେ ବସିଥିଲେ ଏବଂ ଅନେକଥର କାନ୍ଦିଥିଲେ । ତାଙ୍କୁ ସାନ୍ତ୍ୱନା ଦେବାପାଇଁ ଯାଇ ଆନନ୍ଦବାବୁ କଫି ଆଉ କିଛି ସିଙ୍ଗଡ଼ାର ବନ୍ଦୋବସ୍ତ କରିଥିଲେ । ଭାରତର ଏ ଶୋଚନୀୟ ପରିଣତି ଉପରେ ଏକ ଦୁଃଖଭରା ମନ୍ତବ୍ୟ କରୁଁ କରୁଁ ସେ ଚାରିଟା ସିଙ୍ଗଡ଼ା ଆଉ ଦୁଇକପ୍‌ କଫି ଅତି ସାବଲୀଳ ଢଙ୍ଗରେ ନିଃଶେଷ କରିଦେଇଥିଲେ । ମାତ୍ର, ସେ ଆତ୍ମହତ୍ୟା କଲେ ନାହିଁ । ବେକରେ ଫାଶୀ ଲଗାଇ ମରିବା ପାଇଁ ଯେଉଁ ଧମକି ଦେଇଥିଲେ ସେଇଟା ବୋଧେ କଫି ପିଇବା ପରେ ବଦଳି ଯାଇଥିଲା । ଆନନ୍ଦବାବୁ ଏଥର କିନ୍ତୁ ତାଙ୍କର ପାଣିକୁ ଡେଇଁ ମରିବା ବିଷୟ ଶୁଣି ନୀରବ ରହିଲେ । କାରଣ ସେ ଜାଣିଥିଲେ ଯେ, ଦାସବାବୁ ପ୍ରତିଦିନ ସକାଳୁ ଉଠି ନଦୀକୁ ଗାଧୋଇବାକୁ ଯାଆନ୍ତି ଓ ନଦୀରେ ପହଁରିବା ନିଶ୍ଚୟ ଶିଖିଥିବେ ।

 

ଆନନ୍ଦବାବୁ ନୀରବ ରହିବା ଦେଖି ସେ ପୁଣି କହିଲେ–‘‘କଅଣ ମୋ କଥା ଆପଣ ଶୁଣିଲେ ? ଭାରତ ଶୋଚନୀୟ ଭାବରେ ପାକିସ୍ଥାନ ପାଖରେ ହାରିଯାଇଛି । ମୁଁ ଏଥର ନିଶ୍ଚୟ ଆତ୍ମହତ୍ୟା କରିବି ।’’

 

ଆନନ୍ଦବାବୁ ପ୍ରତି ଟେଷ୍ଟରେ ଭାରତ ହାରିଲା ପରେ ନିଜ ପକେଟରୁ କିଛି ଖର୍ଚ୍ଚ କରିବାପାଇଁ ପ୍ରସ୍ତୁତ ନଥିଲେ । କହିଲେ–‘‘ଖୁବ୍‌ ଭଲ କଥା । କ୍ରିକେଟ ଇତିହାସରେ ଆପଣଙ୍କର ନାମ ଅମର ହୋଇ ରହିବ । ଆପଣ କେବେ ଆତ୍ମହତ୍ୟା କରିବେ ?’’

 

ଆନନ୍ଦବାବୁଙ୍କଠାରୁ ଏପରି ଉତ୍ତର ସେ ଅଶା କରିନଥିଲେ । ପଚାରିଲେ, ଆପଣ କ’ଣ କହିଲେ ?’’

 

‘‘ମୁଁ କହୁଛି ଯେ, ଆପଣ ଆତ୍ମହତ୍ୟା କରିବାରେ ବିଳମ୍ୱ କାହିଁକି କରୁଛନ୍ତି ? ଜାପାନଭଳି ଆମ ଦେଶରେ ‘ହାରାକିରି’ ପ୍ରଥା ନାହିଁ । ଆପଣ ଯଦି ଆରମ୍ଭ କରନ୍ତେ, ଦେଶପାଇଁ ସ୍ୱେଚ୍ଛାରେ ଜୀବନ ଦେବାରୁ ଏହା ଏକ ଚରମ ନମୁନା ହୁଅନ୍ତା ।’’-–ଆନନ୍ଦବାବୁ କହିଲେ ।

 

ସେ ଏଥର ପ୍ରକୃତରେ ରାଗିଗଲେ । ମୁହଁରେ ତାଙ୍କର ରକ୍ତିମ ଆଭା ଖେଳିଗଲା । ‘‘ଭାରତ ହାରିଗଲା ! ଏତେ ବଡ଼ ଦୁଃଖର ଦିନ ! ଅଥଚ ଆପଣ ମୋ ସାଙ୍ଗରେ ମଜା କରୁଛନ୍ତି-!’’-–ସେ ପଚାରିଲେ ।

 

ଆନନ୍ଦବାବୁ ଏକଥା ଶୁଣି ସାମାନ୍ୟ ଗମ୍ଭୀର ହୋଇଗଲେ । ଜାଣିପାରିଲେ ନାହିଁ କ’ଣ କହିଲେ ସେ ଠିକ୍‌ ଭାବିବେ । ପଚାରିଲେ–‘‘ଆପଣ ତାହାହେଲେ କଅଣ କରିବେ ବୋଲି ଭାବୁଛନ୍ତି-?’’

 

ସେ କହିଲେ, ‘‘ସେଇ କଥା ହିଁ ମୁଁ ବହୁତବେଳୁ ଭାବୁଛି । ଏତେ ବଡ଼ ଅପମାନଟାଏ ଭାରତବର୍ଷକୁ ହେଲା ! ପ୍ରାକ୍‌ଟିସ ତ ଠିକ୍‌ ଥିଲା–ତେବେ ପୁଣି ହାରିଗଲୁ କାହିଁକି ? ଏବେ କ’ଣ ହେବ ?’’

 

ସେ କେମିତି ଭାବରେ ତାଙ୍କର କ୍ଷୋଭ ଏବଂ ଭାବପ୍ରବଣତା ବ୍ୟକ୍ତ କରିବେ ବୋଧେ ଠିକ୍‌ ଜାଣି ପାରୁ ନଥିଲେ । ଆନନ୍ଦ ବାବୁ ପଚାରିଲେ–‘‘ଆପଣଙ୍କର ଆତ୍ମହତ୍ୟା କରିବା ବିଷୟ କ’ଣ ହେଲା ?’’

 

ସେ ଭ୍ରୂକୁଟି କରି କହିଲେ, ‘କେବେହେଲେ ତ ଟିକିଏ ସିରିୟସ ହୁଅନ୍ତୁ ! ବେଦୀ ଭାରତର କ୍ୟାପ୍‌ଟେନ୍‌ ରହିବା ଆଦୌ ଉଚିତ୍‌ ନଥିଲା । ବୟସ ବଢ଼ିବା ସାଙ୍ଗରେ ଲୋକଟା ଢିଲା ହୋଇଗଲାଣି । ଏମିତି ଶୋଚନୀୟ ପରାଜୟ ପରେ ସେ ଭାରତକୁ ନ ଫେରି ଯଦି ପାକିସ୍ଥାନରେ ହିଁ ଆତ୍ମହତ୍ୟା କରିଦେଇଥାଆନ୍ତା ତେବେ ତାହାର ଇଜ୍ଜତଟା ଟିକିଏ ରହିଯାଇଥାଆନ୍ତା । ମାତ୍ର...’’

 

ଏତିକି କହି ସେ ଚୁପ୍‌ ହୋଇଗଲେ । ଆନନ୍ଦ ବାବୁ ଜାଣିଲେ ଯେ, ଭଦ୍ରବ୍ୟକ୍ତି ଏବେ ଆଉ ଆତ୍ମହତ୍ୟା କରିବା ପାଇଁ ଚାହୁଁ ନାହାନ୍ତି । ସେ ଚାହୁଁଛନ୍ତି ଯେ ବେଦୀ ବର୍ତ୍ତମାନ ଆତ୍ମହତ୍ୟା କରୁ । ଦେଶପାଇଁ କେହି କିଛି କରୁ ବା ନକରିପାରୁ ସେଥିରେ ବିଶେଷ କିଛି ଚିନ୍ତା ନାହିଁ–ମାତ୍ର ଜଣେ ଯଦି ଅନ୍ତତଃ ଆତ୍ମହତ୍ୟା କରିଦିଅନ୍ତା ତା’ହେଲେ ବିଶ୍ୱ ସମ୍ମୁଖରେ ଭାରତୀୟ କ୍ରିକେଟ୍‌ରେ ନାମଟା ରହିଯାଆନ୍ତା । ଆନନ୍ଦବାବୁ ପୁଣି ପଚାରିଲେ–‘‘ଆପଣ ତ ଟ୍ରାନ୍‌ଜିଷ୍ଟର୍‌ରେ କ୍ରିକେଟ୍‌ କମେଣ୍ଟାରୀ ଶୁଣିଥିବେ ?’’

 

ସେ ତେଜି ଯାଇ କହିଲେ, ‘‘ଶୁଣିଛି ମାନେ... ପାଞ୍ଚଦିନଯାକ ମୁଁ ଅଫିସ୍‌ରୁ ଛୁଟି ନେଇ ଶୁଣିଛି ।’’

 

‘‘ଏଇ ପରାଜୟ ପାଇଁ କମେଣ୍ଟେଟର୍‌ମାନେ କାହାକୁ ଦାୟୀ କରିଛନ୍ତି–ବୋଲର୍‌ମାନଙ୍କୁ ନା ବେଟସ୍‌ମେନ୍‌ମାନଙ୍କୁ ?’’ –ଆନନ୍ଦବାବୁ ପଚାରିଲେ ।

 

ସେ କହିଲେ, ‘‘ସେ କଥା କହି ଲାଭ କଣ ? ଅମ ବୋଲର୍‌ମାନେ ବଲ୍‌ଗୁଡ଼ାକ ଠିକ୍‌ ଫିଙ୍ଗି ପାରିଲେ ନାହିଁ । ବେଟସ୍‌ମ୍ୟାନ୍‌ ମଧ୍ୟ ଜୋର୍‌ରେ ବେଟ୍‌ ବୁଲେଇ ପାରିଲେ ନାହିଁ । ଦେଖୁନାହାନ୍ତି ଅଷ୍ଟ୍ରେଲିଆ ସାଙ୍ଗରେ ଖେଳିଲା ବେଳେ କେତେ ଜୋର୍‌ରେ ଫିଙ୍ଗୁଥିଲେ ଆଉ ବ୍ୟାଟ୍‌ଗୁଡ଼ାକ ବୁଲାଉଥିଲେ ? କାହାର ସାହସ ଥିଲା ନା ପାଖରେ ପଶିବା ପାଇଁ ?’’

 

ଆନନ୍ଦବାବୁ ପଚାରିଲେ, ‘‘କଅଣ କମେଣ୍ଟେଟର୍‌ମାନେ ଏତିକି କହିଲେ ? ବିଶେଷଜ୍ଞମାନଙ୍କର ବୋଲିଂ ବିଷୟରେ ମତ କଣ ?’’

 

‘‘ସେମାନେ ମତ କଅଣ ଦେବେ–ଛେନା ନା ଗୁଡ଼ ?’’ ସେ ରାଗିଯାଇ କହିଲେ–‘‘ଯେତେବେଳେ ହାରିଗଲେ ସେତେବେଳେ ଏଗୁଡ଼ାକରେ ଲାଭ କ’ଣ ? କଅଣ ହେବ ସେଗୁଡ଼ାକ ଭାବି ? ରାସ୍ତାରେ ମାଡ଼ ଖାଇଲେ ଚୁପ୍‌ ରହିବା କଥା । କିଏ ଆସି କାହିଁକି ମାଡ଼ ଖାଇଲା, କେତେ ମାଡ଼ ଖାଇଲା ତାହା ବିଶ୍ଳେଷଣ କରେ ନା ? ଆପଣ ବି ଯେ କେମିତିକା ଲୋକ ମୁଁ ବୁଝି ପାରୁନି !’’

 

ଆନନ୍ଦବାବୁ ବୁଝି ସାରିଥିଲେ ଯେ, କ୍ରିକେଟ୍‌ ବିଷୟରେ ସେ ଆଉ କିଛି କହିବା ପାଇଁ ଇଚ୍ଛୁକ ନଥିଲେ । କହିଲେ, ‘‘ଭାରତରେ ଖେଳଜଗତରେ ରାଜନୀତି ପ୍ରବେଶ କରିବା ହେତୁ ଖେଳର ଉନ୍ନତି ହୋଇପାରୁନାହିଁ ବୋଲି ମୁଁ ଗୋଟାଏ କେଉଁଠାରେ ପଢ଼ିଥିଲି । ଆପଣଙ୍କର ସେଥିରେ ମତାମତ କ’ଣ ?’’

 

ଏଥର ତାଙ୍କୁ ମନମାଫିକ୍‌ ବିଷୟଟାଏ ମିଳିଗଲା । ହସର ଝଲକ ମୁହଁରେ ଖେଳାଇ ଆରମ୍ଭ କଲେ–‘‘ରାଜନୀତି ? କଅଣ କହୁଛନ୍ତି ଆପଣ ? କୂଟନୀତି ମଧ୍ୟ ! ଏଇ ରାଜନୀତି ଯୋଗୁଁ ଏ ଦେଶର ଅବସ୍ଥା କ’ଣ ନହୋଇଛି ? ଆମର ଅର୍ଥନୈତିକ ସ୍ଥିତି କେତେ ଖରାପ ? ଶାନ୍ତିବ୍ୟବସ୍ଥା କେତେ ଖରାପ ? ଲୋକେ କେତେ ଗରିବ ? ବିଶ୍ୱଦରବାରରେ ଆମେ କେମିତି ଭିକ ମାଗୁଛୁ ? କେତେ କମ୍‌ ବର୍ଷା ? ବଙ୍ଗୋପସାଗରରେ ତୋଫାନରେ କେତେ ଲୋକଙ୍କର ମୃତ୍ୟୁ ? ଦେଶରେ କିଛି ମିଳୁନାହିଁ–ଚିନି, ଗରମମସଲା–ଆଜିକାଲିତ ଫିଲ୍‍ଟର ସିଗାରେଟ ମଧ୍ୟ ମିଳୁ ନାହିଁ । ଆଚ୍ଛା, ଆପଣଙ୍କ ପାଖରେ ଗୋଟାଏ ସିଗାରେଟ୍‌ ଅଛି ? ମୋ ପ୍ୟାକେଟ୍‌ଟା ଘଣ୍ଟେ ତଳେ ସରିଗଲା ।’’–ସେ ପଚାରିଲେ ।

 

ଆନନ୍ଦବାବୁ ବୁଝିଗଲେ ଯେ, ଏବେ ସେ କଫି ଆଉ ସିଙ୍ଗଡ଼ାର ଆଶା ଛାଡ଼ି ସିଗାରେଟ୍‌ ପର୍ଯ୍ୟନ୍ତ ପହଞ୍ଚି ଗଲେଣି । ବଜାରକୁ ପ୍ରକୃତରେ ସିଗାରେଟ୍‌ ଆସୁନଥିବାରୁ ତାଙ୍କ ପାଖରେ ମଧ୍ୟ ସିଗାରେଟ୍‌ ନଥିଲା–ସେ ବିଡ଼ିରେ କାମ ଚଳାଉଥିଲେ । କହିଲେ–‘‘ନାଇଁ... ମୋ ପାଖରେ ଫିଲ୍‌ଟର୍‌ ସିଗାରେଟ୍‌ ନାହିଁ ।’’

 

ତାଙ୍କର ଭାବପ୍ରବଣତା ଆହୁରି ବଢ଼ିଗଲା । କହିଲେ, ‘‘ଦେଶରେ କି ସନ୍ଧିକ୍ଷଣ ଉପସ୍ଥିତ ହୋଇଛି ? ଇଆଡେ ଦେଶ କ୍ରିକେଟ୍‌ରେ ହାରିଲା ବେଳକୁ ଟାଣିବା ପାଇଁ ଗୋଟାଏ ଫିଲ୍‌ଟର ସିଗାରେଟ୍‌ବି ନାହିଁ ?’’

 

ଆନନ୍ଦବାବୁ ଅନନ୍ୟୋପାୟ ହୋଇ କହିଲେ, ‘‘ଗୋଟାଏ ବିଡ଼ିହେଲେ ଚଳିବ ?’’

 

ଏଥର ସେ କହିଲେ–‘‘ଏ ଦୁର୍ଦ୍ଦିନରେ କେହି ତ ! ସାଥୀ ଦରକାର ! ଦିଅନ୍ତୁ ବିଡ଼ି । ଓହୋ... ସନ୍ଧ୍ୟାବେଳୁ ଗୋଟାଏ କିଛି ଖୋଜୁ ଖୋଜୁ ଏବେ ଯାଇ ମିଳିଲା !’’

 

ଆନନ୍ଦବାବୁ ବିଡ଼ି ବଢ଼ାଇଦେଲେ, ଆଉ ସେ ବିନା ଔପଚାରିକତାରେ ବିଡ଼ିଟା ଲଗାଉ ଲଗାଉ ଉଠି ଠିଆହେଲେ ।

Image

 

ନାରଙ୍ଗୀ ଯୁଗକୁ ସମ୍ୱର୍ଦ୍ଧନା

 

ସନ୍ଧ୍ୟାବେଳେ ଜଣେ ଅତି ପୁରାତନ କବିଙ୍କ ଘରକୁ ଯାଇଥିଲି । ସେ ମୋତେ ତାଙ୍କ ଘରକୁ ଆସିବା ପାଇଁ ଆଗରୁ ନିମନ୍ତ୍ରଣ କରିଥିଲେ । କବି ଏକଦା ଓଡ଼ିଆ ସାହିତ୍ୟରେ ଖୁବ୍‌ ପ୍ରସିଦ୍ଧ ଲାଭ କରିଥିଲେ । ଆଧୁନିକ ଯୁଗ ପୂର୍ବରୁ ସବୁଜ ଯୁଗ, ତା’ ପୂର୍ବରୁ ବାଇଗଣି ଯୁଗ ଏବଂ ତା’ ଆଗର ନାରଙ୍ଗୀ ଯୁଗର କବି ସିଏ । ପ୍ରଥମ ମହାସମରବେଳେ କବିତା ଲେଖିବା ଆରମ୍ଭ କରିଥିଲେ ଆଉ ଦ୍ୱିତୀୟ ମହାସମର ସରିବା ପରଠାରୁ କବିତା ଲେଖିବା ପ୍ରାୟ ଛାଡ଼ି ଦେଇଥିଲେ । ତାଙ୍କର ଶେଷ କବିତା ୧୫ ଅଗଷ୍ଟ ୧୯୪୭ରେ ଭାରତର ସ୍ୱାଧୀନତା ଉପରେ ଲେଖା ହୋଇଥିଲା-। ତାଙ୍କର ଶେଷ ଗଦ୍ୟ ଲେଖା ‘ବାମଣ୍ଡା ସ୍ମରଣେ’ ୧୯୪୭ ପରେ ଭାରତ ୟୁନିଅନ ସହିତ ‘ବାମଣ୍ଡା’ର ମିଶ୍ରଣ ଯୋଗୁ ହିଁ ଲେଖା ହୋଇଥିଲା । କାରଣ ବାମଣ୍ଡା ରାଜା ନିଜ ଶ୍ରୀଛାମୁରେ ତାଙ୍କୁ ସେହିଦିନ ‘କବି ଚନ୍ଦ୍ରାନନ’ ଉପାଧି ଦେଇଥିଲେ, ଯେଉଁଦିନ କି ହିଟଲର ଅଷ୍ଟ୍ରିଆ ଉପରେ ଆକ୍ରମଣ କରିଥିଲା ।

 

ଆମେ ଦୁହେଁ ଅନେକ ପ୍ରସଙ୍ଗ ଉପରେ କଥାବାର୍ତ୍ତା ହେଉ ହେଉ ଆଧୁନିକ ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର କ’ଣ ଅବଦାନ ଅଛି ବୋଲି ମୁଁ ପ୍ରଶ୍ନ କରିଥିଲି । ଉତ୍ତରରେ ସେ ମୋତେ ‘ଓଡ଼ିଆ ସାହିତ୍ୟର ଇତିହାସ’ର ଗୋଟାଏ ପୃଷ୍ଠା ଖୋଲି ଦେଖାଇ ଦେଲେ, ଯେଉଁଠାରେ କି ଗୁଡ଼ାଏ ଧାଡ଼ି ତଳେ ଲାଲରଙ୍ଗର ଲାଇନ ସବୁ ଟଣା ହୋଇଥିଲା । ଲେଖା ହୋଇଥିଲା–

 

‘‘ଶ୍ରୀ ମଧୁର ବିନୋଦ ମିଶ୍ର, ଜନ୍ମ ସନ ୧୮୯୨; ସ୍ଥାନ–ଗ୍ରାମ ଓ ପୋଷ୍ଟ ଅଫିସ ପୁହାଳ, ରାଜ୍ୟ ବାମଣ୍ଡା, ହାଲରେ ତହସିଲ ବାମଣ୍ଡା, ଜିଲା କଟକ । ଏହାଙ୍କ ପିତାଙ୍କ ନାମ ବାୟା ମିଶ୍ର ଏବଂ ମାତାଙ୍କ ନାମ ରୁକିଣୀ ଦେଈ । ସ୍ଥାନୀୟ ସ୍କୁଲରୁ ମାଇନର ପରୀକ୍ଷା କୃତିତ୍ୱର ସହିତ ପାସ୍‌କରିବା ପରେ, ସେ ସେହି ସ୍କୁଲରେହିଁ ଶିକ୍ଷକଭାବେ କାର୍ଯ୍ୟ କରିଥିଲେ । ଗାନ୍ଧୀଙ୍କର ଭାରତ–ଛାଡ଼ ଆନ୍ଦୋଳନରେ ଯୋଗଦେଇ ସେ ଚାକିରୀରୁ ତ୍ୟାଗପତ୍ର ଦେଇଥିଲେ ଓ ଦେଶଭକ୍ତ ହୋଇଯାଇଥିଲେ । ଦେଶଭକ୍ତିରେ ଉଦ୍‌ବୋଧିତ ହୋଇ ସେ ଅନେକ କବିତା ବହି ଲେଖିଯାଇଥିଲେ, ଯାହା ମଧ୍ୟରୁ ତାଙ୍କର ‘ଜାପାନ ହରଣ’, ‘ଝାନ୍‌ସୀ ମାତା ମରଣେ ଛନ୍ଦ’, ‘ସଚିତ୍ର ରାଧାକୃଷ୍ଣ କୌତୁହଳ’ ଓ ‘ବିବେକାନନ୍ଦ ଚମ୍ପୁ’ ବିଶେଷ ଭାବରେ ଆଦୃତ ହୋଇଥିଲା ଏବଂ ସମସାମୟିକ ପତ୍ରିକା ଗୁଡ଼ିକରେ ପ୍ରକାଶିତ ହୋଇଥିଲା । ସେ ମଝିରେ ମଝିରେ ଗଦ୍ୟ ସାହିତ୍ୟ ଲେଖିବାକୁ ମଧ୍ୟ ଚେଷ୍ଟା କରିଥିଲେ, ଯାହାକି ସେ ସମୟରେ ଆଦୃତ ହୋଇଥିଲା । ପରବର୍ତ୍ତୀ ଯୁଗର ପାଠକମାନେ ତାଙ୍କ ଗଦ୍ୟସାହିତ୍ୟକୁ ପଦ୍ୟ ରୂପରେହିଁ ଗ୍ରହଣ କରିବାରୁ ସେଗୁଡ଼ିକ ତାଙ୍କ କବିତା ପୁସ୍ତକରେ ମିଶ୍ରଣ କରାଗଲା । ଏ କବି ନିଃସନ୍ତାନ ଏବଂ ପଚାଶବର୍ଷ ବୟସରେ ଏହାଙ୍କର ପତ୍ନୀ ବିୟୋଗ ଘଟିଥିଲା । ମୃତ୍ୟୁ…...’’

 

ଏହି ‘ମୃତ୍ୟୁ’ ଶବ୍ଦଟି ପରେ କିଛି ଜାଗା ଛଡ଼ା ହୋଇଥିଲା । ସେ ମୋତେ ସେହି ଜାଗାଟିକୁ ଦେଖାଇ କହିଲେ–‘‘ଦେଖ, ଲୋକମାନଙ୍କର ସାମାନ୍ୟ ସୌଜନ୍ୟ ବି ନାହିଁ । ମୋ ଭଳି ଜଣେ ବୟସ୍କ ଓ ସମ୍ମାନାସ୍ପଦ କବିଙ୍କ ମୃତ୍ୟୁ ବିଷୟରେ ଏପରି ଏକ ଧାରଣା ଦେଇ ନଥିଲେ କ’ଣ ଚଳିନଥାନ୍ତା ?’’

 

ମୁଁ କହିଲେ–‘‘ସେମାନେ ଯେତେ ଲେଖିଲେ କଅଣ ହେବ ବରଂ ଆପଣଙ୍କର ଆୟୁଷ ଆହୁରି ବଢ଼ିବ । ଦେଖୁ ନାହାନ୍ତି, ଏହି ବହିଟା ଆଜିଠାରୁ ପ୍ରାୟ ଏଗାର ବର୍ଷ ତଳେ ଲେଖା ହୋଇଥିଲା–ଆପଣଙ୍କର ସେଥିରେ କଅଣ ବିଗିଡ଼ି ଗଲା ? ବରଂ ଏ ବହିର ପ୍ରକାଶକ ଜଣକ ଗଲାବର୍ଷ ସ୍ୱର୍ଗବାସୀ ହୋଇଗଲେ । ଆପଣତ ଏକପ୍ରକାର ଅମର !’’

 

ସେ ଏକ ମିଶ୍ରିତ ଭାବନାରେ ଥିଲେ । କହିଲେ, ‘‘ହଁ, ଗୁଡ଼ାଏ ବର୍ଷ ଅର୍ଥହୀନ ଜୀବନ ବଞ୍ଚି ଆଉ କ’ଣ ଲାଭ ? ସାହିତ୍ୟ ସୃଜନ ଯେଉଁଦିନୁ ବନ୍ଦ କରି ଦେଇଛି, ସେହି ଦିନୁ ମୁଁ ମୃତପ୍ରାୟ । ମୋର ଅଶୀବର୍ଷ ବୟସ ଆରବର୍ଷ ପୂରିବା ପାଇଁ ଯାଉଛି । କିନ୍ତୁ ମୁଁ ଏପର୍ଯ୍ୟନ୍ତ ଅନୁଭବ କରି ପାରିଲି ନାହିଁ ମୋ ‘ନାରଙ୍ଗୀ ଯୁଗ’ର ସାହିତ୍ୟ ଏ ଯୁଗର ସାହିତ୍ୟ ଉପରେ କିଛି ପ୍ରଭାବ ପକାଇଛି କି ନାହିଁ ଏବଂ କିପରି ଭାବରେ ଆଦୃତ ହୋଇଛି ? ଓଡ଼ିଆ ସାହିତ୍ୟରେ ମୋ ସ୍ଥାନ କେଉଁଠାରେ-?’’ ସେ ସାମାନ୍ୟ ଭାବପ୍ରବଣ ହୋଇ ଉଠିଥିଲେ ।

 

ମୁଁ ଭାବପ୍ରବଣତାର ଅର୍ଥଟା ଠିକ୍‌ରୂପେ ଧରିନେଇଥିଲି । ଘର ଆଗରେ ଛିଡ଼ା ହୋଇଥିବା ବହୁତ ପୁରୁଣା ଅଶ୍ୱତ୍‌ଥ ଗଛ ମୂଳରେ କେହି କେବେ ଯଦି ଲୋଟାଏ ପାଣି ଢାଳି ନଦିଏ ତା’ହେଲେ ତାହାର ଅବସ୍ଥା ଯାହା ହୁଏ, କବିଙ୍କର ମଧ୍ୟ ଠିକ୍‌ ସେହିପରି ଅବସ୍ଥା । ମୁଁ ବୁଝିପାରିଥିଲି ଯେ, ଘରକୋଣରେ ଶୋଇଥିବା ପଙ୍ଗୁହଡ଼ା ମଧ୍ୟ ମଝିରେ ମଝିରେ କିଛି କଞ୍ଚା ଦୁବଘାସ ଆଶାକରେ । ତା’ଛଡ଼ା କବି ମଧ୍ୟ ମୋତେ ତାଙ୍କ ବୟସର ଅଶୀତମ ବର୍ଷ ଆରମାସରେ ପୂର୍ଣ୍ଣ ହେବ ବୋଲି ଗୋଟାଏ ଉଦ୍ଦେଶ୍ୟାତ୍ମକ ଇଙ୍ଗିତ କରିଛନ୍ତି । ଇଙ୍ଗିତଟା ତାଙ୍କର ବ୍ୟର୍ଥ ଗଲାନି ।

 

ମୁଁ କହିଲି–‘‘ପ୍ରକୃତରେ କି ଦୁର୍ଭାଗ୍ୟର ବିଷୟ ! ଆପଣଙ୍କ ଭଳି ଜଣେ ସାହିତ୍ୟିକ ଅନୁଷ୍ଠାନକୁ ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟପ୍ରେମୀମାନେ ଯେ ସମ୍ୱର୍ଦ୍ଧନା ସଭାଟାଏ କରି ଅଭିନନ୍ଦିତ କରି ପାରିଲେ ନାହିଁ ଏହା ଏକ ଘୋର ଲଜ୍ଜାର ବିଷୟ । ମୁଁ କିନ୍ତୁ ସହି ପାରିବି ନାହିଁ । ମହେଞ୍ଜୋଦାରୋ ଓ ହରପ୍‌ପା ସଭ୍ୟତାକୁ ପଚିଶିଶହ ବର୍ଷ ବୟସରେ ଦୁନିଆ ସମକ୍ଷରେ ଆଣି ଅଭିନନ୍ଦିତ କଲାଭଳି ମୁଁ ଆପଣଙ୍କର ଅଶୀତିତମ ଜନ୍ମଦିବସରେ ଆପଣଙ୍କୁ ଅବଶ୍ୟ ଅଭିନନ୍ଦିତ କରାଇବି ।’’

 

ତାଙ୍କ ମୁହଁରେ ଜୀବନସ୍ରୋତ ପୁଣି ଖେଳିଗଲା । ତଥାପି ସେ ନିଜ ଭାବ ଚାପିରଖି କହିଲେ, ତମେତ ଜାଣ ଯେ ମୁଁ ଏ ଅଭିନନ୍ଦନ, ସମ୍ୱର୍ଦ୍ଧନା, ଫୁଲମାଳ, ଫଟୋ ଉଠାଇବା ଏବଂ ସ୍ମାରକୀ ଛପାଇବା ଆଦି କୌଣସି ବିଷୟରେ ବିଶ୍ୱାସ କରେ ନାହିଁ । ତେଣୁ ଏସବୁ ଜିନିଷଠାରୁ ଦୂରରେ ରହିଛି ।’’

 

ମୁଁ ଠିକ୍‌ ବୁଝିଗଲି ଯେ, ସେ ତାଙ୍କର ଅଭିନନ୍ଦନ ସମାରୋହରେ ଏହିସବୁ ବିଷୟ ବିଶେଷ ଭାବରେ ଚାହାନ୍ତି । ମୁଁ ମଧ୍ୟ ସମତାଳରେ କହିଲି–‘‘ଆପଣଙ୍କ ଜୀବନଦର୍ଶନ ଏତେ ମହାନ୍‌ ଯେ, ଆପଣ ଏ ଜିନିଷଗୁଡ଼ିକ ଆଦୌ ପସନ୍ଦ କରୁ ନଥିବେ ବୋଲି ମୁଁ ଠିକ୍‌ ଜାଣିଥିଲି । ଆଉ କେଉଁ କେଉଁ ଜିନିଷ ଆପଣ ପସନ୍ଦ କରନ୍ତି ନାହିଁ ?’’

 

ସେ ଆନନ୍ଦିତ ହୋଇ କହିଥିଲେ–‘‘ମୁଁ ଜାଣେ ଯେ ତୁମେ ହିଁ ଏ ଯୁଗର ଏକମାତ୍ର ସାହିତ୍ୟକାର, ଯେ ମୋତେ ଠିକ୍‌ ରୂପେ ବୁଝିପାରିଛି । ତୁମର ମାନବ ଧର୍ମ ଏତେ ବିଶାଳ, ତେଣୁ ତୁମ ସାହିତ୍ୟ ଏତେ ମହାନ୍‌ । ଭବିଷ୍ୟତରେ ସାହିତ୍ୟ ସଭା ବା ଅନ୍ୟ ଯେ କୌଣସି ପ୍ରକାରର ସଭା ହେଲେ ମୁଁ ତୁମ ସାହିତ୍ୟର ଦୃଷ୍ଟାନ୍ତ ଅନ୍ୟମାନଙ୍କୁ ନିଶ୍ଚୟ ଦେବି । ଯଦି ତୁମେ ମୋତେ ଆଉ କେଉଁ କେଉଁ ଜିନିଷ ଖରାପ ଲାଗୁଛି ବୋଲି ପଚାରୁଛ ତେବେ ମୁଁ ଏତିକି କହିପାରେ ଯେ, ମୋତେ ସାହିତ୍ୟିକଙ୍କ ସମ୍ୱର୍ଦ୍ଧନାରେ ପତ୍ରିକାର ସମ୍ମେଳନ ଏବଂ ସାହିତ୍ୟିକଙ୍କୁ କିଛି ଗୋଟାଏ ଉପହାର ଦେବା ପ୍ରଥାଟା ବିଶେଷ ଭଲ ଲାଗେ ନାହିଁ । ବୁଝିପାରେ ନାହିଁ ଯେ ଲୋକମାନେ କେମିତି ନିଜେ ପଇସା ଖର୍ଚ୍ଚ କରି ନିଜର ଅଭିନନ୍ଦନ ସଭା ଆୟୋଜନ କରାନ୍ତି ?’’

 

ତାଙ୍କର ବ୍ୟାବସାୟିକ ଦୃଷ୍ଟିକୋଣଟି ମୋତେ ଖୁବ୍‌ ଭଲଲାଗିଲା । ମୁଁ ତାଙ୍କପାଇଁ ଭଲ ସମ୍ୱର୍ଦ୍ଧନା ସଭାଟାଏ କରାଇଦେଲେ ସେ ମୋ ସାହିତ୍ୟର ଉଚ୍ଚ ପ୍ରଶଂସା କରିବେ । ମୁଁ ସମତାଳରେ କହିଲି, ‘‘ନା ନା, ନିଜ ଅଭିନନ୍ଦନ ପାଇଁ ନିଜେ ଇଚ୍ଛୁକ ହେବା ବା ଅହେତୁକ ବ୍ୟସ୍ତତା ଦେଖାଇବା ଏକ ନୀଚସ୍ତରର କାର୍ଯ୍ୟ । ଏହାଦ୍ୱାରା ସାହିତ୍ୟ ଅପମାନିତ ହୁଏ । ଆପଣଙ୍କର ଅଭିନନ୍ଦନ ପାଇଁ ଆପଣ ଆଦୌ ବ୍ୟସ୍ତ ହେବେ ନାହିଁ । ମୁଁ ନିଜେ ସେଥିପାଇଁ ବହୁତ ବ୍ୟସ୍ତ ଅଛି । ଆରମାସରେ ଆପଣଙ୍କର ଜନ୍ମଦିନରେ ଏକ ଉପଯୁକ୍ତ ସମ୍ୱର୍ଦ୍ଧନା ସଭାର ସ୍ଥାନ ଏବଂ କାଳ ନିରୂପଣ କରି ଆପଣଙ୍କୁ ଜଣାଇବି ।’’

 

ସେ ମୋତେ ସାବଧାନ କରାଇ ଦେଇଥିଲେ–‘‘ସେ ଯାହାହେଉ, ତେବେ ଏତିକି ମନେରଖ ଯେ, ସେ ସମ୍ୱର୍ଦ୍ଧନାରେ କୌଣସି ସରକାରୀ ସଂସ୍ଥା ଯେମିତି ନଥାଏ । ବିଶେଷତଃ ସାହିତ୍ୟ ଏକାଡ଼େମୀ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭାଗର ଛାଇ ମଧ୍ୟ ନପଡ଼େ ଯେମିତି ।’’

 

ଏତିକି କହୁ କହୁ ତାଙ୍କର ନାକପୁଡ଼ା ଦୁଇଟା ଘୃଣାରେ ଥରି ଉଠୁଥାଏ । ବୁଝିପାରିଲି ଯେ ଅନେକ ଚେଷ୍ଟା ସତ୍ତ୍ୱେ ସାହିତ୍ୟ ଏକାଡ଼େମୀର ପୁରସ୍କାର ଆଉ ସାଂସ୍କୃତିକ ବିଭାଗର କୌଣସି ସାହାଯ୍ୟ କବିଙ୍କୁ ମିଳିନାହିଁ । ସାନ୍ତ୍ୱନା ଦେଲି, ‘‘କଅଣ କହୁଛନ୍ତି ଆପଣ ? ଆପଣଙ୍କର ମହାନ ସାହିତ୍ୟ ପାଖରେ ସାହିତ୍ୟ ଏକାଡ଼େମୀ ଆଉ ସାଂସ୍କୃତିକ ବିଭାଗ କି ତୁଚ୍ଛ କଥା ! ଆପଣ ସାହିତ୍ୟ ଯେଉଁ ସମୟରେ ଛାଡ଼ିଲେ ସେହି ସମୟ ପରେହିଁ ଏହି ଅନୁଷ୍ଠାନଗୁଡ଼ିକ ଗଠିତ ହେଲେ । ଆପଣ ଯଦି ଲେଖା ଛାଡ଼ି ନଥାନ୍ତେ ତା’ହେଲେ ଆପଣ ନିଜେହିଁ ଏକ ଏକାଡ଼େମୀ ଏବଂ ସାଂସ୍କୃତିକ ଅନୁଷ୍ଠାନ ହୋଇଯାଇ ଥାନ୍ତେ । ତା’ଛଡ଼ା ସାହିତ୍ୟ ଏକାଡ଼େମୀର ସଭାପତି ପାର୍ଟି ଟିକେଟରେ ଏମ.ଏଲ.ଏ ନିର୍ବାଚନ ଲଢ଼ିଥିଲେ । ହାରିଯିବା ହେତୁ ତାଙ୍କୁ ଏଇଠି ସଭାପତି କରାଇ ଦିଆଗଲା । ଆଉ କଲ୍‌ଚରାଲ୍‌ ଏଫେୟାର୍ସର ଡାଇରେକ୍‌ଟର ଜଣେ ଏଗ୍ରିକଲ୍‌ଚରାଲ୍‌ ଗ୍ରାଜୁଏଟ । ଏଗ୍ରିକଲ୍‌ଚର ଡିପାର୍ଟମେଣ୍ଟରେ ଡାଇରେକ୍ଟର ଥିଲେ । ସେଠି ଫେଲ ମାରିବାରୁ ତାଙ୍କର ନିଯୁକ୍ତି ଏଠାରେ କରାହୋଇଛି । ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ବ୍ୟକ୍ତିଗତ ସଂସ୍ଥାଦ୍ୱାରା ଏସବୁ କିଛି କରାଇନେବି । ଏଇ ଅସାହିତ୍ୟିକ ଲୋକମାନେ ଦୂରରେ ରହିବେ ।’’

 

ବୟସ୍କ କବିଙ୍କ ସନ୍ତପ୍ତ ହୃଦୟକୁ ସନ୍ତୁଷ୍ଟ କରାଇଦେବା ସିନା ସୁବିଧାଜନକ ବିଷୟ ଥିଲା, ମାତ୍ର ପ୍ରକୃତରେ ସମ୍ୱର୍ଦ୍ଧନା ପାଇଁ ଯେତେବେଳେ ଆୟୋଜନ କରିବାରେ ଲାଗିପଡ଼ିଲି ସେତେବେଳେ ଅନେକ ବିଘ୍ନ ମୋ ଆଗକୁ ଆସିଲା । ମୁଁ ପ୍ରଥମେ ଆଧୁନିକ ସାହିତ୍ୟିକ ଅନୁଷ୍ଠାନ ଗୁଡ଼ିକ ସାଙ୍ଗରେ ସମ୍ପର୍କ ସ୍ଥାପନ କଲି । ଉତ୍ତର ଆସିଲା–‘‘ପ୍ରାଗ୍‌ଐତିହାସିକ କାଳର ଡାଇନୋସର ଲୁପ୍ତ ହେଲାଭଳି ଏପ୍ରକାର କବିଙ୍କର ସଭ୍ୟତା ଅନେକ ଦିନରୁ ବିଲୁପ୍ତ ହେଲାଣି । କୌଣସି ଜଣେ ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ପାଖକୁ ଯାଆନ୍ତୁ–ହୁଏତ ସେ ଏହାଙ୍କର ପୁନରୁଦ୍ଧାର କରିପାରିବେ । ଆମେ ଏକ ସାହିତ୍ୟିକ ଅନୁଷ୍ଠାନ ଗଢ଼ିଛୁ, ଐତିହାସିକ ଅନୁଷ୍ଠାନ ନୁହେଁ ।’’

 

ପୁରାତନ ସାହିତ୍ୟ ପ୍ରଚାର କରୁଥିବା ଅନୁଷ୍ଠାନମାନଙ୍କ ପାଖକୁ ଯାଇ ମୋ ପ୍ରସ୍ତାବ ରଖିଲି । ସେମାନେ କହିଲେ–‘‘ଆମେ ପୁରାତନ ନିଶ୍ଚୟ । ଆମେ ସବୁଜଯୁଗ ସୃଷ୍ଟି କରିଛୁ । କିନ୍ତୁ ଏ ତ ନାରଙ୍ଗୀଯୁଗର କବି, ଯାହାଙ୍କ କବିତା ଆମର ବୋଧଗମ୍ୟ ହେଉ ନାହିଁ । ତା’ଛଡ଼ା ୟାଙ୍କ ଲେଖା ‘‘ସଚିତ୍ର ରାଧାକୃଷ୍ଣ କୌତୂହଳ’ ଯେ ଏକ ସାହିତ୍ୟିକ ପୁସ୍ତକ ହୋଇଥିବ ଏକଥା ଆମ ବୁଦ୍ଧିର ବାହାରେ । ଏହା ମୋହନ ଚରଣ ଦାସ ରଚିତ, ‘ବିବାହବିଜ୍ଞାନ’ ବା ‘କୋକଶାସ୍ତ୍ର’ ଭଳି ବହିଟାଏ ହୋଇଥିବ, ଯାହାକୁ କି ସ୍କୁଲ ପିଲାମାନେ ଇଦୁପହରରେ ଲୁଚେଇ ଲୁଚେଇ ପଢ଼ୁଥିବେ । ଆମେ କିଛି ସାହାଯ୍ୟ କରିପାରିବାନାହିଁ ।’’

 

ଗୋଟାଏ ଦୁଇଟା ଧର୍ମ ଅନୁଷ୍ଠାନକୁ ଯାଇ ବୁଝାଇଲି ଯେ, ଜୀବେ ଦୟା ମହାଧର୍ମ । ଜଣେ ବୟୋବୃଦ୍ଧ କବିଙ୍କର ମନସ୍କାମନା ପୂର୍ଣ୍ଣକଲେହିଁ ବହୁତ ଧର୍ମ । କିନ୍ତୁ ଜଣେ ଦୁଇଜଣ ଉଗ୍ରପନ୍ଥୀ କହିଲେ, ‘‘ଯେଉଁ ବ୍ୟକ୍ତି ବିବେକାନନ୍ଦଙ୍କ ଭଳି ମହାନ୍‌ଧର୍ମ ପ୍ରଚାରକଙ୍କ ଉପରେ ଚମ୍ପୂ ଲେଖିପାରେ ସେ ଧର୍ମଦ୍ରୋହୀ । ତାଙ୍କୁ ଆଜି ଉତ୍ସାହିତ କଲେ ସେ ହୁଏତ କାଲି ରାମକୃଷ୍ଣଙ୍କ ଉପରେ ଚଉତିଶା ବା ପୁରୀର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ସୁଗମ ସଙ୍ଗୀତ ଲେଖିଦେଇ ପାରନ୍ତି । ୟାଙ୍କୁ ସାହାଯ୍ୟ କରିବା ଅର୍ଥ ଧର୍ମରେ ଗ୍ଳାନି ପହଞ୍ଚାଇବା ।’’

 

ରାଜନୈତିକ ଦଳଙ୍କୁ ଧରିଲି । କହିଲେ–ନିର୍ବାଚନ ପାଇଁ ଯଦି ଦଶଟା କବିତା ଲେଖିଦେବେ ବା ହଜାରେଟା ଭୋଟ ଯୋଗାଡ଼ କରିଦେବେ ତା’ହେଲେ କିଛି ଟଙ୍କା ଦେଇପାରୁ । ବଣିଆ ସଙ୍ଘ, ତାଳଗୁଡ଼ ସମିତି, ମୋଚି ଆସୋସିଏସନ, ଟ୍ରକ୍‌ୟୁନିଅନ୍‌ପ୍ରଭୃତି ସମସ୍ତଙ୍କୁ ଦେଖାକଲି-। ମାତ୍ର ସମସ୍ତେ ରୋକ୍‌ଠୋକ୍‌ ନାସ୍ତିବାଣୀ ଶୁଣାଇଦେଲେ ଯେ, ଏ କବିଙ୍କଦ୍ୱାରା ସେମାନଙ୍କର ଧନ୍ଦାରେ କିଛି ଲାଭ ନାହିଁ, ତେଣୁ ସାହାଯ୍ୟ କରିବାର ପ୍ରଶ୍ନ ଉଠୁନାହିଁ ।

 

ମୋର ଭାଗ୍ୟ ଭଲଥିଲା । ଗୋଟାଏ ଭିକାରି ଖରାବେଳେ ମୋ ଘର ଆଗରେ ଗରମ ସହି ନପାରି ମରିଗଲା । ଦୁଇଘଣ୍ଟା ପରେ ‘ନିରାଶ୍ରିତ ମଢ଼ ଜଳା ସଂସ୍ଥା ର କର୍ମୀମାନେ କୁଆଡ଼ୁ ଖବର ପାଇ ମଡ଼ା ଉଠାଇବା ପାଇଁ ଆସି ପହଞ୍ଚିଗଲେ । ସୁଯୋଗ ପାଇ ମୁଁ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କଲି । ବୁଝାଇଦେଲି ଯେ କବି ଜଣକ ସେପଥର ଯାତ୍ରୀ । ଯଦି ମୁଁ ତାଙ୍କର ଜନ୍ମଦିନ ଉତ୍ସବ ନକରାଇବି ତେବେ ସେ ଶକ୍‌ ଓ ହିମୋରେଜଦ୍ୱାରା ଆର ପୁରକୁ ଚାଲିଯିବେ । ଯେହେତୁ ସେ ନିଃସନ୍ତାନ ଓ ବିପତ୍ନୀକ, ତେଣୁ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ଯେମିତି ହେଲେ ‘ନିରାଶ୍ରିତ ମଢ଼ ଜଳା ସଂସ୍ଥା’କୁ ହିଁ କରିବାକୁ ପଡ଼ିବ । ଏହିପରି ଅନେକ ପ୍ରକାର ବୁଝାବୁଝି କଲା ପରେ ସେମାନେ ରାଜି ହୋଇଥିଲେ ଯେ ଗୋଟାଏ ମଢ଼ ଜଳାଇବା ପାଇଁ ଯେତିକି ଖର୍ଚ୍ଚ ସେତିକିରେହିଁ ସେମାନେ ସମ୍ୱର୍ଦ୍ଧନା ସଭା କରାଇଦେବେ ।

 

+ + +

 

ନିର୍ଦ୍ଦିଷ୍ଟଦିନ ନଦୀବାଲିରେ କବିଙ୍କ ଅଶୀତମ ଜନ୍ମଦିବସ ଉପଲକ୍ଷେ ସଭା ଆୟୋଜନ କରାଗଲା । ମଢ଼ଜଳା ସଂସ୍ଥାର ପ୍ରାୟ କୋଡ଼ିଏ ଜଣ ଖଣ୍ଡେ ସଭ୍ୟ ଏକତ୍ର ହେଲେ । ଫୁଲମାଳ, ଚନ୍ଦନ ଆଦିର ବ୍ୟବସ୍ଥା କରାଯାଇଥାଏ । କିଛି ଜଳଯୋଗ ଏବଂ ଗୋଟାଏ ଉପହାରର ବନ୍ଦୋବସ୍ତ ମଧ୍ୟ କରାଇଦିଆଯାଇଥାଏ । ଜଣେ ଦୁଇଜଣ ସାମ୍ୱାଦିକ ମଧ୍ୟ କୌତୂହଳୀ ହୋଇ ଆସିଥାଆନ୍ତି । ମୁଁ ନିଜେ ଯାଇ ବୟସ୍କଙ୍କୁ ଗୋଟିଏ ରିକ୍‌ସାରେ ଆଣିଲି । କବି ଆହ୍ଲାଦିତ ହେଲେ । ତାଙ୍କର କବିତ୍ୱ ଉପରେ ମୁଁ ଗୋଟାଏ ଲମ୍ୱା ଭାଷଣ ଦେଲି । କବି ମଧ୍ୟ ତାଙ୍କ ଭାଷଣରେ କହିଥିଲେ ଯେ, ସେ ଏପରି ଏକ ସଭାକୁ ଆସିବା ପାଇଁ ଆଦୌ ଇଚ୍ଛା କରୁନଥିଲେ । ମାତ୍ର ଏଠାରେ ହୋଇଥିବା ‘ବିପୁଳ ଜନସମାଗମ’ ତଥା ମୋ’ର ଆନ୍ତରିକ ଶ୍ରଦ୍ଧା ତାଙ୍କୁ ଏଠାକୁ ଟାଣିଆଣିଥିଲା । ତାଙ୍କର ଜଣେ ସମସାମୟିକ କବିଙ୍କୁ ଅନ୍ୟ ଏକ ସହରରେ ସମ୍ୱର୍ଦ୍ଧନା ଦିଆଯାଇଥିଲା । କିନ୍ତୁ ଗୋଟାଏ କଥା ଆମ କବିଙ୍କ ନାପସନ୍ଦ ଥିଲା ଯେ, ଅନ୍ୟ କବିଜଣକ ମଲାପରେ ଲୋକମାନେ ତାଙ୍କୁ ଶୋଭାଯାତ୍ରାରେ ନେଇଥିଲେ ଆଉ ତାଙ୍କର ଗୋଟାଏ ସମାଧି ଗଢ଼ାଇ ଦେଇଥିଲେ । ଜଣେ ମଲାପରେ ତା ଖେଳ ଦୁନିଆଁରେ ସରିଥାଏ । କିନ୍ତୁ ତା’ ଉପରେ ମଧ୍ୟ ସମ୍ୱାଦପତ୍ରରେ କିଛି ବାହାରିବା, ଦୁଇଚାରିଟା ଶୋକସଭା ହେବା କଥାଟିକୁ ସେ ପସନ୍ଦ କରିନଥିଲେ ।

 

ତାଙ୍କର ଭାଷଣ ଏହିପରି ଚାଲିଥିଲାବେଳେ ମଡ଼ାଜଳା ସଂସ୍ଥାର ଆଉ ଚାରିଜଣ ସଦସ୍ୟ କୁଆଡ଼ୁ ଆସି ପହଞ୍ଚିଗଲେ । ସେମାନଙ୍କ ସାଙ୍ଗରେ ମଡ଼ା ଉଠାଇବା ପାଇଁ ଗୋଟାଏ କୋକେଇ ଥିଲା । ବୋଧହୁଏ କେଉଁଠାରୁ ଏକ ନୂଆ ମଡ଼ା ଉଠାଇବା ପାଇଁ ତିଆର ହୋଇ ଆସିଥିଲେ ।

 

ତାଙ୍କୁ ଦେଖି ବୟସ୍କ କବି ମୋ ଆଡ଼େ ଏକ ସନ୍ଦିଗ୍‌ଧ ଦୃଷ୍ଟିରେ ଚାହିଁ କହିଲେ–ଏମାନେ ସବୁ କିଏ ? ଦେଖିଲା ପରଠାରୁ ମୋର ଭାବାନ୍ତର ଜାତ ହେଉଅଛି ।’’

 

ମୁଁ କବିଙ୍କର ମନୋଦ୍‌ବେଗ ଜାଣିନେଇ କହିଲି–‘‘ସେମାନେ କେତେଜଣ ନୂତନ ସାହିତ୍ୟକାର, ଯେଉଁମାନେ କି ଆପଣଙ୍କୁ ଦେଖିବା ପାଇଁ ସଭାକୁ ଆସିଛନ୍ତି । ସେମାନେ ସାଙ୍ଗରେ ଆଣିଥିବା ବାଉଁଶରେ ନିର୍ମିତ ବସ୍ତୁଟି ଏ ସଭାକୁ ଆବଶ୍ୟକୀୟ ଜିନିଷପତ୍ର ଆଣିବା ପାଇଁ ସାହାଯ୍ୟକରେ । ଆପଣଙ୍କର ଏତେ ଶୀଘ୍ର ଭାବାନ୍ତର ହେବାର କୌଣସି କାରଣ ନାହିଁ । ଏହିପରି ଆଉ ଦୁଇ ଚାରୋଟି ସମ୍ୱର୍ଦ୍ଧନା ସଭା ହେଲାପରେହିଁ ଆପଣ ସେ ବିଷୟରେ ଚିନ୍ତା କରିବେ ।’’

 

କଥାଟି ତାଙ୍କର ପସନ୍ଦ ହୋଇଥିଲା । ଭାଷଣର ଶେଷାଂଶରେ ସେ କହିଥିଲେ ଯେ, କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଆଉ କବିସୂର୍ଯ୍ୟ ବଳଦେବଙ୍କ ପରେ ମୁଁ ଏକମାତ୍ର ସାହିତ୍ୟକାର ଯେ କି ସେ ସୀମାକୁ ଛୁଇଁପାରିଛି । ଅବଶ୍ୟ ‘ନାରଙ୍ଗୀ ଯୁଗୀୟ’ ସାହିତ୍ୟର କିଛି ପ୍ରଭାବ ମୋ ଉପରେ ନିଶ୍ଚୟ ପଡ଼ିଛି । ସଭା ସମାପ୍ତ ହେଲାପରେ ସେ ଆନନ୍ଦରେ ଘରକୁ ଯାଇଥିଲେ ।

 

ସେଦିନର ସମ୍ୱର୍ଦ୍ଧନା ସିନା ନିରାଶ୍ରିତ ମଡ଼ାଜଳା ସଂସ୍ଥାଦ୍ୱାରା କରାଇଦେଲି, କିନ୍ତୁ ଚିନ୍ତାରେ ପଡ଼ିଛି ଯେ, ଏହି ବୟସ୍କଙ୍କର ଦେହାବସାନ ପରେ ଆଉ କେଉଁ ସଂସ୍ଥାଦ୍ୱାରା ଅନ୍ତ୍ୟେଷ୍ଟି କ୍ରିୟା ଶୋଭାଯାତ୍ରା ଓ ଶୋକସଭା ଇତ୍ୟାଦି କରାଇବି ।

Image

 

ଅଧ୍ୟାପକ ବ୍ରହ୍ମଦର୍ଶନଙ୍କ କଲେଜ

 

ସବୁ ସମ୍ୱାଦପତ୍ର ମାନଙ୍କରେ ଏକ ଆକର୍ଷଣୀୟ ବିଜ୍ଞାପନ ବାହାରିଥିଲା–‘‘ପରୀକ୍ଷାରେ ଫେଲ୍‌ ହେଲେ ପଇସା ଫେରସ୍ତ । ଚାରିଥର ପୃଥିବୀ ପରିଭ୍ରମଣ କରିଥିବା ବିଶ୍ୱବିଖ୍ୟାତ ପ୍ରଫେସର ଡକ୍‌ଟର ବ୍ରହ୍ମଦର୍ଶନଙ୍କ କୋଚିଙ୍ଗ୍‌ କଲେଜରେ ଆଡ଼ମିଶନ୍‌ ନିଅନ୍ତୁ । ଏଠାରେ ହାଇସ୍କୁଲ ପରୀକ୍ଷାଠାରୁ ଆରମ୍ଭ କରି ଏମ୍‌.ଏ. ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ପାଇଁ ଛାତ୍ରମାନଙ୍କୁ ଅତି ସୁଲଭ ମୂଲ୍ୟରେ ତିଆରି କରାଯାଏ । ଯଦି କେହି ଛାତ୍ର ପରୀକ୍ଷାରେ ଫେଲ ହୁଏ ତାହାହେଲେ ତାହାର ସମ୍ପୂର୍ଣ୍ଣ ପଇସା ଫେରସ୍ତ ଦିଆଯିବ । ବିସ୍ତୃତ ବିବରଣୀ ପାଇଁ ନିମ୍ନଲିଖିତ ଠିକଣାରେ ସକାଳ ଆଠଟାଠାରୁ ଦଶଟା ପର୍ଯ୍ୟନ୍ତ ପ୍ରଫେସର ବ୍ରହ୍ମଦର୍ଶନଙ୍କର ସେକ୍ରେଟାରୀ ଶ୍ରୀ ବିଶ୍ୱଦର୍ଶନଙ୍କ ସାଙ୍ଗରେ ସମ୍ପର୍କ ସ୍ଥାପନ କରନ୍ତୁ...’’ ଇତ୍ୟାଦି ।

 

ବିଜ୍ଞାପନଟି ପଢ଼ି କେତେକ ଛାତ୍ର ଏବଂ ଶିକ୍ଷକଙ୍କ ମନରେ କିଛିଟା ସନ୍ଦେହ ଜାଗ୍ରତ ହୋଇଥିଲା । କେତେଜଣ, ମ୍ୟାଗାଜିନ୍‌ ଓ ସମ୍ୱାଦପତ୍ରମାନଙ୍କରେ କେବେ କେବେ ବାହାରୁଥିବା ବିଜ୍ଞାପନ ‘ଦଶମିନିଟରେ ଧଳାଛଉ ଭଲହେବା ଔଷଧ’ ‘ଓ ମାସକ ଭିତରେ ତିନିଇଞ୍ଚ ଲମ୍ୱାହେବା ଯନ୍ତ୍ର’ ସାଙ୍ଗରେ ଏ ବିଜ୍ଞାପନକୁ ତୁଳନା କରିଥିଲେ । ମାତ୍ର ଯେଉଁ ଛାତ୍ରମାନଙ୍କର ଦୁଇ ତିନିଥର ଫେଲ ହେବାପରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ପଦ୍ଧତି ଉପରୁ ବିଶ୍ୱାସ ଚାଲିଯାଇଥିଲା ସେମାନେ ପଇସା ଫେରସ୍ତ ମିଳିବା ବିଷୟ ପଢ଼ି ଆଡ଼ମିଶନ ନେଇଥିଲେ । କିନ୍ତୁ ଯେତେବେଳେ ପରୀକ୍ଷା ଗୁଡ଼ିକର ଫଳ ବାହାରିବା ଆରମ୍ଭ ହେଲା ସମସ୍ତେ ପ୍ରଫେସର ବ୍ରହ୍ମଦର୍ଶନଙ୍କ କଲେଜର ପରୀକ୍ଷା ଫଳ ଦେଖି ତଟସ୍ଥ ହୋଇଗଲେ–ଯେତେ ଛାତ୍ର ଏ କଲେଜରେ ଆଡ଼ମିଶନ୍‌ ନେଇଥିଲେ ସମସ୍ତେ ପାସ୍‌ । ଅଧାରୁ ବେଶି ପ୍ରଥମ ଶ୍ରେଣୀରେ ପାଶ୍‌ କରିଥିଲେ ।

 

ଓଡ଼ିଶାର ଶିକ୍ଷା ଜଗତରେ ଗୋଟାଏ କ୍ରାନ୍ତି ଆସିଗଲା ଭଳି ଲାଗିଲା । କି କୌଶଳ ଅଧ୍ୟାପକ ବ୍ରହ୍ମଦର୍ଶନ ପ୍ରୟୋଗ କରୁଥିବେ ଯାହାଦ୍ୱାରା ସବୁ ଛାତ୍ର ଏତେ ଭଲ ଭାବରେ ପାଶ୍‌କଲେ–ମନସ୍ତାତ୍ତ୍ୱିକ, ଯୌଗିକ, ଆଣବିକ ନା ଅଧିଭୌତିକ ? ମୋର ଏ ବିଷୟରେ ଜାଣିବା ପାଇଁ ଏତେ କୌତୂହଳ ଜାଗ୍ରତ ହେଲା ଯେ, ମୁଁ ଦିନେ ପ୍ରଫେସ୍‌ରଙ୍କର ସେକ୍ରେଟାରୀ ପ୍ରଫେସର ବିଶ୍ୱଦର୍ଶନଙ୍କ ପାଖରେ ପହଞ୍ଚିଲି । ପ୍ରଥମେ ସେ ମୋତେ କୌଣସି ବିଷୟ କୌଣସି କାରଣରୁ ଖୋଲାଖୋଲି ଭାବେ କହିବା ପାଇଁ ରାଜି ହେଲେ ନାହିଁ । ମାତ୍ର ମୁଁ ଯେତେବେଳେ କହିଲି ଯେ, ମୁଁ ଗୋଟାଏ ପିଏଚ୍‌.ଡି ଡିଗ୍ରୀ ପାଇବା ପାଇଁ ଏଠାକୁ ଆସିଛି, ସେ ମୋତେ ତାଙ୍କ କଲେଜରେ ଭର୍ତ୍ତି କରାଇବା ପାଇଁ ଏବଂ କଲେଜଟି ଦେଖାଇବା ପାଇଁ ରାଜି ହୋଇଯାଇଥିଲେ । ମୋତେ ଗୋପନୀୟତାର ଏକ ପ୍ରମାଣପତ୍ର ଦେବାକୁ ପଡ଼ିଥିଲା ।

 

ସେ ମୋତେ କଲେଜ ଦେଖାଇବା ପାଇଁ ନେଉ ନେଉ କହିଲେ,–‘‘ପ୍ରକୃତରେ ଦେଖିବାକୁ ଗଲେ ଏହା ଅନ୍ୟ କଲେଜ ଭଳି ଏକ କଲେଜ ନୁହେଁ । ଏହା ଏକ ଲ୍ୟାବୋରେଟରୀ । ହାଇସ୍କୁଲଠାରୁ ଏମ୍‌.ଏ. ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଅଲଗା ଅଲଗା କ୍ଳାସ କରାଯାଏନାହିଁ । ଆମର ପ୍ରତ୍ୟେକ ଲାବୋରେଟେରୀରେ ସମସ୍ତେ ମିଳିମିଶି ପ୍ରଶିକ୍ଷଣ ପାଆନ୍ତି । ଆମେ ପ୍ରତିଦିନ ପରୀକ୍ଷାରେ ଭଲଭାବରେ ପାଶ୍‌କରିବା ପାଇଁ ନୂଆ ନୂଆ ପଦ୍ଧତି ଉପରେ ଗବେଷଣା କରୁ । ଚାଲ ମୁଁ ତୁମକୁ ପ୍ରଥମ ଲ୍ୟାବୋରେଟେରୀ ଦେଖାଇଦେବି ।

 

ଆମେ ପ୍ରଥମ ଲ୍ୟାବୋରେଟେରୀରେ ପହଞ୍ଚିଲୁ । ଏହି ଲ୍ୟାବୋରେଟେରୀ ଭିତରେ ଗୁଡ଼ାଏ ଟେବୁଲ ଆଉ ଚଉକି ପଡ଼ିଥାଏ । ଛାତ୍ରମାନେ ବହିମାନଙ୍କରୁ ପ୍ରଶ୍ନୋତ୍ତର ଗୁଡ଼ାଏ ଛୋଟ ଛୋଟ କାଗଜରେ ଉତ୍ତାରିବାରେ ଖୁବ୍‌ବ୍ୟସ୍ତ ଥିଲେ । କେମିତି ନକଲ କରିବା କାଗଜରେ ପ୍ରଶ୍ନୋତ୍ତର ଲେଖିବାକୁ ହେବ ସେ ବିଷୟରେ ଜଣେ ଶିକ୍ଷକ ବୁଝାଇ ଚାଲିଥିଲେ । ଜଣେ ଛାତ୍ର ଅକ୍ଷରଗୁଡ଼ିକ ଏତେ ଛୋଟକରି ଲେଖିଥିଲା ଯେ, ଖାଲି ଆଖିରେ ଜଣେ ପଢ଼ି ପାରିବ ନାହିଁ । ଗୋଟାଏ କାଗଜ ମୁଁ ଜଣେ ଛାତ୍ରର ଟେବୁଲରୁ ଉଠାଇ ନିରୀକ୍ଷଣ କଲି–ମାତ୍ର କିଛି ପଢ଼ି ପାରିଲି ନାହିଁ । ଛାତ୍ରଜଣକ ମତେ ବୁଝାଇଦେଲା ଯେ, ଏଇ କାଗଜ ଖଣ୍ଡକରେ ପ୍ରାୟ ଏଗାରଟା ଅଙ୍କ କଷାହୋଇ ରହିଛି । ସେ ଶ୍ରେଣୀର ଅଧ୍ୟାପକ ଜଣେ କଳାକାର ଥିଲେ, ଯେ କି ବିଦେଶ ଯାଇ ଏଇ ଛୋଟ ଅକ୍ଷର ଲେଖିବା ଉପରେ ବିଶେଷ ଶିକ୍ଷାଲାଭ କରି ଆସିଥିଲେ । ସେ ମୋତେ ଗର୍ବର ସହିତ ଜଣାଇଲେ ଯେ, ଏବର୍ଷ ଓଡ଼ିଆ ଏମ୍‌.ଏ.ରେ ଯେଉଁ ଛାତ୍ରଟି ପ୍ରଥମ ହୋଇଥିଲା ସେ ମଧ୍ୟ ଏହି କଲେଜର ଛାତ୍ର । ସେ ଗୋଟାଏ କାଗଜ ଟୁକୁଡ଼ାରେ ରାଧାନାଥଙ୍କ ‘ଦରବାର’ କାବ୍ୟଟି ଉତ୍ତାରି ଦେଇଥିଲା । ତା’ଛଡ଼ା ସେ ମୋତେ କହିଥିଲେ ଯେ, କାଳେ ଏଇ ଛୋଟ ଅକ୍ଷରରୁ ପରୀକ୍ଷା ଖାତାକୁ ଉତ୍ତାରିବାରେ ଡେରି ଲାଗିପାରେ ସେଥିପାଇଁ ଏଠାରେ ଘଡ଼ି ରଖି କପି ଲେଖିବାର ଅଭ୍ୟାସ ମଧ୍ୟ କରାଯାଇଥାଏ ।

 

ଏହାପରେ ଆମେ ଦୁହେଁ ଏହି ରୁମ୍‌ସାଥିରେ ସଂଲଗ୍ନ ଅନ୍ୟ ଏକ ଲ୍ୟାବୋରେଟେରୀକୁ ଗୁଲୁଁ । ସେଠାରେ ଛାତ୍ର ଏବଂ ଛାତ୍ରୀମାନେ ନକଲ–କାଗଜ ଏବଂ ବହିର ପୃଷ୍ଠାଗୁଡ଼ିକ ଶରୀରର ବିଭିନ୍ନ ଅଙ୍ଗରେ ଲୁଚାଇବା ଶିଖୁଥିଲେ । ସାର୍ଟ କଲରରେ, ଚୋରାପକେଟ୍‌ରେ, ମୋଜା ଭିତରେ, ବ୍ଲାଉଜ ଭିତରେ ଏବଂ ଏପରି ଅନେକ ବଚନୀୟ ଏବଂ ଅନିର୍ବଚନୀୟ ଜାଗାମାନଙ୍କରେ । ଛାତ୍ର ଓ ଛାତ୍ରୀମାନେ କାଗଜମାନ କାଢ଼ି ନକଲ କରୁଥିଲେ ଆଉ ଅତି ସନ୍ତର୍ପଣରେ ପୁଣି ସେହି ଜାଗାରେ ରଖିଦେଉଥିଲେ । ଦୁଇଜଣ ଶିକ୍ଷକ ବୁଲି ବୁଲି ଏହା ପର୍ଯ୍ୟବେକ୍ଷଣ କରୁଥାନ୍ତି ଏବଂ ଧରାପଡ଼ି ଯାଉଥିବା ଛାତ୍ରମାନଙ୍କୁ ଦ୍ୱିତୀୟଥର ଚେଷ୍ଟା କରିବା ପାଇଁ ଉତ୍ସାହିତ କରୁଥାଆନ୍ତି । ଏ ଦୁଇଜଣ ଶିକ୍ଷକ ଅବସରପ୍ରାପ୍ତ ଅଧ୍ୟାପକ ।

 

ମୁଁ ଏସବୁ ଦେଖି ଖୁବ୍‌ ପ୍ରଭାବିତ ହୋଇଯାଇଥିଲି । ମନର କୌତୂହଳକୁ ଦମନ କରି ନପାରି ପଚାରିଲି, ‘‘ଯଦି ଏସବୁ ସତ୍ତ୍ୱେ ମଧ୍ୟ କୌଣସି ଛାତ୍ର ଧରାପଡ଼େ ତାହାହେଲେ କଅଣ କରିବେ ?’’

 

ସେ ତୁରନ୍ତ କହିଲେ, ‘‘ଏହାପାଇଁ ମଧ୍ୟ ଆମେ ରାସ୍ତା ରଖିଛୁ । ଆସନ୍ତୁ ଆମର ପରବର୍ତ୍ତୀ ଲ୍ୟାବୋରେଟେରୀକୁ ।’’

 

ପରବର୍ତ୍ତୀ ଲ୍ୟାବୋରେଟେରୀ ଭିତରକୁ ଯାଇ ଯାହା ଦୃଶ୍ୟ ଦେଖିଲି ସେଥିରେ ମୋ ଆଖିଡ଼ୋଳା ଭିତରକୁ ପଶିଗଲା । ଗୁଡ଼ାଏ ଛାତ୍ର ଚଉକୀମାନଙ୍କରେ ବସି ବଡ଼ ତୀବ୍ରଗତିରେ ଗୁଡ଼ାଏ କାଗଜ ଚୋବାଇ ଚୋବାଇ ଗିଳିଯାଉଥାଆନ୍ତି । ଏହି ଶ୍ରେଣୀର ଶିକ୍ଷକଜଣକ ଏଠାରେ ନିଯୁକ୍ତ ହେବା ପୂର୍ବରୁ ଯାଦୁକର ପି.ସି. ସରକାର ସାଙ୍ଗରେ କାର୍ଯ୍ୟ କରୁଥିଲେ । କପି ଦୈବାତ୍‌ ଧରାପଡ଼ିଗଲେ ତାକୁ କେମିତି ଜଣେ ଜଲ୍‌ଦି ଗିଳିଦେଇପାରେ ସେ ବିଷୟରେ ସେ ଶିକ୍ଷା ଦେଉଥିଲେ । ଅଧ୍ୟାପକ ଜଣକ ଏ ବିଷୟରେ ଦୃଷ୍ଟାନ୍ତ ଦେବାକୁ ଯାଇ ମୋ ସମ୍ମୁଖରେ ଦୈନିକ ‘ସମାଜ’ର ଗୋଟାଏ ସ୍ୱାଧୀନତା ବିଶେଷାଙ୍କକୁ ଦଶ ସେକେଣ୍ଡରେ ଗିଳିଦେଲେ । ଶିକ୍ଷକ ଜଣକ ଛାତ୍ରମାନଙ୍କୁ ବୁଝାଉଥିଲେ–‘‘ଯଦି ଇନ୍‌ଭିଜିଲେଟର ହଠାତ୍‌ ପହଞ୍ଚିଯାଏ ତେବେ କପିଗୁଡ଼ାକ ଗୁଳାକରି ଝରକାବାଟେ ବାହାରକୁ ଫିଙ୍ଗିଦେବା ଉଚିତ, ନହେଲେ ପାଖରେ ବସିଥିବା ଛାତ୍ରର ଚଉକି ବା ଡେସ୍କ ତଳକୁ ଫିଙ୍ଗିଦେବା ଉଚିତ । ତାଛଡ଼ା କପି ଦେବାପାଇଁ ଆଉ ନେଇଯିବା ପାଇଁ ଯେଉଁଠାରେ ପରୀକ୍ଷା ହଲର ପାଣିବାଲା ସାଙ୍ଗରେ କଥାବାର୍ତ୍ତା କରାହୋଇଛି, ସେଠାରେ ଆବଶ୍ୟକ ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରିବ ।’’

 

ଏହାପରେ ଆମେ ଦୁହେଁ ଅନ୍ୟ ଏକ ଲ୍ୟାବୋରେଟେରୀକୁ ଯାଇଥିଲୁ । ପ୍ରଫେସର ବିଶ୍ୱଦର୍ଶନ ମୋତେ କହିଲେ, ‘‘ଯଦି କେହି ଇନ୍‌ଭିଜିଲେଟ୍‌ର ବେଶି ଟାଣୁଆ ଧରଣର ପଡ଼େ ତାହେଲେ ତାପାଇଁ ମଧ୍ୟ ଆମେ ଏକପ୍ରକାର ବ୍ୟବସ୍ଥା କରିଛୁ, ଯାହାଦ୍ୱାରା କି ସିଏ କପି ଧରିବା ପାଇଁ ଚେଷ୍ଟା କରିବ ନାହିଁ–ବହୁତ ଜଲ୍‌ଦି ହତୋତ୍ସାହିତ ହେବ ।’’

 

ଏହା କହି ସେ ମୋତେ ଗୋଟାଏ ବଡ଼ ହଲ ଭିତରକୁ ନେଇଗଲେ । ସେ ହଲ୍‌ରେ ପରୀକ୍ଷା ହଲ୍‌ରେ ପଡ଼ିଥିବା ଭଳି ଧାଡ଼ି ଧାଡ଼ି ସୁସଜ୍ଜିତ ଗୁଡ଼ାଏ ଟେବୁଲ ଓ ଚଉକି ପଡ଼ିଥିଲା । ଚେୟାରମାନଙ୍କରେ ଦଳେ ଲୋକ ବସିଥିଲେ । ସମସ୍ତେ ହାତ ଓ ଗଳା ଚିପା ବାନିଆନ୍‌ ପିନ୍ଧି ବସିଥିଲେ । ପ୍ରାୟ ସମସ୍ତଙ୍କର ଦେହର ମାଂସପେଶୀ ଗୁଡ଼ିକ ସ୍ପଷ୍ଟଭାବରେ ଫୁଟି ଦିଶୁଥିଲା । ସମସ୍ତଙ୍କ ଟେବୁଲ ଉପରେ କିଛି ନା କିଛି ଗୋଟାଏ ଅସ୍ତ୍ର ରଖା ହୋଇଥିଲା । ଦୁଇଇଞ୍ଚ ଲମ୍ୱଠାରୁ ଆରମ୍ଭ କରି ଦଶଇଞ୍ଚ ପର୍ଯ୍ୟନ୍ତ ଲମ୍ୱା ଛୁରୀ, ସ୍ପ୍ରିଙ୍ଗଛୁରୀ, ହସ୍ତନିର୍ମିତ ପିସ୍ତଲ, ସାଇକଲ ଚେନ, ଚମଡ଼ା ବେଲ୍‌ଟ ଏବଂ ଏସିଡ଼ ବୋତଲ ପ୍ରଭୃତି ମଧ୍ୟ ଟେବୁଲମାନଙ୍କ ଉପରେ ରଖାଯାଇଥିଲା । ପ୍ରତ୍ୟେକ ଛାତ୍ର ହାତରେ ବା ବେକରେ ଗୋଟାଏ ରୁମାଲ ବାନ୍ଧି ଥାଆନ୍ତି ଆଉ ମୁଣ୍ଡରେ ଗୋଟାଏ ରକ୍ତବର୍ଣ୍ଣର ତିଳକ ଲଗାଇଥାନ୍ତି ।

 

ମୁଁ ଡରିଯାଇ ପଚାରିଲି–‘‘ଏମାନେ କଅଣ ସନ୍ତ୍ରାସବାଦୀ ?’’

 

ସେ ମୋତେ କହିଲେ–‘‘ଏମାନେ ରାଜନୀତିକ ସନ୍ତ୍ରାସବାଦୀ ନୁହନ୍ତି । ଏମାନଙ୍କ କାମ ହେଲା ଇନ୍‌ଭିଜିଲେଟରକୁ ଡରାଇ ଧମକାଇ କପି କରିବା । ଏମାନେ ନିଜ ଦେହର ସମସ୍ତ ମାଂସପେଶୀ ଖୋଲାରଖିଥାଆନ୍ତି ଏବଂ ଇନଭିଜିଲେଟର ପାଖକୁ ଆସିବାମାତ୍ରେ ଏଗୁଡ଼ିକୁ ଫୁଲାଇଦେଇ ନଚାଇବା ଆରମ୍ଭ କରିଦିଅନ୍ତି ।’’ ସେ ମୋତେ କହିଥିଲେ ଯେ ଏ ଶ୍ରେଣୀର ଶିକ୍ଷକ ଜଣେ ବହୁତ ବଡ଼ ‘ଦାଦା’ ଯିଏକି ଦୁଇଟା ଖୁନ୍‌ଦୋଷରେ ଚାରିବର୍ଷ ଜେଲ ଭୋଗୀ ଏବେ ପଦାକୁ ଆସିଛନ୍ତି । ତାଙ୍କୁ ନିଜର ବିଷୟଟି ଖୁବ୍‌ଭଲ ଭାବରେ ଆସେ ।

ଏହାପରେ ସେ ମୋତେ ଅନ୍ୟ ଏକ ଲାବୋରେଟେରୀକୁ ନେଇଯାଇଥିଲେ । ଗୁଡ଼ାଏ ଛାତ୍ର ଅନ୍ୟ ଛାତ୍ରମାନଙ୍କୁ ପିଟୁଥାଆନ୍ତି । ମାଡ଼ର ବିଭିନ୍ନ ପ୍ରଣାଳୀ ବିଷୟରେ ଶିକ୍ଷା ଦିଆଯାଉ ଥାଏ-। ମଝିରେ ମଝିରେ ଶିକ୍ଷକଜଣକ କହୁଥାନ୍ତି, ‘‘ନା...ନା...ସେଇ ଜାଗାରେ ମାରନାହିଁ–ଅନ୍ୟ ଜାଗାରେ ମାର–ଜମାନତ କରାଇବା ପାଇଁ ସୁବିଧା ହେବ ।’’ ଅଧ୍ୟାପକ ବିଶ୍ୱଦର୍ଶନ ମୋତେ ବୁଝାଇଦେଲେ ଯେ ଶିକ୍ଷକଜଣକ ପୁଲିସ ବିଭାଗର ଜଣେ ସବ୍‌ଇନିସ୍‌ପେକ୍‌ଟର, ଯାହାକୁ କି ପୁଲିସ ବିଭାଗରୁ ବାଧ୍ୟତାମୂଳକ ଭାବରେ ରିଟାୟାର୍ଡ଼ କରାଯାଇଛି । ଶିକ୍ଷକଜଣକ ପରୀକ୍ଷା ସମ୍ୱନ୍ଧୀୟ ସମସ୍ତ ଅପରାଧ ଯଥା କପି ଫାଡ଼ିବା, ପ୍ରଶ୍ନପତ୍ର ଚୋରି କରିବା, ଇନ୍‌ଭିଜିଲେଟର୍‌କୁ ପିଟିବା, ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଘେରାଉ କରିବା ଆଦି ବିଷୟଗୁଡ଼ିକ ପ୍ରାଞ୍ଜଳ ଭାବରେ ବୁଝାଇଦେଉଥିଲେ ।

ଏସବୁ ସତ୍ୱେ ଯଦି କୌଣସି ଛାତ୍ରର ପରୀକ୍ଷାରେ ଖରାପ ହେବାର ସମ୍ଭାବନା ଥାଏ ତାହେଲେ ସମାଧାନ ପାଇଁ ଏକ ‘ବିଶେଷ ସେଲ୍‌’ ଗଠିତ ହୋଇଛି । ଏହି ସେଲ୍‌ରେ ଅନେକ ସଦସ୍ୟ ଅଛନ୍ତି । ସେମାନେ ପରୀକ୍ଷାମାନଙ୍କର ପ୍ରଶ୍ନକର୍ତ୍ତା, ଉତ୍ତର ପୁସ୍ତିକା ପରୀକ୍ଷକ, ଟାବୁଲେଟର୍‌ଆଦି ସମସ୍ତଙ୍କ ସଙ୍ଗରେ ସମ୍ପର୍କ ସ୍ଥାପନ କରିଥାନ୍ତି ଏବଂ ଆବଶ୍ୟକ ଅନୁସାରେ କାର୍ଯ୍ୟ କରନ୍ତି । ତା ଛଡ଼ା ବିଶ୍ୱବିଦ୍ୟାଳୟରେ ପୋଜିସନ୍‌ ରଖିବାପାଇଁ ଇଛୁକ ଛାତ୍ରମାନଙ୍କ ପାଇଁ ଏକ ସେଲ୍‌ କାମ କରେ । ଯଦି ଅନ୍ୟ କୌଣସି ଛାତ୍ର ଏ ସଂସ୍ଥାର ଛାତ୍ର ସଙ୍ଗରେ କୌଣସି ପରୀକ୍ଷାରେ ପ୍ରତିଯୋଗିତା କରେ ତେବେ ସେ ଛାତ୍ର ଘରକୁ ଟେଲିଫୋନ ଦ୍ୱାରା ଧମକଦେବା, ରାସ୍ତାରେ ମାଡ଼ ଚଢ଼ାଇବା ବା ଏକ୍‌ସିଡ଼େଣ୍ଟ କରାଇଦେବା ଆଦି କାର୍ଯ୍ୟ ଏହି ସେଲ୍‌ କରେ । ଏ ସେଲ୍‌ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟରେ ଫେଲ୍‌ ମାରିନାହିଁ ।

ମୁଁ ସଂପୂର୍ଣ୍ଣଭାବେ ପ୍ରଭାବିତ ହୋଇଯାଇଥିଲି । ନିଶ୍ଚିତ ହୋଇ ଯାଇଥିଲି ଯେ ମୋର ପିଏଚ.ଡି ଡିଗ୍ରୀଟା କେବଳ ଏହି ସଂସ୍ଥାରୁହିଁ ମିଳିପାରିବ । କହିଲି, ‘‘ଆପଣଙ୍କ କୃପାରୁ ମୁଁ ତେବେ ପି.ଏଚ୍‌.ଡି ନିଶ୍ଚୟ ପାଇବି । ମୁଁ ଓଡ଼ିଆ ସାହିତ୍ୟରେ ପି.ଏଚ୍‌.ଡି. କରିବା ପାଇଁ ଚାହେଁ । ବିଷୟବସ୍ତୁଟା ସାତଦିନ ପରେ ଦେବି ।’’

ସେ କହିଲେ, ଆମ ପାଖରେ ପିଏଚ.ଡି ପାଇଁ ଦୁଇଟା ଗ୍ରନ୍ଥ ତିଆରି ହୋଇ ରହିଛି । ବିଷୟବସ୍ତୁ ଦେବାର ଆବଶ୍ୟକତା ନାହିଁ । ତମେ କାଲି ବା ପଅରଦିନ ସାତହଜାର ଟଙ୍କା ନେଇ ଆସ । ଆମର ବିଶେଷ ସେଲ୍‌ବାକି ସବୁ କାମ କରିଦେବ । ପରୀକ୍ଷକ, ସିନେଟ୍‌ ସିଣ୍ଡିକେଟ୍‌ ରେଜିଷ୍ଟ୍ରାର ଆଦି ସମସ୍ତେ ଆମର ଲୋକ । ତମେ ଭବିଷ୍ୟତରେ ଦେଖିବ ଯେ ସବୁ କଲେଜ ଏବଂ ସ୍କୁଲ ବନ୍ଦ ହୋଇଯାଇ କେବଳ ଆମର ଲାବୋରେଟେରୀହିଁ ଚାଲିବ, କାରଣ ଆମର ଶିକ୍ଷାପଦ୍ଧତି ହିଁ ନିଶ୍ଚିତ ରୂପେ ପାସ୍‌ କରିବାପାଇଁ ଏକହିଁ ଉପାୟ ।

ସେ ଗର୍ବର ସହିତ ହସିଥିଲେ ।

Image

 

ଆଉ ଗୋଟେ ତ୍ରିଶଙ୍କୁ

 

ରବିବାର । ଶୁକ୍ରବାର ଦିନ ‘ରୋହିଣୀ’ ମହାଶୂନ୍ୟକୁ ଯାଇଛି, ଆଉ ରବିବାର ଦିନ ‘ବନ୍ଧୁ’ ଆସି ପହଞ୍ଚିଗଲେ । ତାଙ୍କର ବଦଭ୍ୟାସ–ମୋର ଦୁର୍ଭାଗ୍ୟ । ମୋ ନିଜ ପ୍ରତି ଦୟା ଆସିଲା । ଆଉ ଗୋଟିଏ ରବିବାର ନଷ୍ଟ ହେବାକୁ ଯାଉଛି । ଆଉ ମୁଁ ସଚେତନ ଅବସ୍ଥାରେ ସେଇ ମାଡ଼ିଆସୁଥିବା ଯାଯାବରଟାକୁ ଅସହାୟ ଆଖିରେ ଅନାଇଁଥିଲି । ସେ ତ କେବଳ ‘ବନ୍ଧୁ’ ନୁହନ୍ତି, ସେ ଥିଲେ ଜଣେ ଚଳନ୍ତା ‘ଚିପ୍‌କୋ’ ଆନ୍ଦୋଳନ । ମୁଁ ପଚାରିଲି–‘‘ଆସିଗଲ ?’’

 

ସେ କହିଲେ–ଆଜ୍ଞା ହଁ । ଆପଣତ ଗତ ରବିବାର ଦିନ କହିଥିଲେ–ଯେତେବେଳେ ଇଚ୍ଛା ହେବ ଚାଲିଆସିବ ! କହି ନଥିଲେ ବି ଆସିଥାନ୍ତି । ଆପଣଙ୍କ ସାଙ୍ଗରେ ଗୋଟାଏ ଫର୍ମାଲିଟି କଅଣ–ନା କ’ଣ କହୁଛନ୍ତି ?

 

ଗତ ରବିବାର ଦିନ ସେ ଆସିଥିଲେ ଆସାମ ଆନ୍ଦୋଳନକୁ ସାଙ୍ଗରେ ନେଇ । ଖୁବ୍‌ କାନ୍ଦିଲେ ମୋ ଆଗରେ । କହିଲେ–କି ଅନର୍ଥ ଚାଲିଛି ଦେଖନ୍ତୁ । ଦେଶର ଗୋଟିଏ ଅଙ୍ଗ ଛିଣ୍ଡିବା ଉପରେ । ଆହା, ଭାରତମାତାକୁ କେତେ କଷ୍ଟ ହେଉ ନଥିବ ସତେ ! ମୋର ତ ହୃଦୟ ଫାଟିଗଲାପରି ଲାଗୁଛି । ତୁମେ କିଛି କରନା !

 

ମୁଁ କହିଥିଲି–‘‘ଭଲା ମୁଁ କଅଣ କରିପାରିବି ? ଗୋଟିଏ ସ୍ତ୍ରୀ, ଦି’ଟା ଛୁଆ, କିଛି ବନ୍ଧୁବାନ୍ଧବ, ଆଉ ଗୋଟାଏ ସରକାରୀ ଚାକିରୀରେ ବନ୍ଧାହୋଇ ପଡ଼ିଛି । ପରିବାର ଧର୍ମ ହିଁ ପାଳନ କରୁଛି ମୁଁ । ଦେଶପ୍ରେମର ଧର୍ମ ମୁ କେମିତି ପାଳନ କରିବି ?’’

 

ମୋ କଥା ଶୁଣିବା ମାତ୍ରେ ସେ ଫର୍ମକୁ ଆସିଗଲେ । ତାଙ୍କ ଚକ୍ଷୁରେ ଘୃଣା ଓ କ୍ରୋଧ ଭାବ ଜାଗରିତ ହେଲା । ସେ ମୋ ଆଡ଼କୁ ଯେଭଳି ଭାବରେ ଅନାଇଁ ରହିଲେ ବୋଧହୁଏ ଉଦ୍ଧାମ ସିଂ ଜେନେରାଲ ଡାୟାରକୁ ସେଇଭଳି ଅନାଇଁନଥିବ ।

 

କହିଲେ–ଆପଣଙ୍କ ଭଳି ଅକୃତଜ୍ଞ ପ୍ରାଣୀ ଏଇ ବିଶ୍ୱ ବ୍ରହ୍ମାଣ୍ଡରେ କେବେ ସୃଷ୍ଟି ହୋଇନଥିବ । ଯେଉଁ ଭାରତମାତାର ଅନ୍ନରେ ଆପଣଙ୍କ ଶରୀର ପୁଷ୍ଟ ହୋଇଛି, ଯାହାର ପବିତ୍ର ଜଳ ଆପଣଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ପ୍ରବାହିତ ହେଉଛି, ତା’ ପାଇଁ ବି ଆପଣ କିଛି କରିବାକୁ ପ୍ରସ୍ତୁତ ନୁହଁନ୍ତି ? ଦେଶ ତୁଳନାରେ ଆପଣ ନିଜର ସ୍ତ୍ରୀ ଆଉ ଛୁଆପିଲାଙ୍କୁ ବେଶ୍‌ ମହତ୍ୱ ଦେଉଛନ୍ତି । ଆଉ ଏପଟେ ମୁଁ ଦେଶପାଇଁ କିଛି କରିବି ବୋଲି ମରିପଡ଼ି ଲାଗିଛି । ଧନ୍ୟ ଆପଣ…-

 

ତାଙ୍କ କଥା ଶୁଣି ମୁଁ ସତକୁସତ ଡରି ଯାଇଥିଲି । ବୀର ରସର ଶିଖରରେ ପହଞ୍ଚି ସେ କେତେବେଳେ ନିଜ ହାତର ସଦ୍ୟ ବ୍ୟବହାର କରି ନ ବସିଲେ ରକ୍ଷା । ତୁରନ୍ତ କପେ ଗରମ ଚା’ ଓ ଅଧଡ଼ଜନ ସିଙ୍ଗଡ଼ା ମଗାଇନେଲି । ଏଥର ସେ କିଛି ନକହି ସେଇ ରସରେ ହିଁ ସବୁତକ ସିଙ୍ଗଡ଼ା ଉଦରସ୍ଥ କରିନେଲେ । ତାଙ୍କୁ ଶାନ୍ତ କରିବା ପାଇଁ ମୁଁ ବିନୟର ସହ କହିଲି–‘‘ଦେଖନ୍ତୁ, ଏହା ଏ ଦେଶର ଦୁର୍ଭାଗ୍ୟ । ଆପଣଙ୍କ ପରି ଦେଶପ୍ରେମୀ ସନ୍ତାନ ଖୁବ୍‌ କମ୍‌ ଜନ୍ମ ହୋଇଥାନ୍ତି । ମୋତେ ଯାହା ଜଣାପଡ଼ୁଛି । ଆପଣ ଦେଶ ପାଇଁ କିଛି କରିବାକୁ ଚାହୁଁଛନ୍ତି, କିନ୍ତୁ ସମୟ ପାଇପାରୁନାହାନ୍ତି-। ଆଉ ଏଠାରେ କେତେକ ଛୋଟ ଶ୍ରେଣୀର ଲୋକ ଭର୍ତ୍ତି ହୋଇଛନ୍ତି । ହଉ ହେଲା, ଆପଣ ଯଦି ପ୍ରଥମ ମହାଯୁଦ୍ଧବେଳେ ଜନ୍ମ ନେଇଥାନ୍ତେ ତାହାହେଲେ ଅବଶ୍ୟ ଦ୍ୱିତୀୟ ମହାଯୁଦ୍ଧବେଳେ ଜେଲ ଯାଇଥାନ୍ତେ । ସ୍ୱାଧୀନତା ପାଇବା ପରେ ମନ୍ତ୍ରୀ ହୋଇ ଦେଶ ପାଇଁ ଏପରି କିଛି କରିଥାନ୍ତେ ଯେଉଁଥିପାଇଁକି ତୃତୀୟ ମହାଯୁଦ୍ଧ ବି ଆସିଯାଇଥାଆନ୍ତା । ତେବେ ଆପଣ ଦେଶପାଇଁ ଗୋଟିଏ କାମ କରିପାରିବେ–ସେଥିରେ ଆହତ ସେନାମାନଙ୍କୁ ରକ୍ତ ଦାନ କରିପାରିବେ । ଆପଣଙ୍କ ରକ୍ତ ଯେଉଁ ସୈନ୍ୟକୁ ଦିଆହୋଇଥିବ ସେ ଏକଲା ବିନା କାରଣରେ ପଚାଶ ଶହେ ଶତ୍ରୁଙ୍କୁ ସଫା କରିଦେବ ।

 

ମୋର କଥା ଶୁଣି ସେ ଟିକିଏ ଶାନ୍ତ ହେଲେ ଏବଂ ତାଙ୍କୁ ଟିକିଏ ଖୁସିବି ଲାଗିଥିବ–କାରଣ ମୁଁ ତାଙ୍କୁ ଗୋଟାଏ ଉଚ୍ଚସ୍ତରୀୟ ଦେଶପ୍ରେମୀ ବୋଲି ଜାଣିପାରିଲି । ସେ କହି ଚାଲିଲେ–‘‘ଆପଣ ଠିକ୍‌ କହୁଛନ୍ତି । ଯଦି ମୁଁ ଜେଲ୍‌ ଯାଇଥାନ୍ତି, ତେବେ ଅବଶ୍ୟ ଗୋଟିଏ ମନ୍ତ୍ରୀ ହୋଇଥାନ୍ତି । ଏହା ବ୍ୟତୀତ ଅନ୍ୟ କିଛି କରି ଦେଖାଇବା ସମ୍ଭବ ହୁଅନ୍ତା ନାହିଁ । ବାକି ରହିଲା ରକ୍ତ ଦେବା କଥା । ଯେଉଁ ରକ୍ତ ମୁଁ ଗତ ମାସରେ ଦେଇ ଦେଇଛି ଜାଣିଥିବେ–ଖବରକାଗଜରେ ମୋର ଫଟୋ ଆଉ ନାମ ବାହାରିଥିଲା–ଆଉଥରେ ଗଲେ ଦେଖାଇବି ।

 

ସେଦିନ ଏତିକି କହିବା ପରେ ସେ ଚାଲିଯାଇଥିଲେ । ଆଜି ପୁଣି ଆସିଗଲେ । ମୋତେ ଜଣାଗଲା ଯେ ସେ ନିଶ୍ଚୟ ଭାରତର କିଛି ନା କିଛି ଦୟନୀୟ ଅବସ୍ଥା ବିଷୟରେ ଉଦ୍‌ଗାର କରିବେ ଓ ଆହୁରି ଅଧଡ଼ଜନ ସିଙ୍ଗଡ଼ା ଖାଇଦେବେ । କିନ୍ତୁ ମୋର ଚିନ୍ତା ଭୁଲ ଥିଲା । ଆଜି ସେ ବହୁତ ଖୁସି ଥିଲେ ।

 

ସେ କହିଲାଗିଲେ, ‘‘ଆନନ୍ଦର କଥା ଅନ୍ତରୀକ୍ଷକୁ ନିଜ ନିୟନ୍ତ୍ରଣରେ ଆଣିବାରେ ଆମେ ପୃଥିବୀର ଷଷ୍ଠରାଷ୍ଟ୍ର ହୋଇଗଲୁ । ନହେଲେ ଅଲିମ୍ପିକ୍‌ରେ ତ ସବୁ ଥର ଆମର ସ୍ଥାନ ତିରିଶ ତଳେ ରହୁଥିଲା । ‘ରୋହିଣୀ’ ଆକାଶର ବିଶାଳ ହୃଦୟରେ ଏଇଆ ଲେଖି ଦେଇଛିକି ଭାରତ ଏବେ ମଧ୍ୟ ସେହି ଆର୍ଯ୍ୟାବର୍ତ୍ତ ଅଛି, ଯାହାର ରାଜା ଦଶରଥ ଘରକୁ ବୁଲିବାକୁ ଯାଉଥିଲାବେଳେ ମଙ୍ଗଳରେ ଜଳଖିଆ କରୁଥିଲେ ତ ବୃହସ୍ପତିରେ ଲଞ୍ଚ୍‌ । ବର୍ତ୍ତମାନ ମୋର ମନ ସେହି ବୈଜ୍ଞାନିକମାନଙ୍କର ପାଦ ଲେହନ ପାଇଁ କହୁଛି ଯେଉଁମାନେକି ଭାରତର ତ୍ରିରଙ୍ଗା ପତାକା ମହାଶୂନ୍ୟରେ ଉଡ଼ାଇଲେ-।’’

 

ମୁଁ କହିଲି–‘‘ମୋର ବିଚାରରେ ଆପଣ ପୁଣି ଥରେ ରକ୍ତଦାନ କରିଦିଅନ୍ତୁ ।’’

 

ସେ କହିଲେ–‘‘ସେୟାତ କରିବାପାଇଁ ମୁଁ ତିଆରଥିଲି, କିନ୍ତୁ ରୋହିଣୀରେ ଯଦି କିଛି ଦୁର୍ଘଟଣା ହୁଏ ଆଉ କିଏ ଖଣ୍ଡିଆ ଖାବରା ହୁଅନ୍ତି ତେବେ ମୁଁ ନିଜେ ରକ୍ତ ଦାନ କରିବା ପାଇଁ ଶ୍ରୀହରିକୋଟା ଚାଲିଯାଆନ୍ତି । କିନ୍ତୁ ରୋହିଣୀ ସିଧା ସିଧା ଉପରକୁ ଉଠିଗଲା ଏବଂ ବର୍ତ୍ତମାନ ଯାଏ ଠିକ୍‌ ଭାବେ ଚାଲୁଛି । ସେଥିପାଇଁ ମୁଁ ନିରାଶ । ତୁମେ କୁହ ବର୍ତ୍ତମାନ ମୁଁ କଅଣ କରିବି ? ଶେଷରେ କିଛି ନା କିଛି କରିବାକୁ ହିଁ ପଡ଼ିବ ।’’

 

ତାଙ୍କର ଭାଷଣ ଶୁଣି ମୁଁ ନିଶ୍ଚିନ୍ତ ହୋଇଗଲି–କେତେବେଳେ ହେଲେ ସେ ଦେଶପାଇଁ ଜୀବନ ଦେଇଦେବେ ।

 

ମୁଁ କହିଲି–‘‘ରୋହିଣୀର ସଫଳତା ପରେ ଆମର ବୈଜ୍ଞାନିକମାନେ ଭବିଷ୍ୟତ ଚିନ୍ତା ମଧ୍ୟ କରୁଥିବେ । ବର୍ତ୍ତମାନ ଅଳ୍ପ ଦିନରେ ମହାଶୂନ୍ୟକୁ ମଣିଷ ପଠାଯାଉଛି । ଆପଣ କାହିଁକି ସମୟର ଲାଭ ଉଠାଉ ନାହାନ୍ତି । ଶ୍ରୀହରିକୋଟାର ମହାଶୂନ୍ୟ ଗବେଷଣା କେନ୍ଦ୍ରର ଡାଇରେକ୍ଟରଙ୍କୁ ସିଧା ଲେଖିଦିଅନ୍ତୁ–ଆପଣ ମହାକାଶକୁ ଯିବାପାଇଁ ତିଆର ଅଛନ୍ତି । ସବୁ ମଣିଷ ଅନନ୍ତ ଆକାଶରେ ଏକଲା ଯିବାପାଇଁ ସାହସ କରିବେ ନାହିଁ । କେବଳ ଆପଣଙ୍କ ପରି ଦେଶପ୍ରେମୀ ହିଁ ଏତେ ଉପରକୁ ଉଠିବା ପାଇଁ ଭାବୁଛନ୍ତି ।’’

 

ମୁଁ ତାଙ୍କୁ ନିଜର ମନ୍ତବ୍ୟ ଦେଲି–‘‘ନିଜର ସ୍ୱପ୍ନକୁ ସାର୍ଥକ କରିବାପାଇଁ ପ୍ରଥମେ ଆପଣ ଶ୍ରାହରିକୋଟାକୁ ଗୋଟିଏ ଚିଠି ଲେଖନ୍ତୁ କି ଆପଣ ଭାରତର ପ୍ରଥମ ମହାକାଶଚାରୀ ହେବାପାଇଁ ଇଚ୍ଛୁକ ଅଟନ୍ତି । ତା’ହେଲେ ଆପଣଙ୍କ ପାଖକୁ ଶ୍ରୀହରିକୋଟାର ଡାଇରେକ୍ଟରଙ୍କ ଡକରା ଆସିବ । ପୁଣି ଆପଣ ସେଠାକୁ ଯିବେ । ଆପଣଙ୍କର ପ୍ରତ୍ୟେକ ଅଙ୍ଗକୁ ପରୀକ୍ଷା କରାଯିବ । ସେଥିରେ ଦେଖାଯିବ କି ଆପଣ ମହାଶୂନ୍ୟକୁ ଯିବାପାଇଁ ଯୋଗ୍ୟ କି ନା । ଯଦି ସେ ପରୀକ୍ଷା ଠିକ୍‌ ହୋଇଯାଏ ତାହାହେଲେ ଆପଣଙ୍କୁ କିଛିଦିନ ସେଠାରେ ଟ୍ରେନିଂ ଦିଆଯିବ । ତା ପରେ ଆପଣ ବଣ୍ଡ୍‌ ଲେଖିଦେବେ ।’’

 

ବଣ୍ଡ୍‌ ଶବ୍ଦ ଶୁଣିବାକ୍ଷଣି ସେ ଚମକି ପଡ଼ିଲେ । ଏଥିପାଇଁ କିଛି ଅସୁବିଧା ଥିବା ଅନୁଭବ କରି ପଚାରିଲେ, ‘‘କିପରି ବଣ୍ଡ୍‌ ଲେଖାହେବ ? ବଣ୍ଡ୍‌ ତ ମୁଁ କେବେ କରିନାହିଁ ।’’

 

ମୁଁ ଉତ୍ତର ଦେଲି–‘‘ବଣ୍ଡ୍‌ ଲେଖିବା କିଛି କଷ୍ଟ କାମ ନୁହେଁ । ଆପଣଙ୍କୁ କେବଳ ଏତିକି ଲେଖିଦେବାକୁ ହେବ, ଯଦି ମହାଶୂନ୍ୟରେ ଯାନଟିର ଯନ୍ତ୍ର ଆଦି ଗଣ୍ଡଗୋଳରେ ଜଳିଯାଇ ମହାକାଶରୁ ଫେରି ଆସି ନ ପାରେ ତେବେ ଆପଣଙ୍କୁ ଦେଶପାଇଁ ପ୍ରାଣଦାନ କରିବା ପାଇଁ କିଛି କଷ୍ଟ ହେବନାହିଁ ।

 

‘‘କେତେ ଭଲକଥା । ଆପଣ ଯେମିତି ହେଲେ ଦେଶର ଗୋଟିଏ ହୀରା ବନିଯିବେ । ଯଦି ମହାଶୂନ୍ୟରୁ ଆପଣ ଠିକ୍‌ଭାବେ ଫେରି ଆସିବେ ତାହାହେଲେ ଭାରତର ‘‘ୟୂରୀ ଗାଗାରୀନ୍‌’’ ବୋଲାଇବେ । ଯଦି ନ ଫେରିବେ ତାହାହେଲେ ଦେଶର ଶହୀଦମାନଙ୍କ ଭିତରେ ଜଣେ ହୋଇ ଗଣାହେବେ ।’’

ମୋ କଥା ଶୁଣି ତାଙ୍କର ଭାବାନ୍ତର ହେଲା । ମୁଁ ଦେଖିଲି ଶହୀଦ୍‌ହେବା କଥା ଶୁଣି ଆନନ୍ଦିତ ହେବା ପରିବର୍ତ୍ତେ ସେ ସତକୁସତ ଚିନ୍ତିତ ହୋଇଗଲେ । କିଛିକ୍ଷଣ ମଉନ ରହିଲେ । ପୁଣି କହିଲେ–‘ସେଇଟା ତ ଠିକ୍‌। ଯଦି ମହାକାଶ ଯାନଟି ଜଳିଯାଏ ତେବେ ଭୀଷଣ ବିଷ୍ଫୋରଣ ହେବ । ଏହି ଶରୀରଟି ଖଣ୍ଡଖଣ୍ଡ ହୋଇଯିବ । ବହୁତ କଷ୍ଟ ହେବ ନୁହେଁ ?’’

ମୁଁ ତାଙ୍କୁ ବୁଝାଇବାକୁ ଲାଗିଲି–‘‘ଦେଶଭକ୍ତ ଏହି ସାମାନ୍ୟ କଷ୍ଟ ପାଇଁ ପଛଘୁଞ୍ଚା ଦିଏନାହିଁ । ଭଗତ୍‌ସିଂହ ତ ହସିହସି ଫାଶୀର ଦଉଡ଼ି ନିଜ ଗଳାରେ ଲଗାଇ ଦେଇଥିଲେ । ଆଉ ଗାନ୍ଧିଜୀ ଗୁଳି ଆଘାତ ପାଇ ମଧ୍ୟ ‘‘ହେ ରାମ’’ କହିକହି ଶରୀର ତ୍ୟାଗ କରିଥିଲେ । ଏହି ଦେହତ କ୍ଷଣଭଙ୍ଗୁର ଅଟେ । ଜଣାନାହିଁ କେଉଁ ଗଳିରେ ଅନ୍ଧାର ହୋଇଯିବ !’’

କିନ୍ତୁ ସେ ନିଜ କଥାରେ ମଜ୍ଜି ରହିଥିଲେ । କହିବାକୁ ଲାଗିଲେ–କୌଣସି କାରଣରୁ ମହାକାଶଯାନଟି କକ୍ଷଚ୍ୟୁତ ହୋଇ ମହାକାଶରେ ହଜିଗଲା ତ କିପରି ଫେରି ଆସିବ ? ଯଦି ଫେରି ନ ଆସିଲା ତେବେ ମହାକାଶରେ ଖାଇବା ବ୍ୟବସ୍ଥା କିଏ କରିବ ? ମୁଁ ଦେଶ ପାଇଁ ଜୀବନ ଦେବାକୁ କହିଥିଲି, କିନ୍ତୁ ଭୋକରେ ମରିବାକୁ ନୁହେଁ । ଶେଷରେ ଏହି ପେଟ ପାଇଁତ ବୈଜ୍ଞାନିକମାନେ ମହାଶୂନ୍ୟକୁ ଅନ୍ତରୀକ୍ଷ ଯାନ ପଠାଇବାର ଧନ୍ଦା କାଢ଼ିଛନ୍ତି !

ମୁଁ ତାଙ୍କୁ ସାନ୍ତ୍ୱନା ଦେଲି–ଆପଣ ଖାଇବା ବିଷୟରେ ଚିନ୍ତା କରନ୍ତୁ ନାହିଁ । ସେହି ଯାନ ଭିତରେ ଖାଇବାର ପୂରା ବ୍ୟବସ୍ଥା କରାହୋଇଥିବ ।

ସେ କହିଲେ–ତମାଖୁ ମିଳିବ ସେହି ଯାନରେ ?

ମୁଁ କହିଲି–‘‘ଯଦି ଆପଣ ଚାହାନ୍ତି ଆପଣଙ୍କ ସଙ୍ଗେ ଏକ କିଲୋ ତମାଖୁ ନେଇଯାଇ ପାରନ୍ତି । ଖୁସି ମନରେ ତମାଖୁ ସେବନ କରି ଆନନ୍ଦରେ ପୃଥିବୀ ଦର୍ଶନ କରିପାରିବେ ।

‘‘ସେଥିପାଇଁ ମୁଁ କହେ ଯେ, ଆପଣ ସେ ସବୁ ଚିନ୍ତା ଛାଡ଼ନ୍ତୁ । ତା’ ଭିତରେ ସବୁ ଜିନିଷର ଯୋଗାଡ଼ କରାଯିବ । ମହାକାଶଯାନଟି ମହାଶୂନ୍ୟରେ କକ୍ଷଚ୍ୟୁତ ହୋଇ ଚାଲିଗଲେ ବି ସେଥିରେ ରହିବାବାଲା ମଣିଷ ଦୁଇ ଚାରି ଦିନଠୁ ଅଧିକ ବଞ୍ଚିପାରିବ ନାହିଁ । ପୂରା ବ୍ରହ୍ମାଣ୍ଡ ଦର୍ଶନ କରିବା ପରେ ଆତ୍ମା ଶରୀରକୁ ଛାଡ଼ି ବ୍ରହ୍ମରେ ଲୀନ ହୋଇଯିବ । ଡେରି କରନ୍ତୁ ନାହିଁ । ବର୍ତ୍ତମାନ ଗୋଟିଏ ପତ୍ର ଲେଖିଦିଅନ୍ତ । ମୋର ଗୋଟିଏ ସାଙ୍ଗ ସେଠାରେ କାମ କରୁଛି । ମୁଁ ତା’ ପାଖକୁ ଆପଣଙ୍କ ପତ୍ର ପଠାଇ ଦେବି । ଡାଇରେକ୍ଟରଙ୍କ ପାଖରେ ନିଶ୍ଚୟ ପହଞ୍ଚିଯିବ । ମୁଁ ତ ନିଜେ ଯିବାକୁ ଚାହୁଁଛି–କିନ୍ତୁ ଅସୁବିଧା ହେଉଚି ସ୍ତ୍ରୀଟା ଆଉ ପିଲାଙ୍କ ପାଇଁ ।’’

ସେ ନର୍ଭସ ହୋଇ ଯାଇଥିଲେ । ଚେହେରା ଉପରେ ଝାଳ ଆସି ଯାଇଥିଲା–ଗିଲୋଟିନ୍‌ଗାମୀ ପ୍ରାଣୀ ଯେପରି ମୃତପ୍ରାୟ ଦେଖାଯାଏ ।

କହିଲେ–ସେ କଥା ମଧ୍ୟ ଠିକ୍‌-କିନ୍ତୁ ଘରପାଇଁ ତ କିଛି ଦାୟିତ୍ୱ ଅଛି ?

ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି–ଆପଣ ତ ଅବିବାହିତ । ବାପା ମାଆ ବି କେବେଠୁ ମରିଯାଇଛନ୍ତି । ପୁଣି ଦାୟିତ୍ୱ କେଉଁଥିପାଇଁ ? ସେଦିନ ଆପଣ ନା ଦେଶ ପ୍ରେମକୁ ପରିବାର ପ୍ରେମଠୁ ଅଧିକ ମହତ୍ୱ ଦେଇଥିଲେ ? ଚାଲନ୍ତୁ, ଶୀଘ୍ର ଚିଠି ଲେଖନ୍ତୁ ।

ସେ ରୁମାଲ୍‌ରେ ମୁହଁ ପୋଛି କହିଲେ–ଗିଲାସେ ପାଣି ଆଣିବେ ?

ମୁଁ ପାଣି ଆଣି ଦେଲି । ସେ ଏକା ନିଶ୍ୱାସକେ ପୂରା ଗିଲାସକ ପାଣି ପିଇଗଲେ । ଜାଣେ ନାହିଁ ସେ କ’ଣ ଭାବୁଥିଲେ ! କିଛିକ୍ଷଣ ପରେ ଟିକିଏ ସଙ୍କୋଚ କରି କହିଲେ–ଭାଇ କ’ଣ କହିବି–ଦେଶ ପାଇଁ ତ ମୁଁ ନିଶ୍ଚେ ମହାଶୂନ୍ୟ ଯାନରେ ଚାଲିଯାଇ ଥାଆନ୍ତି–କିନ୍ତୁ ଏପରି ଗୋଟିଏ ଘଟଣା ଲାଗି ମୁଁ ଦ୍ୱିଧାରେ ପଡ଼ିଗଲି । ତୁମେ ତ ମୋର ସବୁଠୁ ପ୍ରିୟ ସାଙ୍ଗ, ତୁମକୁ ଲୁଚେଇ ରଖିପାରୁନି । ମୋକଥା କାହାକୁ କହିବେନି–ମୋ ରାଣ ।

ମୁଁ ହସକୁ ଚାପିକରି କହିଲି–ନାହିଁ, କେବେ କହିବି ନାହିଁ–କଥାଦେଲି ।

ତାଙ୍କ ମୁହଁ ଉପରେ ଲଜ୍ଜାର ରକ୍ତିମ ଆଭା ଖେଳିଗଲା । ଧୀର ସ୍ୱରରେ କହିବାକୁ ଲାଗିଲେ, ‘‘କ’ଣ କହିବି, ମୋର ଲଭ୍‌(ପ୍ରେମ) ହୋଇଗଲାଣି । ବହୁତ ଭଲ ଝିଅଟିଏ ବିଚାରି ପ୍ରତିମା । ମୋତେ ବହୁତ ଚାହୁଁଛି । ତଥାପି ମୋର ବି ମହାଶୂନ୍ୟକୁ ଯିବାପାଇଁ ଇଚ୍ଛା ଅଛି । କିନ୍ତୁ ସେ ମୋତେ ଛାଡ଼ିବ ନାହିଁ । କାନ୍ଦିକାନ୍ଦି ରହିବ । ଅଭାଗିନୀଟାଏ । କ’ଣ କରିବି ତୁମେ କୁହନା ?’’

ତାହା ଶୁଣି ମୁଁ ଅସୁବିଧାରେ ପଡ଼ିଗଲି । କ’ଣ ଉତ୍ତର ଦେବି ? ଭାବୁଥିଲି–ଏହି ‘ରୋହିଣୀ’ ରକେଟ୍‌ରେ ପଠାଇବା ଭଳି ଯୋଗ୍ୟ ବ୍ୟକ୍ତି କେହି ନାହାନ୍ତି । ଏଠାରେ ସ୍ୱୟଂ ରୋହିଣୀ ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଲଟକି ରହିଥିବା ଏକ ତ୍ରିଶଙ୍କୁ ।

Image

 

ଝିଲ୍ଲୀ ଦାସଙ୍କ ନାମକରଣ

 

ନିର୍ବନ୍ଧଟା ସୁରୁଖୁରରେ ହୋଇଗଲା । ଭାବୀ ଜୋଇଁଙ୍କଠାରେ କିଛି ବାଛିବାପାଇଁ ନାହିଁ । ଶିକ୍ଷିତ, ଭଦ୍ର, ଭଲ ଚେହେରା, ଭଲ ଚାକିରୀ ଆଦି । କିନ୍ତୁ ଗୋଟାଏ କଥାରେ କନ୍ୟାଘରର ସମସ୍ତଙ୍କର ମନ ଊଣା ହୋଇଗଲା । ଏଇ ଗୋଟାଏ ଜିନିଷରେ ଝିଅ ଓ ପୁଅ ଭିତରେ ସାମ୍ୟ ରହି ପାରିଲା ନାହିଁ । କାରଣ ଝିଅଙ୍କ ନାମ କୁମାରୀ ଝିଲ୍ଲୀ ଦାସ । ଜୋଇଁଙ୍କ ନାମ ଭିକାରିନନ୍ଦନ ନନ୍ଦ ।

 

ଏହି ନାମ ଦୁଇଟିରେ ଥିବା ଅସାମଞ୍ଜସ୍ୟ ବିଷୟରେ ବିବାହ ଠିକ୍‌କରିବା ଲୋକମାନେ ବିଶେଷ ବିଚାର କରି ନଥିଲେ, କାରଣ ସମସ୍ତେ ଜୋଇଁଙ୍କର ରୂପ–ଗୁଣରେ ମୁଗ୍‌ଧ ହୋଇ ଯାଇଥିଲେ । ମାତ୍ର ନିମନ୍ତ୍ରଣ ପତ୍ର ପଢ଼ି ଜନୈକ ପଡ଼ୋଶୀ ମନ୍ତବ୍ୟ କଲେ–‘‘କ’ଣ ମିଷ୍ଟର ଦାସ, ଆପଣଙ୍କ ଝିଅର ନାମଟା ତ ଖୁବ୍‌ ବାଛି ବାଛି ଦେଇଥିଲେ ଝିଲ୍ଲୀ–କି ରୋମାଣ୍ଟିକ୍‌ ! କି ମଡ଼ର୍ଣ୍ଣ-! ଅଥଚ ଜୋଇଁ ବାଛିଲାବେଳକୁ ଏମିତି ଅସୁବିଧାଜନକ–ନାମ–ବିଶିଷ୍ଟ ଜୋଇଁଟିଏ କେମିତି ବାଛିଲେ-? ଜୋଇଁକୁ ଡାକିଲା ବେଳକୁ ତ ଅସୁବିଧା ହେବ । ତା ଛଡ଼ା, ଆପଣଙ୍କ ଦ୍ୱିତୀୟ ଝିଅର ନାମଟା ବି କି ଷ୍ଟ୍ରାଇକିଂ–କୁମାରୀ ଚିଲ୍ଲୀ ଦାସ ! କେହି ଏମିତି ନାମ କେବେ ଶୁଣି ନଥିବେ । ଆପଣ କଅଣ ଏମିତି କଲେ ?’’

 

କଥାଟା ସମସ୍ତଙ୍କୁ ବାଧିଗଲା । ଭିକାରି ନନ୍ଦନ ନନ୍ଦ । ଝିଲ୍ଲୀ ଆଉ ଚିଲ୍ଲୀ ସାଙ୍ଗରେ ଜୋଇଁଙ୍କ ନାମଟା ଆଦୌ ଖାପଖାଉନାହିଁ । ଏକେତ ଛଅଟା ଅକ୍ଷରର ନାମ ଯାହାକି ପୁରୁଣାକାଳିଆ ହେଲାଣି । ତାଛଡ଼ା ପ୍ରଥମ ତିନୋଟି ଭିକାରି ଏବଂ ଦ୍ୱିତୀୟ ତିନୋଟି ବି ନନ୍ଦନ, ଯିଏ ପଢ଼ିଲେ ଧାରଣା କରିବ ଯେ ଏ ଭିକାରିତ୍ୱଟା ବଂଶାନୁକ୍ରମେ ଗଡ଼ିଆସିଛି । ଭିକାରିନନ୍ଦନ ଯଦିବା ଜଣେ ସୁପ୍ରତିଷ୍ଠିତ ଇଞ୍ଜିନିୟର, ମାତ୍ର ନାମରୁ ଜଣାପଡ଼ୁଛି ଯେମିତି କି ସପ୍ଳାଇ ବିଭାଗର ଜଣେ କ୍ଲର୍କ ବା ତହସିଲ ଅଫିସର ଜଣେ ପିଅନ । ତହସିଲଦାର ବାବୁ ଅଫିସ ଭିତରୁ ଡାକୁଥିବେ, ‘‘ଆରେ ଭିକାରି, ପାଣି ଗ୍ଲାସେ ଆଣିଲୁ ।’’

 

କଥାଟା ଭାବୁ ଭାବୁ ସଦ୍ୟ ଏନ୍‌ଗେଜ୍‌ଡ଼୍‌ କୁମାରୀ ଝିଲ୍ଲୀ ଦାସଙ୍କ ମୁହଁ ଲଜ୍ଜାରେ ଆରକ୍ତ ହୋଇଆସୁଥିଲା । ଯଦି ବଜାରରେ ବା ସିନେମାହଲ ପାଖରେ ପିଲାଦିନର କନ୍‌ଭେଣ୍ଟ ପଢ଼ା ସାଥୀ- ‘‘କ୍ୟୁଟି ବା ଯୁଥୀ ସାଙ୍ଗରେ ଦେଖାହୁଏ ତାହାହେଲେ କ’ଣ କହି ସେ ଚିହ୍ନାଇଦେବେ–‘‘କ୍ୟୁଟୀ, ମିଟ ମାଇଁ ଫିଆନସ୍‌ ଶ୍ରୀ ଭିକାରି ନନ୍ଦନ ।’’ ନାଃ....ଏଇଟା ଆଦୌ ସହନୀୟ ନୁହେଁ । ସାନ ଭଉଣୀ ଚିଲ୍ଲୀ ଏବଠାରୁ ତ ଥଟ୍ଟା କରିବା ଆରମ୍ଭ କରିଦେଲାଣି ।

 

ଗାଡ଼ିରେ ଯାଉ ଯାଉ କୁମାରୀ ଝିଲ୍ଲୀ ଗୋଟାଏ ଇଙ୍ଗିତ କଲେ, ତମ ନାଆଁଟି ଏତେ ବଡ଼ ଯେ ମୁଁ କେମିତି ଧରି ଡାକିବି କହିଲ ? ଛୋଟ ନାଆଁଟିଏ ହୋଇଥିଲେ ସିନା ସୁବିଧା ହୁଅନ୍ତା–କ’ଣ କହୁଛ ଯେ ?

 

ଶ୍ରୀ ନନ୍ଦ ସାମାନ୍ୟ ଆଶ୍ଚର୍ଯ୍ୟ ହେଲେ । କହିଲେ, ‘‘କାହିଁକି ସେଥିରେ କ’ଣ ଅଛି ? ମୋତେ ଭିକାରି ନନ୍ଦନ ଡାକିପାର ନ ହେଲେ ମୋର ଘର ନାମଟାରେ ଡାକିପାର ।’’

 

ଉଲ୍ଲସିତ ହୋଇ କୁମାରୀ ଝିଲ୍ଲୀ ପ୍ରଶ୍ନ କଲେ, ‘‘ଭଲ ହେଲାତ–ଛୋଟ ନାମଟିଏ ହୋଇଥିବ ନିଶ୍ଚୟ...କ’ଣ ତମ ଡାକନାମ ?’’

 

‘‘ମୋ ଘର ନାଁ ହେଉଛି ଗୋବରା । ଏଇ ନାମରେ ଡାକିବ । ଡାକଟା ମୋତେ ଭାରି ଭଲଲାଗେ । ପିଲାଦିନେ ମୁଁ ଗାଈମାନଙ୍କ ଗୋବର ସାଙ୍ଗରେ ଖେଳୁଥିଲି ବୋଲି ମୋତେ ଏ ନାମ ଦିଆଯାଇଛି ।’’ ଭିକାରିନନ୍ଦନ କହିଲେ ।

 

କୁମାରୀ ଝିଲ୍ଲୀଙ୍କର ଯାହା ଟିକେବି ଆଶା ଥିଲା ମଧ୍ୟ ଧୂଳିସାତ୍‌ ହେଲା । ତାଙ୍କର ଧାରଣା ଥିଲା ଯେ ଘର ନାମଟା ବୋଧେ ‘ଭିକ୍‌ଟରି’ କି ‘ଡେନି’ ହୋଇଥିବ । କିଛି ନ ହୋଇଥିଲେ ଅନ୍ତତଃ ‘ଟୁନା’ କି ‘ବାବୁ’ ହୋଇଥିବ । କିନ୍ତୁ ଇଏତ ଏକାବେଳକେ ଗୋବରା । ଛୋଟ କରି ମଧ୍ୟ ଡାକିବାର ସମ୍ଭାବନା ନାହିଁ । ଗୋବ.... ‘ଗୋବ ଡାର୍ଲିଙ୍ଗ’ତ ଆଉ ଡାକି ହେବ ନାହିଁ । ତଥାପି ମୁହଁର ଭାବନାକୁ ଲୁଚାଇ ରଖି କହିଲେ, ‘‘ନାଇଁ...ନାଇଁ, ମୁଁ କଅଣ ଗୋଟାଏ ନାମ ଧରି ଡାକିବି ? ଏମିତିତ ଆମମାନଙ୍କ ଘରେ ନାମ ଧରି ଡାକିବା ମନା ।’’

 

ଭିକାରି ନନ୍ଦନ କିନ୍ତୁ କହିଲେ–‘‘ନାଇଁ ସେଥିରେ କଅଣ ଅଛି । ସମାଜ ଅନେକ ବଦଳି ଗଲାଣି । ନାଆଁ ଧରି ଡାକିଲେ କେହି ବିଶେଷ ଖରାପ ଭାବୁନାହାନ୍ତି । ତା ଛଡ଼ା ଗୋଟାଏ ‘ହଇହୋ’ ବା ‘ଶୁଣମ’ ଇତ୍ୟାଦି ଡାକିବା ଅପେକ୍ଷା ନାଆଁଟା ଧରି ଡାକିବା କଅଣ ସୁବିଧାଜନକ ନୁହେଁ ?’’

 

କୁମାରୀ ଝିଲ୍ଲୀ ଟିକିଏ ଗେହ୍ଲେଇ ହୋଇ କହିଲେ–ମୁଁ ନାମଟା ଟିକେ ଛୋଟ କରି ଡାକିଲେ ହେବତ ? ମାନେ ଏଇ ଭିକାରି ନ ଡାକି ଯଦି ମୁଁ ଡାକେ ‘ଭିକି’ ବୋଲି ତାହେଲେ ଖୁବ୍‌ ମଡ଼ର୍ଣ୍ଣ ଶୁଭିବ–ଖୁବ୍‌ ଚାର୍ମିଙ୍ଗ୍‌ ।’’

 

ଭିକାରିନନ୍ଦନ ଠିକ୍‌ ବୁଝିପାରିଥିଲେ ଯେ ତାଙ୍କ ଭବିଷ୍ୟତ ପତ୍ନୀକୁ ତାଙ୍କ ନାମଟି ପସନ୍ଦ ହେଉନାହିଁ–ତେଣୁ ବାହାନା କରି ଅନ୍ୟ ନାମରେ ଡାକିବା ପାଇଁ ପ୍ରୟାସ ହେଉଛି । ନିଜ ନାମ ବିଷୟରେ ମଧ୍ୟ ତାଙ୍କର କିଛି କରିବାର ନଥିଲା । ବାପାଙ୍କ ନାମ ଯେତେବେଳେ ଅରକ୍ଷିତ ନନ୍ଦ, ଆଉ ଭାଇଙ୍କ ନାମ ‘ବାଉରୀବନ୍ଧୁ’, ସେତେବେଳେ ତାଙ୍କ ନାମଟା ମଧ୍ୟ ଯୁକ୍ତିଯୁକ୍ତ । ତାଙ୍କ ବାପା ଜଣେ ଖୁବ୍‌ ଭଗବତ୍‌ ବିଶ୍ୱାସୀ ବ୍ୟକ୍ତି ଥିଲେ । ନିଜକୁ ଭଗବାନଙ୍କ ଆଗରେ ଭିକାରି, ଅରକ୍ଷିତ ଏବଂ ନିରାଶ୍ରୟ ଇତ୍ୟାଦି ଭାବୁଥିଲେ । ତେଣୁ ଘରଯାକ ସମସ୍ତଙ୍କର ନାମକରଣ ଏପରି କରିଥିଲେ । ସେ ମନର ଭାବନାକୁ ଚାପିରଖି କହିଲେ–‘‘ଠିକ୍‌ଅଛି–‘ଭିକି’ ଡାକିପାର ।’’

 

କୁମାରୀ ଝିଲ୍ଲୀ ଆନନ୍ଦିତା ହୋଇଥିଲେ । କିଛିଦିନ ପରେ ଭିକାରି ନନ୍ଦନ ଉର୍ଫ ‘ଭିକି’ ଓ କୁମାରୀ ଝିଲ୍ଲୀ ଦାସଙ୍କର ବିବାହ ହୋଇଗଲା । ଉଭୟେ ଭିକାରି ନନ୍ଦନଙ୍କ ଗାଆଁ ଛୁଆଳପୁରକୁ ଆସିଲେ । ଯେତେ ଆଧୁନିକା ହେଲେ କଅଣ ହେବ, ଗାଆଁରେ ତ ନୂଆବୋହୂଙ୍କୁ ଓଢ଼ଣା ଦେବାକୁ ହିଁ ହେବ । ଝିଲ୍ଲୀ ନନ୍ଦ ମଧ୍ୟ ଓଢ଼ଣା ଦେଲେ । ଘର ଭିତରେ ବସୁ ବସୁ ନଣନ୍ଦ ଆସିଗଲେ-। ‘‘ଭାଉଜ ମୋତେ ଚିହ୍ନିଛ ? ମୁଁ ତମ ଛୋଟ ନଣନ୍ଦ । ମୋ ନାଆଁ ସପନାବତୀ ।’’

 

ଶ୍ରୀମତୀ ଝିଲ୍ଲୀଙ୍କର ଭାବନା ଆଘାତପ୍ରାପ୍ତ ହେଲା । ନରମ କରି ପଚାରିଲେ–‘‘ତୁମକୁ କ’ଣ ଡାକିବି ?’’

 

‘‘ମୋ ଘର ନାଁ’ ହେଉଛି ଉପେଇ । ପିଲାଦିନେ ମୁଣ୍ଡରେ ବହୁତ ଉପି ହୋଇ ଥିଲା ବୋଲି ମୋତେ ସେହିଦିନୁ ଉପେଇ ଡକା ହେଉଛି ।’’ ନଣନ୍ଦ ଜଣକ ଉତ୍ତର ଦେଲେ ।

 

ଶ୍ରୀମତୀ ଝିଲ୍ଲୀ କଅଣ କହିବେ ଭାବିପାରୁ ନଥିଲେ । ନଣନ୍ଦଙ୍କ ପରେ ଆସିଲେ ଦିଅରମାନେ । ନିଜନିଜର ନାମଗୁଡ଼ିକ କହିଗଲେ । ପ୍ରଥମ ଦିଅର ବି.ଏ ପରୀକ୍ଷା ଏବର୍ଷ ଦେଇଛନ୍ତି–ନାମ ଶ୍ରୀ ବାଉରୀବନ୍ଧୁ ନନ୍ଦ । ୟାଙ୍କର ଘର ନାମ ଢେମା । ଦ୍ୱିତୀୟ ଦିଅରଙ୍କ ନାମ ଦଶଭୁଜାନନ ନନ୍ଦ–ଘର ନାମ ‘ଟିମ୍ପା’–କାରଣ ତାଙ୍କର ଉଚ୍ଚତା ଟିକିଏ କମ୍‌ । ଆହୁରି କେତେ ନିକଟ ଏବଂ ଦୂରସମ୍ପର୍କୀୟମାନେ ଆସି ନିଜ ନିଜ ପରିଚୟ ଦେଇଗଲେ । ନାଆଁ ଗୁଡ଼ିକ ଏତେ ବଡ଼ ଥିଲା ଯେ ଶ୍ରୀମତୀ ଝିଲ୍ଲୀଙ୍କୁ ଲାଗିଲା ସେ ଯେମିତି ଭାରତ ବାହାରେ କେଉଁ ଏକ ଦେଶରେ ପହଞ୍ଚିଛନ୍ତି । ସେ କ’ଣ କରିବେ ଭାବି ନପାରି ଚୁପ୍‌ହୋଇ ରହିଲେ ।

 

କିଛି ବେଳ ପରେ ଗାଁଆର ଦଳେ ସ୍ତ୍ରୀ ଲୋକ ଆସି ପହଞ୍ଚିଗଲେ । ଜଣେ ପ୍ରଥମେ ପରଖି ଦେଇଗଲେ ଝିଲ୍ଲୀ ଦେବୀ ପିନ୍ଧିଥିବା ଗହଣାଗୁଡ଼ିକ ଖାଣ୍ଠି ନା ଚଉଦକ୍ୟାରେଟ । ତା’ପରେ ନୂଆ ନୂଆ ଡାକ୍ତରୀ ପାଠ ପଢ଼ିଥିବା ଛାତ୍ରମାନେ ମଢ଼କୁ କାଟି ତନ୍ନ ତନ୍ନ କରି ଦେଖିଲା ଭଳି ଶ୍ରୀମତୀ ଝିଲ୍ଲୀଙ୍କର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଦେଖିବାକୁ ଲାଗିଲେ । ଜଣେ ସ୍ତ୍ରୀ ଝିଲ୍ଲୀଙ୍କର ପ୍ରତ୍ୟେକ ଗୋଡ଼ରେ ପାଞ୍ଚୋଟା ଆଙ୍ଗୁଠି ସୁରକ୍ଷିତ ଅଛି କି ନାହିଁ ଦେଖିବାକୁ ଲାଗିଲା । ଅନ୍ୟ ଜଣେ କଥା କହିବା ଛଳରେ ଶ୍ରୀମତୀ ଝିଲ୍ଲୀଙ୍କର ହାତଟାକୁ ଧରି ଗୋଟାଏ ଆଙ୍ଗୁଠିରେ ଘଷିବାକୁ ଲାଗିଲା । ସେ ଜାଣିବା ପାଇଁ ଚେଷ୍ଟା କରୁଥିଲା ଯେ ଶ୍ରୀମତୀ ଝିଲ୍ଲୀଙ୍କର ରଙ୍ଗଟା ପ୍ରକୃତରେ ଗୋରା ନା ଦେହ ଉପରେ କିଛି ଲଗାଇ ଗୋରା ଦିଶୁଛନ୍ତି ।

 

ଶ୍ରୀମତୀ ଝିଲ୍ଲୀଙ୍କର ଏ ପରିସ୍ଥିତିରେ କରିବାର କିଛି ନଥିଲା । ଓଢ଼ଣା ଭିତରେ ଲଜ୍ଜା ଆଉ ଭୟରେ ତାଙ୍କ ଦେହରୁ ଗମ୍‌ଗମ୍‌ ଝାଳ ବୋହି ଯାଉଥାଏ । ବୋହୂକୁ ଦେଖି ସାରିବା ପରେ ସମସ୍ତେ ସାମାନ୍ୟ ଅଶ୍ୱସ୍ତ ବୋଧକଲେ । କିନ୍ତୁ ଜଣେ ଦୁଇଜଣ ବିଧବା ବୁଢ଼ୀ କେମିତି ଗୋଟାଏ ଅସନ୍ତୁଷ୍ଟ ଥିଲେ, କାରଣ ଜଣେ ପୂର୍ଣ୍ଣାଙ୍ଗ ବୋହୂ ତାଙ୍କ ବିଚାର ଅନୁସାରେ ଏ ଗାଆଁକୁ କେବେ ଆସି ନଥିଲା ।

 

ସେମାନଙ୍କ ମଧ୍ୟରୁ ଜଣେ ପଚାରିଲା–‘‘ମାଆ, ତୋ ନାଁ କ‘ଣ କହିଲୁ !’’

 

ଶ୍ରୀମତୀ ଝିଲ୍ଲୀ ନନ୍ଦ ଉତ୍ତର ଦେଲେ, ‘‘ଝିଲ୍ଲୀ ଦାସ ।’’ ବିଧବା ଦୁଇଜଣଙ୍କୁ ବହୁ ପ୍ରତ୍ୟାଶିତ ମୌକାଟି ମିଳିଗଲା ।

 

ଆରମ୍ଭ କଲେ–‘‘ଇଲୋ ବୋହୁ–ଇଏ ଗୋଟେ କି ଅପରଛନିଆଁ ନାଁ ! ତୋ ବାପା ମାଆ ବ୍ରାହ୍ମଣ ଘରର ନା ଚଷା ଘରର ? ଏମିତି ନା ତ ଆମେ ଏ ଗାଆଁ ରେ କେବେ ଶୁଣିନଥିଲୁ । ଝିଲ୍ଲୀକି ଗୋଟାଏ ନାମ ? ଝିଲ୍ଲୀ ନା ଚୁଲୀ !! ଏ ଗାଁରେ ଅଲକ୍ଷଣା ପଶିଗଲା କିରେ ? ଏ ନାଆଁର ଝିଅ ଠାକୁରଘରେ ପଶିଲେ ଠାକୁର ମାରାହେବେ । କି କଥା ଇଏ.. ।’’

 

ବିଧବା ଜଣକ ଏପରି ଗୁଡ଼ାଏ କଥା କହିସାରି ତାଙ୍କ ବୈଧବ୍ୟର ପ୍ରତିଶୋଧ ଶ୍ରୀମତୀ ଝିଲ୍ଲୀଙ୍କ ଉପରେ ନେଇଗଲେ । ଶେଷରେ ସବୁ ସ୍ତ୍ରୀ ଲୋକ ବସି ଠିକ୍‍କଲେ ଶଶୁର ଘର ନାମ ଦିଆଯାଏ । ସେଥିପାଇଁ ନୂଆବୋହୂକୁ ଗୋଟାଏ ଅଲଗା ନାମ ଦବାକୁ ପଡ଼ିବ । ଏଥିପାଇଁ ଗାଆଁର ଜ୍ୟୋତିଷୀକୁ ଡକାଗଲା । ଜ୍ୟୋତିଷୀ ଜନ୍ମକୁଣ୍ଡଳି ଦେଖି କହିଲା, କନ୍ୟାଙ୍କର ମେଷ ରାଶି । ତେଣୁ ନାମର ପ୍ରଥମ ଅକ୍ଷର ‘ଲ’ରେ ଆରମ୍ଭ ହେବ । ସାଙ୍ଗେ ସାଙ୍ଗେ ‘ଲ’ ଅକ୍ଷର ଆରମ୍ଭରେ ଥାଇ ଗୁଡ଼ାଏ ନାମ ଗାଁ ସ୍ତ୍ରୀଲୋକମାନେ ଉଦ୍‌ଗାରିଲେ–‘ଲାଜବତୀ’, ‘ଲବଙ୍ଗସୁନ୍ଦରୀ’, ‘ଲୀଳାବତୀ’, ‘ଲାଳନାରଙ୍ଗୀ’, ‘ଲବକୁଶ ଜନନୀ’ ଇତ୍ୟାଦି ଇତ୍ୟାଦି । ଏ ବିଷୟରେ ବହୁତ ଯୁକ୍ତିତର୍କ କରାଗଲା । ଶେଷରେ ନିଶ୍ଚିତ ହେଲା ଯେ, ବଂଶର ଭବିଷ୍ୟତ ପାଇଁ ଆଉ ଶୁଭାଶୁଭ ପାଇଁ ‘ଲବଙ୍ଗବତୀ’ ନାମଟି ସବୁଠାରୁ ଭଲ । ଝିଲ୍ଲୀ ନନ୍ଦଙ୍କ ନାମଟା ଲବଙ୍ଗବତୀ କରି ସାରିଲା ପରେ ମହିଳାମାନେ ଉଠିଲେ ।

 

ଚତୁର୍ଥୀ ରାତିରେ ବଡ଼ ସ୍ନେହଭରା କଣ୍ଠରେ ଭିକାରୀ ନନ୍ଦନ ଡାକିଲେ–‘‘ଝିଲ୍ଲୀ… ଶୁଣିବ-?’’

 

ଝିଲ୍ଲୀ ନିର୍ଲିପ୍ତ ସ୍ୱରରେ ଉତ୍ତର ଦେଲେ, ‘‘ମୋ ନା’ ଝିଲ୍ଲୀ ନୁହେଁ ‘ଲବଙ୍ଗୀ’... ଅନ୍ତତଃ ଯେତେ ଦିନ ପର୍ଯ୍ୟନ୍ତ ଏଠାରେ ଅଛେ ମୋତେ ‘ଲବଙ୍ଗୀ ହିଁ ଡାକିବ ।’’

 

ଭିକାରୀ ନନ୍ଦନ ଉତ୍ସୁକ ହୋଇ ପ୍ରଶ୍ନ କଲେ–‘‘ତେବେ ମୋତେ ତୁମେ କ’ଣ ବୋଲି ଡାକିବ–ଭିକି ?’’

 

ଶ୍ରୀମତୀ ଝିଲ୍ଲୀ ଓର୍ଫ ଲବଙ୍ଗୀ ଦେବୀ ଚୁପ୍‌ ରହିଲେ ।

Image

 

ମୋ ମୃତ୍ୟୁ ପରେ

 

ଛୁଟିଦିନରେ ମୃତ୍ୟୁ ହେବା ଏକ ଆନନ୍ଦହୀନ ଘଟଣା । ଦୁର୍ଭାଗ୍ୟବଶତଃ ମୋର ମୃତ୍ୟୁ ଅଗଷ୍ଟ ପନ୍ଦର ଦିନହିଁ ହୋଇଥିଲା । ନା ମୋର ସହକର୍ମୀ ତଥା ବନ୍ଧୁମାନେ ଗୋଟାଏ ଦିନ ଛୁଟି ପାଇ ଆନନ୍ଦିତ ହୋଇଥିଲେ ନା ମୋ’ ଶବଯାତ୍ରାର ଲୋକ ସଂଖ୍ୟା ବଢ଼ାଇ ମୋତେ ଆନନ୍ଦିତ କରାଇଥିଲେ । ପଡ଼ୋଶୀମାନେ ମଧ୍ୟ ନିହାତି ଅନିଚ୍ଛାସତ୍ତ୍ୱେ ମୋ ଘର ଆଡ଼କୁ ଟାଣି ହୋଇ ଆସିଥିଲେ । ଅଗଷ୍ଟ ପନ୍ଦର ଦିବସର ପ୍ୟାରେଡ଼ ଦେଖିବାର ପ୍ରୋଗ୍ରାମ୍‌ ସମସ୍ତଙ୍କର ନଷ୍ଟ ହୋଇ ଯାଇଥିଲା । ଜଣେ କେହି ପଡ଼ୋଶୀ ଅନ୍ୟ ଜଣେ ପଡ଼ୋଶୀଙ୍କୁ କହିବାର ମୁଁ ଶୁଣିପାରୁଥିଲି–‘‘କେଡ଼େ ଅମଙ୍ଗଳୀଆଟା ! ମରିବାପାଇଁ ଆଉ କୌଣସି ଦିନ ମିଳୁ ନ ଥିଲା ଯେ ଏମିତି ଗୋଟାଏ ଶୁଭ ଦିନରେ ମରିଗଲା ।’’

 

ମୋର ସେଦିନ ମରିବାର ମଧ୍ୟ ଗୋଟାଏ ବିଶେଷ କାରଣ ଥିଲା । ସକାଳୁ ଉଠି ପ୍ରାତଃଭ୍ରମଣରେ ଯାଇଥିଲି । ଘରକୁ ଫେରୁ ଫେରୁ ପତ୍ନୀ ଦୁଆର ମୁହଁରେ ଗୋଟାଏ ଦୁଃଖଦାୟକ ସମ୍ୱାଦ ଦେଲେ ଯେ ମୋର ଅନ୍ତରଙ୍ଗ ବନ୍ଧୁ କବି ସୁରେନ୍ଦ୍ରଙ୍କୁ ଶାରଳା ପୁରସ୍କାର ମିଳିଯାଇଛି । ବନ୍ଧୁଜଣକ ମୋର ସମକାଳୀନ ସାହିତ୍ୟକାର ଏବଂ ଦୁଇଜଣଯାକ ଏକତ୍ର କବିତା ଲେଖିବା ଆରମ୍ଭ କରିଥିଲୁ । ପୂର୍ବବର୍ତ୍ତୀ ବା ପରବର୍ତ୍ତୀକାଳୀନ କବି ପୁରସ୍କାର ପାଇଥିଲେ ମୋ’ର ଏତାଦୃଶ ଅବସ୍ଥା କେବେହେଲେ ହୋଇ ନଥାଆନ୍ତା । ମାତ୍ର ସମକାଳୀନ ବନ୍ଧୁ ପୁରସ୍କାର ପାଇଥିବା ଶୁଣି ମୁଁ ମୂର୍ଚ୍ଛିତ ହୋଇ ଯାଇଥିଲି ଏବଂ ସେହି ଅବସ୍ଥାରେ ହିଁ ମୋର ମୃତ୍ୟୁ ହୋଇଯାଇଥିଲା ।

 

ମୋର ମୃତ୍ୟୁ ଖବର ଶୁଣି ପଡ଼ୋଶୀମାନେ ଏକତ୍ର ହୋଇଯାଇଥିଲେ । ଯେଉଁ ବନ୍ଧୁଙ୍କ ଚିନ୍ତାରେ ମୃତ୍ୟୁ ହୋଇଥିଲା ସେହି ବନ୍ଧୁ ଜଣକ ମଧ୍ୟ ଦଉଡ଼ି ଆସିଥିଲେ । ସିଏ ବ୍ୟାକୁଳ ହୋଇ କାନ୍ଦୁଥିଲେ । ଆମର ଏ ଅନାବିଳ ବନ୍ଧୁତ୍ୱ ଦେଖି କେହି ଜଣେ ଦେଖଣାହାରି ମନ୍ତବ୍ୟ କରିଥିଲେ–‘‘ଏମିତି ବନ୍ଧୁତା ବହୁତ ଦିନରୁ ଦେଖା ଯାଇ ନଥିଲା–କେବଳ କାହାଣୀରେ ଶୁଣାଯାଇଥିଲା । ବନ୍ଧୁଙ୍କୁ ଶାରଳା ପୁରସ୍କାର ମିଳିବା ଶୁଣି ବିଚରାଟାର ଅତି ଆନନ୍ଦରେ ହାଟଫେଲ୍‌ ହୋଇଗଲା ।’’

 

ମୋ’ର ଧର୍ମପତ୍ନୀ ମୋର ପାର୍ଥିବ ଶରୀରଟାକୁ ଜାବୁଡ଼ି ଧରି ଉଚ୍ଚ ସ୍ୱରରେ ରୋଦନ କରୁଥିଲେ । ତାଙ୍କର ଲୋତକ ବର୍ଷଣରେ ମୋର ଲୁଗାପଟା ଭିଜିଯାଉଥିଲା । ମାତ୍ର ସ୍ୱଭାବ ବଶତଃ ତାଙ୍କର ଡାହାଣ ହାତଟା ମୋର ପକେଟଗୁଡ଼ିକୁ ଅଣ୍ଡାଳି ଚାଲିଥିଲା । ପକେଟ ଭିତରୁ ବାହାରିଥିଲା ମାତ୍ର ଚାଳିଶ ପଇସା । ତାକୁ ଦେଖି ଗୋଟାଏ ଚିତ୍କାର କରି ସେ ମୂର୍ଚ୍ଛିତା ହୋଇ ଯାଇଥିଲେ । ତାଙ୍କୁ ବୋଧେ ନିରାଶା ଗ୍ରାସି ଯାଇଥିଲା ।

 

ମୋ ଘରେ ଲୋକମାନଙ୍କର ଭିଡ଼ କ୍ରମଶଃ ଜମିବାକୁ ଲାଗିଲା । ସମସ୍ତେ କିଛି କିଛି ପରିମାଣରେ ଦୁଃଖୀ ଥିଲେ । ମାତ୍ର ଜଣେ ବନ୍ଧୁ ମୋର ଗୋଟାଏ ହାତ ଧରି ଖୁବ୍‌ ଅସହାୟ ହୋଇ କାନ୍ଦୁଥିଲେ । ଲୋକମାନେ ତାଙ୍କୁ ମୋ’ ପାଖରୁ ଯେତେ ଅଲଗା କରିବାପାଇଁ ଚେଷ୍ଟା କଲେ ମଧ୍ୟ ସେ ମୋ’ର ହାତଟା ଛାଡ଼ୁ ନ ଥିଲେ । ସମସ୍ତେ ତାଙ୍କର ଭାବପ୍ରବଣତା ଦେଖି ବିଭୋର ହୋଇ ଯାଇଥିଲେ । ମାତ୍ର ମୁଁ ଠିକ୍‌ ଭାବରେ ଜାଣିପାରୁଥିଲି ଯେ ଦଶଦିନ ତଳେ ମୁଁ ତାଙ୍କଠାରୁ ଦୁଇଶହ ଟଙ୍କା ଉଧାର ନେଇଥିଲି, ଆଉ ଫେରାଇପାରି ନଥିଲି–ତେଣୁ ତାଙ୍କର ଏତାଦୃଶ ଅବସ୍ଥା । ବଡ଼ କଷ୍ଟରେ ତାଙ୍କ ହାତ ମୋ ହାତରୁ ଅଲଗା କରାଗଲା । ସେ ମୋ ଉପରୁ ଉଠିଲାବେଳକୁ ମୋ ଆଙ୍ଗୁଠିରେ ସୁନା ମୁଦିଟା ଆଉ ନଥିଲା ।

 

ଅନ୍ୟ ଜଣେ ଦୂରଦର୍ଶୀ ବନ୍ଧୁ ସେତେବେଳକୁ ମୋର ଅନ୍ତିମ ସଂସ୍କାର ପାଇଁ ଚାନ୍ଦା ମାଗିବା ଆରମ୍ଭ କରି ଦେଇଥିଲେ । ଉପସ୍ଥିତ ଲୋକମାନଙ୍କୁ ଚାନ୍ଦା ମାଗିବାପାଇଁ ସିଏ ନିବେଦନ କରୁଥିଲେ–‘‘ବିଚରା ଚନ୍ଦ୍ରଟା ଏମିତି ଭାବରେ ଆମମାନଙ୍କୁ ଛାଡ଼ି ଚାଲିଯିବ ବୋଲି ମୋ’ର ସ୍ୱପ୍ନରେ ସୁଦ୍ଧା ଧାରଣା ନ ଥିଲା । କେଡ଼େ ଭଲ ମଣିଷଟାଏ ! ଜୀବନରେ ଗୋଟାଏ ବି ପଇସା କମାଇ ପାରିଲା ନାହିଁ, ମାତ୍ର ନାଆଁ କମାଇଗଲା । ତାହାର ଏହି ଅନ୍ତିମ ସଂସ୍କାର ପାଇଁ ଯାହାର ଯାହା ଇଚ୍ଛା ହେଉଛି ସିଏ ଦାନ କରୁ । ମୁଁ ମୋ ପକେଟରୁ ପ୍ରଥମେ ଦେଢ଼ ଟଙ୍କା ଦେଉଛି ।’’

 

ଚାନ୍ଦା ସଂଗୃହୀତ ହେବା ପରେ, ତାହାର କିଛି ଅଂଶରେ ସେ ମୋର ଅନ୍ତିମ ସଂସ୍କାରର ବ୍ୟବସ୍ଥା କଲେ । ମୋ ଗାଆଁ ବହୁତ ଦୂରରେ ଥିବା ହେତୁ ମୋ ପରିବାରର ମୋର ଲୋକମାନେ ଏତେ ଶୀଘ୍ର ଆସି ପାରିନଥିଲେ । ତେଣୁ ମୋର ସାହିତ୍ୟିକ ବନ୍ଧୁମାନେହିଁ କୋକେଇ କାନ୍ଧରେ ଉଠାଇଥିଲେ । ଯେଉଁ ଚାରିଜଣ ମୋର କୋକେଇ କାନ୍ଧରେ ଉଠାଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ରାସ୍ତା ସାରା କାନ୍ଦି କାନ୍ଦି ଯାଉଥିଲେ । ତାଙ୍କର କାନ୍ଦିବାଟା ମଧ୍ୟ ସ୍ୱାଭାବିକ ଥିଲା, କାରଣ ତାଙ୍କର ଉଚ୍ଚତା ଅନ୍ୟମାନଙ୍କ ତୁଳନାରେ କମ୍‌ ଥିଲା । ତେଣୁ କୋକେଇର ଅଧିକାଂଶ ଓଜନ ତାଙ୍କ ଉପରେ ପଡ଼ିଥିଲା ଏବଂ ସେ ଏ ଭାଲୁଟିକୁ ଅନ୍ୟ କାହାକୁ ଧରାଇବା ପାଇଁ ବ୍ୟାକୁଳ ହୋଇ ଚାରିଆଡ଼େ ଚାହୁଁଥିଲେ । କେହି ନ ମିଳିବାରୁ, ସେ ପାଣି ପିଇବା ବାହାନା କରି ବାରିକକୁ ଧରାଇଦେଇ କୁଆଡ଼େ ଯେ ପଳାଇଲେ ତାହା ଆଉ ଜଣାଗଲା ନାହିଁ । ବାରିକ ବିଚରା କିଛି ଦୂର ଯିବା ପରେ ନାନା ପ୍ରକାରର ଯୁକ୍ତି ଦେଖାଇ କହିଲା ଯେ ଶାସ୍ତ୍ର ଅନୁସାରେ କୋକେଇ ଉଠାଇବା ବାରିକର କାମ ନୁହେଁ । ତେଣୁ ଆଉ ପାଞ୍ଚଟଙ୍କା ଅଧିକା ନ ଦେଲେ ସିଏ ଆଗକୁ ପାହୁଣ୍ଡେ ମଧ୍ୟ ଚଳିବ ନାହିଁ । ଏତିକି କହି ସେ ରାସ୍ତା ମଝିରେ ଠିଆ ହୋଇଗଲା । ଚାନ୍ଦା ସଂଗ୍ରହକାରୀ ବନ୍ଧୁଜଣକ ଅଗତ୍ୟା କମ୍ପିତ ହସ୍ତରେ ପାଞ୍ଚଟି ଟଙ୍କା ବଢ଼ାଇ ଦେବା ପରେ ଶବଯାତ୍ରା ଆଗକୁ ବଢ଼ିଲା ।

 

ଶ୍ମଶାନରେ ସେଦିନ ମୋ ପାଇଁ ଜାଗା ନଥିଲା । ବସ୍ ଦୁର୍ଘଟଣାରେ ମରିଥିବା ଅନେକ ବ୍ୟକ୍ତିଙ୍କର ଶବ ସତ୍କାର ହେଉଥିଲା । ଜାଗା ଖୋଜି ଖୋଜି ବନ୍ଧୁମାନେ ବ୍ୟସ୍ତ ହୋଇଯାଇଥିଲେ । ପ୍ରକାଶ୍ୟ ଭାବରେ କିଛି ନ କହୁଥିଲେ ମଧ୍ୟ ମୁଁ ଠିକ୍‌ ଭାବରେ ଜାଣି ପାରୁଥିଲି ଯେ ସମସ୍ତେ ବିରକ୍ତ ହୋଇ ଆସୁଥିଲେ । ଅନେକ ଖୋଜାଖୋଜି କରିବା ପରେ ଗୋଟିଏ ଜାଗା ମିଳିଲା । ଜାଗାଟିକୁ ଦେଖି ଜଣେ କବିବନ୍ଧୁ ଆତ୍ମବିଭୋର ହୋଇ କହିଲେ, ‘‘ଏଇଟା ସେହି ଜାଗା ଯେଉଁଠାରେ କବି ନିର୍ମଳ ମିଶ୍ର ଏବଂ ନୀରବ ଦାସଙ୍କର ଶବ ସତ୍କାର କରାଯାଇଥିଲା । କି ଭାଗ୍ୟ ଚନ୍ଦ୍ରବାବୁଙ୍କର ଯେ ତାଙ୍କର ଅନ୍ତିମ କ୍ରିୟାକର୍ମ ମଧ୍ୟ ଏହିଠାରେ ହିଁ କରାଗଲା । ଏଇ ଜାଗାଟାକୁ କବିମାନଙ୍କ ପାଇଁ ସୁରକ୍ଷିତ ରଖାଯିବା ପାଇଁ ପ୍ରୟାସ କରିବା ଉଚିତ ।’’

 

କବି ବନ୍ଧୁଙ୍କର କଥା ଶୁଣି ମୁଁ ଆତଙ୍କିତ ହୋଇଉଠିଥିଲି । ଯଦି ମୁଁ ସାହିତ୍ୟ ଜଗତରେ କାହାରିକୁ ଡରୁଥିଲି ସେମାନେ ହେଲେ ଏଇ ଦୁଇଜଣ କବି । କବି ନିର୍ମଳ ମିଶ୍ର ବୀରରସର କବି ହେବା ସଙ୍ଗେ ସଙ୍ଗେ ଗୋଟାଏ କଲେଜର ସାହିତ୍ୟ ଅଧ୍ୟାପକ ମଧ୍ୟ ଥିଲେ । କେବଳ ତାଙ୍କରି ଡରରେ ମୁଁ ଅନ୍ୟ ଛାତ୍ରମାନଙ୍କ ଭଳି ସେହି କଲେଜରୁ ନାମ କଟାଇ ଅନ୍ୟ ଏକ କଲେଜରେ ନାମ ଲେଖାଇଥିଲି । ମୋର ଭାଗ୍ୟ ଏମିତି ଯେ ଶେଷରେ ତାଙ୍କରି ଆଖପାଖରେ ମୋତେ ରହିବାକୁ ପଡ଼ିବ । ତା ଛଡ଼ା କବି ନୀରଦ ଦାସଙ୍କ ପ୍ରତି ମୋର କମ୍ ଡର ନଥିଲା । ଏବେ ମୁଁ ନିଶ୍ଚିତ ଯେ ସେ ରାତିସାରା ମୋତେ ବିରହ କବିତା ଶୁଣାଇ ଶୁଣାଇ ଶୁଆଇ ଦେବେ ନାହିଁ । ମୁଁ ଦେଖି ପାରୁଥିଲି ଯେ ସେ ଦୁହେଁ ଆନନ୍ଦିତ ହୋଇ ମୋତେ ଉପରୁ ହାତ ଠାରି ଡାକୁଥିଲେ ।

 

ମୋର ଶରୀରକୁ ଗାଧୋଇ ଦେଇ ଚିତା ନିମନ୍ତେ ପ୍ରସ୍ତୁତ କରାଗଲା । ବିଧି ଅନୁସାରେ ଅନ୍ୟ ସମସ୍ତ ପ୍ରକାରର କ୍ରିୟାକର୍ମ ସରିଲା ପରେ ମୋର ତିନି ବର୍ଷର ପୁଅ ମୋ ମୁହଁରେ ଅଗ୍ନି ସଂଯୋଗ କଲା । ମୁଁ ଟିକିଏ ଗଣ୍ଡି ଭାରି ଲୋକ ହୋଇଥିବା ହେତୁ ମୋ ଦେହଟା ଖୁବ୍ ଜୋରରେ ଜଳିବାକୁ ଲାଗିଲା । ମୋ ଦେହ ଏତେ ଜୋର୍‌ରେ ଜଳିବା ଦେଖି ସମସ୍ତେ ଆନନ୍ଦିତ ହୋଇଯାଇଥିଲେ । ଅନେକେ ମୋତେ ମନେ ମନେ ଧନ୍ୟବାଦ ଦେଇଥିଲେ । ଜଣେ କହିଲା–‘‘ଧାର୍ମିକ ଲୋକଟାଏ ନା ସେଇଥିପାଇଁ ବେଶି କଷ୍ଟ ନ ପାଇ ଶୀଘ୍ର ଜଳୁଛି । ଯାହାହେଉ ତିନି ଘଣ୍ଟାକରେ ସରିଯିବ ।’’ ଅନ୍ୟମାନେ କିଛି ନ କହିଲେ ମଧ୍ୟ ନୀରବରେ ତା’କୁ ସମର୍ଥନ କରିଥିଲେ ।

 

ମୋ ଦେହ ଜଳିଲାବେଳେ ଚିତାରୁ ଉଠୁଥିବା ଧୂଆଁରୁ ପୋଡ଼ା ମୋବିଲର ଗନ୍ଧ ବାହାରିଥିଲା । ସମସ୍ତେ ସେହି ଗନ୍ଧ ହେତୁ ବ୍ୟସ୍ତ ଜଣାଗଲେ ମଧ୍ୟ କିଛି କହୁ ନଥିଲେ । ମାତ୍ର ଜଣେ ଯୁବକ କବି ଆଉ ସହି ନ ପାରି କହି ପକାଇଲେ–‘‘ଚନ୍ଦ୍ରବାବୁଙ୍କର ଭୌତିକ ଦେହରୁ ଏପରି ପୋଡ଼ା ମୋବିଲର ଗନ୍ଧ ବାହାରିବା ବାସ୍ତବରେ ଏକ ନିନ୍ଦନୀୟ ବିଷୟ । ଏପରି ଗନ୍ଧ ତ କେବଳ ମୋଟର ମେକାନିକର ଦେହ ଜଳା ହେଲାବେଳେ ବାହାରିବା ବେଶି ଯୁକ୍ତିଯୁକ୍ତ । କଅଣ ଧୂପ ଏବଂ ଝୁଣାର ବନ୍ଦୋବସ୍ତ କୌଣସି କାରଣରୁ କରାଯାଇ ନଥିଲା କି ?’’

 

ଯେଉଁ ବନ୍ଧୁ ଜଣକ ଚାନ୍ଦା ଏକତ୍ର କରି ଶବ ସତ୍କାର କାର୍ଯ୍ୟର ଭାର ବହନ କରିଥିଲେ ସେ ସାମାନ୍ୟ ରାଗିଲା ଭଳି ମୁହଁ କରି କହିଲେ, ‘‘ଅସଂଯତ କଥାବାର୍ତ୍ତା ବନ୍ଦ କର । ମୁଁ ତ ଯଥେଷ୍ଟ ପରିମାଣର ଝୁଣାର ବନ୍ଦୋବସ୍ତ କରିଥିଲି । ହୁଏତ କାଠରେ କିଛି ମୋବିଲ ଲାଗିଯାଇଥିବ, ନହେଲେ ପୋଡ଼ା ମୋବିଲର ଗନ୍ଧ କେଉଁଠାରୁ ଆସିବ ?’’

 

ତାଙ୍କର କଥା ଶୁଣି ସମସ୍ତେ ନୀରବ ହୋଇ ଯାଇଥିଲେ । ଗନ୍ଧ ଯାହାକିଛି ହେଉ ସେଥିପାଇଁ ବିଶେଷ ଚିନ୍ତା କରିବାର କିଛି ନାହିଁ–ମୁର୍ଦ୍ଦାରଟା ତ ଶୀଘ୍ର ଜଳିଲା !

 

ଶ୍ମଶାନର କାର୍ଯ୍ୟକ୍ରମ ସରିବାପରେ ସମସ୍ତେ ସେହିଠାରୁ ହିଁ ନିଜ ନିଜ ଘରକୁ ବିଦାୟ ନେଇଥିଲେ । କେବଳ ବାରିକ ମୋ ଘରକୁ ଫେରିଥିଲା । ବାରିକ ନିଜର ପାଉଣା ନ ପାଇ ମୋ ପତ୍ନୀଙ୍କ ଆଗରେ ଆପତ୍ତି କରିବାପାଇଁ ଆସିଥିଲା । ମୁଁ ମଧ୍ୟ ତାର ସଙ୍ଗରେ ଘରକୁ ଫେରିଥିଲି । ଘରେ ପହଞ୍ଚିଲା ବେଳକୁ କେତେଜଣ ପଡ଼ୋଶୀ ସ୍ତ୍ରୀ ଏବଂ ଜଣେ ଅପରିଚିତ ଯୁବକ ମୋ ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେବାର ମୁଁ ଲକ୍ଷ୍ୟ କରିଥିଲି । ଜନୈକ ପଡ଼ୋଶୀଙ୍କ ସ୍ତ୍ରୀ ମୋ ପତ୍ନୀଙ୍କୁ ବୁଝାଇବାରେ ଲାଗିଥିଲେ–‘‘ଏତେ ଆଉ କାନ୍ଦନାହିଁ ଭଉଣୀ । ଯିଏ ଯିବାର ଥିଲା ସିଏତ ଚାଲିଗଲା–କାନ୍ଦି କନ୍ଦି ଜୀବନଟାକୁ ନଷ୍ଟ କରିଦେଇ ଲାଭ ବା କଣ ? କୋଉ ଆଉ ବୟସ ଗଡ଼ିଯାଇଛି ଯେ ?’’

 

ସେଇ ଅଚିହ୍ନା ଯୁବକ ଜଣକ ମୋ ପତ୍ନୀଙ୍କ କାନ୍ଧରେ ହାତ ରଖି ସାନ୍ତ୍ୱନା ଦେଉଥିଲେ–‘‘ଛି..କୁମ, ମୋ ରାଣ, ତୁ ଏତେ ଅଧୀର ହୋଇ କାନ୍ଦନା । ଚନ୍ଦ୍ରବାବୁ ଚାଲିଗଲେ କଅଣ ହେଲା ତୋ ରମେଶ ଭାଇ ତ ବଞ୍ଚିଛି ।’’

 

ଆଉ କିଛି ଶୁଣିବାପାଇଁ ମୋର ଇଚ୍ଛା ନଥିଲା । ମୁଁ ଶ୍ମଶାନକୁ ଫେରିଯାଇଥିଲି ଯେଉଁଠାରେ ମୋର ଭୌତିକ ଶରୀରରୁ ଉଠୁଥିବା ପୋଡ଼ା ମୋବିଲର ଗନ୍ଧ ବାୟୁମଣ୍ଡଳରେ ଖେଳି ବୁଲୁଥିଲା ।

Image

 

ଚତୁର୍ଥ ଭୃତ୍ୟ

 

ଅନନ୍ତବାବୁ ଏବଂ ତାଙ୍କ ପରିବାରର ଅନ୍ୟ ତିନିଜଣ ସଦସ୍ୟ ସେଦିନ ସକାଳୁ ଉଠି ଚତୁର୍ଥ ଭୃତ୍ୟର ଆଗମନକୁ ଅପେକ୍ଷା କରି ବସିଥିଲେ । ବର୍ଷକ ଭିତରେ ଯେଉଁ ଘରୁ ତିନୋଟି ଚାକର ବାହାରିଯାଇଥାଆନ୍ତି ସେ ଘରର ଖ୍ୟାତି ଚାକର ଜଗତରେ କଳା ଅକ୍ଷରରେ ଲିପିବଦ୍ଧ ହୋଇଯାଇଥାଏ । ତୃତୀୟ ଚାକର ଦୁଇ ମାସ ତଳେ ଚାଲିଯିବା ପରେ ଅନନ୍ତବାବୁଙ୍କ ଘରର ଖ୍ୟାତି ଏତେ ସୁଦୂରବ୍ୟାପୀ ହୋଇଯାଇଥିଲା ଯେ, ସେଇ ସହର ତ ଦୂରର କଥା, ଆପପାଖ ସହରର କେହି ଲୋକ ତାଙ୍କ ଘରେ ଚାକିରୀ କରିବା ପାଇଁ ପ୍ରସ୍ତୁତ ନ ଥିଲା । ବଡ଼ପୁଅ ଟୁନା ଘୋଷଣା କରିସାରିଥିଲା ଯେ ପରୀକ୍ଷା ମୁଣ୍ଡ ଉପରେ ଥିବା ହେତୁ ସେ ବଜାର ସଉଦା କରିବାରେ ଅସମର୍ଥ । ଯଦି ତାକୁ ସେଥିପାଇଁ ବାଧ୍ୟ କରାଯାଏ ତାହେଲେ ସେ ଗତବର୍ଷର ପରୀକ୍ଷା ଫଳ ଭଳି ଏବର୍ଷର ପରୀକ୍ଷା ଫଳ ପାଇଁ ଦାୟୀ ହେବନାହିଁ । ଝିଅ ଆଉ ରନ୍ଧାବଢ଼ା କରିପାରିବ ନାହିଁ ବୋଲି ରୋକ୍‌ଠୋକ୍‌ ଜବାବ ଦେଇ ସାରିଲାଣି ।

 

ଅନେକ ଦିନରୁ ଗୋଡ଼ଘଷା ନ ମିଳିଥିବାହେତୁ ଅନନ୍ତବାବୁ ମଧ୍ୟ ରାତିରେ ଭଲଭାବରେ ଶୋଇପାରୁନାହାନ୍ତି । ପରିସ୍ଥିତିଟା ଦେଖିଲେ ଜଣାପଡ଼ୁଥିଲା ଯେ ଗୋଟାଏ ଚାକରଟୋକା ତୁରନ୍ତ ନ ଆସିଲେ ଅନନ୍ତବାବୁଙ୍କର ପରିବାର ନାମକ ସଂସ୍ଥାଟି ଅତି ଶୀଘ୍ର ଭାଙ୍ଗିଯିବ । ଏହି ନୈରାଶ୍ୟଜନକ ସ୍ଥିତିରେ ଜନୈକ–ବନ୍ଧୁ–ପ୍ରେରିତ ଏହି ଚତୁର୍ଥ ଭୃତ୍ୟର ଆଗମନର ଖବରଟି ସନ୍ଦେହମିଶ୍ରିତ ଆନନ୍ଦ ଉଦ୍ରେକ କରିଥିଲା–ହୁଏତ ଏଇ ଚାକରଟା ମଧ୍ୟ ରହି ନ ପାରେ !

 

ପ୍ରତ୍ୟେକ ଥର ଜଣେ ଚାକର ଗଲା ପରେ ଘରେ ଗୋଟାଏ ବିପତ୍ତିକାଳୀନ ସଭା ବସେ । ପ୍ରତ୍ୟେକ ସଦସ୍ୟ ଅନ୍ୟ ସଦସ୍ୟକୁ ଦୋଷ ଦେଇଥାଏ ଏବଂ ନିଶାର୍ଦ୍ଧ ପର୍ଯ୍ୟନ୍ତ ତୁମୁଳ ବାଦାନୁବାଦ ଚାଲିଥାଏ ।

 

ପ୍ରଥମ ଭୃତ୍ୟ ପଞ୍ଚୁଗାଆଁ ସ୍କୁଲରେ ଭଲ ପାଠ ନ ପଢ଼ି ପାରିଥିବା ହେତୁ ସହରକୁ ଆସି ଚାକିରୀ କରୁଥିଲା । ଅନନ୍ତବାବୁଙ୍କ ଘରେ ଚାକିରୀ କରିବାର ଅଳ୍ପ ଦିନ ପରେ ସେ ଜାଣି ପାରିଲା ଯେ, ଚାକରଟୋକା ଉପରେ କଲେଜପଢ଼ା ପିଲାଙ୍କର କେମିତି ଗୋଟାଏ ଜନ୍ମଗତ ଅଧିକାର ଅଛି-। ବିଶେଷତଃ ସନ୍ଧ୍ୟାବେଳେ କଲେଜରୁ ଫେରି ଘରେ ଗୋଡ଼ ଦେବାମାତ୍ରେ ସେହି ଅଧିକାର ପ୍ରଶସ୍ତ ରୂପ ଧାରଣ କରିଥାଏ । ଦୁଇ ଚାରିଥର ଗାଳି ଏବଂ ମାଡ଼ ଖାଇବା ପରେ ପଞ୍ଚୁର ଧାରଣା ହେଲା ଯେ, ପାଠପଢ଼ିବା ଗୋଟାଏ ଭଲ କାମ, କାରଣ ଏହାଦ୍ୱାରା କେତେ ଲୋକଙ୍କୁ ଚାପୁଡ଼ା ମାରିବାର ଅଧିକାର ମିଳେ । ତେଣୁ ଦିନେ ସନ୍ଧ୍ୟାବେଳେ ସେ ବଜାରକୁ ଯାଇ ସେହିପଟେ ହଜି ଯାଇଥିଲା । ସେ କୁଆଡ଼େ ଯେ ଗଲା ତାହା ନିଶ୍ଚିତ କହିହେବନାହିଁ । କିନ୍ତୁ ଏହା ଅନୁମେୟ ଯେ ସେ ଗାଆଁକୁ ଫେରିଯାଇ ସ୍କୁଲରେ ପୁଣି ନାମ ଲେଖାଇ ନେଇଥିବ ଏବଂ ପ୍ରତିଦିନ ସ୍କୁଲରୁ ଫେରି ଘରର ମୂଲିଆମାନଙ୍କୁ ନିଶ୍ଚୟ ନିସ୍ତୁକ ପିଟୁଥିବ । ପଞ୍ଚୁର ଅନ୍ତର୍ଦ୍ଧାନ ପାଇଁ ଟୁନା ଏବଂ ମିନିକୁ ଦୋଷୀ ସାବ୍ୟସ୍ତ କରାଗଲା ।

 

ପଞ୍ଚୁ ପରେ ଆସିଲା ବ୍ରଜ । ମଧ୍ୟବୟସ୍କ ବ୍ରଜର କାମଦାମ ସଫା ସୁତର । ତାହାର କୌଣସି କାମରେ ଆଙ୍ଗୁଳି ଦେଇ ହେବ ନାହିଁ; ମାତ୍ର ତାହାର କାମଟି ଏତେ ସଫା ଯେ, ସେ ବଜାର ସଉଦା ପଇସାର କିଛି ଅଂଶ ନିଜପାଇଁ ରଖି ଦେଉଥିବା ବିଷୟରେ ପ୍ରାୟ ଦୁଇମାସ ପର୍ଯ୍ୟନ୍ତ କେହି ଠଉରେଇ ପାରି ନ ଥିଲେ । ଦିନେ ଅକସ୍ମାତ ଧରାପଡ଼ିଯିବା ପରେ ବ୍ରଜ ଯୁକ୍ତି କରିଥିଲା ଯେ, ସେ ଚାକର ରୂପରେ ଏ ଘରକୁ ଆସିଥିଲା ପୂଝାରୀ ରୂପରେ ନୁହେଁ । ତେଣୁ ପୂଝାରୀର ଏଲାଉନସଟା ନିଜେ ଯୋଗାଡ଼ କରିନେଉଥିଲା । ଫଳରେ ବ୍ରଜ ବିଦାୟ ନେଲା । ବ୍ରଜର ବିଦାୟ ପରେ ଏହା ନିଶ୍ଚିତ କରାଗଲା ଯେ ଏଣିକି ଘରର ବଜାର ସଉଦା ଅନନ୍ତବାବୁ ନିଜେ ହିଁ କରିବେ ।

 

ନୂତନ ଚାକର ପାଇଁ ପୁଣି ଖୋଜା ଖୋଜି ଆରମ୍ଭ ହେଲା । ଅନେକ ପରିଶ୍ରମ ପରେ ମିଳିଲେ ନଟବର ସର୍ବଗୁଣାଳଂକୃତ । ଘର ସଫା କରିବା ଏବଂ ରୋଷାଇ କରିବାଠାରୁ ଆରମ୍ଭ କରି, ଛୁଆ ଖେଳାଇବା ଏବଂ ବଡ଼ି ପକାଇବା ପ୍ରଭୃତି ସମସ୍ତ ପ୍ରକାରର କାମ ତାକୁ ଜଣାଥିଲା । ମାତ୍ର ଲକ୍ଷ୍ୟ କରିବାର କଥା ଏହିକି ଯେ, ନଟବରର ଭାଷା ଏବଂ ସ୍ୱର ଦୁଇଟିରେ କିପରି ଏକ ଅଦ୍ଭୁତ ପ୍ରକାରର କୋମଳତା ଭରି ରହିଥିଲା, ଯାହାକୁ କି ପୁରୁଷଧର୍ମୀ କୁହାଯାଇ ନପାରେ । ଅତିଥି ଅଭ୍ୟାଗତ ଘରକୁ ଆସିଲେ କାନ୍ଧର ଗାମୁଛା ମୁଣ୍ଡରେ ଓଢ଼ଣା ଭଳି ପକାଇ ନଟବର ଆଡ଼ ହେବାର ଦେଖାଗଲା । ପ୍ରତି ପ୍ରଶ୍ନର ଉତ୍ତର ଢଗ ଏବଂ ଢମାଳିଦ୍ୱାରା ଦେବା ତ ବିଶେଷ ବଡ଼ କଥା ନୁହେଁ–କିନ୍ତୁ ନଟବର ନିଜ ହାତରେ ମଞ୍ଜୁଆତି ପତ୍ର ବାଟି ମଧ୍ୟ ଲଗାଇଲା । ଏ ପର୍ଯ୍ୟନ୍ତ ଘରେ ତାହାର କାର୍ଯ୍ୟକଳାପରେ କେହି ବିଶେଷ ଆପତ୍ତି କରୁ ନ ଥିଲେ, କାରଣ ତାହାର କାମଦାମ ବହୁତ ଭଲ ଥିଲା । ମାତ୍ର କିଛି ଦିନ ପରେ ନଟବର ରାତିରେ କେତେଗୁଡ଼ିଏ ସମ–ଚାରିତ୍ରିକ ବନ୍ଧୁ ଏକତ୍ର କରିବାକୁ ଲାଗିଲା ଏବଂ ରାତ୍ରିର ତୃତୀୟ ପ୍ରହର ପର୍ଯ୍ୟନ୍ତ ଢୋଲ, ଗୀତ ଏବଂ ନାଚର ସମ୍ମିଶ୍ରଣରେ ଗୋଟାଏ ସାଂସ୍କୃତିକ କାର୍ଯ୍ୟକ୍ରମ ତୁଲାଇବାକୁ ଲାଗିଲା । ଏ ପ୍ରକାର କାର୍ଯ୍ୟକ୍ରମଦ୍ୱାରା କେବଳ ଯେ ଅନନ୍ତବାବୁଙ୍କ ପରିବାରର ଲୋକମାନେ ଉତ୍‌ପୀଡ଼ିତ ହେଲେ ତାହା ନୁହେଁ, ପାଖ ପଡ଼ୋଶୀମାନେ ମଧ୍ୟ ଆପତ୍ତି କରିବାରେ ଲାଗିଲେ ।

 

ଶେଷରେ ସମସ୍ତେ ମିଶି ଦିନେ ରାତିରେ ନଟବରକୁ ଏତାଦୃଶ ବ୍ୟବହାରର କାରଣ ପଚାରିବାରୁ ସେ ତାଳିଟାଏ ମାରିଦେଇ ଉତ୍ତର ଦେଲା–‘‘ଆମେ କଅଣ କରିବୁ–ଆମେ ଏ କୁଳର ହେଲୁ ନା ସେ କୁଳର ହେଲୁ !’’ ନଟବର ଏହା ମଧ୍ୟ କହିଥିଲା ଯେ, ସେ ଚାକିରୀ ଛାଡ଼ିଦେଇପାରେ, ମାତ୍ର ନିଜର ସ୍ୱାଧୀନତା ଛାଡ଼ିଦେଇ ନ ପାରେ । ନଟବରକୁ ବିଦାୟ ଦେବା ଆଗରୁ ସେ ନିଜେ ହିଁ ଚାଲିଯାଇଥିଲା । ଆଜିକାଲି ନଟବର ଜନୈକ ମାରୁଆଡ଼ିଙ୍କ ଘରେ କାର୍ଯ୍ୟରତ । ବେଳେ ବେଳେ କାହାରି ଘରେ ଛୁଆ ହେଲେ ନବଜାତକର ଜନ୍ମର ଉଦ୍‍ଘୋଷଣା ନିମନ୍ତେ ନଟବର ଏବଂ ତାହାର ସହଚରମାନେ ପହଞ୍ଚିବାର ଲକ୍ଷ୍ୟ କରାଯାଉଅଛି ।

 

ନଟବର ଗଲାପରେ ଅନନ୍ତବାବୁଙ୍କ ଘରେ ଗୋଟାଏ ପ୍ରକାରର ହାହାକାର ଖେଳି ଯାଇଥିଲା । ତିନୋଟି ଚାକର ବାହାରିଯାଇଥିବା ହେତୁ ଅନନ୍ତବାବୁଙ୍କ ଘର ଚାକର ମହଲରେ ଚର୍ଚ୍ଚାର ବିଷୟ ହୋଇଯାଇଥିଲା । ଯେତେ ପ୍ରଲୋଭନ ଦେଖାଇଲେ ମଧ୍ୟ କୌଣସି ଚାକର ତାଙ୍କ ଘରେ କାର୍ଯ୍ୟକରିବା ପାଇଁ ପ୍ରସ୍ତୁତ ନ ଥିଲେ । ମାସେ ପର୍ଯ୍ୟନ୍ତ ପରିବାରର ସଦସ୍ୟମାନେ ମିଳିମିଶି ଘରଟିକୁ ଯେନତେନ ପ୍ରକାରେଣ ଚଳାଇନେଲେ । ମାତ୍ର ପିଲାଙ୍କର ପରୀକ୍ଷା ମୁଣ୍ଡ ଉପରେ ଆସି ଯାଇଥିବା ହେତୁ ଏ ପ୍ରକାର ବ୍ୟବସ୍ଥା ଚଳିବା ଆଉ ସମ୍ଭବପର ନ ଥିଲା । ଅନେକ ଖୋଜାଖୋଜି ପରେ ଜଣେ ବନ୍ଧୁ ଗୋଟାଏ ଚାକର ଯୋଗାଡ଼ କଲେ ଯେ କି ଏକଦା ବମ୍ବେରେ ଜଣେ ବ୍ୟବସାୟୀଙ୍କ ଘରେ କାମ କରୁଥିଲା । ଚାକର ମିଳିଯିବା ଖବରଟି ମରୁଡ଼ି ଅଞ୍ଚଳରେ ଆଶା–ଉଦ୍ରେକ–କାରୀ ମେଘ ଅସରା ଭଳି ସମସ୍ତଙ୍କ ମନରେ ଗୋଟାଏ ଆଶାବାଦ ଭରିଦେଇଥିଲା । ଡର ମଧ୍ୟ ଯଥେଷ୍ଟ ଥିଲା–କାଳେ ଏଇ ଚାକରଟା ମଧ୍ୟ ହାତରୁ ଖସିଯିବ । ଘରେ ଗୋଟାଏ ଜରୁରୀକାଳୀନ ବୈଠକରେ ନିଶ୍ଚିତ କରାଗଲା ଯେ, ଏ ଚାକରଟି ଯେମିତି ହେଲେ ରଖିବାକୁ ପଡ଼ିବ ।

 

ଦୁଇଦିନ ପରେ ଚାକର ଆସିଲା । ସମସ୍ତେ ସକାଳଠାରୁ ତାହାର ଆଗମନକୁ ଅପେକ୍ଷା କରି ବସିଥିଲେ । ନାମଟି ଜୀବନ । ମାତ୍ର ପଚାରିଲା ମାତ୍ରେ ସେ ସମସ୍ତଙ୍କୁ ସତର୍କ କରାଇ ଦେଲା ଯେ ତାକୁ ଜୀଓ୍ୱନ ବୋଲି ଡାକିଲେ ସେ ଆନନ୍ଦିତ ହେବ । ଜୀଓ୍ୱନ ପେଣ୍ଟ, ସାର୍ଟ ଏବଂ ଜୋତା ପିନ୍ଧିଥିଲା, ଆଉ ହାତରେ ଗୋଟାଏ ଘଡ଼ି ମଧ୍ୟ ବାନ୍ଧିଥିଲା । ଘରକୁ ପଶି ସେ ପ୍ରଥମେ ସମସ୍ତଙ୍କୁ ଗୋଟିଏ ତୀକ୍ଷଣ୍ ଦୃଷ୍ଟିରେ ନିରୀକ୍ଷଣ କରିଗଲା, ଆଉ ଜଣଜଣ କରି ସମସ୍ତଙ୍କର ନାମ ପଚାରିବାକୁ ଲାଗିଲା । ତା ଚେହେରା ଦେଖି ସମସ୍ତଙ୍କର ମନରେ କେମିତି ଗୋଟାଏ ଡର ପଶିଯାଇଥିଲା । କେହି କିଛି ନ କହି ନିଜ ନିଜର ନାମ କହିବାକୁ ଲାଗିଲେ । ଅନନ୍ତବାବୁ ପଚାରିଲେ–‘‘ତମ ଘର କେଉଁଠି ଜୀଓ୍ୱନ ?’’ ଜୀଓ୍ୱନ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ପ୍ରଶ୍ନକଲା–‘‘ମୋ’ ରହିବାପାଇଁ ଗୋଟାଏ ରୁମ୍‌ର ବ୍ୟବସ୍ଥା ହୋଇଛି କି ନାହିଁ ?’’ ଅନନ୍ତବାବୁ ଏବଂ ତାଙ୍କ ପରିବାରର ଲୋକମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ । ଗୋଟିଏ ଚାକର ଯେ ଘରେ ପହଞ୍ଚୁ ପହଞ୍ଚୁ ଏପରି ଓଲଟା ଇଣ୍ଟରଭ୍ୟୁ କରିପାରେ ଏହା ସେମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ । କିନ୍ତୁ କରିବେ କଅଣ–କାଳେ ନାଁ କରିଦେଲେ ଜୀଓ୍ୱନ ରାଗିଯାଇ ପାରେ ଆଉ ପଳାଇ ମଧ୍ୟ ଯାଇପାରେ ! ଅନନ୍ତବାବୁଙ୍କ ନିର୍ଦ୍ଦେଶାନୁସାରେ ଟୁନା ଜୀବନକୁ ତା ରହିବା ଘର ଦେଖାଇଦେଲା । ଫେରିଆସି ଜୀଓ୍ୱନ ଅନନ୍ତବାବୁଙ୍କ କହିଲା, ‘‘ଏତେ ଛୋଟ ରୁମଟାରେ ମୁଁ ରହିବି କେମିତି ? ପଙ୍ଖା ବି ତ ନାହିଁ ?’’

 

ତା’ କଥା ଶୁଣି ଶ୍ରୀମତୀଙ୍କ ମୁହଁରୁ କଅଣ ବାହାରି ଆସୁଥିଲା ମାତ୍ର ଅନନ୍ତବାବୁ ଭବିଷ୍ୟତକୁ ଆଖି ଆଗରେ ରଖି ତାଙ୍କୁ ଚୁପ୍ କରାଇଲେ । ଅତି ନମ୍ରତାର ସହିତ କହିଲେ, ‘‘ତାହେଲେ ପଢ଼ାଘର ରୁମଟାରେ ତମେ ରୁହ, ସେଇଠି ଗୋଟିଏ ପଙ୍ଖା ଲାଗିଛି ।’’

 

ଜୀଓ୍ୱନ ରୁମ ଦେଖିସାରି ଆସି କହିଲା–‘‘ଠିକ୍ ଅଛି, ଚଳିବ । ମୋତେ କଅଣ କାମ କରିବାକୁ ହେବ ?’’

 

ଶ୍ରୀମତୀ କହିଲେ–‘‘ଖାଇବା ପ୍ରସ୍ତୁତ କରିବ, ଆଉ ତା ଛଡ଼ା.....’’

 

ତାଙ୍କ ମୁହଁରୁ ଏତିକି ବାହାରିଛି କି ନାହିଁ ଜୀଓ୍ୱନ ପୁଣି ପ୍ରଶ୍ନ କଲା–‘‘କେମିତି ଜିନିଷ ଆପଣଙ୍କୁ ପସନ୍ଦ ? ଇଣ୍ଡିଆନ, କଣ୍ଟିନେଣ୍ଟାଲ ନା ଚାଇନିଜ୍ ? ଯଦି ଆପଣମାନେ ନନଭେଜିଟେରିଆନ୍ ହୋଇଥାଆନ୍ତି ତାହେଲେ କଅଣ ମିଟ୍, ମୁର୍ଗା ନା ହେନ୍ ପସନ୍ଦ କରନ୍ତି ? ଯଦି ସୁଇଟଡ଼ିଶ୍ ଚାହୁଁଥାଆନ୍ତି ତା’ ମଧ୍ୟ ମୁଁ ବନାଇ ଦେଇପାରେ । ଆଜି କଅଣ ଖାଇବେ କୁହନ୍ତୁ–ଦୁଇଟା କୁକୁଡ଼ା ତନ୍ଦୁରୀ କରିଦେବି କି?’’

 

ରୁମ୍‌ ଭିତରେ ପୁଣି ନିସ୍ତବ୍‌ଧତା ଖେଳିଗଲା । ଭାତ, ଆଳୁଭରତା, ଡାଲମା ବା ଅତି ବେଶି ହେଲେ ମାଛ ତରକାରୀ ଉପରକୁ ଏ ପରିବାର ଉଠିପାରି ନ ଥିଲା । ସମସ୍ତେ ଥକ୍‍କାହୋଇ ବସି ଯାଇଥିଲେ । ଶେଷରେ ଅନନ୍ତବାବୁ ଛେପ ଢୋକି କହିଲେ–‘‘ନାଇଁ ଜୀଓ୍ୱନବାବୁ, ଆମେ ଓଡ଼ିଆ ଲୋକ ଆଉ ଭେଜିଟେରୀଆନ୍‌ । ଏସବୁ କଅଣ ହେବ ?’’

 

‘ଓହଃ ।’ ଏତିକି କହି ଜୀଓ୍ୱନ କେମିତି ଗୋଟାଏ ତାଚ୍ଛଲ୍ୟପୂର୍ଣ୍ଣ ଦୃଷ୍ଟିରେ ସମସ୍ତଙ୍କ ଆଡ଼େ ଚାହିଁଲା । ତାକୁ ବୋଧେ ଏଇ ଭେଜିଟେରୀଆନ୍‌ କଥାଟା ପସନ୍ଦ ହେଲା ନାହିଁ । ପଚାରିଲା–‘‘ଆପଣଙ୍କର କିଚେନ କାହିଁ ?’’

 

ସମସ୍ତେ ଏକା ସଙ୍ଗରେ ଜୀଓ୍ୱନକୁ ରୋଷାଇଘର ଦେଖାଇବା ପାଇଁ ନେଲେ । କାଠଚୁଲିରେ ରନ୍ଧାହେବା ବ୍ୟବସ୍ଥା । ଚାରିଆଡ଼େ ଅଳନ୍ଧୁ ଲାଗିଛି । ଜୀବନ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା–‘‘ମୁଁ କାଠ ଚୁଲୀରେ ରାନ୍ଧି ପାରିବି ନାହିଁ । ଆପଣଙ୍କ ଘରେ କଅଣ ଗ୍ୟାସ୍‌ ସିଲିଣ୍ଡର, ପ୍ରେସରକୁକର୍‌ ନାହିଁ ? ତା ଛଡ଼ା ଇଲେକ୍‌ଟ୍ରିକ୍‌ ଓଭେନ୍‌ ଆଉ ମିକସି୍ ‌ତ କାହିଁ ମୁଁ ଦେଖୁନାହିଁ ! ଆପଣମାନେ କୁକିଂ କରନ୍ତି କେମିତି ?’’

 

ଅନନ୍ତବାବୁ କହିଲେ–‘ଏସବୁ ଜିନିଷ ତ ନାହିଁ–କିନ୍ତୁ ଆସ୍ତେ କିଣିନବା ।’’

 

ଜୀଓ୍ୱନ ଗୋଟାଏ କାଗଜ ଓ ପେନ୍‌ ପକେଟରୁ କାଢ଼ି ତାଲିକା ତିଆରି କରିବା ଆରମ୍ଭକଲା–ଗୋଟାଏ ଗ୍ୟାସ୍‌ ସିଲିଣ୍ଡର ଓ କୁକର୍‌, ଗୋଟାଏ ଇଲେକ୍‌ଟ୍ରିକ୍‌ ଓଭେନ୍‌, ଗୋଟାଏ ଡିନର୍‌ ସେଟ୍‌, ଦୁଇଟା ଟ୍ରେ, ଘର ସଫା କରିବା ପାଇଁ ଗୋଟାଏ ଟିଣ ଫିନାଇଲ୍‌, ଦୁଇଟା ସାବୁନ ଓ ଦୁଇଟା ତଉଲିଆ ଏବଂ କିଚେନ୍‌ପାଇଁ ଗୋଟାଏ ଟେବୁଲ ଫ୍ୟାନ୍‌ । ତାଲିକାଟି ଅନନ୍ତବାବୁଙ୍କୁ ଧରାଇଦେଇ କହିଲା–‘‘ଅନ୍ତତଃ ଏତିକି ହେଲେ କାମ ଆରମ୍ଭ କରିହେବ ।’’

 

ତାଲିକାଟି ପଢ଼ି ଅନନ୍ତବାବୁଙ୍କ ମୁହଁ ଆଉ ଦେହରୁ ଝାଳ ବୋହିବାକୁ ଲାଗିଲା ଯିଏ ରୋଷାଇଘରେ ପଶିବା ଆଗରୁ ଏପରି ଏକ ତାଲିକା ଦେଇପାରେ ସେ କିଛିଦିନ ରହିଗଲେ କଅଣ ଅବସ୍ଥା ହେବ ! ତାଲିକାରେ ଥିବା ଜିନିଷଗୁଡ଼ିକର ଦାମ୍‌ ତାଙ୍କର ଦୁଇ ମାସର ଦରମାଠାରୁ ମଧ୍ୟ ବେଶି । ତା’ଛଡ଼ା ଯାହାର ରୋଷେଇ କରିବାର ମାନ ଏତେ ଉପରେ ସେ ଦରମା କେତେ ଦାବୀ କରିପାରେ ! ଅଚାନକ ଭାବରେ ତାଙ୍କ ମୁହଁରୁ ବାହାରିଗଲା–‘‘ଆପଣ ମାସକୁ କେତେ ଦରମା ନେବେ ଜୀଓ୍ୱନ ବାବୁ ?’’

 

ଗୋଟିଏ ସ୍ମିତହାସ୍ୟ କରି ଜୀଓ୍ୱନ କହିଲା–‘‘ବେଶି କିଛି ନୁହେଁ–ମାସରେ ଚାରିଶହ ଟଙ୍କା ଦରମା ତା ଛଡ଼ା ଓଭରଟାଇମ୍ ।’’

 

ଓଭରଟାଇମ୍ ଯେ ଚାକର ମଧ୍ୟ ମାଗିପାରେ ତାହା ଅନନ୍ତବାବୁ ଜାଣି ନ ଥିଲେ । ସରକାରୀ ଫାଇଲ ଓ ଖବରକାଗଜରେ ପଢ଼ିଥିଲେ ଯେ ଶ୍ରମିକମାନେ ମିଲ୍ ମାଲିକମାନଙ୍କ ପାଖରୁ ଓଭରଟାଇମ୍ ଦାବି କରନ୍ତି । ଭୟଭୀତ ହୋଇ ସେ ପ୍ରଶ୍ନକଲେ–‘‘ଏ ଓଭରଟାଇମ୍‍ଟା କଅଣ ଆଜ୍ଞା-?’’

 

ଜୀଓ୍ୱନ କହିଲା–‘‘ମୁଁ ସକାଳ ନଅଟାରୁ ରାତି ଆଠଟା ପର୍ଯ୍ୟନ୍ତ ଡିଉଟୀ ଦେବି । ତାପରେ ଯଦି ଅଧିକା ଡିଉଟୀ ନେବେ ତାହେଲେ ଘଣ୍ଟାକୁ ପାଞ୍ଚଟଙ୍କା ହିସାବରେ ଓଭରଟାଇମ୍‌ ଦେବାକୁ ହେବ । ତା ଛଡ଼ା ରବିବାର ଦିନ ଉପର ଓଳି ପାଖରୁ ମୋର ଛୁଟୀ, କାରଣ ମୁଁ ପ୍ରତି ରବିବାର ନିଶ୍ଚୟ ଗୋଟିଏ ସିନେମା ଦେଖେ । ସିନେମା ଖର୍ଚ୍ଚଟା ମଧ୍ୟ ଆପଣ ଦେବେ ।’’

 

ଅନନ୍ତବାବୁଙ୍କର ଧୈର୍ଯ୍ୟ ଭାଙ୍ଗି ଆସୁଥିଲା । ତଥାପି ନିଜକୁ ସଂଯତ କରି ପଚାରିଲେ–‘‘କଅଣ ଏତିକି ହେଲେ ଚଳିବ ?’’

 

କହିଲା–‘‘ହଁ, ମୋର ଆଉ ଦୁଇଟା ସର୍ତ୍ତ ଅଛି । ମୋତେ ତିନିମାସର ଦରମା ଏଡ଼ାଭାନସ୍ ଦେବାକୁ ପଡ଼ିବ । ତା ଛଡ଼ା ମୋତେ ଗାଳି ଫଜିତ୍‌ ପସନ୍ଦ ନୁହେଁ । ଭଲଭାବରେ କଥାବାର୍ତ୍ତା କଲେ ସବୁ କାମ କରିଦେବି– ବୁଝିଲେ । ମୁଁ ଏବେ ସେଲୁନକୁ ଯାଉଛି ବାଳ ବନାଇବାପାଇଁ । ଆସିଲେ ବାକି କଥାବାର୍ତ୍ତା ହେବା ।’’

 

ଏତିକି କହି ଜୀଓ୍ୱନ ଘରୁ ବାହାରିଯାଇଥିଲା । ଭୂତ ଘର ଭିତରେ କିଛିକ୍ଷଣ ପାଇଁ ଦେଖାଦେଇ ଚାଲିଗଲେ ଯାହା ଅବସ୍ଥା ହୁଅନ୍ତା ସମସ୍ତଙ୍କର ସେହି ଅବସ୍ଥା ହୋଇଥିଲା । ଏମିତି ଏକ ପରିସ୍ଥିତିର ସାମନା କରିବାକୁ ପଡ଼ିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ । ସେମାନେ ଚାକରକୁ କଅଣ ପଚାରିବେ, ସିଏତ ଓଲଟା ସମସ୍ତଙ୍କ ଇଣ୍ଟରଭିଉ କରି ଚାଲିଗଲା । ନୀରବତା ଭାଙ୍ଗି ଟୁନା କହିଲା–‘‘ବାପା ! ଏ ଫିଲ୍ମଷ୍ଟାର୍‌ଟାକୁ ଘରେ ରଖି ହେବବାହିଁ । କିଛିଦିନ ଘରେ ରହିଲେ ଇଏ ଆମମାନଙ୍କୁ ଚାକର ବନାଇଦେବ । ବାପରେ ବାପ୍‌ !’’

 

ଅନନ୍ତବାବୁ ଦୀର୍ଘଶ୍ୱାସ ଛାଡ଼ି କହିଲେ–‘‘ଠିକ୍ କହିଛୁ ବାପା । ଏ ସାପକୁ ଘରେ ପାଳି ହେବ ନାହିଁ । ଏବେ ଗୋଟିଏ କାମ କର । ସେ ମାରୁଆଡ଼ି ଘରକୁ ଯାଇ ନଟବରକୁ ଡାକିଆଣ । ତାକୁ ବରଂ ଆଉ ଦଶଟଙ୍କା ଅଧିକା ଦେବି ।’’

Image